ବରିଡା ଶାଗ ପାଇଁ ଜମୁଛି ଗ୍ରାହକଙ୍କ ଭିଡ଼

ଫୁଲବାଣୀ : ଖରାଦିନ ଆସିଲେ ସାଧାରଣତଃ ପଖାଳ ଭାତ ସାଙ୍ଗକୁ ଶାଗଭଜା ଖାଇବାକୁ ଲୋକଙ୍କୁ ଭାରି ଇଚ୍ଛା ହୁଏ । ତେଣୁ ବଜାରରେ ଲୋକେ ଅନ୍ୟାନ୍ୟ ପନିପରିବା କିଣିବା ଅପେକ୍ଷା ଶାଗ ଟିକେ କିଣିବାକୁ ବେଶୀ ପସନ୍ଦ ମଧ୍ୟ କରନ୍ତି । ଖରା ଦିନ ଆସିଲେ କନ୍ଧମାଳ ଜିଲ୍ଲାର ପ୍ରାୟ ଅଂଚଳରେ ବରିଡା ଶାଗର ଚାହିଦା ବଢ଼ିଯାଏ । ଜିଲ୍ଲାବାସୀଙ୍କ ପାଇଁ ବରିଡା ଶାଗ ଏକ ପ୍ରକୃତିର ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ |ଶାଗ ଦେଖିବାକୁ ଯେତିକି ସୁନ୍ଦର ସେତିକି ସ୍ୱାଦିଷ୍ଟ ମଧ୍ୟ ଏବଂ ଶାଗରେ ଭିଟାମିନ ମଧ୍ୟ୍ୟ ଭରି ରହିଛି । ତେଣୁ ଅନ୍ୟ ଶାଗ ମାନଙ୍କ ଅପେକ୍ଷା ବରିଡା ଶାଗର ସ୍ୱାଦ ମଧ୍ୟ ନିଆରା । ଏପ୍ରିଲ ମାସର ପହିଲି ବର୍ଷାରେ ବରିଡା ଗଛରେ ନୁଆଁ ପତ୍ର କଅଁଲେ । ଆଉ ବିଶେଷ କରି ଜଙ୍ଗଲରେ ଏହି ଗଛ ସବୁ ମିଳୁଥିବାରୁ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇ ବରିଡା ଗଛରେ ଚଢି ତାର କଅଁଳିଆ ପତ୍ର ସବୁ ସଂଗ୍ରହ କରି ଆଣିଥାନ୍ତି ଏବଂ ନିଜ ଘରେ ରୋଷେଇ କରି ଖାଇବା ସହ ବଳକା ଶାଗ ସବୁକୁ ଗାଁରେ ହେଉକି ହାଟରେ ହେଉ ନେଇ କି ବିକ୍ରି କରି ବେଶ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି । ବଜାରରେ ବିକ୍ରୟ ପାଇଁ ଆସିଥିବା ବରିଡା ଶାଗ ଆଖି ପିଛୁଳାକେ ବିକ୍ରି ହୋଇଯାଏ । ଯେଉଁ ବ୍ୟକ୍ତି କିମ୍ବା ମହିଳା ବରିଡା ଶାଗ ବିକ୍ରୟ କରନ୍ତି ତାଙ୍କୁ କିଛି ବ୍ୟକ୍ତି ଆଗୁଆ ଶାଗ ପାଇଁ ଟଙ୍କା ଦେଇ ବରାଦ କରିଥାନ୍ତି । ବରିଡା ଶାଗ ବିକ୍ରୟ କରି ସ୍ଥାନୀୟ ମହିଳା ମାନେ ପ୍ରତିଦିନ ୧୦୦ ରୁ ୧୫୦ ଟଙ୍କା ରୋଜଗାର କରୁଥିବା କୁହନ୍ତି ।
ଶାଗ ବିକୁଥିବା ବିଧବା ମହିଳା ମାଧୁରୀ ନାୟକ କହିଲେ, ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ବୋଝ ମୋ ଉପରେ ପଡିଛି ତେଣୁ ରାତି ୩ଟା ରୁ ଉଠି ପ୍ରତି ଗାଁ ବୁଲି ଶାଗ ସଂଗ୍ରହ କରେ ଓ ବଜାରରେ ଆଣିକି ବିକ୍ରି କରେ । ଶାଗ କିଲୋ ପ୍ରତି ୧୨୦ ଟଙ୍କାରେ ବିକ୍ରି କରୁଥିବା ବେଳେ ପାଏ କୁ ୩୦ ଟଙ୍କାରେ ବିକ୍ରି କରୁଥିବା ସେ କହିଛନ୍ତି । ଶସ୍ତା ମୂଲ୍ୟରେ ଏହି ଶାଗ ମିଳୁଥିବାରୁ ସ୍ଥାନୀୟ ଲୋକେ ବଡ଼ ସରାଗରେ କିଣନ୍ତି । କିଛି କିଛି ଗ୍ରାହକଙ୍କ କହିବା ପ୍ରକାରେ, କେବଳ ଖରାଦିନେ ହିଁ ଏହି ଶାଗ ଖାଇବାକୁ ମିଳେ ଏବଂ ଅତି ସ୍ୱାଦିଷ୍ଟ ହୋଇଥିବାରୁ ଆମେ ଆଖପାଖରେ ଥିବା ସବୁ ବଜାରକୁ ଯାଇ ଶାଗ ସଂଗ୍ରହ କରି ଆଣୁ । ଆଉ କିଛି କିଛି ଗ୍ରାହକ କୁହନ୍ତି, ଗ୍ରାମାଞ୍ଚଳରେ ଯେଉଁ ମାନେ ପ୍ରାୟ ଜଙ୍ଗଲକୁ ଯାଆନ୍ତି, ଆମେ ତାଙ୍କର ଘରେ ଯାଇ ତାଙ୍କୁ ଆଗତୁରା ଟଙ୍କା ଦେଇ ଦେଇ ବରିଡା ଶାଗ ଆଣିଦେଵ ବୋଲି ଅନୁରୋଧ କରିଥାଉ ।କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଲୋକଙ୍କ ପାଇଁ ବର୍ତମାନ ଖରାଦିନିଆଁ ପାଇଁ ପ୍ରିୟ ଶାଗ ବରିଡା ହୋଇଥିବାରୁ ଶାଗ ବେପାରୀ ମାନେ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି ।

Comments are closed.