ଗାଜାରେ ଚାଲିଥିବା ଯୁଦ୍ଧ କେବଳ ଆମ ସମୟର ନୁହେଁ, ବିଶ୍ବ ଇତିହାସର ଏକ ଜଘନ୍ୟ ଓ ଭୟାବହ ଘଟଣା। ଯୁଦ୍ଧଖୋର ଉଗ୍ରପନ୍ଥୀ ହମ୍ମାସ ଗୋଷ୍ଠୀକୁ ନିଷ୍କ୍ରିୟ କରିବା ପାଇଁ ଶକ୍ତିଶାଳୀ ଇସ୍ରାଏଲ ଯେଉଁ ପ୍ରଚଣ୍ଡ ଓ ଅମାନୁଷିକ ସଂହାରଲୀଳା ଚଳାଇଛି ତାହାର ସବୁଠୁ ଅଧିକ ପ୍ରଭାବ ପଡ଼ିଛି ଗାଜାର ବେସାମରିକ ଜନତା ଏବଂ ଯୁଦ୍ଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ। ସମଗ୍ର ବିଶ୍ବର ପ୍ରତିବାଦ ସତ୍ତ୍ବେ ଗାଜା ଏକ ଧ୍ବଂସ ସ୍ତୂପରେ ପରିଣତ ହୋଇଥିବାବେଳେ ଭୟଙ୍କର ମାନବୀୟ ସଂକଟ ସୃଷ୍ଟି ହୋଇଛି। ଏଥିରେ କେତେ ଲୋକ ମଲେଣି ତାହାର ଠିକ୍ ହିସାବ ପାଇବା କଷ୍ଟ। ଆହୁରି ବେଦନାପ୍ରଦ ହେଲା ସେଠାରେ ମୁତୟନ ହୋଇଥିବା ସାମ୍ବାଦିକଙ୍କ ଉପରେ ନିର୍ମମ ଆକ୍ରମଣ। ଏହି ଆକ୍ରମଣ ପୁଣି ଦୁର୍ଘଟଣା କିମ୍ବା ଅଣ ଉଦ୍ଦେଶ୍ୟମୂଳକ ନୁହେଁ। ଇସ୍ରାଏଲ ସେନା ଜାଣିଶୁଣି ସାମ୍ବାଦିକ ଉପରେ ରକେଟ, କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ କରୁଛି। ସେ ଦେଶର ଅନୁମୋଦନ ବିନା ଏଭଳି ବର୍ବରୋଚିତ କାର୍ଯ୍ୟ କେବେ ସମ୍ଭବ ନୁହେଁ। କାରଣ ଅତ୍ୟନ୍ତ ସ୍ପଷ୍ଟ। ସେଠାରେ ଯେଉଁ ସଂହାରଲୀଳା ଚାଲିଛି ତାହାର ଚିତ୍ର ଓ ଖବର ସମଗ୍ର ବିଶ୍ବବାସୀ ସାମ୍ବାଦିକଙ୍କ ଜରିଆରେ ଜାଣୁଥିବାରୁ ସେମାନଙ୍କ ଉପରେ ଏଭଳି ଉଦ୍ଦେଶ୍ୟମୂଳକ ଆକ୍ରମଣ ହେଉଛି। ସଦ୍ୟ ଏଭଳି ଏକ ଆକ୍ରମଣରେ ଗାଜାର ଏକ ହସପିଟାଲ ପାଖରେ ପାଞ୍ଚଜଣ ସାମ୍ବାଦିକ ଓ କେତେକ ସ୍ବାସ୍ଥ୍ୟକର୍ମୀ ନିହତ ହୋଇଛନ୍ତି। ଏକ ଏକପାଖିଆ ଯୁଦ୍ଧରେ ଗୋଟିଏ ଦୁର୍ବଳ ପକ୍ଷ ଉପରେ ଚାଲିଥିବା ଅମାନୁଷିକ ଆକ୍ରମଣର ସାକ୍ଷୀ ପାଲଟିଥିବା ସାମ୍ବାଦିକମାନଙ୍କୁ ଇସ୍ରାଏଲ ସୈନ୍ୟ ନିଶାଣ କରିବା ଯୁଦ୍ଧନୀତି ଓ ନ୍ୟାୟର ପରିପନ୍ଥୀ କେବଳ ନୁହେଁ; ଯୁଦ୍ଧର ତମସାଚ୍ଛନ୍ନ ମୁହୂର୍ତ୍ତରେ ସତ୍ୟକୁ ବଞ୍ଚାଇ ରଖିବାପାଇଁ ଯେଉଁ ନୀତି ନିୟମ ଚାଲିଛି ତା’ ଉପରେ ଏହା ଏକ ପ୍ରଚଣ୍ଡ ଆକ୍ରମଣ। ଦୂତ ଓ ସାମ୍ବାଦିକଙ୍କୁ ଯୁଦ୍ଧରେ ହତ୍ୟାକରାଯାଏ ନାହିଁ। ହେଲେ ଇସ୍ରାଏଲ ପାଇଁ ଏହା ନିରର୍ଥକ।
ଗାଜାରେ ଇସ୍ରାଏଲର ଏହି ଆକ୍ରମଣର ଶୈଳୀ ମଧ୍ୟ ଅବୋଧ୍ୟ। ସାମ୍ବାଦିକ ଓ ଉଦ୍ଧାରକାରୀମାନଙ୍କୁ ବାଛିବାଛି ଆକ୍ରମଣ କରାଯାଉଛି। ହସପିଟାଲ ଓ ଆଶ୍ରୟସ୍ଥଳ ମଧ୍ୟ ଏଥିରୁ ବାଦ ପଡ଼ୁନାହିଁ। ଏହା ଆନ୍ତର୍ଜାତିକ ନିୟମର ପରିପନ୍ଥୀ। ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୦୦ ସାମ୍ବାଦିକ ନିହତ ହେଲେଣି। ଏହା ଏକ ବିରଳ ଘଟଣା। ଦ୍ବିତୀୟ ବିଶ୍ବଯୁଦ୍ଧ ଓ ଭିଏତ୍ନାମ ଯୁଦ୍ଧରେ ମଧ୍ୟ ଏଭଳି ଘଟଣା ଘଟି ନଥିଲା। ଏହି ଦୁଇ ଯୁଦ୍ଧରେ ସାମ୍ବାଦିକଙ୍କ ମୃତ୍ୟୁ ସଂଖ୍ୟା ୭୦ ପାଖାପାଖି ଥିଲା। ଆଗରୁ କୁହାଯାଇଛି ଯେ ଗାଜା ଲଢ଼େଇରେ ସାମ୍ବାଦିକଙ୍କୁ ହତ୍ୟା ଏକ ଦୁର୍ଘଟଣା ନୁହେଁ, ଏହା ବରଂ ଉଦ୍ଦେଶ୍ୟମୂଳକ। ଆଧୁନିକ ଯୁଦ୍ଧ ବିଗ୍ରହରେ ସତ୍ୟାସତ୍ୟ ପରିବେଷଣ କରିବା ସାମ୍ବାଦିକଙ୍କ ପାଇଁ କେତେ ବିପଜ୍ଜନକ ତାହା ଏହି ଘଟଣାରୁ ସ୍ପଷ୍ଟ ଜାଣି ହେଉଛି। ଗଣମାଧ୍ୟମର ଉପସ୍ଥିତିକୁ ମନଇଚ୍ଛା ନିୟନ୍ତ୍ରଣ ଏବଂ ସ୍ଥାନୀୟ ସାମ୍ବାଦିକଙ୍କୁ ବାଛିବାଛି ହତ୍ୟା କରିବା ପଛରେ ଏକ ଦୁର୍ଦ୍ଧର୍ଷ ଆକ୍ରମଣକାରୀ ରାଷ୍ଟ୍ରର ପ୍ରତିହିଂସା ଜଳଜଳ ଦେଖାଯାଉଛି। କେତେକ ହୁଏତ କହିପାରନ୍ତି ଯେ ସାମ୍ବାଦିକମାନେ ନିଜ ସୁରକ୍ଷା ପ୍ରଥମେ ଦେଖିବା ଆବଶ୍ୟକ। ତାହା ଠିକ୍; କିନ୍ତୁ ସେମାନଙ୍କୁ ଯେତେବେଳେ ଖୋଜିଖୋଜି ଆକ୍ରମଣ କରାଯିବ ସେମାନେ କରିବେ କ’ଣ? ହଁ ଏହି ଯୁଦ୍ଧ ଓ ପରିଣତି ପାଇଁ ଉଗ୍ରପନ୍ଥୀ ହମ୍ମାସକୁ ଦାୟୀ କରିବା ଅଯୌକ୍ତିକ ନୁହେଁ। ତାହା ଏକ ଭିନ୍ନ ଆଲୋଚନାର ବିଷୟ; ତେବେ ଏକ ଯୁଦ୍ଧରେ ବାର୍ତ୍ତାହରଙ୍କୁ ସମୂହ ହତ୍ୟା ଆମ ସମୟର ସବୁଠୁ ନିନ୍ଦନୀୟ ଘଟଣା। ଏହାର ପ୍ରତିବାଦ କରିବ କିଏ? ଇସ୍ରାଏଲ ସରକାର ସତକୁ କେତେ ଦିନ ଲୁଚାଇ ରଖିବେ ଦେଖାଯାଉ।



