ପରମ୍ପରା, ପରାକାଷ୍ଠା, ପ୍ରଣାମି ମଣିଷ ସୃଷ୍ଟିକାଳରୁ ଭାରତୀୟ ସମାଜ, ସଂସ୍କୃତି ଓ ଐତିହ୍ୟରେ ଜଡ଼ିତ ହୋଇ ରହିଛି। ଆର୍ଯ୍ୟ ଋଷିମାନଙ୍କ ସୃଷ୍ଟ ପରମ୍ପରାକୁ ଜଳାଞ୍ଜଳି ଦେଇ ଏକ ସୁସ୍ଥ ସମାଜ ଗଠନ କରିବା ଦୁରୂହ ବ୍ୟାପାର ଓ ଅସମ୍ଭବ ମଧ୍ୟ। ଏପରି କଲେ ସାମାଜିକ ମୂଲ୍ୟବୋଧର ଅବକ୍ଷୟ ହେବା ସଙ୍ଗେ ସଙ୍ଗେ ସମାଜର ଅଧୋଗତି ହୋଇଥାଏ। ପୂର୍ବଜମାନଙ୍କ ସୃଷ୍ଟ ପରମ୍ପରା ମଣିଷର ଜୀବନଶୈଳୀକୁ ସମ୍ମୁନ୍ନତ କରି ମଣିଷକୁ ମଣିଷ-ପଣିଆର ଚର୍ଯ୍ୟା ଶିଖାଇଥାଏ। ଏପରି ଏକ ମହାନ ପରମ୍ପରାର ସଂଜ୍ଞା ନିରୂପଣ କରିବାକୁ ଯାଇ ଆମ ପୂର୍ବଜମାନେ ଏହାକୁ ଗୁରୁଶିଷ୍ୟ ପରମ୍ପରାର ଆଖ୍ୟା ଦେଇଛନ୍ତି। ଏକ ସୁସ୍ଥ, ସବଳ, ସମ୍ମୁନ୍ନତ ମଣିଷ ସମାଜ ଗଠନ ପାଇଁ ଗୁରୁଶିଷ୍ୟ ପରମ୍ପରାକୁ ଆପଣେଇବା ଏକାନ୍ତ ବାଞ୍ଛନୀୟ। ଭାରତବର୍ଷ ଗୁରୁବାଦର ଦେଶ। ଗୁରୁଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୁରୁ ଚିର ବନ୍ଦନୀୟ ଓ ନ୍ୟାଯ୍ୟ ସମ୍ମାନର ଅଧିକାରୀ। ଗୁରୁଶିଷ୍ୟ ପରମ୍ପରା ସର୍ବଜନ ବିଦିତ। ଯାହାକି ବେଦ, ଉପନିଷଦ, ପୁରାଣ, ଶାସ୍ତ୍ରମାନଙ୍କରୁ ସ୍ପଷ୍ଟ ଅନୁମେୟ। ଗୁରୁକୁଳର ଗୁରୁଶିଷ୍ୟ ପରମ୍ପରାର କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ଶିଷ୍ୟମାନଙ୍କର ଜୀବନାଦର୍ଶ ସର୍ବଦା ପ୍ରଣିଧାନଯୋଗ୍ୟ। ଆରୁଣି, ଉପମନ୍ୟୁ, ନଚିକେତା, ବିଶ୍ୱବାରା ଏହାର ଏକ ଏକ ଜ୍ୱଳନ୍ତ ଉଦାହରଣ।
‘ଗୁ’ ଶବ୍ଦର ଅର୍ଥ ଅନ୍ଧକାର‘ରୁ’ ଶବ୍ଦର ଅର୍ଥ ପ୍ରକାଶ ବା ଆଲୋକ। ଯିଏ ଆମକୁ ଅଜ୍ଞାନ ଅନ୍ଧକାରରୁ ବାହାର କରି ଜ୍ଞାନର ଆଲୋକରେ ଉଦ୍ଭାସିତ କରେ ସେ ଆମଠାରୁ ବୟସରେ ବଡ଼ ହେଉ କି ସାନ, ସେ ହିଁ ଗୁରୁ ପଦବାଚ୍ୟ। ପ୍ରକାର ଭେଦରେ ଗୁରୁ ଶିକ୍ଷାଗୁରୁ, ଦୀକ୍ଷାଗୁରୁ ଅବା କର୍ମଗୁରୁ କି ଧର୍ମଗୁରୁ ବି ହୋଇପାରନ୍ତି। ପୁରାଣ ବର୍ଣ୍ଣିତ ଅବଧୂତ ବା ଦତ୍ତାତ୍ରେୟ ମୁନି ଚବିଶ ଗୁରୁଙ୍କ ଠାରୁ ଶିକ୍ଷାଗ୍ରହଣ କରିଥିଲେ। ଗୁରୁଙ୍କୁ ଶାସ୍ତ୍ରରେ ତ୍ରିନାଥ ଭାବେ ବର୍ଣ୍ଣନା କରାଯାଇଛି। ବ୍ରହ୍ମା ହୋଇ ସେ ଶିଷ୍ୟକୁ ନିଜ ହାତରେ ଗଢ଼ନ୍ତି, ବିଷ୍ଣୁ ସାଜି ଶିଷ୍ୟକୁ ପରିପୁଷ୍ଟ କରନ୍ତି ଓ ମହେଶ୍ୱର ହୋଇ ଶିଷ୍ୟର ସମସ୍ତ ଜଟିଳତା, କୁଟିଳତା ଓ ଆବିଳତାର ବିନାଶ କରାନ୍ତି।
ଆଜି କିନ୍ତୁ କର୍ପୂର ଉଡ଼ିଯାଇଛି। କନା ଖଣ୍ଡେ ଯାହା ପଡ଼ିରହିଛି ଗୁରୁ, ଶିଷ୍ୟ ଦୁଇ ପଦବାଚ୍ୟ ମଣିଷଙ୍କୁ ଉଜ୍ଜୀବିତ କରି ରଖିବା ପାଇଁ। ଆଜି ଆରୁଣି, ଉପମନ୍ୟୁ, ନଚିକେତା, ବିଶ୍ୱବାରା ପୁରାଣ ବର୍ଣ୍ଣିତ ଉଦାହରଣରେ ସୀମିତ ହୋଇ ରହିଯାଇଛନ୍ତି। ମନରେ ଝାପ୍ସା ଦେଖାଯାଉଥିବା ସେ ଗୁରୁକୁଳର ଚିହ୍ନବର୍ଣ୍ଣ ନାହିଁ କି ଆମ ଗାଁ ଚାଟଶାଳୀର ମାଟିନେସା କାନ୍ଥ ଉପର ଚାଳ ଛପର ଘର ବି ନାହିଁ। ଗୁରୁଶିଷ୍ୟ ପରମ୍ପରା ତା ଆତ୍ମସତ୍ତା ହରାଇଛି।
ଧ୍ୱଂସ ମୁହଁରେ ଆଜି ପରମ୍ପରା। ଗାଁ ଗାଁରେ ସହରେ ସହରେ ସର୍ବଶିକ୍ଷା ଅଭିଯାନର ରଙ୍ଗିନ ଅଟ୍ଟାଳିକା ଗ୍ରାସି ସାରିଛି, ଗୁରୁକୁଳ ଆଶ୍ରମ ଓ ଗାଁ ଚାଟଶାଳୀକୁ। ସେଠି ଆଜି ଶିକ୍ଷାୟତନର ବାତାବରଣ ନାହିଁ ବରଂ ଚାଲିଛି ପୋଷାକ ପରିଚ୍ଛଦ ବିତରଣ, ମଧ୍ୟାହ୍ନ ଭୋଜନ ଓ ସାଇକଲ ବଣ୍ଟନ। ପିଲାମାନେ ନୂଆ ପୋଷାକ ପିନ୍ଧି ମଧ୍ୟାହ୍ନ ଭୋଜନ ଖାଇସାରି ବିଦ୍ୟାଳୟ ଛୁଟିଘଣ୍ଟା ବାଜିବା ପୂର୍ବରୁ ସାଇକଲ ଚଢ଼ି ଘରକୁ ଛୁ। ଦଣ୍ଡବିଧାନ ତ ଦୂରର କଥା କାହିଁକି ଘରକୁ ଚାଲିଗଲୁ ବୋଲି ଧମକେଇ ପଚାରିଲେ ପିଲା ତା ସାଙ୍ଗକୁ ପଚାରି “ଟୋଲ ଫ୍ରି ନମ୍ବର” ଆଣି ଶିକ୍ଷକଙ୍କର ଦରମା ବନ୍ଦ କରୁଛନ୍ତି। ପିଲାଏ ବିଦ୍ୟାଳୟରେ ମାଡ଼ ମରାମରି ହୋଇ ଲହୁ ଲୁହାଣ ହେଲେ ମଧ୍ୟ ଶିକ୍ଷକ ପିଲାଙ୍କୁ ଡ଼ରି ଦଣ୍ଡ ଦେଉନାହାନ୍ତି। କେତେକ ଅସାଧୁ, ନ୍ୟସ୍ତସ୍ୱାର୍ଥୀ ଶିକ୍ଷକ ଶିକ୍ଷାକୁ ବ୍ୟବସାୟରେ ପରିଣତ କରି ଉଭୟ ପ୍ରଶାସନ ଓ ଛାତ୍ରଛାତ୍ରୀଙ୍କୁ ହାତ ବାରିସି କରିଛନ୍ତି। ଅନ୍ୟପଟେ କେତେକ ଖଳପ୍ରକୃତିର ଗୁରୁମାନଙ୍କ ଦ୍ୱାରା ଶୋଷିତ, ଲାଞ୍ଛିତ, ଭତ୍ସିତ ଶିଷ୍ୟ ପରମ୍ପରାକୁ ଜଳାଞ୍ଜଳି ଦେଇ ଗୁରୁଙ୍କୁ ସର୍ବଜନ ସମ୍ମୁଖରେ ଦୁରାଚାର କରିବାକୁ ପଛଉ ନାହାନ୍ତି। ଗୁରୁଙ୍କର ନା ଅଛି ଜୀବନଧର୍ମୀ ଚେତନା ନା ଆତ୍ମନିଯୁକ୍ତିର ପ୍ରେରଣା। ଯେଉଁ ଜାତି ଗୁରୁଙ୍କୁ ସମ୍ମାନ ଦିଏ ନାହିଁ, ସେ ଜାତିର ଅବନତି ନିଶ୍ଚିତ। ବିଦ୍ୟାଳୟ ଘୃଣ୍ୟ ମନ୍ଦିର ନ ହୋଇ, ଜୀବନ ପରିପୂର୍ଣ୍ଣତାର ସ୍ଥାନ ହେଉ। ଉଭୟ ଗୁରୁକୁଳ ଓ ପ୍ରଶାସନ ଯତ୍ନବାନ ହୁଅନ୍ତୁ ଶିକ୍ଷାୟତନରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ। ତେବେ ଯାଇ ଧ୍ୱଂସ ମୁହଁରୁ ବର୍ତ୍ତି ଗୁରୁଶିଷ୍ୟ ପରମ୍ପରା ଆଲୋକବର୍ତ୍ତିକା ସାଜି ସମ୍ମୁନ୍ନତ ସମାଜ ଗଠନ ଦିଗରେ ସହାୟକ ହେବ।
ଧ୍ବଂସ ମୁହଁରେ ପରମ୍ପରା
Popular Categories



