ଭାରତରେ ସ୍ୱଚ୍ଛ ନିର୍ବାଚନ ପାଇଁ ଫେସ୍‍ବୁକ୍‍ ଉଦ୍ୟମ କରିବ

0

ୱାଶିଂଟନ୍‍ : ଫେସ୍‍ବୁକ୍‍ ତଥ୍ୟ ବ୍ୟବହାର ପୂର୍ବକ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ରୁଷ୍‍ ପ୍ରଭାବିତ କରିବା ଘଟଣାକୁ ଦୃଷ୍ଟିରେ ରଖି ଭାରତବାସୀ ୨୦୧୯ ଲୋକସଭା ନିର୍ବାଚନର ସ୍ୱଚ୍ଛତାକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି। କିନ୍ତୁ ଆଗାମୀ ଲୋକସଭା ନିର୍ବାଚନକୁ ସ୍ୱଚ୍ଛ କରାଇବା ଲାଗି ଫେସ୍‍ବୁକ୍‍ ସମସ୍ତ ଉଦ୍ୟମ କରିବ ବୋଲି ଏହାର ସିଇଓ ମାର୍କ ଜୁକରବର୍ଗ ପ୍ରତିଶ୍ରୁତି ଦେଇଛନ୍ତି। ତଥ୍ୟ ଚୋରି ଘଟଣା ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଫେସ୍‍ବୁକ୍‍ ଯତ୍ନଶୀଳ ଥିବା ସେ ଆମେରିକା କଂଗ୍ରେସ ନିକଟରେ ପ୍ରକାଶ କରିଛନ୍ତି। ତଥ୍ୟ ଚୋରି ମାମଲାରେ ମଙ୍ଗଳବାର ଆମେରିକା ସିନେଟ୍‍ର ବିଚାର ବିଭାଗ ଏବଂ ବାଣିଜ୍ୟ କମିଟି ପକ୍ଷରୁ କ୍ୟାପିଟଲ୍‍ ହିଲ୍‍ଠାରେ ଅନୁଷ୍ଠିତ ମିଳିତ ଶୁଣାଣିରେ ଜୁକରବର୍ଗ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି। ଲକ୍ଷାଧିକ ଫେସ୍‍ବୁକ୍‍ ୟୁଜରଙ୍କ ତଥ୍ୟ ଚୋରି ଘଟଣା ପାଇଁ ସେ ସମ୍ପୂର୍ଣ୍ଣ ଭାବେ ନିଜକୁ ଦାୟୀ କରିବା ସହିତ ସିନେଟ୍‍ ସଦସ୍ୟଙ୍କ ସମ୍ମୁଖରେ ସାରା ବିଶ୍ୱବାସୀଙ୍କୁ ସେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ପ୍ରଦାନ କରାଯାଇଥିବା ତଥ୍ୟଗୁଡିକୁ ‘କେମ୍ବ୍ରିଜ୍‍ ଆନାଲିଟିକା’ ବ୍ୟବହାର କରିବା ପରେ ନିଜର ତାଲିକାରୁ ସମ୍ପୂର୍ଣ୍ଣ ଭାବେ ବାଦ୍‍ କରି ଦେଇଥାଏ ବୋଲି ଫେସ୍‍ବୁକ୍‍ର ଧାରଣା ଥିଲା। ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍‍। ଅନ୍ୟପଟେ ଫେସ୍‍ବୁକ୍‍ ପକ୍ଷରୁ ସଂଙ୍ଘୀୟ ବାଣିଜ୍ୟ ଆୟୋଗଙ୍କୁ ମଧ୍ୟ ଅବଗତ କରାଯାଇ ନ ଥିଲା। ଏହା ଫେସ୍‍ବୁକ ଏବଂ ତାଙ୍କର ସବୁଠାରୁ ବଡ଼ ଭୁଲ୍‍ ଥିଲା ବୋଲି ଜୁକର୍‍ବର୍ଗ ସ୍ୱୀକାର କରିଛନ୍ତି। ଯେହେତୁ ଫେସ୍‍ବୁକ୍‍ ଭଳି ଏକ ଆଧୁନିକ ସାମାଜିକ ଗଣମାଧ୍ୟମକୁ ସେ ଆରମ୍ଭ କରିଥିଲେ; ତେଣୁ ତଥ୍ୟ ଚୋରି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ପାଇଁ ସେ ସମ୍ପୂର୍ଣ୍ଣ ଭାବେ ନିଜକୁ ହିଁ ଦାୟୀ କରିବେ ବୋଲି ଜୁକରବର୍ଗ ସିନେଟ୍‍ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ତଥ୍ୟ ଚୋରି କାରଣରୁ ଆମେରିକା ଭଳି ବିଶ୍ୱର ଏକ ପ୍ରତିପତ୍ତିଶାଳୀ ରାଷ୍ଟ୍ରର ନିର୍ବାଚନ ପ୍ରଭାବିତ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପ ସମ୍ବନ୍ଧରେ ସଙ୍ଘୀୟ ତଦନ୍ତ ଚାଲିଥିବା ବେଳେ ଏଥିରେ ସ୍ୱତନ୍ତ୍ର ଅଧିକାରୀ ରବର୍ଟ ମୁଲର୍‍ଙ୍କ ସହିତ ଫେସ୍‍ବୁକ୍‍ ମିଳିତ ଭାବେ କାର୍ଯ୍ୟ କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ସମ୍ବନ୍ଧୀୟ ଏକ କମ୍ପାନୀ ଫେସ୍‍ବୁକ୍‍ ୟୁଜର୍‍ଙ୍କ ତଥ୍ୟ ଠୁଳ କରିବା ଜଣାପଡିବା ପରେ ଫେସ୍‍ବୁକ ନିଜର କାର୍ଯ୍ୟଧାରା ପରିବର୍ତ୍ତନ କରୁଥିବା ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଚଳିତବର୍ଷ ଭାରତ ଓ ପାକିସ୍ତାନ ସମେତ ହଙ୍ଗେରୀ ଏବଂ ବ୍ରାଜିଲରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହା ସମଗ୍ର ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ଏହି ନିର୍ବାଚନଗୁଡିକର ଗୁରୁତ୍ୱ ସେ ବେଶ୍‍ ଭଲ ଭାବେ ଜାଣନ୍ତି। ଏଣୁ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ସମସ୍ତ ନିର୍ବାଚନ ଯେଭଳି ସ୍ୱଚ୍ଛ ଏବଂ ନିରପେକ୍ଷ ହେବ; ସେଥିନେଇ ଫେସ୍‍ବୁକ୍‍ ଉଦ୍ୟମ ଅବ୍ୟାହତ ରଖିଛି ବୋଲି ଜୁକରବର୍ଗ ପ୍ରକାଶ କରିଛନ୍ତି। ତେବେ ମିଥ୍ୟା ଖବର ପ୍ରଚାର ତଥା ବିଭିନ୍ନ ନିର୍ବାଚନରେ ବିଦେଶୀ ଶକ୍ତିର ହସ୍ତକ୍ଷେପ ନିମନ୍ତେ ଫେସ୍‍ବୁକ୍‍କୁ ବ୍ୟବହାର କରାଯାଉଥିବା ବେଳେ କମ୍ପାନୀ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ନ ଥିଲା। ଏପରିକି ୨୦୧୬ରେ ଆମେରିକାର ନିର୍ବାଚନକୁ ପ୍ରଭାବିତ କରିବା ନିମନ୍ତେ ରୁଷ୍‍ ଫେସ୍‍ବୁକ୍‍କୁ ବ୍ୟବହାର କରିବା ଘଟଣାକୁ ଚିହ୍ନଟ କରିବା ରେ ତାଙ୍କ କମ୍ପାନୀ ମନ୍ଥର ଗତିରେ କାର୍ଯ୍ୟ କରିଥିଲା। ଏହାଦ୍ୱାରା ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ସଫଳ ହୋଇଥିଲେ ବୋଲି ଅଭିଯୋଗ କରାଯାଉଛି। ଅବଶ୍ୟ ଏହି ଘଟଣାରେ ସଂଙ୍ଘୀୟ ତଦନ୍ତକାରୀ ମୁଲର୍‍ଙ୍କ ଦଳ ଏଯାବତ୍‍ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରଶ୍ନ କରିନାହାନ୍ତି। ଗୋପନୀୟତା ସମ୍ବନ୍ଧୀୟ ଆଇନକାନୁନ୍‍ ଦୃଷ୍ଟିରୁ ଏହି ତଦନ୍ତ ବିଷୟରେ ଜୁକରବର୍ଗ ବିଶେଷ କିଛି ପ୍ରକାଶ କରିବାକୁ ମନା କହିଛନ୍ତି।
ପରିସ୍ଥିତିର ମୁକାବିଲା ଉଦ୍ୟମ:
‘କେମ୍ବ୍ରିଜ୍‍ ଆନାଲିଟିକା’ ତଥ୍ୟଗୁଡିକୁ ସଂରକ୍ଷିତ ରଖି ପରେ ବିଭିନ୍ନ ଦେଶର ନିର୍ବାଚନକୁ ପ୍ରଭାବିତ କରିବା ଦିଗରେ ଉପଯୋଗ କରୁଥିଲା। ଏହି କାରଣରୁ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ କମ୍ପାନୀ ଏବେ ଭିନ୍ନ ଢଙ୍ଗରେ ନିୟନ୍ତ୍ରଣ କରୁଛି ବୋଲି ଜୁକରବର୍ଗ ସିନେଟର୍‍ମାନଙ୍କୁ କହିଛନ୍ତି। ସେ କହିଥିଲେ, ତଥ୍ୟ ଚୋରି ସମ୍ବନ୍ଧରେ କମ୍ପାନୀ ପକ୍ଷରୁ ଏହାର ୟୁଜରମାନଙ୍କୁ ଏବେ ବିଜ୍ଞପ୍ତି ଜାରି କରାଯାଉଛି। ଫେସ୍‍ବୁକ୍‍ ଦ୍ୱାରା ବନ୍ଧୁ ତାଲିକାରେ ଥିବା କୌଣସି ୟୁଜର ‘ଦିସ୍‍ ଇଜ୍‍ ୟୋର୍‍ ଡିଜିଟାଲ୍‍ ଲାଇଫ୍‍’ ଶୀର୍ଷକ ଆପ୍‍ ବ୍ୟବହାର କରୁଥିବା ବିଷୟରେ ଅନ୍ୟ ୟୁଜରମାନଙ୍କୁ ଅବଗତ କରାଯାଉଛି। ଏହି ଆପ୍‍ ବ୍ୟବହାର ଦ୍ୱାରା ବ୍ୟକ୍ତିଗତ ତଥ୍ୟ, ପେଜ୍‍ ଲାଇକ୍‍, ଜନ୍ମଦିନ ଏବଂ ୟୁଜର୍‍ ଜଣକ କେଉଁ ସହରରେ ଅଛନ୍ତି ସେ ସମ୍ବନ୍ଧୀୟ ତଥ୍ୟ ବେଆଇନ ଭାବେ ତୃତୀୟ ପକ୍ଷକୁ ଚାଲିଯାଉଥିବା ବିଷୟ ୟୁଜରମାନଙ୍କୁ ସୂଚୀତ କରାଯାଉଛି। ଏଥିସହ ସମସ୍ୟାର ସମାଧାନ ଦିଗରେ ଫେସ୍‍ବୁକ୍‍ ସକ୍ରିୟ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କମ୍ପାନୀ ଦ୍ୱାରା ଦ୍ୱାରା ପ୍ରସ୍ତୁତ ସମସ୍ତ ସେବା ଯେଭଳି ଠିକ୍‍ ବାଟରେ ଉପଯୋଗ ହେବ ସେ ନେଇ କମ୍ପାନୀ ଯତ୍ନଶୀଳ ଥିବା ଜୁକରବର୍ଗ କହିଛନ୍ତି।
ତଥ୍ୟ ଚୋରି ଘଟଣାର ଅନ୍ତରାଳେ:
ରୁଷ ଫେସ୍‍ବୁକ୍‍ର ବେଆଇନ ଉପଯୋଗ ପୂର୍ବକ ଆମେରିକାର ରାଷ୍ଟ୍ରପତି ନିବାଚନକୁ ପ୍ରଭାବିତ କରିଥିବା ନେଇ ପ୍ରଥମେ ଅଭିଯୋଗ ଉଠିଥିଲା। ଫଳରେ ଏହି ସାମାଜିକ ଗଣମାଧ୍ୟମ ଦ୍ୱାରା ଅନ୍ୟ ଦେଶର ନିର୍ବାଚନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ବ୍ରିଟିଶ୍‍ କମ୍ପାନୀ ‘କେମ୍ବ୍ରଜ୍‍ ଆନାଲିଟିକା’ ୟୁଜର୍‍ମାନଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରି ବିଭିନ୍ନ ରାଜନୈତିକ ଦଳଗୁଡିକୁ ଅନୁଧ୍ୟାନମୂଳକ ସୂଚନା ପ୍ରଦାନ କରୁଥିବା ଘଟଣା ପଦାକୁ ଆସିବା ପରେ ବସ୍ତୁତଃ ତଥ୍ୟ ଚୋରି ଘଟଣାର ପର୍ଦାଫାଶ ହୋଇଥିଲା। ବ୍ୟକ୍ତିତ୍ୱ ସମ୍ବନ୍ଧୀୟ ପ୍ରଶ୍ନ ମାଧ୍ୟମରେ ‘କେମ୍ବ୍ରିଜ୍‍ ଆନାଲିଟିକା’ ଫେସ୍‍ବୁକ୍‍ ୟୁଜର୍‍ଙ୍କ ବିଷୟରେ ବହୁ ତଥ୍ୟ ସଂଗ୍ରହ କରିନେଉଥିବା କମ୍ପାନୀର ପୂର୍ବତନ କର୍ମଚାରୀ ଖ୍ରୀଷ୍ଟୋଫର୍‍ ୱିଲି ପୂର୍ବରୁ ଅଭିଯୋଗ କରିଥିଲେ। ତଥ୍ୟ ଚୋରି ଯୋଗୁ ବିଶ୍ୱର ୮୭ ଲକ୍ଷ ଫେସ୍‍ବୁକ୍‍ ୟୁଜର ପ୍ରଭାବିତ ହୋଇଛନ୍ତି ବୋଲି ଏପ୍ରିଲ ୫ରେ ଜୁକରବର୍ଗ ସ୍ୱୀକାର କରିଥିଲେ। ଏପରିକି କେମ୍ବ୍ରିଜ୍‍ ଆନାଲିଟିକାକୁ ଭାରତରେ ଶାସକ ଓ ବିରୋଧୀ ଦଳଗୁଡିକ ଏହି ଘଟଣାରେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଆରମ୍ଭ କରିଥିଲେ। ଭାରତୀୟ ରାଜନୈତିକ ପରିବେଶ ଏକରକମ ସରଗରମ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫେସ୍‍ବୁକ୍‍ ସିଇଓ ଜୁକରବର୍ଗଙ୍କୁ ନୋଟିସ୍‍ ମଧ୍ୟ ପଠାଯାଇଥିଲା। ତଥ୍ୟ ଚୋରି ଦ୍ୱାରା ସବୁଠାରୁ ବେଶୀ ପ୍ରଭାବିତ ହୋଇଥିବା ଆମେରିକା ଫେସ୍‍ବୁକ୍‍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଏହାର ସିଇଓ ଜୁକରବର୍ଗଙ୍କୁ ଆମେରିକା କଂଗ୍ରେସ ସମ୍ମୁଖରେ ହାଜର ହୋଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦେଶ ଦେଇଥିଲା।

Leave A Reply