ପାଟଣା : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ଅମୃତ ମହୋତ୍ସବ ଅନ୍ତର୍ଗତ ବିଭିନ୍ନ ବିକାଶ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଦେଶର ସାଢ଼େ ଛଅକୋଟି ଭବିଷ୍ୟନିଧି ସଦସ୍ୟଙ୍କ ପାଇଁ ଭାରତ ସରକାର ଅବସରକାଳୀନ ଉଠାଣ ଓ ମୃତ୍ୟୁଜନିତ ସମସ୍ତ ସୁବିଧା, ବୀମାରାଶି ଏବଂ ପେନସନ୍ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସହଜ ଓ ସରଳ କରିବା ପାଇଁ ଇ-ଉତ୍ତରାଧିକାରୀ ର ଶୁଭାରମ୍ଭ କରିଛନ୍ତି । ଏହି ବ୍ୟବସ୍ଥା ଅନୁସାରେ ଭବିଷ୍ୟନିଧି ସଦସ୍ୟ ଅନ୍ ଲାଇନ୍ ରେ ନିଜର ୟୁଏଏନ୍ ଓ ପାସ୍ଓ୍ବାଡ ଉପଯୋଗ କରି ଜଣେ ବା ଏକାଧିକ ବ୍ୟକ୍ତିଙ୍କୁ ନିଜର ଉତ୍ତରାଧିକାରୀ ମନୋନୀତ କରି ନାମାଙ୍କନ ପତ୍ର ଦାଖଲ କରିପାରିବେ । ଫଳରେ, ଅବସର ପରେ ବା ମୃତ୍ୟୁ ଘଟିଲେ ସମସ୍ତ ଭବିଷ୍ୟନିଧି ପ୍ରାପ୍ୟ ତାଙ୍କୁ ବା ତାଙ୍କ ଦ୍ୱାରା ନାମାଙ୍କିତ ବ୍ୟକ୍ତିଙ୍କୁ ଖୁବ ସହଜରେ ଓ ତୁରନ୍ତ ପ୍ରଦାନ କରାଯାଇପାରିବ ଏବଂ ଏଥିପାଇଁ ନିଯୁକ୍ତିଦାତା ବା ଚାକିରି କରୁଥିବା ସଂସ୍ଥାଠାରୁ କୌଣସି ମଞ୍ଜୁରୀ ବା ହସ୍ତକ୍ଷେପର ଆବଶ୍ୟକତା ରହିବ ନାହିଁ । ତେବେ ଏଥିପାଇଁ ସଦସ୍ୟମାନଙ୍କୁ ନିଜର ୟୁଏଏନ୍ ସହ ତାଙ୍କର ଆଧାର, ବ୍ୟାଙ୍କଖାତା, ମୋବାଇଲ୍ ନମ୍ବର ଓ ଫଟୋ ସଂଯୋଗୀକୃତ କରିବାକୁ ହେବ । ପୂର୍ବରୁ ଏହି ନାମାଙ୍କନ ପାଇଁ ସଦସ୍ୟଙ୍କୁ ସମସ୍ତ କାଗଜପତ୍ର ସେ ଚାକିରି କରୁଥିବା ନିଯୁକ୍ତିଦାତାଙ୍କ ମାଧ୍ୟମରେ ସଂପୃକ୍ତ ଭବିଷ୍ୟନିଧି କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ୁଥିଲା । ଫଳରେ ଦୂରରେ ରହୁଥିବା ସଦସ୍ୟ-କର୍ମଚାରୀ ମାନଙ୍କୁ ଭବିଷ୍ୟନିଧି କାର୍ଯ୍ୟାଳୟକୁ ଆସି ଏହି କାମ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଥିଲା ।
ବର୍ତ୍ତମାନର ଏହି ଇ-ଉତ୍ତରାଧିକାରୀ ବ୍ୟବସ୍ଥା ଦ୍ୱାରା ସଦସ୍ୟମାନଙ୍କର ଭବିଷ୍ୟନିଧି ଉଠାଣ, ବୀମାରାଶି ଓ ପେନସନ୍ ପ୍ରଦାନ ଆଦି ଅତି ସହଜ ଓ ସରଳ ହେଇପାରୁ ଥିବାରୁ କେନ୍ଦୁଝରସ୍ଥିତ ଆଂଚଳିକ କାର୍ଯ୍ୟଳୟର ଭବିଷ୍ୟନିଧି କମିଶନର ଶ୍ରୀ ବିକାସ ଆନନ୍ଦ ସମସ୍ତ ସଦସ୍ୟ ଓ ହିତାଧିକାରୀଙ୍କୁ ଏହି ବ୍ୟବସ୍ଥାର ସୁଯୋଗ ନେବାପାଇଁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଅନୁରୋଧ କରିଛନ୍ତି ।



