ପିକ୍‌ନିକ୍‌, ବଣଭୋଜି ପାଇଁ ଗାଡ଼ିମାଲିକଙ୍କୁ ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ବର : ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ସଡ଼କ ସୁରକ୍ଷା ପରିବାର ରକ୍ଷା’। ପିକ୍‌ନିକ୍‌ ଓ ତୀର୍ଥଯାତ୍ରୀ ଗାଡ଼ି ପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜାନୁଆରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ‘ସଡ଼କ ସୁରକ୍ଷା-ପରିବାର ରକ୍ଷା’ ଅଭିଯାନର ଶୁଭାରମ୍ଭ ହୋଇଛି। କିଟ୍ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ‘ସଡ଼କ ସୁରକ୍ଷା-ପରିବାର ରକ୍ଷା’ ସଡ଼କ ସୁରକ୍ଷା ସପ୍ତାହର ଉଦ୍‌ଘାଟନ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରା କିଟ୍ ପ୍ରଦର୍ଶନୀ ପଡ଼ିଆ ଠାରୁ ଆରମ୍ଭ ହୋଇ ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟିଙ୍ଗ ଟ୍ରାକ୍‌ରେ ଶେଷ ହୋଇଥିଲା।

prayash

ମୁଖ୍ୟ ଅତିଥିଭାବେ ଜଳ ସମ୍ପଦ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ସଡ଼କ ସୁରକ୍ଷା କେବଳ ବ୍ୟକ୍ତିଙ୍କ ସୁରକ୍ଷା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସେମାନଙ୍କ ପରିବାର ତଥା ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ସହ ଜଡ଼ିତ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ ବିଭାଗ ଆୟୁକ୍ତ ଅମିତାଭ ଠାକୁର, ଅତିରିକ୍ତ ଆୟୁକ୍ତ ଲାଲମୋହନ ସେଠୀ, ଯୁଗ୍ମ ପରିବହନ ଆୟୁକ୍ତ (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ଛାତ୍ରଛାତ୍ରୀ, ସାଧାରଣ ଜନତା ଉପସ୍ଥିତ ଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ସଡ଼କ ନିରାପତ୍ତାର ଗୁରୁତ୍ବ ବିଷୟରେ ସମସ୍ତ ନାଗରିକଙ୍କୁ ସଚେତନ କରିବା ପାଇଁ ପରିବହନ ବିଭାଗ ପ୍ରୟାସ ଜାରି ରଖିଛି। ଟ୍ରାଫିକ୍ ନିୟମ ପାଳନ କରିବା ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ଦାୟିତ୍ବ ବୋଲି ସେ ମତବ୍ୟକ୍ତ କରିଥିଲେ। ଯାହା ସେମାନଙ୍କ ପାଇଁ ଏକ ସୁରକ୍ଷିତ ରାସ୍ତା ନିଶ୍ଚିତ କରିବ। ସ୍ବାଗତ ବକ୍ତବ୍ୟରେ ପରିବହନ ଆୟୁକ୍ତ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଏବଂ ନିରାପଦ କାମନା କରି ସଭାର ଶୁଭାରମ୍ଭ କରିଥିଲେ। ସଡ଼କ ସୁରକ୍ଷାର ଗୁରୁତ୍ବ ଉପରେ ସେ ବକ୍ତବ୍ୟ ରଖିଥିଲେ। ସାଙ୍ଗସାଥୀ ଏବଂ ପରିବାର ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ଅତିଥିମାନେ ସଡ଼କ ସୁରକ୍ଷା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ବିଭିନ୍ନ ସଡ଼କ ସୁରକ୍ଷା ପ୍ରସଙ୍ଗ ଉପରେ ସମଗ୍ର ଜିଲାରେ ସଚେତନତା ସୃଷ୍ଟି ପାଇଁ ଏହି ରଥ ସାରା ରାଜ୍ୟ ଭ୍ରମଣ କରିବ। ଏହି କାର୍ଯ୍ୟକ୍ରମରେ ପିକନିକ୍/ ତୀର୍ଥଯାତ୍ରା ସ୍ଥାନକୁ ଯାଉଥିବା ଗାଡ଼ିଗୁଡ଼ିକ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଉନ୍ମୋଚିତ କରାଯାଇଥିଲା। ଏହି ମାର୍ଗଦର୍ଶିକାରେ ଆରଟିଓ, ପୁଲିସ୍, ବସ୍ ମାଲିକ ଏବଂ ବସ୍ ଚାଳକଙ୍କ ଭୂମିକା ବିଷୟରେ ଦର୍ଶାଯାଇଛି। ଶେଷରେ ଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ବଣଭୋଜି ପାଇଁ ଗାଡ଼ିମାଲିକଙ୍କୁ…

Comments are closed.