OMC 1 banner

ଶୀତଳୀକରଣର ଉତ୍ତାପ

ଭୁବନେଶ୍ଵର:  ଜାତିସଂଘ ପରିବେଶ କାର୍ଯ୍ୟକ୍ରମ(ୟୁଏନ୍‌‌ପି) ଦ୍ୱାରା ପ୍ରସ୍ତୁତ ବାର୍ଷିକ ନିର୍ଗମନ ତାରତମ୍ୟ ରିପୋର୍ଟ ଓ ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌‌ଓ)ର ତଥ୍ୟ ଅନୁଯାୟୀ, ୨୦୨୪ରେ ଆମେ ୪୧ଟି ଏପରି ଦିବସ ଅତିକ୍ରମ କରିସାରିଛୁ, ଯାହାର ତାପମାତ୍ରା ଶିଳ୍ପବିପ୍ଳବ ପୂର୍ବବର୍ତ୍ତୀ ସମୟର ବୈଶ୍ୱିକ ତାପମାତ୍ରାଠାରୁ ୧.୫୫ ଡିଗ୍ରୀ ସେଲ୍‌ସିୟସ୍‌‌ ଅଧିକ ଥିଲା। ପେଟ୍ରୋଲ୍‌‌, ଡିଜେଲ୍‌‌, କୋଇଲା ଆଦି ଜୀବାଶ୍ମ ଇନ୍ଧନର ମାତ୍ରାଧିକ ବ୍ୟବହାର ଏଥିପାଇଁ ଦାୟୀ ବୋଲି କୁହାଯାଉଥିବା ବେଳେ ଶୀତଳୀକରଣ ଉପକରଣମାନଙ୍କରୁ ଉତ୍ତାପ ଓ ବିଷାକ୍ତ ବାଷ୍ପ ନିର୍ଗମନ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି।
ଯେଉଁ ବୈଦ୍ୟୁତିକ ଓ ଯାନ୍ତ୍ରିକ ଉପକରଣଗୁଡ଼ିକ ଏକଦା ବିଳାସପୂର୍ଣ୍ଣ ବର୍ଗରେ ପରିଗଣିତ ହେଉଥିଲା, ଆଧୁନିକତାର ପ୍ରଭାବରେ ତାହା ଏବେ ଆରାମଦାୟକ ବର୍ଗ ଅଧୀନ ହେବାରେ ଲାଗିଛି। ମଣିଷର ଏହି ମାନସିକତା ହିଁ ତା’ ନିଜ ପାଇଁ ଅଧିକରୁ ଅଧିକ ସମସ୍ୟାକୁ ଡାକି ଆଣୁଛି। ଗରମରୁ ସୁରକ୍ଷା ପାଇଁ ଆମେ ଏବେ ଯେତେ ଅଧିକ ବାତାନୁକୂଳିତ ଓ ଶୀତଳୀକରଣ ଉପକରଣର ବ୍ୟବହାର କରିଚାଲିଛୁ ତାହା ଆମ ଅଲକ୍ଷ୍ୟରେ ବାହ୍ୟପରିବେଶ ବା ଜଳବାୟୁର ତାପମାତ୍ରାକୁ ଚକ୍ରକ୍ରିୟାରେ ସେତିକି ବୃଦ୍ଧି କରିଚାଲିଛି। ସେହି ଉତ୍ତାପ ଆମ ପାଖକୁ ପୁଣି ଥରେ ଫେରୁଛି। ଏଥିସହିତ ଜୀବାଶ୍ମ ଇନ୍ଧନ ବା ତାପଜ ଶକ୍ତିର ବ୍ୟବହାର ମଧ୍ୟ ବଢ଼଼ୁଛି, ଯାହା ପରିବେଶର ତାପମାତ୍ରାକୁ ଆହୁରି ତ୍ୱରାନ୍ୱିତ କରୁଛି।
ବିଳମ୍ବରେ ହେଲେ ମଧ୍ୟ ଭାରତ ସରକାର ଏ ଦିଗ ପ୍ରତି ଦୃଷ୍ଟି ଦେଇଛନ୍ତି। ବର୍ତ୍ତମାନ ସମୟରେ ବାତାନୁକୂଳିତ ଯନ୍ତ୍ର ବା ଏୟାର କଣ୍ଡିସନର(ଏସି) ବ୍ୟବହାର ଉପରେ କଟକଣା ଜାରି କରିବା ସମ୍ଭବ ନ ହେଲେ ମଧ୍ୟ ଏସିଗୁଡ଼ିକର ସର୍ବନିମ୍ନ ତାପମାତ୍ରା ଯେପରି ୨୦ ଡିଗ୍ରୀ ସେଲ୍‌ସିୟସ୍‌‌ରେ ସୀମିତ ରହିବ ସେଥିଲାଗି ନୀତି ନିର୍ଦ୍ଧାରଣ କରିବା ପାଇଁ ଚିନ୍ତା କରୁଥିବା ସୂଚନା ମିଳିଛି। ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଭାରତରେ ମୋଟ ବିଦ୍ୟୁତ୍‌‌ ଉତ୍ପାଦନର ଏକ-ପଞ୍ଚମାଂଶ ଏସିରେ ବ୍ୟବହାର ହେଉଛି। ଏସିରେ ପ୍ରତି ୧ ଡିଗ୍ରୀ ସେଲ୍‌ସିୟସ୍‌‌ ହ୍ରାସ ଘଟିଲେ ବିଦ୍ୟୁତ୍‌‌ ବ୍ୟବହାର ୬% କମିବ ଏବଂ ଏହି କଟକଣା ଜାରି ରହିଲେ ୨୦୩୫ ସୁଦ୍ଧା ୭.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ବିଶ୍ୱ ଜଳବାୟୁ ଉତ୍ତାପ ବୃଦ୍ଧି ସମସ୍ୟାର ନିରାକରଣ ଦିଗରେ ଏହା କ୍ଷୁଦ୍ର ହେଲେ ମଧ୍ୟ ସକାରାତ୍ମକ ପଦକ୍ଷେପ।
ଆନ୍ତର୍ଜାତିକ ପରିବେଶ ଗବେଷଣା ଓ ନିୟନ୍ତ୍ରଣ ସଂସ୍ଥା ‘କ୍ଲାଇମେଟ୍‌‌ ଆଣ୍ଡ କ୍ଲିନ୍‌‌ ଏୟାର କୋଆଲିସନ୍‌‌’ର ସୂଚନା ଅନୁଯାୟୀ ଆମେ ଘରେ ବ୍ୟବହାର କରୁଥିବା ଏକ ସାଧାରଣ ଫ୍ରିଜ୍‌‌ ଯେତିକି ପରିମାଣରେ ଏଚ୍‌‌ଏଫ୍‌‌ସିଏସ୍‌‌ ନିର୍ଗମନ କରେ, ତାହା ଅଙ୍ଗାରକାମ୍ଳ ତୁଳନାରେ ୩୪୦୦ ଗୁଣା ଅଧିକ କ୍ଷତିକାରକ। ବିବିସିର ତଥ୍ୟ ଅନୁଯାୟୀ ସାଧାରଣ ଫ୍ରିଜ୍‌‌ରେ ମାତ୍ର ୦.୦୫କେଜିରୁ ୦.୨୫ କେଜି ପର୍ଯ୍ୟନ୍ତ ଏଚ୍‌‌ଏଫ୍‌‌ସିଏସ୍‌‌ ଥାଏ; କିନ୍ତୁ ଯଦି ତାହା କୌଣସି କାରଣରୁ ଲିକ୍‌‌ ହୁଏ ବା ବାୟୁମଣ୍ଡଳରେ ମିଶିଯାଏ ତେବେ ତାହା ପରିବେଶକୁ ଯେତିକି ପରିମାଣରେ ବିଷାକ୍ତ କରିବ ତାହା ଗୋଟିଏ ସାଧାରଣ କାର ୩୪୨୭ କିମି ଯିବା ପରେ ନିର୍ଗମନ କରୁଥିବା ମୋଟ ଅଙ୍ଗାରକାମ୍ଳ ପରିମାଣ ସହିତ ସମାନ। ଏହାଛଡ଼ା ଶୀତଳୀକରଣ ଉପକରଣଗୁଡ଼ିକୁ ଚଳାଇବା ପାଇଁ ଆବଶ୍ୟକ ବିଜୁଳି ଶକ୍ତି ଜୀବାଶ୍ମ ଇନ୍ଧନରୁ ହିଁ ଆସୁଛି, ଯାହାର ନିର୍ଗମନ ପରିମାଣ ସବୁଜଗୃହ ବାଷ୍ପର ୭୫%। ପରିବେଶବିତ୍‌‌ମାନଙ୍କ ଅନୁମାନ ଅନୁଯାୟୀ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଶୀତଳୀକରଣ ଉପକରଣର ଉତ୍ପାଦନ, ବ୍ୟବହାର ଓ ତଦ୍‌‌ଜନିତ ଉତ୍ତାପ ନିର୍ଗମନ ପରିମାଣ ଆହୁରି ବୃଦ୍ଧି ପାଇବ। ଏହି କାରଣରୁ ଏସିଆ ଓ ଆଫ୍ରିକାରେ ତାପମାତ୍ରା ସଙ୍କଟ ଆହୁରି ଅଧିକ ଗୁରୁତର ହେବ।
ଏସି, ଫ୍ରିଜ୍‌‌ ଆଦିରେ ଶୀତଳୀକରଣ ପ୍ରକ୍ରିୟା କ୍ଲୋରୋଫ୍ଲୁରୋକାର୍ବନ୍‌‌ (ସିଏଫ୍‌‌ସି) ନାମକ ଏକ ରସାୟନିକ ବାଷ୍ପ ଦ୍ୱାରା ସଂଘଟିତ ହୁଏ, ଯାହାର ମୋଟ ଉତ୍ତାପ ନିର୍ଗମନ ପରିମାଣ ବିଶ୍ୱ ତାପମାତ୍ରାରେ ୭%। ତେଣୁ ୨୦୫୦ସୁଦ୍ଧା ଶୀତଳୀକରଣ ଉପକରଣର ବିଷାକ୍ତ ବାଷ୍ପ ନିର୍ଗମନ ପରିମାଣକୁ ୬୮% ପର୍ଯ୍ୟନ୍ତ ହ୍ରାସ କରିବାକୁ କୋପ୍‌‌-୨୮ରେ ସଦସ୍ୟ ରାଷ୍ଟ୍ରମାନେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।
ଏହି ଉଦ୍ୟମ ଓ ସଂକଳ୍ପ କେତେ ବାସ୍ତବବାଦୀ ହେବ ତାହା କହିବା କଷ୍ଟକର। କାରଣ ପୂର୍ବରୁ ମଧ୍ୟ ରାଷ୍ଟ୍ରମାନେ ଏଭଳି ଏକାଧିକ ରାଜିନାମାରେ ସ୍ୱାକ୍ଷର କରିଥିଲେ ହେଁ ଆନ୍ତରିକତାର ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ସିଏଫ୍‌‌ସି ଓଜନ ସ୍ତରକୁ ଗୁରୁତର ପ୍ରଭାବିତ କରୁଛି ବୋଲି ୧୯୮୫ ମସିହାରେ ଏକ ବିଜ୍ଞାନଭିତ୍ତିକ ଗବେଷଣାତ୍ମକ ସନ୍ଦର୍ଭରେ ପ୍ରକାଶିତ ହେବା ପରେ ୧୯୮୭ ମସିହାରେ ମଣ୍ଟ୍ରିଲ୍‌‌ ପ୍ରୋଟୋକଲ୍‌‌ରେ ସିଏଫ୍‌‌ସି ବ୍ୟବହୃତ ଶୀତଳୀକରଣ ଉପକରଣର ଉତ୍ପାଦନ ଓ ବ୍ୟବହାର ଯଥାସମ୍ଭବ ହ୍ରାସ କରିବା ପାଇଁ ପ୍ରାୟ ୨୦୦ ଦେଶ ସ୍ୱାକ୍ଷର କରିଥିଲେ; କିନ୍ତୁ ସେଗୁଡ଼ିକର ଉତ୍ପାଦନ ତ କମିଲା ନାହିଁ, ବରଂ ଆନ୍ତର୍ଜାତିକ ଶକ୍ତି ସଂସ୍ଥାର ରିପୋର୍ଟ ଅନୁଯାୟୀ ୧୯୯୦ରୁ ଏ ପର୍ଯ୍ୟନ୍ତ ସେଗୁଡ଼ିକର ଉତ୍ପାଦନ ବାର୍ଷିକ ତିନିଗୁଣା ହାରରେ ବୃଦ୍ଧି ପାଇ ଚାଲିଛି। ୨୦୪୭ ସୁଦ୍ଧା ଏସି ଉତ୍ପାଦନ ୮୦% ହ୍ରାସ କରିବା ପାଇଁ ପୁଣି ଥରେ ୨୦୧୬ରେ ୧୫୦ ଦେଶ ମଣ୍ଟ୍ରିଲ୍‌‌ ପ୍ରୋଟୋକଲ୍‌‌ର ‘କିଗାଲି ଆମେଣ୍ଡମେଣ୍ଟ’ରେ ସ୍ୱାକ୍ଷର କରିଛନ୍ତି। ଅଥଚ ବର୍ଷ ପରେ ବର୍ଷ ଏହାର ଉତ୍ପାଦନ ବଢ଼଼ିଚାଲିଛି ଏବଂ ଆଗାମୀ ଦିନରେ ଆହୁରି ଦ୍ରୁତଗତିରେ ବଢ଼଼ିବାର ଆକଳନ କରାଯାଉଛି। କେବଳ ଭାରତ କଥା ଦେଖାଯାଉ। ଏକ ଆନୁମାନିକ ହିସାବ ଅନୁଯାୟୀ ଭାରତରେ ଏବେ ୧୦ କୋଟି ଏସି ବ୍ୟବହାର ହେଉଛି ଏବଂ ବାର୍ଷିକ ୧ କୋଟି ୫୦ ଲକ୍ଷ ନୂଆ ଏସି ବଜାରକୁ ଆସୁଛି। ତଫାତ୍‌‌ କେବଳ ଏତିକି ଯେ ଏବେ ସିଏଫ୍‌‌ସି ବଦଳରେ କମ୍‌‌ ବିଷାକ୍ତ ହାଇଡ୍ରୋଫ୍ଲୁରୋକାର୍ବନସ(ଏଚ୍‌‌ଏଫ୍‌‌ସିଏସ୍‌‌) ଓ ହାଇଡ୍ରୋକ୍ଲୋରୋଫ୍ଲୁରୋକାର୍ବନସ୍‌‌ (ଏଚ୍‌‌ସିଏପ୍‌‌ସିଏସ୍‌‌)ର ବ୍ୟବହାର କରାଯାଉଛି।
ଅପ୍ରିୟ ସତ୍ୟ ହେଉଛି, ମଣିଷ ନିଜ ମାନସିକତାକୁ ପରିବର୍ତ୍ତନ କରିପାରିବ ନାହିଁ କି ବିଶ୍ୱରେ ଶୀତଳୀକରଣ ଉପକରଣ ଚାହିଦା ଓ ଉତ୍ପାଦନ ହ୍ରାସ ପାଇବାର ସମ୍ଭାବନା ନିକଟ ଭବିଷ୍ୟତରେ ଦିଶୁ ନାହିଁ। ତେଣୁ ଜଳବାୟୁ ଓ ପରିବେଶ ସମ୍ପର୍କିତ ଶୀର୍ଷ ସମ୍ମିଳନୀଗୁଡ଼ିକରେ ହେଉଥିବା ସଂକଳ୍ପ ଓ ଘୋଷଣାନାମା କେବଳ ଧର୍ମକୁ ଆଖିଠାର ହୋଇ ରହିଯାଉଛି। ଯଦି ଶୀତଳୀକରଣ ଉପକରଣମାନଙ୍କର ଯଥୋଚିତ ବ୍ୟବହାର ଓ ଠିକ୍‌‌ ପରିଚାଳନା କରାଯାଇପାରନ୍ତା; ତେବେ ସବୁଜ ଗୃହ ବାଷ୍ପ ନିର୍ଗମନକୁ ୧୦୦ ବିଲିୟନ ଗିଗାଟନ୍‌‌ ପର୍ଯ୍ୟନ୍ତ ହ୍ରାସ କରାଯାଇପାରନ୍ତା; କିନ୍ତୁ ଏହା ଏକ ଦିବାସ୍ୱପ୍ନ। ଏବେ ସମୟ ଆସିଛି ଅଧିକରୁ ଅଧିକ ପରିବେଶ ଅନୁକୂଳ ବାସଗୃହ ନିର୍ମାଣ ଉପରେ ଅଗ୍ରାଧିକାର ଦେବାକୁ ହେବ। ଉତ୍ତାପରୁ ସାମୟିକ ଆଶ୍ୱସ୍ତି ଦୀର୍ଘକାଳୀନ ଉତ୍ତାପ ସମସ୍ୟା ସୃଷ୍ଟି ନ କରୁ – ଏଥିପାଇଁ ମଣିଷ ପ୍ରଥମେ ତା’ର ମାନସିକତାରେ ପରିବର୍ତ୍ତନ କରିବା ଆବଶ୍ୟକ। ନ ହେଲେ ବିଶ୍ୱ ତାପମାତ୍ରା ହ୍ରାସ ନିୟନ୍ତ୍ରଣ ପ୍ରୟାସ କେବଳ ଏକ ଔପଚାରିକତା ଓ ପ୍ରହସନରେ ପରିଣତ ହୋଇ ରହିଯିବ।

Comments are closed.