ତୁଳସୀ କାଠିରେ ଦୁଇ ଇଞ୍ଚର ରାମ ମନ୍ଦିର ଗଢିଲେ କଳାକାର ସମରେନ୍ଦ୍ର

ଫୁଲବାଣୀ : ତୁଳସୀ କାଠିରେ ଦୁଇ ଇଞ୍ଚର ରାମ ମନ୍ଦିର ଗଢି ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି କଳାକାର ସମରେନ୍ଦ୍ର ବେହେରା। ଫୁଲବାଣୀ ବି ଏଡ ମହାବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାର୍ଯ୍ୟରତ ସମରେନ୍ଦ୍ର ଗତ ଦିନରେ ଶୁଖିଲା ଶାଗୁଆନ ପତ୍ରରେ ବିଭିନ୍ନ ମହାପୁରୁଷଙ୍କ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏହି କଳାକୃତି ଅନ୍ୟ ମାନଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ, ଗତ କନ୍ଧମାଳ ମହୋତ୍ସବରେ ତାଙ୍କ ଦ୍ବାରା ନିମନ୍ତ୍ରିତ ଅତିଥି ମାନଙ୍କ ଶାଗୁଆନ ପତ୍ରରେ ଅଙ୍କିତ ଚିତ୍ର ସ୍ମାରକୀ ଭାବେ ପ୍ରଦାନ କରାଯାଇଥିଲା।
ଏବେ ପୁଣି ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ସମରେନ୍ଦ୍ର। ତୁଳସୀ କାଠିରେ ନିର୍ମାଣ କରିଛନ୍ତି ନିକଟରେ ପ୍ରାଣ ପ୍ରତିଷ୍ଠା ପାଇଥିବା ଅଯୋଧ୍ୟାର ରାମ ମନ୍ଦିର। ଏହାର ଉଚ୍ଚତା ରହିଛି ମାତ୍ର ଦୁଇ ଇଞ୍ଚ। ଏବେ ସାରା ଦେଶରେ ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏଥିରେ ପ୍ରଭାବିତ ହୋଇ ସମରେନ୍ଦ୍ରଙ୍କ ଏହି ସୂକ୍ଷ୍ମ କାରୁକଳା ପ୍ରସ୍ତୁତ କରିଥିବା କହିଛନ୍ତି। ଏହା ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଲାଗିଛି ତିନି ଦିନ ସମୟ। ଏହି ନିପୂଣ କାରୁକାର୍ଯ୍ୟ ସମସ୍ତଙ୍କୁ ଚକିତ କରିବା ସହିତ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ପିଲାମାନଙ୍କୁ କଳା ଶିକ୍ଷା ଦେବା ସହିତ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛନ୍ତି ସମରେନ୍ଦ୍ର। ତେବେ କଳା କ୍ଷେତ୍ରରେ ନୂତନ ପରୀକ୍ଷଣ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି। ନିଜ ଦ୍ବାରା ପ୍ରସ୍ତୁତ ପବିତ୍ର ତୁଳସୀ କାଠି ନିର୍ମିତ ସୂକ୍ଷ୍ମ କାରୁକାର୍ଯ୍ୟକୁ ଗିନିଜ ବୁକ ଅଫ ରେକର୍ଡ ପାଇଁ ପଠାଇବାକୁ ଇଚ୍ଛା ଜାହିର କରିଛନ୍ତି।

Comments are closed.