ୟୁପିରେ ବିଜେପି, ପଞ୍ଜାବରେ ଆପ୍ ଗଢିବ ସରକାର !
ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ଅସ୍ପଷ୍ଟ
ନୂଆଦିଲ୍ଲୀ, : ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ମତଦାନ ଆଗରୁ ଶେଷ ହୋଇଥିବାବେଳେ ଉତ୍ତରପ୍ରଦେଶର ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଆସନ୍ତା ୧୦ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ଏହାର ୪୮ ଘଣ୍ଟା ପୂର୍ବରୁ ୫ଟି ରାଜ୍ୟରେ କେଉଁ ଦଳ ସରକାର ଗଠନ କରିବ ତାହାକୁ ନେଇ ବୁଥ୍ ବାହୁଡ଼ା ମତ(ଏକ୍ଜିଟ୍ ପୋଲ) ଆଧାରରେ ପୂର୍ବାନୁମାନ କରାଯାଇଛି। ବିଭିନ୍ନ ଗଣମାଧ୍ୟମ ଓ ଗଣମାଧ୍ୟମ ସଂପର୍କିତ ସଂସ୍ଥା ପକ୍ଷରୁ ହୋଇଥିବା ଏକ୍ଜିଟ୍ ପୋଲ୍ ମତ ଅନୁଯାୟୀ ଉତ୍ତରପ୍ରଦେଶ ପୁନର୍ବାର ବିଜେପି ଓ ପଞ୍ଜାବରେ ପ୍ରଥମ ଥର ପାଇଁ ଆମ୍ ଆଦ୍ମୀ ପାର୍ଟି ସରକାର ଗଠନ କରିବ। କାରଣ ଅଧିକାଂଶ ସର୍ଭେ ଏଜେନ୍ସିର ପୂର୍ବାନୁମାନରେ ଉତ୍ତରପ୍ରଦେଶରେ ବିଜେପି ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ସରକାର ଗଠନ ପାଇଁ ମ୍ୟାଜିକ୍ ସଂଖ୍ୟା ମିଳିବା ବୁଥ୍ ବାହୁଡ଼ା ମତରୁ ଜଣାପଡିଛି। ମାତ୍ର ଗୋଆ ଓ ଉତ୍ତରାଖଣ୍ଡରେ କେଉଁ ଦଳ ସରକାର ଗଠନ କରିବ ତା’ର ସ୍ପଷ୍ଟ ଚିତ୍ର ମିଳିପାରିନାହିଁ। ବିଶେଷକରି ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସ ପାଖାପାଖି ଆସନ ପାଇବା ଏକ୍ଜିଟ୍ ପୋଲ୍ରେ ଦର୍ଶାଯାଇଥିବାବେଳେ ଗୋଆରେ କିନ୍ତୁ ସ୍ଥିତି ଅଧିକ ଅସ୍ପଷ୍ଟ ରହିଛି। ସେହିଭଳି ମଣିପୁରରେ ବିଜେପି ବୃହତ୍ ଦଳ ଭାବେ ଆସନ ପାଇବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ହାସଲଠାରୁ ଦୂରରେ ରହିବ ବୋଲି ବୁ୍ଥ ବାହୁଡ଼ା ମତରୁ ଜଣାପଡିଛି।
ଇଣ୍ଡିଆ ଟୁଡେ ଆକ୍ସି ମାଇଁ ଇଣ୍ଡିଆର ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ବିଧାନସଭାର ମୋଟ ୪୦୩ ଆସନରୁ ବିଜେପି ୨୮୮ରୁ ୩୨୬ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିବ। ସମାଜବାଦୀ ପାର୍ଟି (ଏସ୍ପି) ୭୧ରୁ ୧୦୧, ବିଏସପି ୩ରୁ ୯, କଂଗ୍ରେସ ୧ରୁ ୩ ଓ ଅନ୍ୟାନ୍ୟ ଦଳ ୨ରୁ ୩ଟି ଆସନ ପାଇବେ ବୋଲି ଏହି ଏଜେନ୍ସି ପୂର୍ବାନୁମାନ କରିଛି। ଅନ୍ୟପଟେ
ଟାଇମ୍ସ ନାଓ-ଭିଟୋର ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶରେ ବିଜେପି ୨୨୫ଟି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏଠାରେ ଏସପି ୧୫୧, ବିଏସପି ୧୪, କଂଗ୍ରେସ ୯ ଓ ଅନ୍ୟାନ୍ୟ ଦଳ ୪ଟି ଆସନ ପାଇବେ। ‘ଜନ କି ବାତ୍’ର ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶରେ ବିଜେପି ୨୨୨ରୁ ୨୬୦, ଏସପି ୧୩୫ରୁ ୧୬୫, ବିଏସ୍ପି ୪ରୁ ୯, କଂଗ୍ରେସ ୧ରୁ ୩ ଓ ଅନ୍ୟାନ୍ୟ ଦଳ ୩ରୁ ୪ଟି ଆସନ ପାଇବେ। ‘ଟୁଡେ ଚାଣକ୍ୟ’ର ସର୍ଭେ ଅନୁଯାୟୀ ବିଜେପି ୨୯୪, ଏସପି ୧୦୫, ବିଏସ୍ପି ୨, କଂଗ୍ରେସ ୧, ଅନ୍ୟାନ ୧ ଆସନ ପାଇବେ। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ୍ ସଂଖ୍ୟା ହେଉଛି ୨୦୨।
‘ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ’ର ସର୍ଭେ ଅନୁଯାୟୀ ପଞ୍ଜାବରେ ମୋଟ ୧୧୭ଟି ବିଧାନସଭା ଆସନରୁ ଆପ୍ ୭୬-୯୦ ମଧ୍ୟରେ ପାଇବାକୁ ଥିବାବେଳେ କଂଗ୍ରେସ ୧୯ରୁ ୩୧, ବିଜେପି ୧ରୁ ୪, ଏସଏଡି ୭ରୁ ୧୧ ଓ ଅନ୍ୟାନ୍ୟ ଦଳ ୦ରୁ ୨ ଆସନ ପାଇବେ। ‘ସି-ଭୋଟର’ ସର୍ଭେ ଅନୁଯାୟୀ ପଞ୍ଜାବରେ ଆପ୍ ୫୧ରୁ ୬୧, କଂଗ୍ରେସ ୨୨ରୁ ୨୮, ବିଜେପି ୭ରୁ ୧୩, ଏସଏଡି ୨୦ରୁ ୨୬ଟି ଆସନ ପାଇବ। ‘ଟୁଡେ-ଚାଣକ୍ୟ’ର ସର୍ଭେ ଅନୁଯାୟୀ ପଞ୍ଜାବରେ ଆପ୍ ୧୦୦, କଂଗ୍ରେସ ୧୦, ବିଜେପି ୧, ଏସଏଡି ୬ଟି ଆସନ ପାଇବ। ‘ଜନ୍ କି ବାତ୍’ର ସର୍ଭେ ଅନୁଯାୟୀ ଆପ୍ ୬୦ରୁ ୮୪, କଂଗ୍ରେସ ୧୮ରୁ ୩୧, ବିଜେପି ୩ରୁ ୭, ଏସଏଡି ୧୨ରୁ ୧୯ଟି ଆସନରେ ବିଜୟୀ ହେବ। ଟାଇମ୍ସ ନାଓ ସର୍ଭେ ଅନୁଯାୟୀ ଆପ୍ ୭୦, କଂଗ୍ରେସ ୨୨, ବିଜେପି ୫ ଓ ଏସ୍ଏଡି ୧୯ଟି ଆସନ ପାଇବ। ପଞ୍ଜାବରେ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ହେଉଛି ୫୯।
ଗୋଆରେ ସରକାର ଗଠନ ନେଇ କୌଣସି ଦଳକୁ ବହୁମତ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଏଠାରେ କେତେକ ସର୍ଭେ ଏଜେନ୍ସି ବିଜେପିକୁ ଆଉ କେତେକ କଂଗ୍ରେସକୁ ଅଧିକ ଆସନ ମିଳିବା ନେଇ ପୂର୍ବାନୁମାନ କରିଛନ୍ତି। ତେଣୁ ଏଠାରେ ଏକ ପ୍ରକାର ଝୁଲା ସରକାର ହେବାର ସମ୍ଭାବନା ରହିଛି।
ସେହିପରି ମଣିପୁରରେ ବିଜେପିକୁ ଅଧିକ ଆସନ ମିଳିବା ନେଇ ସର୍ଭେ ଏଜେନ୍ସି ଗୁଡିକ ପୂର୍ବାନୁମାନ କରିଛନ୍ତି। ମାତ୍ର ଏଠାରେ ବିଜେପି ସରକାର ଗଠନ କରିବା ପାଇଁ ଆବଶ୍ୟକ ମ୍ୟାଜିକ ସଂଖ୍ୟା ୩୧ ଛୁଇଁବା କଷ୍ଟକର ହୋଇଛି। ତେଣୁ ନିର୍ବାଚନ ଫଳ ଘୋଷଣା ପରେ ଏଠାରେ ସ୍ଥିତି ସ୍ପଷ୍ଟ ହୋଇପାରିବ। ମଣିପୁରରେ ବିଜେପି ସରକାର ଗଠନ ନେଇ କେତେକ ସର୍ଭେ ଏଜେନ୍ସି ପୂର୍ବାନୁମାନ କରିଥିବାବେଳେ କଂଗ୍ରେସ ସରକାର ଗଠନ ନେଇ ମଧ୍ୟ କିଛି ଏଜେନ୍ସି ଆକଳନ କରିଛନ୍ତି। ତେଣୁ ଏଠାରେ ମଧ୍ୟ ସ୍ପଷ୍ଟ ଜନାଦେଶ ମିଳିବାର ଆଶଙ୍କା ରହିଛି।
ୟୁପି ବିଜେପି…
Comments are closed.