ଚାକିରି ପ୍ରଲୋଭନ ଛାଡ଼ି ଜୈବିକ ଚାଷ କରୁଛନ୍ତି ଆଇଆଇଟି ଇଞ୍ଜିନିୟର, ଅମଳ କରୁଛନ୍ତି ୧୮ ପ୍ରକାର ଫସଲ
ନୂଆଦିଲ୍ଲୀ : ଇଞ୍ଜିନିୟରିଂ ଡିଗ୍ରୀ ଧାରୀ ଜଣେ ଯୁବକ ଆଜି ପେଶାରେ କୃଷକ ସାଜିଛନ୍ତି। ମୌଲାନା ଆଜାଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ମନିଟ) ଭୋପାଳରୁ ବିଟେକ୍ ଏବଂ ପରେ ଆଇଆଇଟି ବମ୍ବେରୁ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ସେ କୌଣସି ଜାତୀୟ କମ୍ପାନୀରେ କାମ କରିବା ପରିବର୍ତ୍ତେ ଜୈବିକ ଚାଷ କାର୍ଯ୍ୟରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଯୁବକ ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାର କାଲାପିପାଲ ତହସିଲର ଚାପରୀ ଗାଁର ବାସିନ୍ଦା ତଥାଗତ ବରୋଦ। ତଥାଗତଙ୍କ କହିବା ଅନୁସାରେ ସେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ଚାକିରି ପାଇଁ ନିଜର ରିଜ୍ୟୁମ ମଧ୍ୟ ପ୍ରସ୍ତୁତ କରିନଥିଲେ। ସେ ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲେ ଯେ, ସେ ଚାଷ କାର୍ଯ୍ୟରେ ହିଁ ନିଜକୁ ନିୟୋଜିତ କରିବେ।
ସେ ଗତ ତିନିବର୍ଷ ଧରି ଚାଷ କାର୍ଯ୍ୟ କରିଆସୁଛନ୍ତି। ଚାଷ ସହିତ ସେ ପଶୁପାଳନ ଏବଂ ଜୈବିକ ଖତ ମଧ୍ୟ ପ୍ରସ୍ତୁତ କରନ୍ତି। ସେ ଏକ ଗୋଶାଳା ମଧ୍ୟ ଆରମ୍ଭ କରିଛନ୍ତି, ଯେଉଁଠାରେ ୧୭ଟି ଗାଈ ରଖିଛନ୍ତି। ସେଥିରୁ କ୍ଷୀର ଏବଂ କ୍ଷୀର ଜାତୀୟ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି। କେବଳ ସେତିକି ନୁହେଁ, ସେ ଗୋବର ଗ୍ୟାସ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରିଛନ୍ତି। ଯେଉଁଠାରୁ ତାଙ୍କ ଘରର ରୋଷେଇ କାର୍ଯ୍ୟ ପାଇଁ ଇନ୍ଧନ ଗ୍ୟାସ ଭାବେ ବ୍ୟବହାର କରାଯାଏ। ଗାଈ ଗୋବର ଏବଂ ମୂତ୍ରରୁ ଖତ ପ୍ରସ୍ତୁତ କରି କ୍ଷେତରେ ବ୍ୟବହାର କରନ୍ତି, ଯାହା ଦ୍ବାରା ତାଙ୍କୁ ବାହାରୁ ଖତ କିଣିବାକୁ ଆବଶ୍ୟକ ପଡେନାହିଁ।
ତଥାଗତ କହିଛନ୍ତି ଯେ, ଗ୍ରାହକଙ୍କ ସହ ଯୋଡିହେବା ପାଇଁ ସେ ସୋସିଆଲ ମିଡିଆର ସମ୍ପୂର୍ଣ୍ଣ ବ୍ୟବହାର କରନ୍ତି। ଫେସବୁକ୍, ୟୁଟ୍ୟୁବ୍ ପରି ପ୍ଲାଟଫର୍ମଗୁଡିକ କୃଷକମାନଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି।
ତଥାଗତଙ୍କ ପିତା ମଧ୍ୟ ପେଶାରେ ଜଣେ ଡାକ୍ତର। କିନ୍ତୁ ଗାଁ ଓ ସମାଜ ସହ ଯୋଡି ହେବା ପାଇଁ ଚାଷ କାର୍ଯ୍ୟରେ ଜଡିତ ରହିଛନ୍ତି। ତେଣୁ ଆରମ୍ଭରୁ ହିଁ ତଥାଗତ ଚାଷ ସହ ଜଡିତ ଥିଲେ। ସେ ମନିଟରୁ ଇଞ୍ଜିନିୟରିଂ ହାସଲ କରିବା ପରେ ଏକ ବର୍ଷର ପାଇଁ କ୍ୟାରିୟର ଡ୍ରପ୍ କରିଥିଲେ। ଏହି ସମୟ ମଧ୍ୟରେ ସେ ଅନେକ ଗାଁକୁ ଯାଇ ଚାଷୀଙ୍କୁ ଭେଟି ଚାଷ ବିଷୟରେ ଜ୍ଞାନ ନେଇଥିଲେ। ପରେ ଜୈବିକ ଚାଷ ଆରମ୍ଭ କରିବା ସହ ପନିପରିବା ବିକ୍ରି ମଧ୍ୟ କରିଥିଲେ। ଏହା ପରେ ଚାଷ କ୍ଷେତ୍ରରେ ଅଧିକ ଅଧ୍ୟୟନ କରି ଉନ୍ନତମାନର ଜ୍ଞାନ ଓ କୌଶଳରେ ଚାଷ କାର୍ଯ୍ୟ ଆରମ୍ଭ କରିବେ ବୋଲି ଚିନ୍ତା କରିଥିଲେ। ପରେ ସେ ଆଇଆଇଟି ବମ୍ବେରେ ନାମ ଲେଖାଇଲେ। ସେଠାରୁ ୨୦୧୬ରେ ଟେକ୍ନୋଲୋଜି ଏଣ୍ଡ୍ ଡେଭଲପମେଣ୍ଟ ଇନ ରୁରଲ ଏରିୟାସ ରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ସେ ଗାଁକୁ ଫେରିଥିଲେ। ଅଳ୍ପ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରି ଆଜି ସେ ୧୮ ଏକର ଜମିରେ ଫସଲ କରୁଛନ୍ତି। ସେ ହଳଦୀ, ଅଦା, ଲେମ୍ବୁ ଆଦି ୧୭ ପ୍ରକାର ଫସଲ ଅମଳ କରୁଛନ୍ତି। ତାଙ୍କ ଆୟ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ, ଏକର ପିଛା ପ୍ରାୟ ୫୦ ହଜାର ଟଙ୍କା ରୋଜଗାର କରନ୍ତି। ଅର୍ଥାତ୍ ଗୋଟିଏ ବର୍ଷରେ ସେ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ବର୍ତ୍ତମାନ ସେ ୧୪୦ଟି ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଉଛନ୍ତି କିନ୍ତୁ ପରେ ଅଧିକରୁ ଅଧିକ ଲୋକଙ୍କ ସହ ରୋଷେଇ ଘର ସହ ଯୋଡି ହେବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଚାହାଁନ୍ତି ଯେ, ମୋର ଗ୍ରାହକ କୌଣସି ଜିନିଷ ପାଇଁ ଅନ୍ୟ ସ୍ଥାନକୁ ଯାଆନ୍ତୁ ନାହିଁ। ତାଙ୍କ ରୋଷେଇ ଘରର ସମସ୍ତ ଆବଶ୍ୟକତା, ମସଲା ଠାରୁ ଆରମ୍ଭ କରି ପନିପରିବା ରାସନ ପର୍ଯ୍ୟନ୍ତ, ମୁଁ ପୂରଣ କରିପାରିବି। ତେଣୁ ମୁଁ ମୋର ଗ୍ରାହକଙ୍କୁ ଏକ ହ୍ବାଟ୍ସ ଅପ୍ ଗ୍ରୁପ୍ରେ ସାମିଲ କରି ସେମାନଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଛି।
ସେ ତାଙ୍କର କୌଣସି ଫସଲକୁ ଜୈବିକ ନାମରେ ଚଢା ଦରରେ ବିକ୍ରି କରନ୍ତି ନାହିଁ। ପନିପରିବା ବଜାରରେ ଧନିଆର ମୂଲ୍ୟ କିଲୋଗ୍ରାମ ପ୍ରତି ୨୫୦ ଟଙ୍କାରେ ବିକ୍ରି କରନ୍ତି। ଫସଲ ଅମଳ ସହିତ ବର୍ତ୍ତମାନ ସେ ଏହାକୁ ପ୍ରକ୍ରିୟାକରଣ ଏବଂ ପ୍ୟାକେଜ୍ ମଧ୍ୟ କରୁଛନ୍ତି। ସେମାନେ ଧନିଆ ପାଉଡର, ହଳଦୀ ପାଉଡର, ଜିରା ପାଉଡର ଭଳି ଜିନିଷ ପ୍ୟାକ୍ କରି ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି। ସେଥିପାଇଁ ସେ ୧୦ରୁ ୧୨ ଜଣ ଲୋକଙ୍କୁ ରଖିଛନ୍ତି। ଏବେ ସେମାନେ ବାହାରକୁ ଯାଇ କାମ କରିବାକୁ ଇଚ୍ଛା କରୁନାହାନ୍ତି। ସେମାନେ ବର୍ତ୍ତମାନ କେବଳ ଗାଁରେ ରହି ଚାଷ କରିବାକୁ ଚାହୁଁଛନ୍ତି।
ଯଦି କେହି ଜୈବିକ ଚାଷ ଆରମ୍ଭ କରିବାକୁ ଚାହାଁନ୍ତି ତେବେ କଣ କରିବେ?
ଏହି ପ୍ରଶ୍ନର ଉତ୍ତର ଦେଇ ତଥାଗତ କହିଛନ୍ତି ଯେ, ସମଗ୍ର ଜମିlର ଜୈବିକ ଚାଷ ନ କରି ୧୦ ପ୍ରତିଶତ ଜମିରେ ଜୈବିକ ଚାଷ କରିବା ଉଚିତ୍। ଅବଶିଷ୍ଟ ଜମିରେ ପାରମ୍ପାରିକ ଚାଷ କାର୍ଯ୍ୟ କରନ୍ତୁ। ଯାହାଫଳରେ ଯଦିଓ ପରୀକ୍ଷା ସଫଳ ନହୁଏ, ତେବେ ବିଶେଷ କ୍ଷତି ହେବ ନାହିଁ। ଋତୁ ଅନୁଯାୟୀ ଫସଲ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହ ଲୋକଙ୍କ ଚାହିଦାକୁ ମଧ୍ୟ ନଜର ରଖିବାକୁ ପଡେ ବୋଲି ସେ କହିଛନ୍ତି।
ଗ୍ରାହକମାନଙ୍କୁ କିପରି ଆକୃଷ୍ଟ କରିବାକୁ ପଡେ?
ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଆଜିର ସମୟରେ ମାର୍କେଟିଂ ପାଇଁ ସୋସିଆଲ ମିଡିଆ ହେଉଛି ସବୁଠାରୁ ବଡ ପ୍ଲାଟଫର୍ମ। ମୁଁ ମୋର ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଜ୍ଞାପନ ଦେଇ ନାହିଁ। ସୋସିଆଲ ମିଡିଆ ମାଧ୍ୟମରେ ହିଁ ମୁଁ ଅଧିକ ଲୋକଙ୍କ ସହ କଥାବାର୍ତ୍ତା କରି ମୋର ମାର୍କେଟିଂ କରିଥିଲି।
Comments are closed.