ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ; ଆକ୍ରାନ୍ତଙ୍କୁ ମୌଲାନା ଆଜାଦ ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା । ଦିଲ୍ଲୀରେ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଚିହ୍ନଟ ବ୍ୟକ୍ତି ଜଣକଙ୍କ ବୟସ ୩୧ ବର୍ଷ ବୋଲି ଜଣାପଡ଼ିଛି । ବ୍ୟକ୍ତି ଜଣକଙ୍କୁ ଜ୍ୱର ଓ ଚର୍ମରେ କିଛି ଭିନ୍ନତା ଦେଖା ଦେବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ହେଲେ ସେଠାରେ ତାଙ୍କର ନମୁନା ପରୀକ୍ଷା କରାଯିବା ପରେ ତାଙ୍କୁ ମଙ୍କିପକ୍ସ ହୋଇଥିବା ଜଣାପଡ଼ିଛି । ତେବେ ଦିଲ୍ଲୀର ଏହି ଆକ୍ରାନ୍ତ ଜଣଙ୍କୁ ମିଶାଇ ଭାରତରେ ମୋଟ୍ ଏଯାଏ ୪ଜଣ ମଙ୍କିପକ୍ସରେ ପୀଡିତ ହେଲେଣି । ପୂର୍ବରୁ କେରଳରେ ୩ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜୁଲାଇ ୧୪ ତାରିଖରେ ଦକ୍ଷିଣ କେରଳରେ ମଙ୍କିପକ୍ସର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।
ପରେ ଦ୍ୱିତୀୟ ଆକ୍ରାନ୍ତ ୧୮ ଜୁଲାଇରେ ଚିହ୍ନଟ ହୋଇଥିବା ବେଳେ ତୃତୀୟ ଆକ୍ରାନ୍ତ ୨୨ ଜୁଲାଇରେ ସାମ୍ନାକୁ ଆସିଥିଲା । ତେବେ ସମସ୍ତ ତିନି ଜଣ ଆକ୍ରାନ୍ତ ବିଦେଶରୁ ଯାତ୍ରା କରି ଫେରିଥିବା ଜଣାପଡ଼ିଥିଲା । ହେଲେ ଆଜି ଦିଲ୍ଲୀରେ ଜିହ୍ନଟ ହୋଇଥିବା ମଙ୍କିପକ୍ସ ମାମଲା କୌଣସି ସ୍ଥାନରୁ ଫେରିନଥିବା ଜଣାପଡ଼ିଛି ।
Comments are closed.