ଜି.ଉଦୟଗିରି: ବୌଦ୍ଧ ଜେଲରେ ସଜା କାଟୁଥିବା ଜଣେ କଏଦୀ ଚମ୍ପଟ ମାରିଥିବା ବେଳେ ଆଜି ଜି.ଉଦୟଗିରି ଜେଲ ଅଧିକ୍ଷକ ଓ କର୍ମଚାରୀଙ୍କ ନେତୃତ୍ବରେ ଗିରଫ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ଧର୍ଷଣ ଅଭିଯୋଗ ଅପରାଧରେ ଫୁଲବାଣୀ ଜେଲରେ ୭ ବର୍ଷ ସଜା କାଟୁଥିବା କୈଦୀ ତ୍ରୀନାଥ ଜୁଣ୍ଡିକୁ ଫୁଲବାଣୀ ଜେଲରେ ସ୍ଥାନ ଅଭାବ ଯୋଗୁଁ ଫୁଲବାଣୀ ଜେଲରୁ ବୌଦ୍ଧ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସଜା କାଟୁଥିବା କୈଦୀ ସରକାରଙ୍କ ନିୟମାନୁଯାୟୀ ବଗିଚା କାମରେ ନିୟୋଜିତ ହୋଇଥାନ୍ତି। ହେଲେ ଗତ ୨୬.୦୨.୨୨ ତାରିଖ ଦିନ କଏଦୀ ତ୍ରୀନାଥ ବଗିଚାରେ କାମ କରୁଥିବା ସମୟରେ ସୁବିଧା ଦେଖି ଜେଲରୁ ଚମ୍ପଟ ମାରିଥିଲା। ଏ ଘଟଣାକୁ ବୌଦ୍ଧ ଜେଲ କର୍ତ୍ତୃପକ୍ଷ ଅତ୍ୟନ୍ତ ଗୁରୁତର ସହ ନେଇ ଜି.ଉଦୟଗିରି ଜେଲ ର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।
ଜି.ଉଦୟଗିରି ଜେଲରେ ଆଜୀବନ ସଜା କାଟୁଥିବା କୈଦୀ ବୀରେନ ଜୁଣ୍ଡୀଙ୍କ ସହଯୋଗରେ ଜି.ଉଦୟଗିରି ଜେଲ କର୍ମଚାରୀ ଅଭିଯୁକ୍ତ ତ୍ରୀନାଥକୁ କାବୁ କରିଥିଲେ। ଏନେଇ ବୌଦ୍ଧ ଜେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି, ସେମାନେ ଆସିଲେ ଜି.ଉଦୟଗିରି ଜେଲ କର୍ମଚାରୀଙ୍କ ସହଯୋଗରେ ବୌଦ୍ଧ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ଜି.ଉଦୟଗିରି ଜେଲ ଅଧିକ୍ଷକ କନୱର ଏକ୍କା ସୂଚନା ଦେଇଛନ୍ତି।



