ବାୟୁ ସେନାର ‘ଗଗନ ଶକ୍ତି’ ମହାସମରାଭ୍ୟାସ ଆରମ୍ଭ
ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାର ମହାସମରାଭ୍ୟାସ ‘ଗଗନ ଶକ୍ତି’ ମଙ୍ଗଳବାରଠାରୁ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମା ରାଜସ୍ଥାନର ଥର ମରୁଭୂମିର ପୋଖରାନ ଫାୟାରିଂ ରେଞ୍ଜରେ ଆରମ୍ଭ ହୋଇଛି । ଏହି ସମରାଭ୍ୟାସ ଅପ୍ରେଲ ୨୪ ପର୍ଯ୍ୟନ୍ତ ଚାଲିବ । ୧୪ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହାସମରାଭ୍ୟାସକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯିବାର କାର୍ଯ୍ୟକ୍ରମ ରହିଛି । ଭାରତର ୧,୧୦୦ ଯୁଦ୍ଧ ବିମାନ, ହେଲିକପ୍ଟର ଓ ଡ୍ରୋନ୍ ଏହି ସମରାଭ୍ୟାସରେ ଭାଗ ନେଉଛନ୍ତି । ସୁଖୋଇ-୩୦ଏମ୍କେଆଇ, ମିରେଜ-୨୦୦୦, ଫାଲକନ୍ ଆୱାକ୍ସ୍, ଆଇଏଲ-୭୮, ନୌସେନାର ମିଗ୍-୨୧, ମିଗ୍-୨୯, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍ ଯୁଦ୍ଧ ବିମାନ ଓ ହେଲିକପ୍ଟର ଏହି ସମରାଭ୍ୟାସରେ ଭାଗ ନେବେ । ଦିବା-ରାତ୍ର ଚାଲିବାକୁ ଥିବା ଏହି ସମରାଭ୍ୟାସ ଭାରତୀୟ ବାୟୁ ସେନାର ୧୫୦୦ରୁ ଅଧିକ ଏୟାରମ୍ୟାନ ଓ ସ୍ଥଳ ସେନାର ୩୦୦ ଅଧିକାରୀ ଏବଂ ଯବାନ ଭାଗ ନେଉଛନ୍ତି । ଏହି ସମରାଭ୍ୟାସ ଦ୍ୱାରା ସମସ୍ତ ପ୍ରକାରର ପରିସ୍ଥିତି (ମରୁଭୂମି, ସମୁଦ୍ର, ପାର୍ବତ୍ୟାଞ୍ଚଳ)ରେ ବାୟୁ ସେନାର ଯୁଦ୍ଧ ପରିଚାଳନା କ୍ଷମତା ପରଖାଯିବ ।