ଗଞ୍ଜାମ: ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ୧୧ ନମ୍ବର ୱାର୍ଡରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ଦୁଇ ଝିଅ ଆହତ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ହେଲେ ଆର. ଦମୟନ୍ତୀ ରେଡି (୫୦) ଆହତ ମାନେ ହେଲେ ସ୍ୱାମୀ ନାରାୟଣ ରେଡି( ୬୨), ଦୁଇ ଝିଅ ବାସନ୍ତି ରେଡି ଓ ଶକ୍ତମୟୀ ରେଡି (୨୪)। ଆହତଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲକୁ ନିଆଯାଇଥିଲା। ଗଞ୍ଜାମ ମେଡିକାଲରୁ ଛତ୍ରପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦମୟନ୍ତୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରତର ଝିଅକୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା। ଛତ୍ରପୁର ମେଡିକାଲରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଂଚି ଆହତ ଙ୍କ ଅଧିକ ଚିକିତ୍ସା ପାଇଁ ସହଯୋଗ କରିଥିଲେ। ଏହି ଘଟଣାରେ ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ସୂଚନା ଯୋଗ୍ୟ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଘର ସମ୍ମୁଖରେ ରହିଥିବା ଏକ ସଜନା ଗଛର ଡ଼ାଳ ହାଣୁଥିବା ବେଳେ ଉପରେ ଯାଇଥିବା ବିଦ୍ୟୁତ ତାରଟି ଛିଡି ପଡିଥିଲା। ଫଳରେ ଗଛ ଡ଼ାଳ ସହ ବିଦ୍ୟୁତ ତାର ମହିଳାଙ୍କ ବେକରେ ପଡି ଯାଇଥିଲା। ସେଠାରେ ଉପସ୍ଥିତ ରହିଥିବା ପରିବାରର ଅନ୍ୟ ସଦସ୍ୟମାନେ ଉକ୍ତ ସଜନା ଡ଼ାଳରେ ଲାଗି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ବାଉଁଶ ସାହାଯ୍ୟରେ ବାଡେଇ ସେମାନଙ୍କୁ ଗଛ ଡ଼ାଳ ଓ ବିଦ୍ୟୁତ ତାରରୁ ଅଲଗା କରିଥିଲେ। ଅନ୍ୟପଟେ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା।



