ଗଞ୍ଜାମ : ୮ ଜୁନ୍ କୁ ବିଶ୍ଵ ମହାସାଗର ଦିବସ ଭାବେ ପାଳନ କରାଯାଏ । ମାନବ ଜୀବନରେ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପ୍ରୟାସ ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ ୮ ତାରିଖରେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଏ । ଏହି ଦିନକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ଜୈବ ବିବିଧତା, ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ସମ୍ବଳର ଅନୈତିକ ବ୍ୟବହାର ଏବଂ ସମୁଦ୍ର ଦ୍ୱାରା ଆସୁଥିବା ବିଭିନ୍ନ ପ୍ରକାରର ଆହ୍ବାନ ବିଷୟରେ ବିଶ୍ୱରେ ସଚେତନତା ସୃଷ୍ଟି କରିବା । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ସହରର ଇକୋ ୱାରିୟର ପକ୍ଷରୁ ବଟେଶ୍ୱର୍ ସମୁଦ୍ର ବେଳାଭୂମିରେ ୨୦୦ କି.ଗ୍ରା ପ୍ଲାଷ୍ଟିକ ଆବର୍ଜନା ସଫେଇ ସହ ସଚେତନତା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଇକୋ ୱାରିୟର୍ ସଦସ୍ୟ ସିମାଞ୍ଚଳ ଦାସ, ପ୍ରଭାତ ବିଶ୍ଵାଳ, ଦୁର୍ଯ୍ୟୋଧନ ରେଡ୍ଡୀ, ପ୍ରଣବ କୁମାର ପ୍ରଧାନ,ଗୁରୁନାଥ ରେଡ୍ଡୀ, ଅଖିଳ ତରାଇ, ସନ୍ତୋଷ ତରାଇ,ଅକ୍ଷୟ ପଲାଇ ଏବଂ ବଳରାମ ରେଡ୍ଡୀ ଆଦି ସାମିଲ ହୋଇଥିଲେ । ସମୁଦ୍ରରେ ପ୍ରାୟ ଏକ ଲକ୍ଷ ପ୍ରଜାତିର ଜୀବ ଅଛନ୍ତି । ସେମାନଙ୍କର ପ୍ରାକୃତିକ ବାସସ୍ଥାନ ହେଉଛି ସମୁଦ୍ର । ତେଣୁ ଆଜିର ଏହି ଦିନରେ ଆମେ ସଂକଳ୍ପ ନେବା ସହ ବିଶ୍ୱବାସୀ, ସମୁଦ୍ରର ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।
Popular Categories



