ଫେସ୍‌ବୁକ୍‌ ବିକୁଛି ବନ୍ୟପ୍ରାଣୀ ଅଙ୍ଗ!

0

ୱାଶିଂଟନ୍‌ : ୟୁଜର୍‌ଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ଅଭିଯୋଗରେ ଛନ୍ଦି ହୋଇପଡିଥିବା ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ ଅନ୍ୟ ଏକ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଛି। ଫେସ୍‌ବୁକ୍‌ରେ ଆମେରିକାର ଜଣାଶୁଣା ସଂସ୍ଥା ‘ଆମେରିକାନ୍‌ ନିଗମ’ ପାଇଁ କେତେକ ଗ୍ରୁପ୍‌ ପେଜ୍‌ ପ୍ରଦର୍ଶିତ ହେଉଛି; ଯାହାକୁ ଦଲାଲମାନେ ବେଆଇନ ଭାବେ ବନ୍ୟପ୍ରାଣୀଙ୍କ ଅଙ୍ଗ ବିକ୍ରି ନିମନ୍ତେ ବ୍ୟବହାର କରୁଛନ୍ତି। ଏଥିରେ ଜଙ୍ଗଲି ହାତୀ ଦାନ୍ତ, ଗଣ୍ଡା ଶିଙ୍ଘ ଏବଂ ବାଘ ଦାନ୍ତ ଭଳି ଦୁର୍ଲଭ ସାମଗ୍ରୀ ବିକ୍ରି ଲାଗି ବିଜ୍ଞାପନ ଦିଆଯାଉଛି। ଏ ନେଇ ପ୍ରତିଭୂତି ଏବଂ ବିନିମୟ ନିଗମ (ଏସ୍‌ଇସି) ନିକଟରେ ଏକ ଗୁପ୍ତ ଅଭିଯୋଗ ହୋଇଛି। ୨୦୧୭ ଅଗଷ୍ଟରେ ଫେସ୍‌ବୁକ୍‌ ବିରୋଧରେ ଅଜ୍ଞାତ ସୂଚନାପ୍ରଦାନକାରୀଙ୍କ ପକ୍ଷରୁ ‘ଜାତୀୟ ସଚେତକ କେନ୍ଦ୍ର (ଏନ୍‌ଡବ୍ଲ୍ୟୁସି)’ ଏହି ଅଭିଯୋଗ ଦାଖଲ କରିଥିଲା। ଅଜ୍ଞାତ ସୂଚନାପ୍ରଦାନକାରୀ ଜଣକ ଫେସ୍‌ବୁକ୍‌ ମାଧ୍ୟମରେ ବନ୍ୟପ୍ରାଣୀ ଚାଲାଣକାରୀଙ୍କ ସହିତ ମୁହାଁମୁହିଁ ବୈଠକର ଭିଡିଓ ପ୍ରସ୍ତୁତ କରିିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯାଇଛି। ବେଆଇନ କାର୍ଯ୍ୟକଳାପ ଲାଗି ଏହାର ସାମାଜିକ ସେବା ବ୍ୟବହାର କରିବାରୁ ଅବୈଧ ବ୍ୟବସାୟୀମାନଙ୍କୁ ନିବୃତ୍ତ କରିବାରେ ଫେସ୍‌ବୁକ୍‌ ବିଫଳ ହୋଇଥିବା ବନ୍ୟପ୍ରାଣୀ ସଂରକ୍ଷକମାନେ ଅଭିଯୋଗ କରିଛନ୍ତି। ଅଭିଯୋଗର ଏକ ନକଲ ଇଂରାଜୀ ଗଣମାଧ୍ୟମ ‘ଦି ଆସୋସିଏଟ୍‌ ପ୍ରେସ୍‌’କୁ ପ୍ରଦାନ କରାଯାଇଛି।
ଏହି ଅଭିଯୋଗ ଉପରେ ଫେସ୍‌ବୁକ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଅଭିଯୋଗକୁ ଭିତ୍ତି କରି ତଦନ୍ତ କରାଯିବ କି ନାହିଁ ସେ ବିଷୟରେ ଏସ୍‌ଇସି ପକ୍ଷରୁ ମଧ୍ୟ କୌଣସି ସୂଚନା ମଧ୍ୟ ଦିଆଯାଇ ନାହିଁ। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଏଭଳି ଅଭିଯୋଗରେ ଫେସ୍‌ବୁକ୍‌କୁ ନିର୍ଦୋଷ କୁହାଯାଇପାରିବ ନାହିଁ; କାରଣ ବେଆଇନ ହାତୀ ଦାନ୍ତ ବିକ୍ରି ନିମନ୍ତେ ଫେସ୍‌ବୁକ୍‌ ଭିନ୍ନ ଭିନ୍ନ ପେଜ୍‌ ପ୍ରସ୍ତୁତ କରି ବିଜ୍ଞାପନ ପ୍ରଦର୍ଶନ କରୁଛି ବୋଲି ଏନ୍‌ଡବ୍ଲ୍ୟୁସିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଷ୍ଟିଫେନ୍‌ କୋନ୍‌ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗୁଗୁଲ୍‌ ଏବଂ ବିଶ୍ୱ ବନ୍ୟାପ୍ରାଣୀ ପାଣ୍ଠି ଦ୍ୱାରା ଗଠିତ ‘ବନ୍ୟପ୍ରାଣୀ ଚାଲାଣ ନିରୋଧୀ ବିଶ୍ୱସ୍ତରୀୟ ଅନ୍‌ଲାଇନ୍‌ ମେଣ୍ଟ’ରେ ନିକଟରେ ଯୋଗ ଦେଇଥିବା ୨୦ଟି ପ୍ରାଦ୍ୟୋଗିକ କମ୍ପାନୀ ମଧ୍ୟରୁ ଫେସ୍‌ବୁକ୍‌ ଅନ୍ୟତମ। ଏଭଳି ସୂତ୍ରରେ ଫେସ୍‌ବୁକ୍‌ ବନ୍ୟପ୍ରାଣୀଙ୍କ ଦେହାବଶେଷର ବେଆଇନ ବିକ୍ରି ପାଇଁ ବିଜ୍ଞାପନ ପ୍ରଦର୍ଶନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଗତ ସପ୍ତାହରେ ଇଂରାଜୀ ଗଣମାଧ୍ୟମ ‘ଆସୋସିଏଟ୍‌ ପ୍ରେସ୍‌’ର ଜଣେ ସାମ୍ବାଦିକ ଦକ୍ଷିଣପୂର୍ବ ଏସିଆର ଅଧିକାଂଶ ଅଞ୍ଚଳରେ ଫେସ୍‌ବୁକ୍‌ ଦ୍ୱାରା ପ୍ରଦତ୍ତ ଏହି ବିଜ୍ଞାପନଗୁଡିକୁ ଉଭୟ ସାର୍ବଜନୀନ ତଥା ବ୍ୟକ୍ତିଗତ ଫେସ୍‌ବୁକ୍‌ ଗ୍ରୁପ୍‌ରେ ଦେଖିବାକୁ ପାଇଥିଲେ। ଏଥିରେ ବିଲୁପ୍ତପ୍ରାୟ ମହାବଳ ବାଘର ଲୋମଶ ଚମଡ଼ା ବିକ୍ରି ନିମନ୍ତେ ଉପଲବ୍ଧ ଥିବା ଦର୍ଶାଯାଇଥିଲା। ସମ୍ପ୍ରତି ବିଶ୍ୱରେ ମାତ୍ର ୨,୫୦୦ଟି ମହାବଳ ବାଘ ଅଛନ୍ତି। ସେହିଭଳି ଆଫ୍ରିକାରେ ଶିକାରୀଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିବା କଳା ଗଣ୍ଡାଙ୍କ ସଂଖ୍ୟା ପାଖାପାଖି ୫,୦୦୦। ବିଶ୍ୱ ବନ୍ୟାପ୍ରାଣୀ ସଂରକ୍ଷକଙ୍କ ସ୍ୱରରେ ସ୍ୱର ମିଳାଇଥିବା ଫେସ୍‌ବୁକ୍‌ ଅନ୍ୟପଟେ ଏହି ପ୍ରାଣୀଙ୍କ ଶିଙ୍ଘ ବିକ୍ରି ପାଇଁ ଗ୍ରାହକ ଯୋଗାଡର ଷଡ଼ଯନ୍ତ୍ର କରିଛି। ଏପରିକି ଫେସ୍‌ବୁକ୍‌ ପରିଚାଳକ ଏ ନେଇ ଦର ମୂଲଚାଲ କରିବା ସହିତ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ ବୁଝୁଛନ୍ତି। ଏଭଳି ବେଆଇନ ଚାଲାଣ ଲାଗି ଇନ୍‌ଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍‌ ଭଳି ସାମାଜିକ ଗଣମାଧ୍ୟମକୁ ମଧ୍ୟ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି।
ତଥ୍ୟ ଚୋରି ଘଟଣା ଯୋଗୁ ଗତ ତିନି ସପ୍ତାହ ମଧ୍ୟରେ କମ୍ପାନୀର ୭୯ ବିଲିୟନ ଡଲାର ଅଂଶଧନ ବୁଡି ଯିବା ପରେ ଆର୍ଥିକ ସ୍ଥିତି ସୁଧାରିବା ଲାଗି ଫେସ୍‌ବୁକ୍‌ ସଂଘର୍ଷ କରିଥିଲା। ଏହି ଘଟଣା ପରେ ପରେ ଫେସ୍‌ବୁକ୍‌ର ବେଆଇନ ବନ୍ୟପ୍ରାଣୀ ଚାଲାଣ କାର୍ଯ୍ୟ ପଦାକୁ ଆସିଛି। ବିଶ୍ୱର ୮୭୦ ଲକ୍ଷ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ତୃତୀୟ ପକ୍ଷକୁ ପ୍ରଦାନ କରିବା ଅଭିଯୋଗରେ ଛନ୍ଦି ହୋଇପଡିଥିବା ଫେସ୍‌ବୁକ୍‌ ନିଜ ଆୟର ଅନ୍ୟ କିଛି ଉତ୍ସ ବିଷୟରେ ଆବଶ୍ୟକ ସୂଚନା ପ୍ରଦାନ କରି ନାହିଁ। ଏଣୁ କମ୍ପାନୀର ଏଭଳି ଉତ୍ସ ମଧ୍ୟରେ ବନ୍ୟପ୍ରାଣୀ ବେଆଇନ ଚାଲାଣ ମଧ୍ୟ ଅନ୍ତର୍ଭୁକ୍ତ ଥାଇପାରେ ବୋଲି କୁହାଯାଉଛି।

Leave A Reply