ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ ଜିତେନ୍ଦ୍ର

ମୁଖୀଗୁଡା: ଆଜି କଳାହାଣ୍ଡି ଜିଲାର ପ୍ରଥମ ମହିଳା ବିଧାୟକ ରୋଶନୀ ସିଂହଦେଓଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗତକାଲି ଭୁବନେଶ୍ବରରେ ତାଙ୍କର ପରଲୋକ ହେବା ପରେ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ଦଳୀୟ ନେତୃ ବୃନ୍ଦଙ୍କ ସମେତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶେଷ ଦର୍ଶନ କରିଥିଲେ। ଏହାପରେ ନିଜ ଗାଁ ଜୟପାଟଣା ସ୍ଥିତ ବାସଭବନକୁ ଅଣାଯାଇଥିଲା। ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଦୁଷ୍ମନ୍ତ ନାଏକ, ଭବାନୀ ନିଆଲ, ଚିତ୍ତରଞ୍ଜନ ମଣ୍ଡଳ, ପ୍ରମୋଦ ପଟ୍ଟନାୟକଙ୍କ ସମେତ ଜୟପାଟଣା, ଧର୍ମଗଡ଼, କୋକସରା, କଲମପୁର ଅଞ୍ଚଳର ବହୁ ବିଜେଡି କର୍ମୀ ଏବଂ ନେତା ଶେଷ ଦର୍ଶନ କରିଥିଲେ।

 

ରୋଶନୀ ସିଂହଦେଓଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଜୟପାଟଣା ସହର ପରିକ୍ରମା କରାଯାଇଥିଲା। ନିଜ ପ୍ରିୟ ନେତ୍ରୀଙ୍କୁ ଶେଷ ବିଦାୟ ଦେଇଥିଲେ ଶହ ଶହ ସମର୍ଥକ ଏବଂ ବରିଷ୍ଠ ନେତୃବୃନ୍ଦ। ସ୍ଥାନୀୟ ରାଜପରିବାର ଶ୍ମଶାନରେ ରୋଶନୀ ସିଂହଦେଓଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ ପୁଅ ଜିତେନ୍ଦ୍ର ନାରାୟଣ ସିଂହଦେଓ ମୁଖାଗ୍ନି ଦେଇଥିଲେ। ତାଙ୍କୁ ସମ୍ମାନ ଜଣାଇ ଆଜି ଜୟପାଟଣା ର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।

Comments are closed.