ନୂଆଦିଲ୍ଲୀ : ଦେଶର ସମସ୍ତ ପରିବାରକୁ ୨୦୨୪ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରୁ ବଞ୍ଚିତ ପ୍ରାୟ ୧୪କୋଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି ଓ ଏହା ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଏଥିସହିତ ଜଳ ସଂରକ୍ଷଣ ଉପରେ କେନ୍ଦ୍ର ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି। ଶେଖାୱତଙ୍କ କହିବାନୁସାରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ମାତ୍ର ୫ପ୍ରତିଶତରୁ ମଧ୍ୟ କମ୍ ରହିଛି। ଏହି ସବୁ ରାଜ୍ୟରେ ଯୋଜନାବଦ୍ଧ ଭାବେ ଓ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ମଙ୍ଗଳବାର ବିଭିନ୍ନ ରାଜ୍ୟର ଜଳସମ୍ପଦ ମନ୍ତ୍ରୀମାନଙ୍କ ସହିତ ଏକ ବୈଠକରେ ଶେଖାୱତ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ଓ ଜଳ ସଂରକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ। ଜଳର ଚାହିଦା ଓ ଯୋଗାଣ ମଧ୍ୟରେ ରହିଥିବା ତାରତମ୍ୟ ହ୍ରାସ ଉପରେ ବୈଠକରେ ସେ ଗୁରୁତ୍ବାରୋପ କରିଥିଲେ। ଏଥିସହିତ ବିଭିନ୍ନ ରାଜ୍ୟରେ ରହିଥିବା ଜଳ ସମ୍ପର୍କିତ ବିବାଦର ସମାଧାନ ସମ୍ପର୍କରେ ସେ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
୨୦୨୪ ସୁଦ୍ଧା ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ : ଗଜେନ୍ଦ୍ର ସିଂହ ଶେଖାୱତ
Popular Categories



