ମିଥ୍ୟା ଖବର ଉପରେ ଅଙ୍କୁଶ ସମ୍ଭବ!

0

ନୂଆଦିଲ୍ଲୀ : ଶାସ୍ତ୍ରରେ ଲେଖାଅଛି, ‘ତିନି ତୁଣ୍ଡରେ ଛେଳି କୁକୁର।’ ଜର୍ମାନୀର ବିଶିଷ୍ଟ ଦାର୍ଶନିକ ଯୋଶେଫ୍‍ ଗୋଏବଲ୍ସ ମଧ୍ୟ ଏହି ଉକ୍ତିର ଯଥାର୍ଥତା ଦର୍ଶାଇବାକୁ ଯାଇ ‘ବିଗ୍‍ ଲାଏ ଥିଓରି’ ବା ‘ସବୁଠୁ ବଡ଼ ମିଛ ପ୍ରଚାର ତତ୍ତ୍ୱ’ ପ୍ରତିପାଦନ କରିଛନ୍ତି। ସେ ଦର୍ଶାଇଛନ୍ତି, ଯଦି ଗୋଟିଏ ମିଛକୁ ବାରମ୍ବାର କୁହାଯାଏ ତା’ହେଲେ ଏମିତି ସମୟ ଆସେ ଯେତେବେଳେ ଲୋକେ ଉକ୍ତ ମିଥ୍ୟାକୁ ସତ୍ୟ ବୋଲି ଗ୍ରହଣ କରିଥାଆନ୍ତି। ସେହିଭଳି ମିଥ୍ୟା ଖବରର କ୍ରମାଗତ ପ୍ରସାରଣ ଦ୍ୱାରା ତାହା ଜନମାନସରେ ସତ୍ୟ ବିବେଚିତ ହୋଇଥାଏ। ଠିକ୍‍ ଏହି ନ୍ୟାୟରେ ଅତୀତରେ ଏମିତି ବହୁ ମିଛ ଖବରକୁ ଲୋକେ ବିଶ୍ୱାସ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଭିତ୍ତି କରି ପ୍ରମୁଖ ମୁଦ୍ରଣ ତଥା ବୈଦ୍ୟୁତିକ ଗଣମାଧ୍ୟମଗୁଡିକ ମଧ୍ୟ ଗୁରୁତ୍ୱର ସହ ଅନେକ ରିପୋର୍ଟ ପ୍ରକାଶ କରିଛନ୍ତି।
ଭାରତରେ ନୂତନ ଭାବେ ପ୍ରଚଳିତ ୨୦୦୦ ଟଙ୍କାର ନୋଟ୍‍କୁ ଜାତିସଂଘ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂସ୍ଥା (ୟୁନେସ୍କୋ) ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ନୋଟ୍‍ ଘୋଷଣା କରିବା ତଥା କଳାଧନ ଚିହ୍ନଟ ଲାଗି ଏହି ନୋଟ୍‍ରେ ଜିପିଏସ୍‍ ଚିପ୍‍ ଖଞ୍ଜାଯିବା, ୨୦୦୦ ଏବଂ ୫୦୦ ଟଙ୍କାର ନୂଆ ନୋଟ୍‍ ମୁଦ୍ରଣରେ ରେଡିଓଆକ୍ଟିଭ୍‍ କାଳି ବ୍ୟବହାର କରାଯିବା ଆଦି ବହୁ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମ ଦ୍ୱାରା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିଛି। ଭାରତରେ ପ୍ରମୁଖ ସାମାଜିକ ଗଣମାଧ୍ୟମ ଏବଂ ଯୋଗାଯୋଗ କମ୍ପାନୀଗୁଡିକର ଏକ ବୃହତ୍‍ ବଜାର ରହିଛି। ଏଠାରେ ୨୫୦ ମିଲିୟନ୍‍ ହ୍ୱାଟସଆପ୍‍ ବ୍ୟବହାରକାରୀ (ୟୁଜର୍ସ) ଅଛନ୍ତି। ଏଠାକାର ମାସିକ ସକ୍ରିୟ ହ୍ୱାଟ୍‍ସଆପ୍‍ ବ୍ୟବହାରକାରୀଙ୍କ ସଂଖ୍ୟା ୧.୫ ମିଲିୟନରୁ ଊର୍ଦ୍ଧ୍ବ ଥିବା ବେଳେ ୨୧୯.୯୪ ମିଲିୟନ ଫେସ୍‍ବୁକ ୟୁଜର୍ସ ଅଛନ୍ତି। ସେହିଭଳି ଦେଶରେ ୩୦.୪ ମିଲିୟନ୍‍ରୁ ଅଧିକ ଲୋକଙ୍କର ଟ୍ୱିଟର୍‍ ଆକାଉଣ୍ଟ ରହିଛି। ସାମାଜିକ ଗଣମାଧ୍ୟମରେ ଯେତେ ଲାଇକ୍‍, ଫର୍‍ୱାଡ ଅଥବା ସେୟାର କରାଯିବ ସେତେ ଭ୍ୟୁଅର୍‍ ସୃଷ୍ଟି ହୋଇଛନ୍ତି; ଅର୍ଥାତ୍‍ ସେତିକି ଲୋକେ ଏହି ଖବରକୁ ଦେଖିଛନ୍ତି ବୋଲି ଧରାଯାଇଥାଏ। ଏଭଳି ମିଥ୍ୟା ଖବରଗୁଡିକୁ ଅତୀତରେ ଲକ୍ଷାଧିକ ଲାଇକ୍‍ ମିଳିଥିଲା। ସମ୍ବେଦନଶୀଳ ଖବର ବିଷୟରେ ଅନ୍ୟକୁ ଜଣାଇବା ଉଦ୍ଦେଶ୍ୟରେ ଲୋକେ ବହୁଳ ପରିମାଣରେ ଏଭଳି ଖରବକୁ ଫର୍‍ୱାର୍ଡ ବା ସେୟାର କରିଥାଆନ୍ତି। ଫଳରେ ମିଥ୍ୟା ଖବର ଓ ଭିଡିଓଗୁଡିକ ଦ୍ରୁତ ବେଗରେ ସମଗ୍ର ଦେଶବାସୀଙ୍କ ନିକଟରେ ପହଞ୍ଚିଥାଏ। ଲୋକେ ଏହାକୁ ବିଶ୍ୱାସ କରି ତଦ୍‍ନୁଯାୟୀ ପ୍ରତିକ୍ରିୟା ପ୍ରକାଶ କରନ୍ତି। ଏହାଦ୍ୱାରା ସମାଜରେ ତ୍ରୁଟିପୂର୍ଣ୍ଣ ବାର୍ତ୍ତା ପ୍ରସାର ହେଉଛି। ଏହି କାରଣରୁ ୟୁନେସ୍କୋ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ)କୁ ବିଭିନ୍ନ ସମୟରେ ଏଭଳି ଖବରର ସତ୍ୟାସତ୍ୟ ସ୍ପଷ୍ଟ କରିବାକୁ ପଡିଛି।
ସୂଚନା ଅନୁସାରେ ୟୁନେସ୍କୋ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଓ ‘ଜନ ଗଣ ମନ’କୁ ଶ୍ରେଷ୍ଠ ଜାତୀୟ ସଙ୍ଗୀତ ଘୋଷଣା କରାଯିବା, ଆତଙ୍କବାଦୀ ସଂଗଠନ ଇସ୍‍ଲାମିକ୍‍ ଷ୍ଟେଟ୍‍ସ (ଆଇଏସ୍‍) ହ୍ୱାଟସଆପ୍‍ ପ୍ରୋଫାଇଲ୍‍ ଫଟୋ ବ୍ୟବହାର ଆଶଙ୍କା, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିତାଙ୍କ ଗୁପ୍ତ କନ୍ୟା ଏବଂ ଦାୟାଦ ଆମେରିକାରେ ବାସ କରୁଥିବା ଏବଂ ଭାରତରେ ୭,୫୧୭ କିଲୋମିଟର ଉପକୂଳ ଥିବା ସତ୍ତ୍ବେ ଦେଶରେ ଲୁଣର ଅଭାବ ଦେଖାଦେବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ମଧ୍ୟ ମିଥ୍ୟା ଥିଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର୍‍ ଲାଲ୍‍ ନେହରୁଙ୍କ ସରକାର ବରଗଛ ଭଳି ଦୃଢତାର ସହ ଦେଶବାସୀ ତଥା ଭାରତୀୟ ପ୍ରତିଷ୍ଠାନ ଉପରେ ପ୍ରଭାବ ବିସ୍ତାର କରିଥିଲେ ବୋଲି ବିବିସିର ପୂର୍ବତନ ଭାରତ ବ୍ୟୁରୋ ମୁଖ୍ୟ ମାର୍କ ଟ୍ୟୁଲି ଏକଦା ଉଲ୍ଲେଖ କରିଥିଲେ। ବରଗଛ ଛାଇରେ କିଛି ବିକଶିତ ହୋଇପାରି ନ ଥାଏ ବୋଲି ସେ ଲେଖିଥିଲେ। ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ସମର୍ଥନ କରିବା ନିମନ୍ତେ ଟ୍ୟୁଲିଙ୍କୁ ପ୍ରସ୍ତାବ ଦିଆଯାଇଥିବା ଖବର ପ୍ରଚାର ହୋଇଥିଲା; ମାତ୍ର ଏହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା।
ସମ୍ପ୍ରତି ପିଲାଚୋରି ସମ୍ବନ୍ଧୀୟ ମିଥ୍ୟା ଖବର ବାରମ୍ବାର ପ୍ରଚାରକୁ ନେଇ ଦେଶବାସୀଙ୍କ ମଧ୍ୟରେ ଶିଶୁଙ୍କ ସୁରକ୍ଷାକୁ ନେଇ ଏକପ୍ରକାର ଭୟ ସଞ୍ଚାର ହୋଇଛି। ଏହି କାରଣରୁ ପିଟିପିଟି ହତ୍ୟା କରିବା ଭଳି ଜଘନ୍ୟ ଅପରାଧ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏସବୁ ପାଇଁ ହ୍ୱାଟ୍‍ସଆପ୍‍, ଫେସ୍‍ବୁକ୍‍ ଏବଂ ଗୁଗଲ୍‍ ଭଳି ପ୍ରମୁଖ ସାମାଜିକ ଗଣମାଧ୍ୟମକୁ ଦାୟୀ କରାଯାଇଛି। ମିଥ୍ୟା ଖବର ରୋକିବା ଦିଗରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ତାଗିଦ ପରେ ମିଥ୍ୟା ଖବର, ଫଟୋ ଓ ଭିଡିଓ ପ୍ରସାରଣ ରୋକିବା ନିମନ୍ତେ ଫେସ୍‍ବୁକ୍‍ ଅଧୀନ ଏହି ହ୍ୱାଟସଆପ୍‍ ପକ୍ଷରୁ ନିକଟରେ କିଛି ନୀତି ନିୟମ ଜାରି କରାଯାଇଛି। ଆଗାମୀ ଦିନରେ ଏହି ନିୟମ ଆହୁରି କଡ଼ାକଡ଼ି ହେବ ବୋଲି ମଧ୍ୟ କେନ୍ଦ୍ର ସରକାରଙ୍କୁ ଆପ୍‍ ପରିଚାଳକଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଏକ ହବ୍‍ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏ ସମ୍ବନ୍ଧୀୟ ମାମଲା ଉପରେ ଗୁରୁତ୍ୱର ସହିତ ବିଚାର କରୁଛନ୍ତି। ବିଶ୍ୱସ୍ତରରେ ଏ ନେଇ ମଧ୍ୟ ଉଦ୍ୟମ ଜାରି ରହିଛି। ୨୦୧୭ ଡିସେମ୍ବର ସୁଦ୍ଧା ବିଶ୍ୱସ୍ତରରେ ହ୍ୱାଟସଆପ୍‍ ବ୍ୟବହାରକାରୀଙ୍କ ସଂଖ୍ୟା ୧.୫ ବିଲିୟନ୍‍ ଥିଲା। ଇତିମଧ୍ୟରେ ଏହି ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଛି। ବାସ୍ତବ ସଂଖ୍ୟା ଜଣାପଡି ନ ଥିଲେ ମଧ୍ୟ କୋଟିକୋଟି ହ୍ୱାଟସଆପ୍‍ ବ୍ୟବହାରକାରୀଙ୍କ ଉପରେ ମିଥ୍ୟା ବାର୍ତ୍ତା ପ୍ରଚାର ରୋକିବା ଉଦ୍ଦେଶ୍ୟରେ ଅଙ୍କୁଶ ଲଗାଇବା ନେଇ ସଂଶୟ ରହିଛି।

Leave A Reply