କଳିଙ୍ଗ ଷ୍ଟାଡ଼ିୟମ୍‌ ପ୍ରସ୍ତୁତି – ଫିଫା ପ୍ରତିନିଧି ସନ୍ତୁଷ୍ଟ

ଭୁବନେଶ୍ବର: ଭାରତରେ ୨୦୨୦ ନଭେମ୍ବର ୨ରୁ ୨୧ ପର୍ୟ୍ୟନ୍ତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ ପ୍ରତିଯୋଗିତା ଖେଳାଯିବ। ଏହି ମେଗା ପ୍ରତିଯୋଗିତା ଲାଗି ଆୟୋଜକ ତାଲିକାରେ ସ୍ଥାନ ପାଇଥିବା ଷ୍ଟାଡ଼ିୟମ୍‌ଗୁଡ଼ିକର ପ୍ରସ୍ତୁତି କାର୍ୟ୍ୟର ଅଗ୍ରଗତି ଅନୁଧ୍ୟାନ ଫିଫା ପ୍ରତିନିଧିଙ୍କ ପକ୍ଷରୁ କରାଯାଉଛି। ଅଲିଭର ଭୋଗ୍‌ଟଙ୍କ ନେତୃତ୍ବରେ ୮ ଜଣିଆ ଫିଫା ପ୍ରତିନିଧି ସାରାଦେଶର ସମ୍ଭାବ୍ୟ ଷ୍ଟାଡିୟମ୍ ବୁଲି ଦେଖୁଛନ୍ତି।

ଶୁକ୍ରବାର ଭୋଗ୍‌ଟଙ୍କ ନେତୃତ୍ବରେ ପ୍ରତିନିଧି ଦଳ କଳିଙ୍ଗ ଷ୍ଟାଡ଼ିୟମ ପଡ଼ିଆ ଓ ପ୍ରସ୍ତୁତି କାର୍ୟ୍ୟ ନିରୀକ୍ଷଣ କରି​‌ଥିଲେ। ପ୍ରତିନିଧି ଦଳ କଳିଙ୍ଗ ଷ୍ଟାଡ଼ିୟମ ମୁଖ୍ୟ ପଡ଼ିଆ, ଅଭ୍ୟାସ ଗ୍ରାଉଣ୍ଡ, ୭ମ ବାଟାଲିୟନ୍‌ ପରିସରରେ ହେବାକୁ ଥିବା ୨ଟି ପଡ଼ିଆ ଓ କ୍ୟାପିଟାଲ ହାଇସ୍କୁଲ ଖେଳପଡ଼ିଆରେ ଅଭ୍ୟାସ ଗ୍ରାଉଣ୍ଡ ମଧ୍ୟ ନିରୀକ୍ଷଣ କରିଥିଲେ। ଏହାଛଡ଼ା ଖେଳାଳି ଓ ଅଫିସିଆଲ ମାନେ ରହିବାକୁ ଥିବା ହୋଟେଲ, ଆତିଥ୍ୟ ସୁବିଧା, ଯାତାୟାତ ଆଦି ପ୍ରସଙ୍ଗର ତର୍ଜମା କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଫିଫା ପ୍ରତିନିଧି ମୁଖ୍ୟ ଅଲିଭର ଭୋଗ୍‌ଟ ଭୁବନେଶ୍ବରର କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ଓଡ଼ିଶା ସରକାରଙ୍କ ସହଯୋଗରେ କଳିଙ୍ଗ ଷ୍ଟାଡ଼ିୟମରେ ୨୦୧୮ ହକି ବିଶ୍ବକପ ସଫଳତାର ସହିତ ଶେଷହୋଇଛି। ଏବେ ଫୁଟବଲ ପାଇଁ ପ୍ରସ୍ତୁତିର ସମୟ ଆସିଛି। ଭୁବନେଶ୍ବର ସହରର କ୍ରୀଡ଼ା ଭିତ୍ତିଭୂମି ଓ ପରିବେଶ ବିଶ୍ବସ୍ତରୀୟ ରହିଛି। ଏକ ସୁସ୍ଥ ସୁନ୍ଦର ସହର ସହିତ ଆତିଥ୍ୟ ଓ କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ବିଶ୍ବସ୍ତରୀୟ ରହିଛି। ଫିଫା ବିଶ୍ବକପ ପାଇଁ କଳିଙ୍ଗ ଷ୍ଟାଡ଼ିୟମର ପ୍ରସ୍ତୁତି ମଧ୍ୟ ସଠିକ୍‌ ରାସ୍ତାରେ ଆଗେଇ ଚାଲିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ସୃଷ୍ଟି କରା ଯାଇଥିବା ଏଭଳି ପରିବେଶ କ୍ରୀଡ଼ା ପାଇଁ ବେଶ ଉପଯୋଗୀ। କ୍ରୀଡ଼ାକୁ ଭଲ ପାଉଥିବା ବିଶ୍ବର ସହର ମଧ୍ୟରୁ ଭୁବନେଶ୍ବର ଅନ୍ୟତମ ବୋଲି ଭୋଗ୍‌ଟ କହିଥିଲେ।

Comments are closed.