www.samajalive.in
Tuesday, December 9, 2025
15.1 C
Bhubaneswar

ଚୀନ, ପାକିସ୍ତାନକୁ କଡ଼ା ଜବାବ

ଶ୍ରୀନଗର : ଅନେକ ବାଦବିବାଦ ମଧ୍ୟରେ ସୋମବାରଠାରୁ ଜାମ୍ମୁ-କାଶ୍ମୀରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀ(ଟିଡବ୍ଲ୍ୟୁଜି)ର ବୈଠକ । ଜି-୨୦ର ଅଧ୍ୟକ୍ଷ ଭାରତ ଏହି ବୈଠକର ଆୟୋଜନ କରିଥିବାବେଳେ ଏଥିରେ ୬୦ ଜଣ ବିଦେଶୀଙ୍କ ସହିତ ୧୨୨ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ ଓ ଜି-୨୦ର ସେରପା(ମୁଖିଆ) ଅମିତାଭ କାନ୍ତ ଶ୍ରୀନଗର ବିମାନବନ୍ଦରରେ ଉପସ୍ଥିତ ରହି ପ୍ରତିନିଧିମାନଙ୍କୁ ସ୍ବାଗତ କରିଥିଲେ। ସେହିପରି ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଡୋଗ୍ରୀ ପୋଷାକ ପରିଧାନ ସହିତ କାଶ୍ମୀରୀ ସଙ୍ଗୀତ ଗାନକରି ପ୍ରତିନିଧିଙ୍କୁ ସ୍ବାଗତ କରିଥିଲେ। ଶ୍ରୀନଗରରେ ଜି-୨୦ ବୈଠକ ଆୟୋଜନକୁ ଚୀନ ଓ ପାକିସ୍ତାନ ବିରୋଧ କରି ଏହାକୁ ବର୍ଜନ କରିଛନ୍ତି। ଚୀନ ଓ ପାକିସ୍ତାନ ସହିତ ତୁର୍କୀ, ସାଉଦି ଆରବ ଆଦି ରାଷ୍ଟ୍ରର କୌଣସି ପ୍ରତିନିଧି ଏହି ବୈଠକକୁ ଆସି ନାହାନ୍ତି। ଏହିସବୁ ରାଷ୍ଟ୍ର କାଶ୍ମୀରରେ ବୈଠକ ଆୟୋଜନକୁ ବିରୋଧ କରିଆସୁଥିଲେ। ଶ୍ରୀନଗରରେ ଜି-୨୦ ବୈଠକ ଆୟୋଜନକୁ ମାନବାଧିକାର ଉଲ୍ଲଙ୍ଘନ ବୋଲି ଏହିସବୁ ରାଷ୍ଟ୍ର ଅଭିଯୋଗ କରିଛନ୍ତି। ଜାତିସଂଘର ସଂଖ୍ୟାଲଘୁ ବ୍ୟାପାର ସ୍ବତନ୍ତ୍ର ପ୍ରତିନିଧି ଫର୍ଣ୍ଣାଣ୍ଡ ଡି ଭାରନେସ୍‌ ମଧ୍ୟ କାଶ୍ମୀରରେ ଜି-୨୦ ବୈଠକ ଆୟୋଜନ କରି ଭାରତ ମାନବାଧିକାର ଉଲ୍ଲଙ୍ଘନ କରୁଛି ବୋଲି କହିଥିଲେ। ଏତେସବୁ ବିରୋଧ ସତ୍ତ୍ବେ ଭାରତ ଏହାର ଆଭିମୁଖ୍ୟରେ ଅଟଳ ରହିବା ପୂର୍ବକ ବୈଠକକୁ ସଫଳ ଆୟୋଜନ କରିଛି। ତେଣୁ ଏହା ପରୋକ୍ଷରେ ଚୀନ, ପାକିସ୍ତାନ ଓ ଅନ୍ୟ ବିରୋଧୀଙ୍କ ପ୍ରତି କଡା ଜବାବ ହୋଇଛି। ଭାରତର ଭବ୍ୟ ଓ ସୁରକ୍ଷିତ ଆୟୋଜନ ଦୁଇ ଭାରତ ବିରୋଧୀ ପଡୋଶୀ ରାଷ୍ଟ୍ରଙ୍କ ଗାଲରେ ଏକ ପ୍ରକାର ଶକ୍ତ ଚଟକଣା ସଦୃଶ୍ୟ ହୋଇଛି।
ସେର-ଇ-କାଶ୍ମୀର ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରରେ ତିନି ଦିନ ଧରି ହେଉଥିବା ଜି-୨୦ର ଏହି ଆନ୍ତର୍ଜାତିକ ସମ୍ମିଳନୀ ନିମନ୍ତେ ଆତଙ୍କବାଦୀ ଅଧ୍ୟୁଷିତ କାଶ୍ମୀରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆକାଶ ମାର୍ଗରେ ଡ୍ରୋନ ସହାୟତାରେ ସୁରକ୍ଷା ଯାଞ୍ଚ କରାଯାଉଛି। ଆକାଶ ମାର୍ଗକୁ ବାୟୁସେନାର ଗରୁଡ କମାଣ୍ଡୋମାନେ ଜଗି ରହିଛନ୍ତି। ସେହିପରି ଡାଲ ହ୍ରଦରେ ନୌସେନାର କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ସାଦା ପୋଷାକରେ ପୁଲିସ କର୍ମଚାରୀ ରାସ୍ତାଘାଟରେ ପାଟ୍ରୋଲିଂ କରୁଛନ୍ତି। ଶ୍ରୀନଗରରେ ହୋଇଥିବା ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ଏହା ଏକ ଦୁର୍ଗ ପରି ମନେ ହେଉଛି। ପ୍ରଥମ ଦିନରେ ଦକ୍ଷିଣ କୋରିଆ, ସ୍ପେନ, ସିଙ୍ଗାପୁର ଓ ମରିସସ୍‌ର ପ୍ରତିନିଧିମାନ ‘ଫିଲ୍ମ ଟୁରିଜିମ୍ ଫର ଇକୋନୋମିକ୍ ଗ୍ରୋଥ ଆଣ୍ଡ କଲଚରାଲ ପ୍ରିଜରଭେସନ’ର ଭଳି ପାର୍ଶ୍ବ ବୈଠକରେ ଯୋଗ ଦେଇଛନ୍ତି।
ଜି-୨୦ ସମ୍ମିଳନୀ ଅବସରରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ କାଶ୍ମୀରରେ ଅନେକ କିଛି ପରିବର୍ତ୍ତନ ଆସିଛି। ଏଠାରେ ଆଉ ଆନ୍ଦୋଳନ ହେଉ ନାହିଁ କି କେହି ପଥର ଫିଙ୍ଗୁନାହାନ୍ତି। ପୂର୍ବରୁ ଯଦି ଏପରି କାର୍ଯ୍ୟକ୍ରମ ଆୟୋଜନ ହୋଇଥାନ୍ତା, ତେବେ ଏଠାରେ ଆତଙ୍କବାଦର ବିସ୍ତାର ହୋଇ ନଥାନ୍ତା। କାଶ୍ମୀରବାସୀ ଏବେ ସାଧାରଣ ବିକାଶରେ ସାମିଲ ହୋଇଛନ୍ତି। ସେହିପରି ଭାରତ ଜି-୨୦ ସେରପା ଅମିତାଭ କାନ୍ତ କହିଛନ୍ତି ଯେ କାଶ୍ମୀର ହେଉଛି ଚଳଚ୍ଚିତ୍ର ସୁଟିଂର ଶ୍ରେଷ୍ଠ ସ୍ଥାନ। କାଶ୍ମୀର ଉପତ୍ୟକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଆକୃଷ୍ଟ କରିଥାଏ। କାଶ୍ମୀର ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ବିଶ୍ବର ଅନ୍ୟକୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ।
ଭାରତର ଅଧ୍ୟକ୍ଷ ଭାବେ ଜି-୨୦ କାର୍ଯ୍ୟକାରୀ ଗୋଷ୍ଠୀ (ଟିଡବ୍ଲ୍ୟୁଜି)ର ତୃତୀୟ ବୈଠକ ଆୟୋଜନ କରିଛି। ଏହା ପୂର୍ବରୁ ଗୁଜରାଟର କଚ୍ଛ ଓ ପଶ୍ଚିମବଙ୍ଗର ସିଲିଗୁଡିରେ ଟିଡବ୍ଲ୍ୟୁଜିର ବୈଠକ ଆୟୋଜନ କରିଥିଲା। ତେବେ ପ୍ରଥମ ଦୁଇ ବୈଠକ ତୁଳନାରେ ଶ୍ରୀନଗର ବୈଠକରେ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ବୈଠକକୁ ଭଣ୍ଡୁର କରିବା ଲାଗି ପାକ୍ ପ୍ରାୟୋଜିତ ଆତଙ୍କବାଦୀ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଭଳି ବିସ୍ଫୋରଣ ଘଟାଇବା ପ୍ରୟାସ କରିଥିଲେ ମଧ୍ୟ ଭାରତୀୟ ସୁରକ୍ଷାକର୍ମୀ ଏହାକୁ ପଣ୍ଡ କରିଦେଇଛନ୍ତି। ଆତଙ୍କବାଦୀ ମାନେ ଯେଭଳି ତାଙ୍କ ଷଡ଼ଯନ୍ତ୍ରରେ ସଫଳ ନହୋଇ ପାରିବେ ସେଥିପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ପରିସ୍ଥିତିରେ ଏଠାରେ ଅସୁରକ୍ଷିତ ବାତାବରଣ ସୃଷ୍ଟି କରିବା ଲାଗି ପାକିସ୍ତାନ ଓ ଚୀନ୍ ସହ ଭାରତ ବିରୋଧୀ ଅନ୍ୟ ରାଷ୍ଟ୍ରଙ୍କ ହୀନଚକ୍ରାନ୍ତକୁ ବିଫଳ କରିବାକୁ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories