ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରି ଚାଷୀଙ୍କ ଆତ୍ମହତ୍ୟା

0

ନାଗପୁର : ମହାରାଷ୍ଟ୍ରର ଯାବତମଲ ଜିଲା ଘଟନ୍‌ଜୀ ତହସିଲ ଅନ୍ତର୍ଗତ ରାଜୁୱାଡ଼ିଠାରେ ଶଙ୍କର ଭାଉରାଓ ଛାୟାରେ(୫୫) ନାମକ ଜଣେ ଚାଷୀ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ପ୍ରଥମେ ସେ ନିଜ ଚାଷ ଜମିରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହେବାରେ ବିଷପାନରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି; ସେ ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଏକ ଚିଠି(ସ୍ୱିସାଇଡ ନୋଟ)ରେ ତାଙ୍କ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ ବୋଲି ଲେଖିଯାଇଛନ୍ତି। ଏଥିରେ ସେ ଚାଷ ପାଇଁ ଆଣିଥିବା କରଜ ଅତ୍ୟଧିକ ହେବାରୁ ଏହାକୁ ସୁଝିବା ଅସମ୍ଭବ ମନେକରି ଆତ୍ମହତ୍ୟା କରିଥିବା ମଧ୍ୟ ଉଲ୍ଲେଖ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ଦେବାନନ୍ଦ ପୱାରଙ୍କ ନେତୃତ୍ୱରେ ଘଟନ୍‌ଜୀ ଥାନାକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ ପାଇଁ ଦାବି କରିଥିଲେ; ଯାହାକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାୟାରେଙ୍କ ପତ୍ନୀ, ୧୭ରୁ ୨୧ବର୍ଷ ମଧ୍ୟରେ ତିନି ଝିଅ ଓ ସାନ ପୁଅ ଅଛନ୍ତି। ନ’ଏକର ଅଣଜଳସେଚିତ ଜମିରେ ସେ କପା ଓ ସୋୟାବିନ୍‌ ଚାଷ କରିଥିଲେ। ଏଥିପାଇଁ ସେ ଲକ୍ଷେ ଟଙ୍କାର ଋଣ କରିଥିବା ପ୍ରକାଶ। ସେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିଲାବେଳେ ମିଛରେ ପ୍ରଧାନମନ୍ତ୍ରୀଙ୍କ ନାମ ନେଇଥିବା ସ୍ଥାନୀୟ ପ୍ରଶାସନ ସଫେଇ ଦେଇଛନ୍ତି।

Leave A Reply