ଆଠଗଡ : ଆଠଗଡର ବିଭିନ୍ନ ସ୍ଥାନରେ ସୋମବାର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ଆଠଗଡ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ଆଠଗଡ ରାସରସିକପୁରସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ମହାନ ଦେଶ ସେବକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୁବନେତା ତଥା କାଉନସିଲର ମନୋରଞ୍ଜନ ପଟ୍ଟନାୟକ, ପୂର୍ବତନ କାଉନସିଲର ସୋମନାଥ ଭକ୍ତା, ବିକ୍ରମ ରାୟସାମନ୍ତ, ଗଦାଧର ରାଉତ, ବିପିନ ମହାପାତ୍ର, କୈଳାସ ଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ପୁହାଣ, ଅଶୋକ ପ୍ରଧାନ ଓ ପୂର୍ବତନ ବ୍ଲକ ଯୁବ କଂଗ୍ରେସ ସଭାପତି ଇଂ ପ୍ରିୟବ୍ରତ ଦାସ ଯୋଗଦେଇ ଉଭୟ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେମାନେ ଗାନ୍ଧୀଙ୍କ ତ୍ୟାଗପୁତ ଜୀବନ ଏବଂ ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ।
ଗୋପବନ୍ଧୁ ବିଜ୍ଞାନ କଲେଜରେ ଗାନ୍ଧୀ ଜୟନ୍ତୀ
ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟାପିକା ଡଃ ସୁରେଖା ଦାସ, ଅଧ୍ୟାପକ ଡଃ ଦିବ୍ୟଶକ୍ତି ସାମନ୍ତରାୟ ଓ ଡେମୋନଷ୍ଟ୍ରେଟର ପ୍ରଜ୍ଞା ପରମିତା ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗାନ୍ଧୀଙ୍କ ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ଦେଶସେବାକୁ ବ୍ରତ ଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଥିଲେ । ଏହି ଅବସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ପରେ ପରେ କଲେଜର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ଏକ ଶୋଭାଯାତ୍ରାକୁ ଅଧ୍ୟାପିକା ଡଃ ସୁରେଖା ଦାସ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଶୋଭାଯାତ୍ରାକାରୀ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ବିଭିନ୍ନ ମନ୍ଦିର ଓ କଲେଜ ପରିସର ସଫେଇ କରିଥିଲେ।
ଫ୍ରେଣ୍ଡସ କ୍ଲବ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ
ଆଠଗଡ ବ୍ଲକର କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫ୍ରେଣ୍ଡ କ୍ଲବ ଏବଂ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ମିଳିତ ସହଯୋଗରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କ୍ଲବ ପରିସରରେ ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ସମେତ ଅନ୍ୟ ସଦସ୍ୟମାନେ ମହାତ୍ମା ଗାନ୍ଦୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ହିଁ ସେବା ସନ୍ଦେଶକୁ ପାଥେୟ କରି କ୍ଲବର ସଦସ୍ୟମାନେ ଗ୍ରାମ ମଧ୍ୟରେ ଥିବା ରାସ୍ତାଘାଟ, ନଳକୂପ, ଅଙ୍ଗନବାଡି ଓ ବିଦ୍ୟାଳୟ ପରିସର ବ୍ୟାପକ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟଙ୍କ ସହିତ ଗ୍ରାମବାସୀ, ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ସଂପାଦକ ଭାଷ୍କର ଚନ୍ଦ୍ର ବେହେରା, ସଭ୍ୟ ତପନ କୁମାର ସାହୁ, ସୂର୍ଯ୍ୟକାନ୍ତ ସେଠୀ, ମଧୁ ସାହୁ, ପ୍ରଦୀପ ସାହୁ, ସଂଜୟ ସାହୁ, ଚନ୍ଦନ ନାୟକ, ଲୁଲୁ ଦଳାଇ, କମଳ ଦଳାଇ ଓ ବୀରବର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବିଜେଡି କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ
ଆଠଗଡ ବିଜୁ ଜନତା ଦଳ ସୂର୍ଯ୍ୟଭବନଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ ରାମଧୁନ ସହିତ ପ୍ରଭାତ ଫେରି ଅନୁଷ୍ଠିତ ହେବା ପରେ ଦଳୀୟ କାର୍ଯ୍ୟାଳୟରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ତଥା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଓ ଉପାଧ୍ୟକ୍ଷ ବି.ଶୁଭ୍ର ଶଙ୍କର ଜ୍ୟୋତି ଯୋଗଦେଇ ଗାନ୍ଧୀଙ୍କ ଦର୍ଶନ ଓ ବିଚାରଧାରା ସଂପର୍କରେ ଆଲୋକପାତ କରିବା ସହ ଏବେ ବି ଏହାର ପ୍ରାସଙ୍ଗିକତା ଓ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ପୂର୍ବତନ ସଭାପତି ସତ୍ୟେନ ପଣ୍ଡା, ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ସମବାୟବିତ୍ ଲଳିତେନ୍ଦୁ ସେନାପତି, ପ୍ରଦୀପ୍ତ ଦାସ, ଶୁଭେନ୍ଦୁ ବେଉରା, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ମହମ୍ମଦ ଖାଲିଦ୍ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
ପ୍ରାରମ୍ଭରେ ଅତିଥିଗଣ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଏବଂ ବିଶ୍ୱନାଥ ବିଦ୍ୟାପୀଠ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ଆଠଗଡ ଡାକ୍ତରଖାନା, ରାହାଙ୍ଗୋଳ ସେବାଶ୍ରମ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଲକ୍ଷ୍ମୀବଜାର ମଣ୍ଡପରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଆଦିତ୍ୟ ଯୋଗଦେଇ ଗାନ୍ଧୀଙ୍କର ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ। ଗାନ୍ଧୀଙ୍କ ଦର୍ଶନ ଉପରେ ଏକ ପୁସ୍ତକ ସାଧାରଣରେ ବଣ୍ଟନ କରାଯାଇଥିଲା।
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଜୟନ୍ତୀ
ଆଠଗଡ ସହରର ବାଣୀକଣ୍ଠ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସୋମବାର ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସ୍କୁଲର ପ୍ରଧାନ ଆଚାର୍ଯ୍ୟ ସମରେନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସ୍କୁଲ ପରିଚାଳନା ସମିତିର ସଭାପତି ତଥା ଶିକ୍ଷାବିତ୍ ତ୍ରିଲୋଚନ ଦାଶ, ସମ୍ମାନିତ ଅତିଥି ଭାବେ ସଂପାଦକ ଦେବପ୍ରସାଦ ସେଠୀ, ଉପସଭାପତି ସୁଶିଲ କୁମାର ରାଉତ, ଉପଦେଷ୍ଟା ମଣ୍ଡଳି ସଭାପତି ଆଇନଜୀବୀ ଜ୍ଞାନରଞ୍ଜନ ମହାପାତ୍ର, ସଭ୍ୟା ଜ୍ୟୋତିର୍ମୟୀ ବର, ରୀନାବାଳା ଦାସ ପ୍ରମୁଖ ଯୋଗଦେଇ ମହାନ ଦେଶସେବକ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ସଂପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସକୁଲର ବିଦ୍ୟାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି କର୍ମକର୍ତ୍ତା ଓ କର୍ମଚାରୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଝୁଲଣ ମନ୍ଦିର, ଅଟ୍ଟାଳି ଜଗନ୍ନାଥ ମନ୍ଦିର ପରିସର ଏବଂ ସଂଲଗ୍ନ ରାସ୍ତାକୁ ବ୍ୟାପକ ସଫେଇ କରିଥିଲେ।



