ଜଙ୍ଗଲ ଅଧିକାର ଓ ଉଚ୍ଛେଦ ଆଦେଶ

ଭୁବନେଶ୍ଵର:  ଜଙ୍ଗଲ ଅଧିକାର ଆଇନ ୨୦୦୬ ଅଧୀନରେ ଦାବିଗୁଡିକର ନାକଚକୁ ନେଇ ଫେବୃଆରୀ ୨୦୧୯ରେ ଉଚ୍ଚତମ ନ୍ୟାୟାଳୟ ଦେଶର ସମସ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ନିର୍ଦେଶ ଥିଲା ଯେ ଯେଉଁମାନଙ୍କର ଦାବିଗୁଡିକ ନାକଚ ହୋଇଛି,  ସେମାନଙ୍କୁ ଜଙ୍ଗଲ ଜମି ଉପରୁ ୨୪ ଜୁଲାଇ ୨୦୧୯ ଭିତରେ ଉଚ୍ଛେଦ ସୁନିଶ୍ଚିତ କରାଯିବ। ଏହି ନିର୍ଦେଶ  ସେତେବେଳେ ଭାରତରେ ପ୍ରାୟ ୭୮ଲକ୍ଷ ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିଲା। ପାରମ୍ପରିକ ଭାବରେ ଏହି ସମୁଦାୟମାନେ ଜଙ୍ଗଲରେ ଜୀବନ-ଯାପନ କରିଆସୁଛନ୍ତି ଏବଂ ଏହାର ସଂରକ୍ଷଣ ଓ ସମାବେଶୀ ବ୍ୟବହାର ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି; କିନ୍ତୁ, ଉପନିବେଶୀୟ ଏବଂ ସ୍ୱାଧୀନତା ପରବର୍ତ୍ତୀ ଜଙ୍ଗଲ ନୀତିଗୁଡ଼ିକ ବନବାସୀମାନଙ୍କୁ ଅବହେଳା କରିଥିଲା, ତାଙ୍କୁ ଜବରଦଖଲକାରୀ ଭାବରେ ପରିଚୟ ଦେଇଥିଲା ଯାହାକି ଜଙ୍ଗଲରୁ ସମ୍ବଳ ଉତ୍ତୋଳନ, ଉନ୍ନୟନ ନାମରେ ଶୋଷଣ ଏବଂ ସଂରକ୍ଷଣ ପ୍ରକଳ୍ପଗୁଡ଼ିକ ପାଇଁ ରାସ୍ତା ପ୍ରସ୍ତୁତ କରିଥିଲା। ଏହି ଅନ୍ୟାୟକୁ ସଂଶୋଧନ କରିବା ପାଇଁ ଏବଂ ଜଙ୍ଗଲ ଜମିରେ ରହିବା, ଚାଷ କରିବା, ବନଜାତ ଦ୍ରବ୍ୟର ବ୍ୟବହାର କରିବା, ଜଙ୍ଗଲ ସୁରକ୍ଷା ଏବଂ ପରିଚାଳନା କରିବା ପାଇଁ ଏହି ଗୋଷ୍ଠୀଙ୍କର ଅଧିକାରକୁ ସ୍ୱୀକାର କରିବା ପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଏକ ଐତିହାସିକ ଆଇନ ଭାବରେ ଜାରି ହୋଇଥିଲା। ଏହି ଆଇନର ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଥିବା ସତ୍ତ୍ୱେ ଏହା ପ୍ରକ୍ରିୟାଗତ ଅସୁବିଧା ସମେତ “ଏଭିକ୍ସନ୍ ଲବି” ନାମରେ ପରିଚିତ କିଛି ସଂରକ୍ଷଣବାଦୀ ସଂଗଠନର ସକ୍ରିୟ ବିରୋଧର ସମ୍ମୁଖୀନ ହୋଇଛି। ଏହି ସମୁଦାୟମାନେ ଦାବି କରିଛନ୍ତି ଯେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅସାମ୍ବିଧାନିକ, ସଂରକ୍ଷଣ ବିରୋଧୀ ଏବଂ ଜବରଦଖଲକାରୀଙ୍କ ସପକ୍ଷରେ ତିଆରି ହୋଇଛି। ସେମାନଙ୍କ ବିରୋଧରେ ୨୦୦୮ରେ ଉଚ୍ଚତମ ନ୍ୟାୟାଳୟଙ୍କ ସମକ୍ଷରେ ପିଟିସନ ଦାଖଲ କରାଯାଇଥିଲା, ଯାହାକୁ ୨୦୧୯ରେ ପୁନଃବିଚାର ପାଇଁ ଆଗତ କରା ଯାଇଥିଲା। ବର୍ଷ ବର୍ଷ ଧରି ତୃଣମୂଳ ସ୍ତରୀୟ ଆନ୍ଦୋଳନ ପରେ, ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ଗୃହୀତ ହେଲା ଯାହା ଏହି ଅନ୍ୟାୟଗୁଡ଼ିକୁ ସଂଶୋଧନ କରିବା ଦିଗରେ ଉଦ୍ୟମ ଆରମ୍ଭ କଲା। ଏହି ଆଇନ ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ବ୍ୟକ୍ତିଗତ ଏବଂ ସାମୂହିକ ଅଧିକାରଗୁଡ଼ିକ ଦାବି କରିବାରେ ସକ୍ଷମ କରିଥାଏ ଯାହାକୁ ସେମାନେ ପରମ୍ପରା କ୍ରମେ ଉପଭୋଗ କରି ଆସୁଥିଲେ। ଏହି ଆଇନ ଗ୍ରାମସଭାକୁ ଦାବିଗୁଡ଼ିକ ଉପରେ ନିଷ୍ପତ୍ତି ନେବା ଏବଂ ଜଙ୍ଗଲ ଅଞ୍ଚଳକୁ ପ୍ରଭାବିତ କରୁଥିବା ପ୍ରକଳ୍ପଗୁଡ଼ିକ ପାଇଁ ସମ୍ମତି ଓ ଅସମ୍ମତି ଦେବାର ଭୂମିକା ଗ୍ରହଣ କରିଥାଏ। ୨୦୧୩ ମସିହାରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଫଳନ ଦେଖା ଦେଇଥିଲା, ଯେତେବେଳେ ଡ଼ଙ୍ଗରିଆ କନ୍ଧମାନେ ଜଙ୍ଗଲ ଅଧିକାର ଆଇନକୁ ବ୍ୟବହାର କରି ନିୟମଗିରି ଜଙ୍ଗଲରେ ତାଙ୍କର ପବିତ୍ର ପାରମ୍ପରିକ ଆବାସସ୍ଥଳୀକୁ ହାନି କରୁଥିବା ବେଦାନ୍ତ ନାମକ ବକ୍ସାଇଟ୍ ଖଣି ପ୍ରକଳ୍ପକୁ ରୋକିଥିଲେ। ତଥାପି ଏହି ଆଇନର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତି ସତ୍ତ୍ୱେ, ଜଙ୍ଗଲ ଅଧିକାର ଆଇନର ନ୍ୟାୟସଙ୍ଗତ କାର୍ଯ୍ୟକାରିତା କିଛି ଅମଲାତାନ୍ତ୍ରିକ ଅବହେଳା, ରାଜନୈତିକ ଅସମ୍ମତି ଏବଂ ବ୍ୟକ୍ତିଗତ ସ୍ୱାର୍ଥସାଧନ ଦ୍ବାରା ବାଧା ପାଇଛି। ୨୦୦୮ରେ ଏଭିକ୍ସନ୍ ଲବି ସହିତ ଜଡ଼ିତ କିଛି ସଂରକ୍ଷଣପ୍ରେମୀ ​‌େ‌ସ୍ବଚ୍ଛାସେବୀ ସଂଗଠନ ଦ୍ୱାରା ଦାଖଲ ଏକ ପିଟିସନ ଏହାର ଏକ ଜ୍ବଳନ୍ତ ଉଦାହରଣ। ଏହି ପିଟିସନ ମିଥ୍ୟା ଭାବରେ ଦାବି କରିଥିଲା ଯେ ଜଙ୍ଗଲ ଅଧିକାର ଆଇନ ଅସାମ୍ବିଧାନିକ ଏବଂ ଅବୈଧ ଦାବିକାରୀଙ୍କୁ ପ୍ରୋତ୍ସାହନ ଦିଏ। ସେମାନଙ୍କର ଯୁକ୍ତିଗୁଡ଼ିକ ପୁରାତନ ସଂରକ୍ଷଣ ଢାଞ୍ଚା ଉପରେ ଆଧାରିତ ଥିଲା, ଯାହାକି ପ୍ରକୃତି ସହିତ ମଣିଷର ବାସ୍ତବ ସମ୍ପର୍କକୁ ସବୁବେଳେ ଉପେକ୍ଷା କରିଥାଏ। ସେମାନଙ୍କର ଏହି ମନଗଢା କାହାଣୀ ବନବାସୀଙ୍କର ଅଧିକାର ଏବଂ ଅବଦାନକୁ ଅବମାନନା କରିଛି ଓ ତାହା ସହିତ ଉପନିବେଶୀୟ ଧାରାରେ ଜଡ଼ିତ ନୀତିଗୁଡ଼ିକୁ ଉତ୍ସାହିତ କରିଛି। ‘ଏଭିକ୍ସନ୍ ଲବି’ର ମାମଲା ତିନିଟି ତ୍ରୁଟିପୂର୍ଣ୍ଣ କୌଶଳରେ ଉପସ୍ଥାପିତ ହୋଇଛି: ଜଙ୍ଗଲ ଅଧିକାର ଆଇନକୁ ଭ୍ରମାତ୍ମକ ଭାବରେ ପ୍ରଦର୍ଶନ କରିବା, ଗ୍ରାମସଭାର ଭୂମିକାକୁ ଭିତ୍ତିହୀନ ବୋଲି ଦର୍ଶାଇବା ଏବଂ ଏକ ପୁରାତନ ସଂରକ୍ଷଣ ଢାଞ୍ଚାକୁ ସମର୍ଥନ କରିବା। ସେମାନେ ଦାବି କରିଛନ୍ତି ଯେ ଗ୍ରାମସଭା ଦାବିଗୁଡ଼ିକ ସମାଧାନ କରିବାରେ ଅଯୋଗ୍ୟ, କିନ୍ତୁ ପ୍ରକୃତରେ ଯେ ଦାବିଗୁଡ଼ିକର ନିଷ୍ପତ୍ତିଗୁଡ଼ିକ ଉଚ୍ଚ କମିଟି ଦ୍ୱାରା ହୋଇଥାଏ ତାହା ସ୍ୱୀକାର କରିବାରେ ସେମାନେ ବିଫଳ ହୋଇଛନ୍ତି। ଏହି ପିଟିସନ ଜଙ୍ଗଲ ଅଧିକାର ଆଇନର ଉଦ୍ଦେଶ୍ୟକୁ ଭ୍ରାନ୍ତ ଭାବରେ ଦର୍ଶାଇଛି, ଏବଂ ଏହା ଅବୈଧ ଦାବିକୁ ସମର୍ଥନ କରେ ବୋଲି ମିଥ୍ୟା ଦାବି କରିଛି। ପ୍ରକୃତ କଥା ହେଉଛି ଯେ, ଜଙ୍ଗଲ ଅଧିକାର ଆଇନ ୨୦୦୬ ପୂର୍ବରୁ ରହିଥିବା ପାରମ୍ପରିକ ଅଧିକାରଗୁଡ଼ିକୁ ସ୍ୱୀକାର କରେ ଏବଂ ଐତିହାସିକ ଅନ୍ୟାୟଗୁଡ଼ିକୁ ସଂଶୋଧନ କରିବାକୁ ଚେଷ୍ଟା କରେ। ଅଧିକନ୍ତୁ, ଏହି ପିଟିସନ ଏକ କଠୋର ସଂରକ୍ଷଣ ପ୍ରତିରୂପକୁ ପ୍ରୋତ୍ସାହନ ଦେଇଛି ଯାହା କି ଲୋକଙ୍କୁ ପ୍ରକୃତିରୁ ଅଲଗା କରି ଦେଖେ। ଅନେକ ବନବାସୀ ସମୁଦାୟ ପିଢିପିଢି ଧରି ଜୈବବିବିଧତାରେ ବିସ୍ତୃତ ଅଞ୍ଚଳଗୁଡ଼ିକ ସହିତ ସହାବସ୍ଥାନ କରିଆସୁଛନ୍ତି ବୋଲି ସେମାନଙ୍କର ଚରମବାଦୀ ଦୃଷ୍ଟିକୋଣ ମାନିବାକୁ ପ୍ରସ୍ତୁତ ନୁହେଁ।
୧୩ ଫେବୃଆରୀ ୨୦୧୯ରେ ଉଚ୍ଚତମ ନ୍ୟାୟାଳୟ ଏହି ପିଟିସନର ପ୍ରତିକ୍ରିୟା ଦେଇ ଜଙ୍ଗଲ ଅଧିକାର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ୧୬ ଲକ୍ଷ ପରିବାରଙ୍କୁ ଉଚ୍ଛେଦ କରିବାକୁ ଆଦେଶ ଦେଇଥିଲେ। ଏହି ନିଷ୍ପତ୍ତି ବନବାସୀ, ​ସ୍ଵେଚ୍ଛାସେବୀ ସଂଗଠନ ଏବଂ ଲୋକସଙ୍ଗଠନ ମଧ୍ୟରେ ବ୍ୟାପକ ପ୍ରତିବାଦ ଏବଂ ଆନ୍ଦୋଳନକୁ ତିଆରି କରିଥିଲା। କେନ୍ଦ୍ର ସରକାର ହସ୍ତକ୍ଷେପ କରି, ଉଚ୍ଛେଦ ପୂର୍ବରୁ ରାଜ୍ୟସରକାରମାନଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଦାବିଗୁଡ଼ିକୁ ପୁନଃବିଚାର କରିବାକୁ ଅନୁରୋଧ କରିଥିଲେ। ଶେଷରେ, ଉଚ୍ଚତମ ନ୍ୟାୟାଳୟ ୨୮ ଫେବୃଆରୀ ୨୦୧୯ରେ ଉଚ୍ଛେଦ ଆଦେଶକୁ ଅନିର୍ଦିଷ୍ଟ ସମୟ ପାଇଁ ‘ରୋକ୍’ ଲଗାଇଥିଲେ। ସେହି ନିର୍ଦେଶରେ ସେ କହିଥିଲେ ଯେ ରାଜ୍ୟ ସରକାରମାନେ ଦାବିଗୁଡ଼ିକୁ ନାକଚ କରିବାର ଠିକ ପ୍ରକ୍ରିୟା ବିଷୟରେ ଓ କେଉଁ ଆଇନ ଅଧୀନରେ ଜବରଦଖଲ ହଟାଇ ଉଚ୍ଛେଦ କରିବା ଆବଶ୍ୟକ ତାହାର ସତ୍ୟପାଠ ଦାଖଲ କରିବା ଆବଶ୍ୟକ ଏବଂ ଏଫଏସଆଇ ଅବୈଧ ଦଖଲକୁ ଚିହ୍ନଟ କରିବା ପାଇଁ ସାଟେଲାଇଟ ସର୍ଭେ କରିବ।
ଓଡ଼ିଶା ସରକାର ସେପ୍ଟେମ୍ବର ୨୦୨୨ ରେ ଉଚ୍ଚତମ ନ୍ୟାୟାଳୟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ସେଥିରେ ଦର୍ଶାଇଥିଲେ ଯେ ଓଡ଼ିଶା ସରକାର ୬,୨୯,୩୪୩ ଟି ବ୍ୟକ୍ତିଗତ ଦାବି ଗ୍ରହଣ କରିଛନ୍ତି ଓ ସେଥିମଧ୍ୟରୁ ୪,୫୪,୨୨୭ ଟି ଦାବିକୁ ଅନୁମୋଦନ କରି ୬,୬୭,୦୯୧ ଏକର ଜଙ୍ଗଲ ଜମି ଉପରେ ସ୍ବୀକୃତି ପତ୍ର ଦିଆଯାଇଛି। ୧,୪୦,୫୦୪ ଦାବିକୁ ବିଭିନ୍ନ କାରଣରୁ ନାକଚ କରାଯାଇଛି। ପ୍ରମୁଖ କାରଣଗୁଡିକ ମଧ୍ୟରୁ ୬୫,୨୨୦ଟିକୁ ଅଣ-ଆଦିବାସୀ ତିନିପିଢିର ପ୍ରମାଣ ଦେଇ ପାରିନଥିବାରୁ, ୩୫,୧୦୪ଟି ଦାବି ଅଣ-ଜଙ୍ଗଲ ଜମିରେ ଦାବି କରିଥିବାରୁ, ଓ ୧୫,୨୮୫ ଟି ଦାବି ୧୩ ଡିସେମ୍ବର ୨୦୦୫ ପରେ ଦଖଲ କରିଥିବା କାରଣରୁ ନାକଚ କରାଯାଇଛି। ନାକଚ ହୋଇଥିବା ଦାବିଗୁଡ଼ିକ ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଉଚ୍ଛେଦ କରିବାର ପ୍ରକ୍ରିୟାଗୁଡ଼ିକ ଓଡିଶା ଜମି ଜବରଦଖଲ ନିବାରଣ ଆଇନ ୧୯୭୨ ଓ ଓଡିଶା ଜଙ୍ଗଲ ଆଇନ ୧୯୭୨ ଅନୁସାରେ କରାଯାଇ ପାରିବ। ଏହି ଉଚ୍ଛେଦ କେବଳ ଆଇନ ଅନୁସାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେଲାପରେ ହିଁ କରାଯାଇ ପାରିବ; କିନ୍ତୁ ଓଡ଼ିଶା ସରକାରଙ୍କର ଏହି ସତ୍ୟପାଠରେ ଉପସ୍ଥାପିତ ୧,୪୦,୫୦୪ ଦାବିକୁ ନାକଚ କରିବା ପାଇଁ ଯେଉଁପରି ପ୍ରକ୍ରିୟା ଅନୁସରଣ କରାଯାଇଛି ତାହା ସଭିଙ୍କୁ ଭଲଭାବେ ଜଣା। ନାକଚ ହୋଇଥିବା ଦାବିଗୁଡିକର ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ଦାବିଦାରମାନଙ୍କୁ ସେମାନଙ୍କ ସ୍ବାଧୀନ ମତବ୍ୟକ୍ତ କରିବା ଓ ଉପଯୁକ୍ତ ଦସ୍ତାବିଜ ଉପସ୍ଥାପନ କରିବା ପାଇଁ କେତେ ସୁଯୋଗ ଓ ସୁବିଧା ଯୋଗାଇ ଦିଆଯାଇଥିଲା ଏବଂ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ଯେଉଁ ଅଧିକାରୀମାନେ ସାମିଲ ଥିଲେ ସେମାନେ ତାହାର ଆଇନ ସମ୍ମତ ଦିଗଗୁଡ଼ିକ ବିଷୟରେ କେତେ ସଚେତନ ଥିଲେ ତାହା ଏକ ପ୍ରଶ୍ନବାଚୀ।
ଇତିମଧ୍ୟରେ ଓଡ଼ିଶା ସମେତ ଅନ୍ୟ କୋଡିଏଟି ରାଜ୍ୟ ସେମାନଙ୍କର ସତ୍ୟପାଠ ଦାଖଲ କରିଛନ୍ତି। ଏଫ.ଏସ.ଆଇ. ମଧ୍ୟ ଏକ ଅସଂପୂର୍ଣ୍ଣ ସତ୍ୟପାଠ ଦାଖଲ କରିଛି। ଏଫ.ଏସ.ଆଇ. ଦର୍ଶାଇଛି ଯେ ଜବରଦଖଲର ସାଟେଲାଇଟ ଛବି ଆଣିବା ସମୟ ସାପେକ୍ଷ ଓ ମହଙ୍ଗା। ସଦ୍ୟତମ ଖବର ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟ ଗତ ୨୨ ଫେବୃଆରୀ ୨୦୨୫ରେ ନି‌େ‌ର୍ଦଶ ଦେଇଛନ୍ତି ଯେ ଆସନ୍ତା ୨ ଏପ୍ରିଲରେ ଏହି ସଂକ୍ରାନ୍ତ ଶୁଣାଣି ହେବ। ଏହି ଶୁଣାଣିର ରାୟ କ’ଣ ଆସୁଛି, ତାହା ଦେଖିବାକୁ ବାକି ରହିଛି। ଓଡ଼ିଶାର ୧,୪୦,୫୦୪ ବନବାସୀ ପରିବାରଙ୍କର ଜୀବନଜୀବିକା ଏହି ରାୟ ଉପରେ ନିର୍ଭର କରେ। ଅନ୍ୟ ଦିଗରେ ସଂରକ୍ଷଣ ଚରମପନ୍ଥୀମାନେ ଆଗାମୀ ଏହି ଶୁଣାଣିକୁ ଆଖି ଆଗରେ ରଖି ମିଥ୍ୟା ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି ଯେ ଜଙ୍ଗଲ ଅଧିକାର ଆଇନର ସ୍ବୀକୃତି ପ୍ରକ୍ରିୟା ଯୋଗୁଁ ଜଙ୍ଗଲ ଅଧିକ କ୍ଷୟ ହେବାରେ ଲାଗିଛି। ସେମାନଙ୍କର ଏହି ଷଡଯନ୍ତ୍ର କିନ୍ତୁ କୌଣସି କାମରେ ଲାଗିବ ନାହିଁ। କାରଣ ଲୋକଙ୍କର ପ୍ରକୃତି ସହିତ ସମ୍ପର୍କ ବଢିଥିବାରୁ ଜଙ୍ଗଲ ମଧ୍ୟ ବଢିବାରେ ଲାଗିଛି। ତାହାର ଜ୍ବଳନ୍ତ ଉଦାହରଣ ଓଡ଼ିଶାର ଜଙ୍ଗଲ ସୁରକ୍ଷାକାରୀ ଗୋଷ୍ଠୀଙ୍କ ପାଖରୁ ସହଜରେ ମିଳିଯାଏ। ଏଫ.ଏସ.ଆଇ.ର ପୂର୍ଣ୍ଣାଙ୍ଗ ତଥ୍ୟ ଏହା ପ୍ରମାଣ କରି ପାରିବ।

Comments are closed.