www.samajalive.in
Saturday, December 6, 2025
15.1 C
Bhubaneswar

ବାପାଙ୍କୁ କାନ୍ଦିବା ମନା

ଭୁବନେଶ୍ଵର: ଦିନେ ବାପାଙ୍କ ପାଦ ଚିପୁ ଚିପୁ ହାତ ମାରିବାକୁ ଇଚ୍ଛା ହେଲା ତାଙ୍କ ଛାତିରେ, ଏତେ ସବୁ ଯନ୍ତ୍ରଣାକୁ ସହୁଥିବା ବାପାଙ୍କ ଛାତି କେଉଁ ଧାତୁରେ ଗଢ଼ା। ଛାତିଟା ପଥର ପରି ନା ବାପା ଛାତିକୁ ପଥର କରିଦେଇଛନ୍ତି। ମୁଁ ଲୁହ ଦେଖିବାକୁ ଅସମର୍ଥ ନା ବାପା କେବେ ଲୁହ ଦେଖାଇ ନାହାନ୍ତି। ବାପା କ’ଣ କେବେ କାନ୍ଦି ନଥିବେ, ଅର୍ଥର ଅଭାବ ପଣରେ, ପାରିବାରିକ ଝଡ଼ଝଞ୍ଜାରେ, ଯନ୍ତ୍ରଣାର କରୁଣ ରାଗିଣୀରେ। ସେଦିନ ହୃଦ୍‌ଘାତରେ ବୋଉର ଅଚାନକ ଚାଲିଯିବା ଖବର ପାଇ ବାପା ଅଫିସରୁ ଛୁଟି ନେଇ ଘରକୁ ଆସିଥିଲେ। ବାପାଙ୍କୁ ଦେଖି ସବୁ ଭାଇ ଭଉଣୀ, ବନ୍ଧୁ ପରିଜନ, ସାହିପଡ଼ୋଶୀ ଭୋ ଭୋ କାନ୍ଦିବାକୁ ଲାଗିଥିଲୁ। ମାତ୍ର ବାପା ନୀରବ, ନିଶ୍ଚଳ। ତା’ଙ୍କ ପାଦ ଠାରୁ ମୁଣ୍ଡ ଯେମିତି ନୀରବତା ଛାଇ ହୋଇଯାଇଥାଏ। ବାପାଙ୍କ ଆଖିରେ ଟୋପାଏ ବି ଲୁହ ନାହିଁ। ସେ କ’ଣ ବୋଉକୁ ଭଲ ପାଆନ୍ତିନି। ବିଗତ ତିରିଶ ବର୍ଷର ମଧୁମୟ ସମ୍ପର୍କକୁ ଛିନ୍ନ କରି ବୋଉ ଆରପାରିକୁ ଚାଲିଯାଇଛି। ବାପା ଦୁଃଖରେ ଆତ୍ମହରା ହେବା ବଦଳରେ ତା’ର ସତ୍କାର କେମିତି କରାଯିବ, ଶୁଦ୍ଧିକ୍ରିୟା କିପରି କରିହେବ, ସେଥିରେ ବ୍ୟସ୍ତ। ବୋଉ ମୃତ୍ୟୁର ବାରଦିନ ପରେ ଘର ଶୂନ୍‌‌ଶାନ୍‌‌ ହୋଇଯାଇଥିଲା। ବନ୍ଧୁବାନ୍ଧବ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଚାଲିଯାଇଥିଲେ। ହଠାତ୍‌‌ ରାତ୍ରିର ନିସ୍ତବ୍ଧ ପ୍ରହରରେ ବାପାଙ୍କୁ ଘର ବାଲକୋନିରେ ଏପଟ ସେପଟ ହେବାର ଦେଖିଲି। ପାଖକୁ ଯାଇ ପଚାରିଲି, ବାପା କ’ଣ ନିଦ ଆସୁନି? କିଛି ଲୁଚାଇବା ଢଙ୍ଗରେ ଉତ୍ତର ଦେଲେ, ଖରାବେଳେ ଟିକେ ଅଧିକ ସମୟ ଶୋଇଯାଇଥିଲି ତ! ବାପା କିନ୍ତୁ ଖରାବେଳ ସାରା ସେମିତି ଚୁପ୍‌‌ ଚାପ୍‌‌ ବସିଥିବାର ଦେଖିଥିଲି। ବାପାଙ୍କ ଉଦାସ ଆଖି ଭିତରେ ଟଳମଳ ଲୁହକୁ ଦେଖୁଥିଲି ମାତ୍ର ତାହା ଗାଲ ଛୁଇଁପାରୁ ନଥିଲା। ବାରମ୍ବାର ଫୁଲି ଉଠୁଥିବା ନାକପୁଡ଼ା, ତଣ୍ଟିରେ ଅଟକି ଯାଉଥିବା ଶବ୍ଦ, ଥରୁଥିବା ଓଠ, ରହି ରହି ମୁହଁରେ ପହଁରି ଯାଉଥିବା ଚାମୁରୀ, ତାଙ୍କ ପାଦତଳର ଥରୁଥିବା ମାଟିକୁ ଦେଖି ଅନୁଭବ କରୁଥିଲି, ବାପା ନିଃଶବ୍ଦ ଲୁହ ଢାଳୁଛନ୍ତି। ବିନା ଶବ୍ଦରେ କାନ୍ଦୁଥିବା ମଣିଷ ଭିତରେ ଅନେକ ଗ୍ଲାନି, ବ୍ୟଥା ଓ ବେଦନା ଲୁଚି ରହିଥାଏ। ସେ କାନ୍ଦ କେବେ ବର୍ଷା ବିନ୍ଦୁ ସହ ଏକାକାର ହୋଇ ଝରିଯାଏ ତ, କେବେ ସ୍ୱେଦବିନ୍ଦୁ ସହ ମିଶି ନିଗିଡ଼ି ଯାଏ, କେବେ ଦୀର୍ଘଶ୍ୱାସ ହୋଇ ପବନ ଭିତରେ ମିଶିଯାଏ, କେବେ କୋହ ହୋଇ ହୃଦୟକୁ କୋରି କୋରି ଛାତିତଳେ ଚାପି ହୋଇଯାଏ। ସେ କାନ୍ଦ ପରିବାରର ଖୁସି ପାଇଁ ନିଜର ଅସ୍ତିତ୍ୱ ଓ ଦୃଢ଼ତାର ଛଦ୍ମ ଆବରଣ ତଳେ ଛପେଇ ଚିରକାଳ ରୁନ୍ଧି ହୁଏ, ବା ଅର୍ଥ ବାୟୁ ଯାହାକୁ ନିଶ୍ୱାସ ପ୍ରଶ୍ୱାସରେ ଗ୍ରହଣ କରୁ। ପା ଅର୍ଥ ପାଣି ଯାହାକୁ ପିଇ ଆଗେ ବଞ୍ଚିଥାଉ। ବାୟୁ ଓ ପାଣି ବିନା ଯେମିତି ଜୀବନ ଧାରଣ ଅସମ୍ଭବ, ସେମିତି ବାପା ବିନା ଜୀବନ ଅସମ୍ଭବ। ପ୍ରତିଟି ସନ୍ତାନ ପାଇଁ ବାପା ଜଣେ ମାର୍ଗଦର୍ଶକ, ଶୁଭଚିନ୍ତକ, ପ୍ରେରଣାଦାତା। ‘ବୋଉ’ ଆବେଗଭରା ମନସ୍ତତ୍ତ୍ୱ ହେଲେ ବାପା ତର୍କନିଷ୍ଠ ଦର୍ଶନ। ନିଜର ବ୍ୟକ୍ତିତ୍ୱ, ପୌରୁଷ ଏବଂ ସ୍ୱପ୍ନର ପରାକାଷ୍ଠାରେ ବାପା ସନ୍ତାନ ପାଇଁ ଭବିଷ୍ୟତର ଲକ୍ଷ୍ୟ ନିର୍ଦ୍ଧାରଣ କରି ନିର୍ମାଣନ୍ତି ରାସ୍ତା। ବାପାଙ୍କ ତ୍ୟାଗର ତକିଆ ତଳେ ଯାବତୀୟ ଯନ୍ତ୍ରଣାକୁ ଜରିରେ ବାନ୍ଧି ଜାକିଜୁକି ହୋଇ ଶାନ୍ତିରେ ଶୋଉଥିବା ସାଧକ ଜଣକ ବାପା ବିପଦବେଳେ ଜାବୁଡ଼ି ଧରିଲାଭଳିଆ ଦମ୍ଭିଲା ତାଳଗଛଟିଏ, ବିଶ୍ୱାସ ଓ ଭରସାର ମଜଭୁତ ଛାତଟିଏ। ଏବେ ବି ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ, ବାପା ଈଶ୍ୱରଙ୍କ ପ୍ରତିନିଧି ନା ନିଜେ ଈଶ୍ୱର। ବାପାଙ୍କୁ ମାଲୁମ କେମିତି ଲୁଚେଇବାକୁ ହୁଏ ଲୁହ, କେମିତି ହଜେଇବାକୁ ହୁଏ କୋହ। ତାଙ୍କୁ ଜଣା ଲୁହକୁ ଝାଳ କରିବାର କଳା ଓ କୌଶଳ। ଚନ୍ଦନ ପରି ମଥାରେ ଲଗାଇପାରନ୍ତି ଯାବତୀୟ ଯନ୍ତ୍ରଣା, ସୁଖଦୁଃଖ। କୋଳାହଳ, ମହୋତ୍ସବର ସ୍ୱାଦ ବାପାଙ୍କ ପାଇଁ ସମାନ। ସମସ୍ୟାର ଭଉଁରୀରେ ଯେତେବେଳେ ପିଲାମାନଙ୍କର କାତ ପାଏନି, ସେଠି ବାପା ନାଉରି, ନଉକା ପାଲଟି ଯାଆନ୍ତି। ଯେତେବେଳ ସବୁତକ ବିଶ୍ୱାସ, ଦମ୍ଭ ନିଜ ପାଖରେ ପାଣି ଫୋଟକା ହୋଇଯାଉଥାଏ। କଞ୍ଚାମାଟିର ପଲମ ପରି କାଳର ଟୋପାରେ ବି ନଷ୍ଟ ହେଉଥାଏ, ଗୋଟେ ଆଶ୍ୱାସନା ପରି ବାପାଙ୍କର ହୁଏ ଆବିର୍ଭାବ। ଯେତେବେଳେ ଝୁଣ୍ଟିପଡ଼େ ଜୀବନରାସ୍ତାରେ ତାଙ୍କ ପ୍ରେରଣା ଫୁଟାଇଥାଏ ବଞ୍ଚିବାର ନୀଳକଇଁ। ଲୁହ, ଲହୁକୁ ଏକାକାର କରି ବାପା ଚଳାନ୍ତି ସଂସାର ନାଆ। ମା ସିନା ଜନ୍ମଦିଏ, ବାପା ଦିଅନ୍ତି ପରିଚୟ। ମାଆ ଅମକୁ ଜୀବନ ମନ୍ତ୍ର ଜିଇବାର କଳା ଶିଖାଏ। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇ ଆଗକୁ ଅଗ୍ରସର କରାଇଥାଏ। ପିଲାଦିନେ ମାଆ ଆଗରେ ଝୁଣ୍ଟିପଡ଼ିଲେ, ତୋଳିନିଏ, ବାପା କେବେ ତଳୁ ଉଠାନ୍ତି ନାହିଁ। ତାଙ୍କ ମତରେ ଜୀବନ କେତେ ଉଠାଣି, ଗଡ଼ାଣି ଆସିଥାଏ, ଆଜିଠାରୁ ଉଠିବା ନ ଶିଖିଲେ ଜୀବନ ଯୁଦ୍ଧରେ ବିଜୟୀ କେମିତି ହେବ?
ମାଆ ପରି ସ୍ନେହ, ମମତା ପ୍ରଦର୍ଶନ କରିବାର କଳା ବାପାଙ୍କୁ ଜଣାନଥାଏ। ପିଲାଙ୍କ ସୁଖ ପାଇଁ ଭୁଲିଯାଆନ୍ତି ନିଜ ଦୁଃଖ, ଶୋକ। ବାପାଙ୍କର ଦୁଃଖ ଥାଏ, ମାତ୍ର ବାଣ୍ଟିପାରନ୍ତିନି। ତାଙ୍କ ଆଖିରେ ଲୁହ ଥାଏ, ଗଡ଼ାଇପାରନ୍ତି ନାହିଁ। ବାପା ପାଖେ ଥିଲେ ବଜାରରେ ସବୁ ଖେଳନା କୁନି ପିଲାଟିର। ତାଙ୍କ ଉପସ୍ଥିତିରେ ଜହ୍ନରାତି ମଧ୍ୟ ଖୁବ୍‌‌ ଆକର୍ଷଣୀୟ ଲାଗିଥାଏ। ଯୌବନର ସବୁ ସାହସ, ଧୈର୍ଯ୍ୟ ନିଜ ହାତ ମୁଠାରେ। କଥାରେ ଅଛି, “ବାପା ଥିଲେ ପୁଅ ସଭାରେ ହାରେନା, ବାପା ଥଲେ ପୁଅ ଚିନ୍ତାରେ ପଡ଼େନା।” ବାପା କେବେ ଦୁଃଖର ଗଡ଼ଖାଇ ଭିତରେ ଉଦାସ ଫକିର ଭଳି ନିର୍ବାସନ ଭୋଗିପାରନ୍ତି, ତ କେବେ ସଂସାରର ଭେଳିକି ଭିତରେ କେବେ ବୁଦ୍ଧ ତ କେବେ ଯିଶୁ, କେବେ ପୁଣି ସବୁ ଅବସୋସ ପିଇ ନୀଳକଣ୍ଠ ସାଜନ୍ତି, କେବେ ମେଘର ଛାତିକୁ ଖପରାକାତିରେ ଚିରି ବର୍ଷାକୁ ଟାଣି ଆଣିବାର ଭରସା ଆମକୁ ଦେଇଛନ୍ତି, ଛାତିର ଉଷ୍ଣତା ଓ ରକ୍ତର ନିବିଡ଼ତାରେ ଗଢ଼ିଥିବା ପିଲାଙ୍କ କଥାରେ ହୃଦୟର ଅଳିନ୍ଦ, ନିଳୟ ପୋଡ଼ିଗଲେ ବି, ସେ ରହନ୍ତି ନିର୍ବିକାର ପ୍ରତିକ୍ରିୟାହୀନ, ସ୍ଥିତପ୍ରଜ୍ଞ। ସେଥିପାଇଁ ବୋଧେ ଈଶ୍ୱର କାହିଁ କେଉଁ କାଳରୁ ଉପହାର ସ୍ୱରୂପ ବାପାଙ୍କୁ କାନ୍ଦିବା ମନା ଯନ୍ତ୍ରଟିଏ ତାଙ୍କ ହୃଦୟରେ ସ୍ଥାପନ କରିଛନ୍ତି। ବାର୍ଦ୍ଧକ୍ୟରେ ରୋଗଣା ବାପାଙ୍କୁ କୌଣସି ଔଷଧ ସୁସ୍ଥ କରିପାରେନା; ବରଂ ଟିକିଏ ଭଲପାଇବା, ଦି ପଦ କଥା, ଟିକେ ହସଖୁସି ଆଉ କିଛି ସମୟର ଆବଶ୍ୟକତା ଥାଏ। ବାପା ଯେଉଁ ଦିନ ନୀରବି ଯିବେ, ଆମ ଜୀବନ ବୀଣାରେ ଝଙ୍କୃତ ହେବ କରୁଣସ୍ୱର। ଚାରିଆଡ଼େ ଘୋଟିଯିବ ବହଳ ଅନ୍ଧାର। ଆସନ୍ତୁ ସୃଷ୍ଟିର ସମସ୍ତ ସୁଖ, ଶାନ୍ତିରୂପକ ପୁଷ୍ପ ବାପାଙ୍କ ପାଦ ତଳେ ଅଜାଡ଼ି କୋଟି ପ୍ରଣାମ ଜଣାଇବା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories