ଶିଶୁଙ୍କ ଭଳି ସୁନିତାଙ୍କ ପାଦ, ମୁଣ୍ଡର ଆକୃତି ବୃଦ୍ଧି

ଫ୍ଲୋରିଡା: ଦୀର୍ଘ ୨୮୬ ଦିନ ମହାକାଶରେ ଅବସ୍ଥାନ କରିବାପରେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ନିଜର ଅନ୍ୟ ତିନି ସାଥୀଙ୍କ ସହ ବୁଧବାର ଭୋର ସମୟରେ ଆମେରିକାର ଫ୍ଲୋରିଡାସ୍ଥିତ ଉପକୂଳରେ ଅବତରଣ କରିଛନ୍ତି। ସ୍ପେସ୍ଏକ୍ସ ମହାକାଶଯାନ ଡ୍ରାଗନ କ୍ୟାପସୁଲରୁ ଉଦ୍ଧାର କରାଯିବା ପରେ ସୁନିତା ଓ ବଚ୍ ୱିଲମୋରଙ୍କୁ ଷ୍ଟ୍ରେଚର ସହାୟତାରେ ବାହାରକୁ ଅଣାଯାଇ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଦୀର୍ଘ ଦିନ ମହାକାଶରେ ଅବସ୍ଥାନ କରିଥିବାରୁ ମହାକାଶଚାରୀଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇଥାଏ। ସୁନିତା ଓ ୱିଲମୋରଙ୍କ ଶରୀରରେ ମଧ୍ୟ ଏଭଳି ପ୍ରଭାବ ଦେଖିବାକୁ ମିଳିଛି। ମହାକାଶରେ ଏମାନେ ମାଇକ୍ରୋ ଗ୍ରାଭିଟି (ସ୍ବଳ୍ପ ମାଧ୍ୟାକର୍ଷଣ ଶକ୍ତି)ରେ ରହିଥାନ୍ତି। ଫଳରେ ସେମାନଙ୍କ ଶରୀରର ହାଡ ଓ ମାଂଶପେଶୀରେ ପରିବର୍ତ୍ତନ ଘଟିଛି। ମାଧ୍ୟାକର୍ଷଣ ଶକ୍ତିିର ଅଭାବ ଫଳରେ ସେମାନଙ୍କର ଉଚ୍ଚତା ଅଳ୍ପ ବୃଦ୍ଧି ପାଇଥିଲେ ସୁଦ୍ଧା ପୃଥିବୀକୁ ଫେରିବା ପରେ ସେମାନେ ଛିଡା ହେବା, ଚାଲିବା କିମ୍ବା କୌଣସି ବସ୍ତୁ ଧରିବା ପ୍ରସଙ୍ଗରେ କଷ୍ଟ ଅନୁଭବ କରିଥାନ୍ତି। ହାଡକୁ ମଜଭୁତ କରୁଥିବା କୋଷଗୁଡିକ ଧିମା ହୋଇପଡିଥିବାରୁ ଏହା ସ୍ବାଭାବିକ ପ୍ରକ୍ରିୟା ଅନୁଯାୟୀ ବୃଦ୍ଧି ପାଇନଥାଏ। ଅନୁରୂପ ଭାବେ ମାଂସପେଶୀଗୁଡିକ ମଧ୍ୟ ଆସ୍ତେ ଆସ୍ତେ ଦୁର୍ବଳ ହୋଇପଡିଥାଏ। ମହାକାଶରେ ଅବସ୍ଥାନ ସମୟରେ ପ୍ରତ୍ୟେକ ମହାକାଶଚାରୀଙ୍କ ହାଡର ଘନତ୍ବ ମାସିକ ୧ ପ୍ରତିଶତ ହ୍ରାସ ପାଇଥାଏ। ଫଳରେ ସେମାନେ ଦୁର୍ବଳ ଅନୁଭବ କରିଥାନ୍ତି। ପୁନଶ୍ଚ ହାଡ ଓ ମାଂସପେଶୀ ଦୁର୍ବଳ ହେବା ଫଳରେ ମହାକାଶଚାରୀଙ୍କ ପାଦର ମୋଟା ଚମଡା ଉତୁରି ଯାଉଥିବାବେଳେ ଶିଶୁଙ୍କ ପାଦ ଭଳି ଦେଖାଯାଇଥାଏ। ଫଳରେ ଚାଲବୁଲ କରିବାରେ ସେମାନଙ୍କୁ କଷ୍ଟ ହୋଇଥାଏ। ଅପରପକ୍ଷରେ ଦୀର୍ଘ ଦିନ ମହାକାଶରେ ରହିବା ଫଳରେ ସେମାନଙ୍କର ମସ୍ତିଷ୍କ, ହୃତ୍ପିଣ୍ଡ ଏବଂ ରକ୍ତପ୍ରବାହ ପ୍ରକ୍ରିୟା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡିଥାଏ। ସ୍ବଳ୍ପ ମାଧ୍ୟାକର୍ଷଣ ପରିସ୍ଥିତିରେ ଶରୀରରେ ଥିବା ତରଳ ପଦାର୍ଥ ଅନ୍ୟ ଅଂଶକୁ ଯିବା ପରିବର୍ତ୍ତେ ଉପର ମୁହାଁ ହୋଇ ମସ୍ତିଷ୍କ ଆଡକୁ ପ୍ରବାହିତ ହୋଇଥାଏ। ଫଳରେ ମହାକାଶଚାରୀଙ୍କ ମୁଣ୍ଡର ଆକାର ବୃଦ୍ଧି ପାଇଥିବାବେଳେ ଗୋଡଗୁଡିକ ପତଳା ହୋଇଥାଏ। ଖପୁରିରେ ଅତିରିକ୍ତ ଚାପ ପଡିବା ଫଳରେ ସେମାନଙ୍କର ମୁହଁର ଆକୃତି ବଦଳିବା ସହ ନାକ ବନ୍ଦ ହୋଇଥାଏ। ଫଳରେ ନିଃଶ୍ବାସ ନେବାେର ସେମାନେ କଷ୍ଟ ଅନୁଭବ କରିଥାନ୍ତି। ଏହାକୁ ଇଂରାଜୀରେ ‘ପଫି ହେଡ୍-ବାର୍ଡ ଲେଗ୍ସ ସିଣ୍ଡ୍ରୋମ’ କୁହାଯାଇଥାଏ। ମସ୍ତିଷ୍କରେ ତରଳ ପଦାର୍ଥ ଜମା ହେବା ଫଳରେ ମହାକାଶଚାରୀଙ୍କ ଶ୍ରବଣ ଓ ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ। ଏଭଳି ଶାରୀରିକ ଅନିୟମିତତାକୁ ମହାକାଶ ବିଜ୍ଞାନ ଭାଷାରେ ‘ସ୍ପେସ୍ ଫ୍ଲାଇଟ୍ ଆସୋସିଏଟେଡ୍ ନ୍ୟୁରୋ-ଓକୁଲାର ସିଣ୍ଡ୍ରୋମ’ କୁହାଯାଇଥାଏ। ମହାକାଶଚାରୀଙ୍କ ହୃତ୍ପିଣ୍ଡର ଆକାର ଅଣ୍ଡାକୃତି ପରିବର୍ତ୍ତେ ଗୋଲ ହୋଇଥାଏ। ଧମନୀରେ ରକ୍ତପ୍ରଭାବ ଧିମା ହୋଇପଡିଥାଏ। ପୃଥିବୀକୁ ଫେରିବା ପରେ ସେମାନଙ୍କ ରକ୍ତଚାପ ସ୍ବାଭାବିକ ହେବାକୁ ସମୟ ଲାଗିଥାଏ। ଫିଜିଓଥେରାପି ଏବଂ ଡାକ୍ତରୀ ଚିକିତ୍ସା ପରେ ଏହି ସମସ୍ୟାର ସମାଧାନ ଘଟିଥାଏ। କେତେକ କ୍ଷେତ୍ରରେ ମହାକାଶଚାରୀଙ୍କ ଶରୀରରେ ଏଭଳି ବ୍ୟତିକ୍ରମ ସ୍ଥାୟୀ ହେବାର ଆଶଙ୍କା ମଧ୍ୟ ରହିଛି। ମହାକାଶରେ ଅବସ୍ଥାନ କାଳରେ ମହାକାଶଚାରୀମାନେ ସୂର୍ଯ୍ୟଙ୍କ ଅତ୍ୟଧିକ ବିକୀରଣର ସମ୍ମୁଖୀନ ହୋଇଥାନ୍ତି। ଫଳରେ ଭବିଷ୍ୟତରେ ସେମାନେ କର୍କଟ, ଚର୍ମଜନିତ ରୋଗରେ ଆକ୍ରାନ୍ତ ହେବାସହିତ ସ୍ନାୟୁଜନିତ ରୋଗରେ ପୀଡିତ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ। ନାସାର ଗବେଷଣା ଅନୁଯାୟୀ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସେମାନଙ୍କ ଶରୀରର ଅଧିକାଂଶ ଜିନ୍ ସ୍ବାଭାବିକ ହେଉଥିବାବେଳେ ୭ ପ୍ରତିଶତ ଜିନ୍ ପୁନଃ କାର୍ଯ୍ୟକ୍ଷମ ହୋଇନଥାଏ। ପୁନଶ୍ଚ ମହାକାଶରେ ଶୋଇବା ନିର୍ଘଣ୍ଟରେ ବ୍ୟତିକ୍ରମ ଘଟିଥିବାରୁ ମହାକାଶଚାରୀମାନେ ମାନସିକ ଅବସାଦଗ୍ରସ୍ତ ହେବା ସହିତ ରୁଗ୍ଣ ହୋଇପଡିଥାନ୍ତି।
Comments are closed.