www.samajalive.in
Sunday, December 14, 2025
26.1 C
Bhubaneswar

ବିଦେଶୀ ଆଇନ ଫାର୍ମ ଭାରତରେ କାର୍ଯ୍ୟାଳୟ ଖୋଲିପାରିବେ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଇନ ସମ୍ବନ୍ଧୀୟ ବିଦେଶୀ ଫାର୍ମଗୁଡିକ ଭାରତରେ ନିଜର କାର୍ଯ୍ୟାଳୟ ଖୋଲିପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିସହ ବିଦେଶୀ ଓକିଲମାନେ ‘ଫ୍ଲାଏ-ଇନ୍‌-ଫାଏ-ଆଉଟ୍‌’ ଭିତ୍ତିରେ ସ୍ୱଳ୍ପ ସମୟ ପାଇଁ ଭାରତ ଆସି ସେମାନଙ୍କ ମହକିଲମାନଙ୍କୁ କେବଳ ବିଦେଶୀ ଆଇନ ସମ୍ବନ୍ଧରେ ପରାମର୍ଶ ଦେଇପାରିବେ ବୋଲି ସୁପ୍ରିମକୋର୍ଟ ବିଚାରପତି ଏ. କେ. ଗୋଏଲ ଏବଂ ୟୁ.ୟୁ. ଲଲିତଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି। ଏ ସମ୍ବନ୍ଧରେ ୨୦୦୯ରେ ବମ୍ବେ ହାଇକୋର୍ଟ ଏବଂ ୨୦୧୨ରେ ମାଡ୍ରାସ୍‌ ହାଇକୋର୍ଟ ଦେଇଥିବା ରାୟକୁ ସ୍ୱଳ୍ପ ପରିବର୍ତ୍ତନ ସହିତ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏଥିସହ ଭାରତରେ ଆଇନ ସମ୍ବନ୍ଧୀୟ ମାମଲାଗୁଡିକରେ ବିଦେଶୀ ଓକିଲମାନଙ୍କ ଭୂମିକାକୁ ନିୟନ୍ତ୍ରଣ ଲାଗି ନିୟମାବଳୀ ପ୍ରସ୍ତୁତ ନିମନ୍ତେ ଖଣ୍ଡପୀଠ କେନ୍ଦ୍ର ସରକାର ଓ ବିସିଆଇକୁ ନିର୍ଦେଶ ଦେଇଛନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି, କୌଣସି ମାମଲାରେ ମଧ୍ୟସ୍ଥତା କରିବା ଲାଗି ବିଦେଶୀ ଓକିଲମାନଙ୍କୁ ସେମାନଙ୍କ ଭାରତୀୟ ସହଯୋଗୀଙ୍କ ଉପରେ ନିର୍ଭର କରିବାକୁ ହେବ।

ତେବେ ଭାରତୀୟ ଆଇନ କ୍ଷେତ୍ରରେ ବିଦେଶୀ ଫାର୍ମଗୁଡିକର ପ୍ରବେଶକୁ କେନ୍ଦ୍ର ସରକାର ସମର୍ଥନ କରୁଥିବା ନେଇ ଅତିରିକ୍ତ ସଲିସିଟର ଜେନେରାଲ ମନିନ୍ଦର ସିଂହ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଯଦି ଭାରତୀୟ ଓକିଲମାନେ ଅନ୍ୟ ରାଷ୍ଟ୍ରଗୁଡିକରେ ଆଇନ ସମ୍ବନ୍ଧୀୟ ମାମଲାରେ ସାମିଲ ହେବାକୁ ଚାହୁଁଛନ୍ତି, ତା’ହେଲେ ଭାରତରେ ବିଦେଶୀ ଓକିଲଙ୍କ ପ୍ରବେଶକୁ ଅନୁମତି ଦେବାକୁ ହେବ ବୋଲି ସେ ଯୁକ୍ତି ବାଢିଥିଲେ। ଏ ନେଇ ଅତୀତରେ କେତେକ ବିଦେଶୀ ଓକିଲ ଭାରତ ଆସିଥିବାର ସେ ଉଦାହରଣ ଉପସ୍ଥାପନ କରିଥିଲେ। ଅତୀତରେ ଜାଗୁଆର କ୍ରୟ ନେଇ ଟାଟାକୁ ପରାମର୍ଶ ଦେବା ଲାଗି ନ୍ୟୁୟର୍କ ବାର୍‌ରେ ପଞ୍ଜିକୃତ ସେଠାକାର ଜଣେ ଓକିଲ ଏବଂ ଇନ୍‌ଫୋସିସ୍‌/ଏଚ୍‌ଡିଏଫ୍‌ସିକୁ ଆମେରିକୀୟ ବୀମା ସମ୍ବନ୍ଧରେ ପରାମର୍ଶ ଦେବା ଲାଗି ଦୁଇ ଆମେରିକୀୟ ଓକିଲ ଭାରତ ଆସିଥିଲେ। ସେହିଭଳି ଘରୋଇ ଉଦ୍ୟୋଗରେ ତାଲିକାଭୁକ୍ତ ‘ବିକଳ୍ପ ନିବେଶ ବଜାର (ଏଆଇଏମ୍‌)’ ସମ୍ବନ୍ଧରେ ପରାମର୍ଶ ଦେବା ଲାଗି ମଧ୍ୟ କିଛି ବିଦେଶୀ ଓକିଲ ଭାରତ ଆସିଥିବା ସିଂହ ଦର୍ଶାଇଥିଲେ।

- Advertisement -

କିନ୍ତୁ ବିସିଆଇର ପକ୍ଷ ରଖୁଥିବା ବରିଷ୍ଠ ଓକିଲ ରାଜୀବ ଦତ୍ତ ଭାରତରେ ବିଦେଶୀ ଓକିଲଙ୍କ ବ୍ୟବସାୟ ବିରୋଧରେ ଯୁକ୍ତି ବାଢିଥିଲେ। ଏ ନେଇ ସେ ଏକ ଆମେରିକୀୟ ମାମଲାର ଉଦାହରଣ ଉପସ୍ଥାପନ କରିଥିଲେ। ନ୍ୟୁୟର୍କରେ ଆଇନ ବ୍ୟବସାୟ କରୁଥିବା ଜଣେ ମେକ୍ସିକାନ ଓକିଲଙ୍କ ମେକ୍ସିକୋର ଏକ ବିବାହ ବିଚ୍ଛେଦ ମାମଲାରେ ସେଠାକାର ଆଇନ ସମ୍ବନ୍ଧରେ ପରାମର୍ଶ ଦେବା ଘଟଣାକୁ ନ୍ୟୁୟର୍କ ବାର୍‌ ପକ୍ଷରୁ ବେଆଇନ ଦର୍ଶାଯାଇଥିବା ଦତ୍ତ ପ୍ରକାଶ କରିଥିଲେ।

ଉଲ୍ଲେଖ ଯେ, ୨୦୦୯ରେ ଏକ ମାମଲାର ଶୁଣାଣି ବେଳେ ବିଦେଶୀ ଆଇନ ଫାର୍ମଗୁଡିକ ଭାରତରେ ଆଇନ ବ୍ୟବସାୟ କରିପାରିବେ ନାହିଁ ବୋଲି ବମ୍ବେ ହାଇକୋର୍ଟ ରାୟ ଦେଇଥିଲେ। ତେବେ ବ୍ୟକ୍ତିଗତ ଭାବେ ଆଇନ ବ୍ୟବସାୟ କରୁଥିବା ବିଦେଶୀ ଓକିଲମାନେ ଭାରତରେ ନାମ ପଞ୍ଜିକୃତ କରିବା ପରେ କୌଣସି ମାମଲାରେ ସମ୍ପୃକ୍ତ ହୋଇପାରିବେ ବୋଲି ବମ୍ବେ ହାଇକୋର୍ଟ କହିଥିଲେ। କିନ୍ତୁ ଏ.କେ. ବାଲାଜୀ ବନାମ ଭାରତୀୟ ବାର୍‌ କାଉନ୍‌ସିଲ (ବିସିଆଇ) ମାମଲାର ଶୁଣାଣି ବେଳେ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ମାଡ୍ରାସ ହାଇକୋର୍ଟ କହିଥିଲେ, ବିଦେଶୀ ଓକିଲ ଏବଂ ଫାର୍ମଗୁଡିକ କେବଳ ‘ଫ୍ଲାଏ-ଇନ୍‌-ଫ୍ଲାଏ-ଆଉଟ’ ଭିତ୍ତିରେ ଭାରତୀୟ କମ୍ପାନୀ ଅଥବା ମହକିଲଙ୍କୁ କେବଳ ପରାମର୍ଶ ଦେଇପାରିବେ। ସୁପ୍ରିମକୋର୍ଟ ଫେବୃଆରୀ ୧ରେ ଏସମ୍ବନ୍ଧୀୟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories