www.samajalive.in
Wednesday, December 10, 2025
17.1 C
Bhubaneswar

ନକଲି ଟିକାକରଣ ; ନକଲି ଆଇଏଏସ୍‌ ଗିରଫ

କଲକାତା : ପଶ୍ଚିମବଙ୍ଗର କାସବା ଅଞ୍ଚଳରେ ଗତ ସପ୍ତାହରେ ଟିକାକରଣ ଶିବିର ଆୟୋଜନ କରି ଲୋକଙ୍କୁ ନକଲି ଟିକା ଦେବା ଅଭିଯୋଗରେ ପୁଲିସ ଦେବଞ୍ଜନ ଦେବ ନାମକ ଜଣଙ୍କୁ ଗିରଫ କରିଛି। ନକଲି ଟିକାକରଣ ସମ୍ପର୍କରେ ତୃଣମୂଳ ସାଂସଦ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ପଦକ୍ଷେପ ନେଇଛି। ସମ୍ପୃକ୍ତ ଶିବିର କଳକାତା ମହାନଗର ନିଗମ ବ୍ୟାନରରେ ଆୟୋଜନ ହୋଇଥିଲା ଓ ଏଥିରେ ୧୦୦ରୁ ଅଧିକ ଲୋକ ଟିକା ନେଇଥିଲେ। କୋୱିନ୍‌ରେ ଏହା ପଞ୍ଜୀକରଣ ହୋଇ ନ ଥିଲା। ଲୋକଙ୍କୁ ଟିକା ଦେବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମିମି ସେଠାରେ‌ ଟିକା ନେଇଥିଲେ; ତେବେ ସେ ଏବେ ସୁସ୍ଥ ଥିବା କହିଛନ୍ତି। ତଦନ୍ତବେଳେ ପୁଲିସ ଶିବିରରେ ବ୍ୟବହୃତ ଟିକାକରଣ ସମ୍ପର୍କିତ ବହୁୁ ସାମଗ୍ରୀ ଜବତ କରିଛି। ଦେବଞ୍ଜନଙ୍କ କାର୍ଯ୍ୟାଳୟରୁ ବିପୁଳ ପରିମାଣର ଆମିକାସିନ୍‌ ଇଞ୍ଜେକସନ୍‌ ଓ ନକଲି କୋଭିସିଲ୍ଡ ଟିକା ମଧ୍ୟ ଜବତ କରାଯାଇଛି। ଦେବଞ୍ଜନ ନ୍ୟୁ ମାର୍କେଟ ଓ ଆମହର୍ଷଟ୍‌ କଲେଜଠାରେ ମଧ୍ୟ ଟିକା ଶିବିର କରିଥିବା ଜଣାପଡ଼ିଛି। ଏହାକୁ ନେଇ ପୁଲିସ ତିନିଟି ମାମଲା ରୁଜୁ କରିଛି। ସୂଚନା ଯୋଗ୍ୟ ଯେ ମୁମ୍ବଇରେ ଏଭଳି ଏକ ଟିକାକରଣ ଶିବିରରେ ୨୦୦୦ରୁ ଅଧିକଙ୍କୁ ନକଲି ଟିକା ଦିଆଯାଇଥିବା ନେଇ ବମ୍ବେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି।
ମଜାର ବିଷୟ ହେଉଛି; ଅଭିଯୁକ୍ତ ଦେବଞ୍ଜନ ନିଜକୁ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ୍‌) ପରିଚୟ ଦେଉଥିଲେ। ସେ ପ୍ରାୟ ଦୁଇ ସପ୍ତାହ ଧରି ନିଜକୁ ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପରିଚୟ ଦେଇ ଟିକାକରଣ ଅଭିଯାନ ଚଳାଇଥିଲେ। ପ୍ରଥମେ ସେ ଶାରୀରିକ ଭିନ୍ନକ୍ଷମ ଓ କିନ୍ନରଙ୍କୁ ଟିକାକରଣ ଆରମ୍ଭ କରିଥିଲେ। ବିଭିନ୍ନ ଶିବିରରେ ସେ ମୋଟ ୪୭୨ଜଣଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନ୍‌ ଟିକା ଦିଆଇଥିଲେ। କେଉଁଠି ଟିକା ବାବଦରେ ଅର୍ଥ ନେଉଥିଲେ ତ କେଉଁଠି ମାଗଣା ଦେଉଥିଲେ। ତାଙ୍କ ଅଭିଯାନକୁ ନେଇ ଅଧିକ ଚର୍ଚ୍ଚା ହେବା ପରେ ପ୍ରଥମେ ମିମି ଓ ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଦେବଞ୍ଜନ ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ପାଇଁ ନିଜ ସାମାଜିକ ଗଣମାଧ୍ୟମରେ ତୃଣମୂଳ କଂଗେସର ବରିଷ୍ଠ ନେତା ଫରହାଦ୍‌ ହାକିମ, ସୁବ୍ରତ ମୁଖାର୍ଜୀ ଓ ଶାନ୍ତନୁ ସେନ୍‌ଙ୍କ ସହ ନିଜର ଫଟୋ ସ୍ଥାନିତ କରିଥିବା ଦେଖାଯାଇଛି। ତୃଣମୂଳ ନେତାଙ୍କ ସହିତ ଦେବଞ୍ଜନଙ୍କ ଫଟୋକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ବିଜେପି ଏ ନେଇ ତୃଣମୂଳଠାରୁ ଜବାବ ମାଗିବା ପରେ ଏହି ତିନି ନେତା ଦେବଞ୍ଜନଙ୍କୁ ଚିହ୍ନି ନ ଥିବା କହିଛନ୍ତି। ସୂଚନାନୁଯାୟୀ, ଦେବଞ୍ଜନ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଅବକାରୀ କର୍ମଚାରୀଙ୍କ ପୁଅ। ତାଙ୍କ ଘର ସିଆଲ୍‌ଦା ଅଞ୍ଚଳରେ। କଲକାତା ବିଶ୍ବବିଦ୍ୟାଳୟରୁ ଶିକ୍ଷାଲାଭ ପରେ ସେ ମ୍ୟୁଜିକ ଶିଳ୍ପ ଜଗତରେ କାମ କରୁଥିଲେ। ପରେ ସେ ନିଜକୁ ସରକାରୀ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସ୍ଥାନରେ ବୁଲୁଥିଲେ ବୋଲି ପୁଲିସ କହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories