www.samajalive.in
Saturday, December 6, 2025
15.1 C
Bhubaneswar

ଖସୁଛି ସୁବର୍ଣ୍ଣରେଖା ଓ ବୈତରଣୀ ଜଳସ୍ତର: ବଢ଼ୁଛି ବ୍ରାହ୍ମଣୀ

ଭୁବନେଶ୍ବର : ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ଦୁଇଦିନ ଧରି ବନ୍ୟା ସ୍ଥିତି ଲାଗି ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସ୍ଥିତିରେ ସୁଧାର ଆସିଛି। ଆଜି ସନ୍ଧ୍ୟା ବେଳକୁ ପରିସ୍ଥିତିରେ ଆହୁରି ସୁଧାର ଆସିବ। ଉଭୟ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ତଳିଆ ଅଞ୍ଚଳ ଗାଁଗୁଡ଼ିକରୁ ବନ୍ୟାପାଣି କମୁଛି। କିନ୍ତୁ ବ୍ରାହ୍ମଣୀ ଧୀରେଧୀରେ ବଢ଼ିବାରେ ଲାଗିଛି। ଗତକାଲି ଅପେକ୍ଷା ଆଜି ବିଭିନ୍ନ ସ୍ଥାନରେ ବ୍ରାହ୍ମଣୀ ଜଳପତ୍ତନ ବଢ଼ୁଥିବାରୁ ଜଳସମ୍ପଦ ବିଭାଗ ବ୍ରାହ୍ମଣୀ ଉପରେ ନଜର ରଖିଛି। ବାଲେଶ୍ବର ଓ ଭଦ୍ରକରେ ବନ୍ୟା ସ୍ଥିତି ସ୍ବାଭାବିକ ହେଉଥିବାବେଳେ ଯାଜପୁର ଜିଲାର ଦଶରଥପୁର ବ୍ଲକରେ ପାଣି ଛାଡ଼ିବାକୁ ଆଉ କିଛି ସମୟ ଲାଗିବ। ବାଲେଶ୍ୱରରେ ବନ୍ୟା ଯୋଗୁଁ ବସ୍ତା, ଭୋଗରାଇ, ବାଲିଆପାଳ ଏବଂ ଜଳେଶ୍ୱର ପ୍ରଭାବିତ ହୋଇଛି। ଯାଜପୁର ଜିଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ବ୍ଲକ ପ୍ରଭାବିତ ହୋଇଛି। ତେବେ କାଣୀ ନଦୀ ଘାଇ ଯୋଗୁଁ ଯାଜପୁର ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। କେବଳ ଯାଜପୁର ଜିଲାକୁ ଛାଡ଼ି ଦେଲେ ବାକି ସବୁ ସ୍ଥାନରେ ବନ୍ୟା ସ୍ଥିତି ସୁଧୁରୁଛି। ରାଜଘାଟରେ ସୁବର୍ଣ୍ଣରେଖା ଖସୁଛି। ଏଠାରେ ବିପଦ ସଙ୍କେତ ୧୦.୩୬ମିଟର ଥିବାବେଳେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ୧୦.୩୩ ମିଟରରେ ବନ୍ୟାପାଣି ପ୍ରବାହିତ ହେଉଛି। ‌ଜାମଶୋଳା ଘାଟରେ ବିପଦ ସଙ୍କେତ ୪୯.୧୬ମିଟର ଥିବାବେଳେ ୪୮.୭୦ମିଟରରେ ବନ୍ୟାଜଳ ତଳମୁଣ୍ଡକୁ ନିଷ୍କାସିତ ହେଉଛି। ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ବୈତରଣୀରେ ବନ୍ୟାପାଣି ଖସିବାରେ ଲାଗିଛି। ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ତଳେ ଅଛି। ଘାଇ ହୋଇଥିବା ଏବଂ ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ମରାମତି କାମ ଆସନ୍ତାକାଲି କିମ୍ବା ପରଦିନ ଆରମ୍ଭ ହେବ। ଗତ ୨୪ଘଣ୍ଟା ମଧ୍ୟରେ ବଂଶଧାରା, ନାଗାବଳୀ ଓ କୋଲାବରେ ଅଧିକ ବର୍ଷା ହୋଇଛି। ଋଷିକୁଲ୍ୟା, ତେଲ, ମହାନଦୀ ଉପରମୁଣ୍ଡ, ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ ଅବବାହିକାରେ ବର୍ଷା ହୋଇନି। ଅନ୍ୟ କୌଣସି ନଦୀର ଅବବାହିକାରେ ବର୍ଷା ହୋଇ ନଥିବାରୁ ବନ୍ୟା ସ୍ଥିତି ନାହିଁ। ବ୍ରାହ୍ମଣୀ ବଢ଼ିବାରେ ଲାଗିଛି। ସନ୍ଧ୍ୟା ୬ଟା ସୁଦ୍ଧା ଜେନାପୁରରେ ବିପଦ ସଙ୍କେତ ୨୩ମିଟର ଥିବାବେଳେ ୨୧.୫୯ମିଟରରେ ଜଳ ପ୍ରବାହିତ ହେଉଛି। ଇନ୍ଦୁପୁରରେ ବିପଦ ସଙ୍କେତ ୮.୨୩ ମିଟର ଥିବାବେଳେ ୬.୪୮ମିଟରରେ ଜଳ ପ୍ରବାହିତ ହେଉଛି। ଆଗକୁ ବ୍ରାହ୍ମଣୀ ବଢ଼ିଲେ କେନ୍ଦ୍ରାପଡ଼ା ଜିଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା ଆଦି ଅଞ୍ଚଳ ସହିତ ଯାଜପୁର ଜିଲାର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେବ।
ମହାନଦୀ ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବାହ କମୁଥିବାରୁ ଜଳ ଭଣ୍ଡାର ୮ଟି ଫାଟକ ବନ୍ଦ କରି ଦିଆଯାଇ ମୋଟ୍‌ ୪ଟି ଫାଟକରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ରାତି ୯ଟା ସୁଦ୍ଧା ଜଳଭଣ୍ଡାରରେ ୬୨୧.୫୦ଫୁଟ୍‌ ପାଣି ରହିଥିଲା। ଏହି ସମୟରେ ପ୍ରତି ସେକେଣ୍ଡରେ ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ୧ ଲକ୍ଷ ୬୯ହଜାର ୮୯୨ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୪ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ପ୍ରତି ସେକେଣ୍ଡରେ ୯୮ହଜାର ୦୯୧ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟାରେ ବନ୍ଧ ଉପରମୁଣ୍ଡରେ ୩.୧୧ମିମି ଓ ତଳମୁଣ୍ଡରେ ୦.୪୧ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ରାତି ୯ଟା ବେଳକୁ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୩ଲକ୍ଷ ୩୧ ହଜାର ୯୬୩ ଘନଫୁଟ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳରେ ୨ଲକ୍ଷ ୪୯ ହଜାର ୫୦୦ ଏବଂ ଖଇରମାଳରେ ୨ଲକ୍ଷ ୮୨ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି। ରେଙ୍ଗାଲିରେ ୩ଟି ଫାଟକ ଖୋଲା ରହିଛି। ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ହଜାର ୩୮୩.୯୨ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୫ ହଜାର ୧୯୫.୩୫ ଘନଫୁଟ ଜଳ ନିଷ୍କାସିତ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories