www.samajalive.in
Monday, December 15, 2025
26.1 C
Bhubaneswar

ଜଳ ଘେରରେ ୧୮ ପାହାଡ଼ୀ ଗାଁ

ପାତ୍ରପୁର : ଲଗାଣ ବର୍ଷାରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ପାହାଡିଆ ଅଞ୍ଚଳବାସୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ଆଜି ଅପରାହ୍ନରୁ ପୁଣି ତୁହାକୁତୁହା ବର୍ଷା ଲାଗି ରହିବାରୁ ଏହି ବ୍ଲକର ଆଦିବାସୀ ଗ୍ରାମଗୁଡିକର ଲୋକଙ୍କ ଦୁର୍ଦଶା ବଢିବାରେ ଲାଗିଛି। ପାହାଡ଼ ଉପରେ ରହିଥିବା ବହୁ ଆଦିବାସୀ ଗ୍ରାମର ରାସ୍ତା ଧୋଇଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କେଉଁ ଗ୍ରାମରେ ପର୍ବତ ପାଣି ଧାର ଚାଲିଛି ତ କେଉଁଠି ନାଳ ଓ ନଦୀରେ ବର୍ଷା ପାଣି ସ୍ରୋତ ଭଳି ମାଡି ଆସିଛି। ବାଘଲଟି ଉପର ମୁଣ୍ଡରେ ରହିଥିବା ଆଙ୍କୁଲି ପଞ୍ଚାୟତର ଏଲଗଲ ଗ୍ରାମରେ ବର୍ଷାଜଳ ପ୍ରବାହିତ ହେଉଛି। ସେହି ଗ୍ରାମ ନିକଟ ମାଡୁଆ, ବେହେରାପୁଟୁ, ସିରିସିଗଣ୍ଡ ଗ୍ରାମ ଭିତରକୁ ବହୁଦା ନଦୀ ଜଳ ପ୍ରବେଶ କରିଛି। ଗଡଙ୍ଗ-ବାଦୁଆ ରାସ୍ତାର ଚମ୍ପା ନାଳରେ ବର୍ଷାଜଳ ପ୍ରବଳ ବେଗରେ ମାଡି ଆସିବାରୁ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯାଇଛି। ଆଙ୍କୁଲିଠାରୁ କୁରୁଗୁଡ଼ ରାସ୍ତାର ବାଦୁଆ ନିକଟରେ
ପଥର ଧସିଯିବାରୁ ରାସ୍ତା ଅବରୋଧ ହୋଇଛି। ତାଡକାସାହି- ଆଙ୍କୁଲି ରାସ୍ତାର ଚରିୟାବାଡ଼ ନିକଟରେ ଆଜି ପୁଣି ପଥର ଧସି ରାସ୍ତା ଅବରୋଧ ହୋଇଛି। ଗତକାଲି ଗଡଙ୍ଗ ଗ୍ରାମର ଦେବରାଜ ବିଶୋଇଙ୍କ ପତ୍ନୀ ମମତା ପ୍ରସବ ଯନ୍ତ୍ରଣା ଭୋଗିଥିଲେ। ହେଲେ ରାସ୍ତାରେ ବର୍ଷାଜଳ ସୁଅ କାରଣରୁ ଡାକ୍ତରଖାନାକୁ ଯାଇପାରିନଥିଲେ। ଘରେ ସେ ଏକ ସନ୍ତାନ ଜନ୍ମ ଦେଇଥିଲେ। ତୁମ୍ବା-ପାରଳାଖେମୁଣ୍ଡି ରାସ୍ତା​ରେ ବଡ ବଡ ପଥର ଖଣ୍ଡ ଖସି ଯାତାୟତ ବନ୍ଦ ରହିଛି। ଡୁଡୁକାବାଡଠାରୁ ଉପର ବୁରାତାଲ ରାସ୍ତାରେ ପାହାଡ ପାଣି ଗଢି ଆସି ୨ଶହ ମିଟର ରାସ୍ତା ଧୋଇ ଯାଇଛି। ଉପର ବୁରାତାଲ ଗ୍ରାମ ଭିତରେ ଏବେ ବି ଏକଫୁଟ ଉଚ୍ଚତାରେ ବର୍ଷା ଜଳ ସୁଅ କାଟୁଛି। ଏହି ଗ୍ରାମ ରାସ୍ତା ଉପରେ ନିର୍ଭରଶୀଳ ପ୍ରାୟ ୨୦ ଗୋଟି ଗ୍ରାମର ଲୋକଙ୍କ ଯାତାୟାତ ଏକପ୍ରକାର ବନ୍ଦ ହୋଇଯାଇଛି। ପାହାଡ଼ ଉପରେ ୭୦୦ ପରିବାର କରିଥିବା ଧାନ, ମାଣ୍ଡିଆ, ବାଦାମ, କାଙ୍ଗୁ, ସୁଆଁ, ଘଣ୍ଟିଆ, ମକା ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ବୁରାତାଲ ଗ୍ରାମର ଅକ୍ଷୟ ପ୍ରଧାନ, ବିଶ୍ବନାଥ ବଡମୁଣ୍ଡି, ରେଙ୍କେ ବଡମୁଣ୍ଡି ଭଳି ୨୫ଜଣଙ୍କ ଫସଲ ନଷ୍ଟ ହୋଇଥିବା ଇସରା ସମ୍ପାଦକ ରବୀନ୍ଦ୍ର ନାଥ ପାତ୍ର କହିଛନ୍ତି।
ପାତ୍ରପୁର ବ୍ଲକର ଆନ୍ଧ୍ର ସୀମାରେ ଥିବା ତୁମ୍ବା ଓ ବୁରାତାଲ ପଞ୍ଚାୟତର ମହେନ୍ଦ୍ର ତନୟା ନଦୀରେ ପାଣି ଆସିଯିବାରୁ ୧୮ଗୋଟି ଗ୍ରାମର ଯାତାୟତ ବନ୍ଦ ରହିଛି।ସେହି ପରି ବ।ତର।ସ।ହି ନିକଟ ନଦୀରେ ପାଣି ଆସି ଅର୍ଜୁବା, ଅଞ୍ଜାଗୁଲି, ତାଳବାଡ ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛି। ଆଜି ସୁଦ୍ଧା ୧୮ ଖଣ୍ଡ ଗ୍ରାମର ଲୋକେ ଏକପ୍ରକାର ଜଳବନ୍ଦୀରେ ରହିଛନ୍ତି।
ଆଜି ସକାଳ ୬ଟାଠାରୁ ସନ୍ଧ୍ୟା ସୁଦ୍ଧା ବାଘଲଟିରେ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବାଘଲଟି ଜଳଭଣ୍ଡାରର ଜଳସ୍ତର ୧୦୪ ମିଟରକୁ ବୃଦ୍ଧି ପାଇଛି। ଅଧିକ ବର୍ଷାଜଳ ନଦୀକୁ ଛଡ଼ାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ କୁମାର ଦାଶଶର୍ମା ସୂଚନା ଦେଇଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories