www.samajalive.in
Sunday, December 14, 2025
19.1 C
Bhubaneswar

ଖଣି ପ୍ରଭାବିତ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ

ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ, ମେଡିକାଲ, ଆଇନ ଏବଂ ଆର୍କିଟେକ୍‍ଚର ଆଦି ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖାଇବା ଲାଗି ଆବଶ୍ୟକ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସୁନ୍ଦରଗଡ଼ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯାଉଛି। ଜିଲ୍ଲାର ଖଣି ପ୍ରଭାବିତ ବ୍ଲକର ଆଦିବାସୀ, ଗରିବ ଓ ସାଧାରଣ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସ୍ୱପ୍ନ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

- Advertisement -

ଜିଲ୍ଲାର ୬ଟି ଖଣି ପ୍ରଭାବିତ କୋଇଡ଼ା, କୁତ୍ରା, ଲହୁଣୀପଡ଼ା, କୁଆରମୁଣ୍ଡା, ରାଜଗାଙ୍ଗପୁର ଏବଂ ହେମଗିର ବ୍ଲକର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ମାର୍କ ଆଧାରରେ ଏହି କୋଚିଂ ନେବା ଲାଗି ସୁଯୋଗ ଦିଆଯାଉଛି। ଦଶମ ଏବଂ +୨ ପାସ୍‍ କରିଥିବା ତଥା +୨ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଇଆଇଟି, ଜେଇଇ, ଏନ୍‍ଇଇଟି, କ୍ଲାଟ୍‍ ଏବଂ ନାଟା ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ଏଠାରେ ପ୍ରସ୍ତୁତ କରାଯାଉଛି।

ଏହି କୋଚିଂ ଦେବା ଲାଗି ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ରାଉରକେଲାଠାରେ ୩ଟି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଆରମ୍ଭ ହୋଇଥିବା ଏହି କୋଚିଂ କାର୍ଯ୍ୟକ୍ରମରେ ପ୍ରଥମ ବ୍ୟାଚରେ ମୋଟ ୪୦୦ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି। କୋଚିଂ ସହିତ ପିଲାମାନଙ୍କୁ ମାଗଣାରେ ହଷ୍ଟେଲ ସୁବିଧା ସହ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି।

“ଖଣି ପ୍ରଭାବିତ ରାଜଗାଙ୍ଗପୁର ବ୍ଲକ ଅଞ୍ଚଳରେ ମୋ’ ଘର। ମୁଁ ଭବିଷ୍ୟତରେ ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ ରଖିଛି। କିନ୍ତୁ ରାଜଗାଙ୍ଗପୁରରେ ଉଚ୍ଚଶିକ୍ଷା ଲାଗି ପ୍ରସ୍ତୁତ ହେବା ପାଇଁ ସେମିତି କିଛି ବିଶେଷ ସୁବିଧା ନଥିଲା। ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା କୋଚିଂ କେନ୍ଦ୍ରରେ ମୁଁ ନାମ ଲେଖାଇଛି। ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଭଲ ନମ୍ବର ରଖି ମୁଁ ମୋ’ ସ୍ୱପ୍ନ ସାକାର କରିପାରିବି”, କହନ୍ତି ସୁନ୍ଦରଗଡ଼ କେନ୍ଦ୍ରରେ କୋଚିଂ ନେଉଥିବା ଛାତ୍ରୀ ତେଜସ୍ୱିନୀ ପେରୁଆ।

“ମୁଁ ଏନଇଇଟି ପ୍ରବେଶିକା ପରୀକ୍ଷା ଦେଇ ଡାକ୍ତରୀ ପାଠ ପିବାକୁ ଚାହୁଁଥିଲି। କିନ୍ତୁ ଅର୍ଥ ଅଭାବରୁ ଏଥିପାଇଁ ଠିକ୍‍ ଭାବେ ପ୍ରସ୍ତୁତ ହୋଇପାରୁ ନଥିଲି। ମୁଁ ରାଉରକେଲା କେନ୍ଦ୍ରରେ ଏହି କୋଚିଂ ନେବା ଲାଗି ସୁଯୋଗ ପାଇଛି। ମାଗଣାରେ ମତେ ଆବଶ୍ୟକ ବହିପତ୍ର ଓ ପାଠ୍ୟ ଉପକରଣ ମିଳିଛି। ଏହି କୋଚିଂ ମତେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଭଲ ନମ୍ବର ରଖିବାରେ ସାହାଯ୍ୟ କରିବ”, କହନ୍ତି କୁଆରମୁଣ୍ଡା ବ୍ଲକର ଛାତ୍ର ଡାଭିଡ୍‍ କେରକେଟା।

ଡାକ୍ତରୀ ଓ ଇଂଜିନିୟରିଂ ଭଳି ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ସାରା ଦେଶରୁ ଅନେକ ଛାତ୍ରଛାତ୍ରୀ ରାଜସ୍ଥାନର କୋଟା ଯାଇ କୋଚିଂ ନେଇଥାନ୍ତି। କୋଟାର ସେହି ଅନୁଭୂତିସଂପନ୍ନ କୋଚିଂ ଅନୁଷ୍ଠାନ ମଧ୍ୟରୁ ଦୁଇଟି ସଂସ୍ଥାକୁ ବାଛି ସୁନ୍ଦରଗଡ଼ର ଏହି ତିନୋଟି କୋଚିଂ ସେଣ୍ଟରର ଦାୟିତ୍ୱ ଦିଆଯାଇଛି। ତେଣୁ ଏହି କୋଚିଂରେ ଯୋଗ ଦେବା ଲାଗି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ବିଶେଷ ଉତ୍ସାହ ଦେଖାଉଛନ୍ତି।

“ସର୍ବଭାରତୀୟ ସ୍ତରର ବିଭିନ୍ନ ବୈଷୟିକ ଓ ପେସାଦାର ଶିକ୍ଷାର ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ ଦେଇ ଆମ ଭଳି ଛାତ୍ରଛତ୍ରୀମାନଙ୍କୁ ଏଠି ପ୍ରସ୍ତୁତ କରାଯାଉଛି। କୋଚିଂ କେନ୍ଦ୍ରରେ ପାଠ ପଢ଼ିବା ପାଇଁ ଭଲ ସୁବିଧା ରହିଛି। ଶିକ୍ଷକମାନେ ମଧ୍ୟ ଆମକୁ ସବୁବେଳେ ଉତ୍ସାହିତ କରୁଛନ୍ତି। ଏହି ବ୍ୟବସ୍ଥା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ’’, କହିଛନ୍ତି ଏହି କୋଚିଂରେ ଯୋଗ ଦେଇଥିବା ହେମଗିର ବ୍ଲକର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାନନ୍ଦିଆ।

କୋଚିଂ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଆଧୁନିକ କ୍ଲାସ ରୁମ୍‍ ସହିତ ଆବଶ୍ୟକ ପାଠାଗାର ସୁବିଧା ରହିଛି। ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହିପତ୍ର ଓ ପାଠ୍ୟ ଉପକରଣ ଯୋଗାଇ ଦିଆଯାଉଛି। କୋଚିଂ କେନ୍ଦ୍ର ଏବଂ ହଷ୍ଟେଲରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସହିତ ଇଣ୍ଟରନେଟ୍‍ ସୁବିଧା ରହିଛି। ପିଲାମାନଙ୍କର ଉପସ୍ଥାନକୁ ସୁନିଶ୍ଚିତ କରିବା ପାଇଁ ବାୟୋମେଟ୍ରିକ୍‍ ପରିଚୟପତ୍ର ବ୍ୟବସ୍ଥା କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଇଆଇଟି, ଜେଇଇ କୋଚିଂ ଭଳି ଆଉ କେତୋଟି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲାରେ ପୂର୍ବରୁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁ – ଏହି ୩ଟି କେନ୍ଦ୍ର ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍‍, ବୀମା, ସାମରିକ ବାହିନୀ, ଓଡ଼ିଶା ପୋଲିସ, ଷ୍ଟାଫ ସିଲେକ୍ସନ ଆଦି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories