ଡେସ୍କ: ଆସାମରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଛି। ଏହି ବନ୍ୟାରେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଆସାମ ସରକାର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର କରିଛନ୍ତି। ରାଜ୍ୟର ୧୫ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ବନ୍ୟା ପ୍ରଭାବିତ ହୋଇଛି। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ପ୍ରଦତ୍ତ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ବନ୍ୟା ପରବର୍ତ୍ତୀ ପରିସଂଖ୍ୟାନ ଅନୁଯାୟୀ, ବାଲାଜୀ ଜିଲ୍ଲାରେ ୨ ଲକ୍ଷ ୨୨ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ବରପେଟା ଜିଲ୍ଲାରେ ୧ ଲକ୍ଷ ୪ ହଜାର, ନଲବରିରେ ୪୦ ହଜାର ୬୬୮, ଲକ୍ଷ୍ମୀପୁରରେ ୨୨ ହଜାର ୬୦, ଦର୍ରାଙ୍ଗରେ ୮ ହଜାର ୪୯୩ ଓ ଗୋଲପଡାରେ ୪ ହଜାର ୭୫୦ ଜଣ ପ୍ରଭାବିତ ହୋଇଛନ୍ତି।
୪୦ଟି ରାଜସ୍ୱ ମଣ୍ଡଳର ୧ ହଜାର ୧୧୮ଟି ଗାଁ ଏହି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ତେବେ ବ୍ରହ୍ମପୁତ୍ର ନଦୀ ଏବେ ମଧ୍ୟ କେତେକ ସ୍ଥାନରେ ବିପଦ ସଂକେତ ଠାରୁ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ବନ୍ୟା ପ୍ରଭାବିତ ଜିଲ୍ଲାରେ ୮ ହଜାର ୪୬୯ ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଛି।
ବନ୍ୟା ମୁକାବିଲା ନିମନ୍ତେ ଆସାମ ସରକାର ୧୪ଟି ଜିଲ୍ଲାରେ ୧୦୧ଟି ରିଲିଫ ଶିବିର ଓ ୧୧୯ଟି ରିଲିଫ ବଣ୍ଟନ କେନ୍ଦ୍ର ଖୋଲିଛନ୍ତି। ବିଭିନ୍ନ ଶିବିରରେ ଏବେ ମଧ୍ୟ ୮୧ ହଜାର ୩୫୨ ଜଣ ଆଶ୍ରୟ ନେଇଥିବା ସୂଚନା ମିଳିଛି। ଚଳିତ ବନ୍ୟାରେ ୪ ଲକ୍ଷରୁ ଅଧିକ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।



