ଚିନ୍ତା ବଢାଉଛି ଭାର୍ଗବୀ ନଦୀବନ୍ଧର ଘଳିଆ ; ଭାର୍ଗବୀରେ ୪୦, ଦୟାରେ ୧୫ ଘଳିଆ

ପ୍ରଶାସନ ସଜାଗ, ଅଗ୍ନିଶମ ବାହିନୀ ପ୍ରସ୍ତୁତ

ପିପିଲି : ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ନଦୀବନ୍ଧରେ ବହୁ ସ୍ଥାନରେ ଘଳିଆ ସୃଷ୍ଟି ହୋଇଛି । ଭାର୍ଗବୀ ନଦୀର ଦକ୍ଷିଣ ପାର୍ଶ୍ବର ବନ୍ଧରେ ବୁଧବାର ସଂନ୍ଧ୍ୟା ସୁଦ୍ଧା ୪୦ରୁ ଅଧିକ ଘଳିଆ ଓ ଦୟାନଦୀର ବାମ ଓ ଦକ୍ଷିଣ ପାର୍ଶ୍ବର ବନ୍ଧରେ ୧୫ରୁ ଅଧିକ ଘଳିଆ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି। ଭାର୍ଗବୀ ନଦୀର ଦକ୍ଷୀଣପାର୍ଶ୍ବର ବନ୍ଧର ନୂଆଶାସନ ଠାରେ ସୃଷ୍ଟି ହୋଇଥିବା ଘଳିଆ ବିପଦପୂର୍ଣ୍ଣ ରହିଥିବା ବେଳେ ତାର ସଫଳ ମରାମତି ତଥା ନିୟନ୍ତ୍ରଣ କରିବା ପାଇଁ ଜଳସଂପଦ ବିଭାଗର କର୍ମଚାରୀମାନେ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରଖିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯିବା ସହ ସେଠାରେ ଅଗ୍ନିଶମ ବାହିନୀ କ୍ୟାମ୍ପ ପକାଇ ସଜାଗ ରହିଛି। ତେବେ ଏହି ନଦୀ ଅବବାହିକା ନୂଆଶାସନ, ସଁପୁର, ଚନ୍ଦ୍ରାଦେଇପୁର, ଦୁର୍ଗାଦାସପୁର, ତେଇଶିପୁର ସମେତ ୮ରୁ ଅଧିକ ପଞ୍ଚାୟତ ବାସିନ୍ଦା ଭୟଭୀତ ଅବସ୍ଥାରେ ଥିବା ସୂଚନା ମିଳିଛି । ଉଭୟ ଦୟା ଓ ଭାର୍ଗବୀ ବେଳକୁ ବେଳ ଭୟଙ୍କର ହେଉଥିବା ବେଳେ ଏହାକୁ ନେଇ ନଦୀ କୂଳିଆ ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସବୁଠାରୁ ଚିନ୍ତାରେ ପକାଇଛି ଭାର୍ଗବୀ ନଦୀ । ଏହି ନଦୀର କେତେକ ସ୍ଥାନରେ ନଦୀବନ୍ଧ ଉଛୁଳିବା ପରିସ୍ଥିତି ସୃଷ୍ଟି ହୋଇଛି। ଜଳସେଚନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ବାଲିବସ୍ତା ପକାଯାଇ ଆଡିବନ୍ଧ କରାଯାଇଥିବା ବେଳେ ନଦୀବନ୍ଧ ଭିତରେ ଜରିପାଲ ପକାଯାଇଛି। ଭାର୍ଗବୀର ହରିପୁର ପୋଲ ଠାରେ ବନ୍ୟାଜଳ ପ୍ରବାହ ସଂପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ସେଠାରେ ପୋଲର କଂକ୍ରିିଟକୁ ବନ୍ୟାଜଳ ଛୁଇଁବାକୁ ଆଉ ମାତ୍ର ୪ଇଞ୍ଚ ବାକି ଥିବା ପରିଲକ୍ଷିତ ହୋଇଛି । ଦୟାନଦୀର ଟିଗିରିଆ ଠାରେ ପଡ଼ିଥିବା ଏକ ବଡ଼ ଘଳିଆକୁ ନିୟନ୍ତ୍ରଣ କରାଯାଇଛି। ଦୟାନଦୀର ବନ୍ୟାଜଳ ଯୋଗୁଁ ପିପିଲି-ଜଟଣୀ ରାସ୍ତାର କଣ୍ଟି ଠାରେ ୪ଫୁଟ୍‍ ଓ ମାଧିପୁର ଠାରେ ୨ଫୁଟ୍‍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ଦୁଇଦିନ କାଳ ଏହି ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି । କଣ୍ଟିି ଠାରେ ଖୋର୍ଦ୍ଧାର ରାଜୁ ଦାଶ ନାମକ ଜନୈକ ବ୍ୟକ୍ତି ବାଇକ ସହ ରାସ୍ତା ଅତିକ୍ରମ କରୁଥିବା ବେଳେ ବୁଧବାର ଅପରାହ୍ନରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ତାଙ୍କ ବାଇକ୍‍ଟି ବନ୍ୟା ସ୍ରୋତରେ ଭାସି ଯାଇଥିବା ସୂଚନା ମିଳିଛି। ସେହିପରି ବିଦ୍ୟୁତ୍‍ ମରାମତି କରିବାକୁ ଯାଉଥିବା ୫ଜଣ ଲାଇନମ୍ୟାନ କଣ୍ଟି ଠାରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଅସାବଧାନତା ବଶତଃ ସେମାନେ ପ୍ରଖର ବନ୍ୟା ସ୍ରୋତରେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହି ବ୍ଲକର ୬ଟି ପଞ୍ଚାୟତର ୨୦ରୁ ଅଧିକ ଗ୍ରାମ ବନ୍ୟାଘେରରେ ରହିଛି । ୪୨୪୦ ଜଣ ବ୍ୟକ୍ତି ୨ଦିନ କାଳ ସଂପୂର୍ଣ୍ଣ ପାଣି ଘେରରେ ରହିଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଦୟାନଦୀର କଣ୍ଟି ଓ ମାଧିପୁର କାଜରୁ ନିର୍ଗତ ବନ୍ୟାଜଳ ଶହଶହ ହେକ୍ଟର ଚାଷଜମିକୁ ଜଳମଗ୍ନ କରିଥିବା ବେଳେ ବହୁଗ୍ରାମ ଜଳବନ୍ଦୀ ହୋଇରହିଛି। ୮ରୁ ଅଧିକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ବହୁଘର ମଧ୍ୟରେ ବନ୍ୟାଜଳ ପଶିଯାଇଛି। ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳର ୪୫୭ ଗୋରୁଙ୍କୁ ଆଜି ଚିକିତ୍ସା କରାଯିବା ସହ ୩୫୦ ଗାଈଗୋରୁଙ୍କୁ ପ୍ରତିଷେଧକ ଟୀକା ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳର ଗୋରୁଗାଇଙ୍କ ପାଇଁ ୯.୫ମେଟ୍ରିକ ଟନ ଗୋଖାଦ୍ୟ ଗୁରୁବାର ପହଞ୍ଚିବ ବୋଲି ପିପିଲି ବ୍ଲକ ପଶୁଚିକିତ୍ସା ଅଧିକାରୀ ଆଲୋକ ମିଶ୍ର ସୂଚନା ଦେଇଛନ୍ତି । ଅନେକ ଗ୍ରାମର କୁକୁଡା ଫାର୍ମ ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ମାଛ ପୋଖରୀ ସଂପୂର୍ଣ୍ଣ ବୁଡିଯାଇଛି। ୪ଟି ପଞ୍ଚାୟତର ଅନେକ ସ୍କୁଲ ବନ୍ୟା ଘେରରେ ରହିଛି ।
ଘାଇ ସୃଷ୍ଟି ହେବାର ପରିସ୍ଥିତି ଉପୁଜିଲେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ସଂପର୍କରେ ତହସିଲଦାର ପୁନମ ମହାପାତ୍ର ଓ ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି। ପିପିଲି ବ୍ଲକ ଓ ତହସିଲରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖାଯାଇଛି। ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆଜି ବିଭିନ୍ନ ନଦୀବନ୍ଧର ଘଳିଆ ସ୍ଥାନ ଓ ବନ୍ୟା ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖିବା ସହ ଘଳିଆ ମରାମତି, ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‍ ପ୍ରଦାନ ସଂପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ କରିଥିଲେ।
ଭାର୍ଗବୀ ନଦୀର ଦକ୍ଷିଣପାର୍ଶ୍ବ ବନ୍ଧରେ ଶହ ଶହ ପାଣିଝର ସୃଷ୍ଟି ହୋଇଥିବା ବେଳେ ନଦୀବନ୍ଧରେ ଅନେକ ସ୍ଥାନରେ ଘଳିଆ ସୃଷ୍ଟି ହୋଇଛି ଓ ସେସବୁକୁ ନିୟନ୍ତ୍ରଣ କରାଯାଇଛି । ବୁଧବାର ସକାଳୁ ସଂନ୍ଧ୍ୟା ୬ଟା ମଧ୍ୟରେ ଉଭୟ ନଦୀରେ ବନ୍ୟାଜଳ ସ୍ଥିର ରହିଥିବା ବେଳେ ରାତିସୁଦ୍ଧା ଏହା ହ୍ରାସ ପାଇବାର ଅନୁମାନ କରାଯାଉଛି। ଦୟାନଦୀର କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ମିଟର ରହିଥିବା ବେଳେ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ସେଠାରେ ୧୧.୪୦ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ୧୨.୪୦ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଭାର୍ଗବୀ ନଦୀର ହରିପୁର ଠାରେ ବିପଦ ସଙ୍କେତ ୧୨.୦୯୫ ମିଟର ରହିଥିବା ବେଳେ ସେଠାରେ ୧୩.୪୭ମିଟର ବନ୍ୟାଜଳ ପ୍ରବାହିତ ହେଉଛି।

Comments are closed.