www.samajalive.in
Monday, December 8, 2025
14.1 C
Bhubaneswar

ଫାଇଲରେ ହାଇ ମାରୁଛି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଆଇନ୍‌, ଦଲାଲ ଓ ବେପାରୀ ମାଲେମାଲ

ରେଙ୍ଗାଲି : ଜଙ୍ଗଳ ତଳି ଓ ଜଙ୍ଗଳ ଘେରା ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଲୋକେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବନଜୀବିକା ନିର୍ବାହ କରିଥାନ୍ତି । ସେମାନଙ୍କ ସାମାଜିକ, ସାଂସ୍କୃତିକ ଜୀବନ ପ୍ରବାହ ସହିତ ଲଘୁବନଜାତ ଦ୍ରବ୍ୟ ଅଙ୍ଗାଅଙ୍ଗୀ ଭାବରେ ଜଡିତ । ଏମାନେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ବର୍ଷର ୫/୬ମାସ ପର୍ଯ୍ୟନ୍ତ ଜୀବିକା ନିର୍ବାହ କରିଥାନ୍ତି । ଏଥିପାଇଁ ସେମାନଙ୍କୁ ୧୦/୧୨ ଘଣ୍ଟା କଠିନ ପରିଶ୍ରମ କରିବାକୁ ପଡିଥାଏ । ଭୋର୍‌ ୪ଟା ରୁ ମହୁଲ ସଂଗ୍ରହ ପାଇଁ ବାହାରି ଅପରାହ୍ନ ୩ଟା ରେ ଘରକୁ ଫେରୁଥିବା ମହୁଲ ସଂଗ୍ରହକାରୀଙ୍କ ମଧ୍ୟରେ ଅଧିକାଂଶ  ଜନଜାତି ସଂପ୍ରଦାୟର ଅଟନ୍ତି ।  ପ୍ରଚନ୍ରଚଣ୍ଡ ଖରାରେ ମୁଣ୍ଡ ଝାଳ ତୁଣ୍ଡରେ ମାରି  ମହୁଲ ସଂଗ୍ରହ କରିବାକୁ ପଡିଥାଏ । ସେମାନଙ୍କ ଆୟରୁ ଶତକଡା୪୦/୫୦ଭାଗ ଏଥିରୁ ହିଁ ଆସିଥାଏ ।  ଲଘୁବନଜାତ ଦ୍ରବ୍ୟ ମଧ୍ୟରୁ ବିଶେଷତଃ ମହୁଲ ଫୁଳ ସଂଗ୍ରହ ଉପରେ ପ୍ରାୟ ୭୫ଭାଗ ଲୋକ ନିୟୋଜିତ ରହୁଥିବାର ଜଣାପଡିଛି ।  ମହୁଲ ବ୍ୟତୀତ ହରିଡା, ବାହାଡା, କୁସୁମ, ଟୋଳ, ତେନ୍ତୁଳି ମଞ୍ଜି, ଆମ୍ବ ଟାକୁଆ ଆଦି ୬୮ ପ୍ରକାର ଲଘୁବନଜାତ ଦ୍ରବ୍ୟ ଜନଜାତି ସଂପ୍ରଦାୟର ଲୋକେ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି । ତେବେ ଦୁଃଖର ବିଷୟ ଯେ ଲଘୁବନଜାତ ଦ୍ରବ୍ୟ, ପ୍ରକ୍ରିୟାକରଣ ଓ ବ୍ୟବସାୟ ନୀତି ପ୍ରଣୟନରେ ସରକାରଙ୍କ ଖାମଖିଆଳି ମନୋଭାବ ଯୋଗୁଁ ସଂଗ୍ରହକାରୀ ମାନେ ଦଳାଲ ଓ ବେପାରି ମାନଙ୍କ ଦ୍ୱାରା ଶୋଷଣର ଶିକାର ହୋଇ ଜଙ୍ଗଲରୁ ବହୁ କଷ୍ଠରେ ସଂଗ୍ରହ କରି ଆଣୁଥିବା ବନଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି । ସଂପ୍ରତି ମହୁଲ ସଂଗ୍ରହ ପ୍ରକ୍ରିୟା ଜୋର୍‌ସୋରରେ ଚାଲିଥିବା ବେଳେ  ସଂଗ୍ରହକାରୀ ମାନଙ୍କଠାରୁ ବେପାରି ଓ ଦଲାଲ ମାନେ ନିଜର ମନଇଚ୍ଛା ଦରରେ ମହୁଲ  କିଣି ନେଉଛନ୍ତି ।

ପଡୋଶୀ  ଛତିଶଗଡ ରାଜ୍ୟରେ ମହୁଲ ତେଲକୁ ଡିଜେଲର ବିକଳ୍ପ ରୂପେ ସୌଖିନ ଗାଡି ଚାଳକ ମାନେ ଚାରିକିଆଯାନ ଏପରିକି ମୋଟର ସାଇକେଲ ରେ  ୮୦% ଡିଜେଲ୨୦% ମହୁଲ ତେଳ ବ୍ୟବହାର କରୁଥିବାର ଜଣାପଡିଛି । ଏହାଦ୍ୱାରା ଫୁଏଲ ଏଫିସିଏନ୍ସି ବୃଦ୍ଧି ପାଉଛି  ବୋଲି ବିଶେଷଜ୍ଞ ମାନେ ମତ ଦେବା ପରେ ଛତିଶଗଡ ସରକାର   ମହୁଲରୁ ବାୟୋଡିଜେଲ ପ୍ରସ୍ତୁତ କରିବାକୁ ବିଧିବଦ୍ଧ ଭାବରେ କାମ ଆରମ୍ଭ କରିଥିବା ବେଳେ ଆମ ରାଜ୍ୟରେ ମହୁଲ ସଂଗ୍ରହ ଏବଂ ଏହାର ପ୍ରକ୍ରିୟା କରଣର ଏଭଳି ଦୟନୀୟ ଅବସ୍ଥା ରହିଥିବା ଅତି କ୍ଷୋଭର ବିଷୟ ।  ଅନ୍ୟ ରାଜ୍ୟରେ ମହୁଲରୁ ବାୟୋଡିଜେଲ  ତିଆରି ବ୍ୟତୀତ ମହୁଲର ପ୍ରକ୍ରିୟା କରଣ  ମାଧ୍ୟମରେ ଜେଲି, ଜାମ୍‌ ଆଦି ଖାଦ୍ୟ ସାମଗ୍ରୀ  ପ୍ରସ୍ତୁତ କରଯାଉଛି । ଅନ୍ତତଃ ପଡୋଶୀ ଛତିଶଗଡ ରାଜ୍ୟରୁ ଆମ ରାଜ୍ୟ ସରକାର ଶିକ୍ଷାଲାଭ କରି ଫଳପ୍ରସୂ ମହୁଲ ସଂଗ୍ରହ ଓ ଏହାର ଫଳପ୍ରଦ ପ୍ରକ୍ରିୟାକରଣ  ନୀତି ପ୍ରଣୟନ  କରି ଧାନ ସଂଗ୍ରହ ଭଲି ନିୟନ୍ତ୍ରିତ ମାର୍କେଟ କମିଟୀ ଜରିଆରେ ମାର୍କେଟୟାର୍ଡ ମାନଙ୍କରେ ମହୁଲ ଓ ଅନ୍ୟ ଲଘୁବନଜାତ ଦ୍ରବ୍ୟ କିଣାବିକାର ବ୍ୟବସ୍ଥା କରିବାକୁ ଦାବି ହେଉଛି । ଏହାଦ୍ୱାରା ସଂଗ୍ରହକାରୀ ମାନେ ଉପକୃତ ହେବା ସହିତ ଅଭାବୀ ବିକ୍ରି ସମସ୍ୟାର ଅନେକାଂଶ ରେ ସମାଧାନ ହୋଇପାରିବ ବୋଲି ସଚେତନବର୍ଗରେ ମତପ୍ରକାଶ ପାଉଛି । ଚଳିତ ବର୍ଷ ଏେବେ ମହୁଲ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । କିଣାବିକା ଆରମ୍ଭ ହୋଇନାହିଁ । ତେବେ ଗତ ବର୍ଷ ମହୁଲ କେଜି ପ୍ରତି ୪୯ ରୁ ୫୦ ଟଙ୍କାରେ ବିକ୍ରି କରିଥିଲୁ ବୋଲି କହନ୍ତି ରେଙ୍ଗାଲି ମହୁଲପଡାର ଗ୍ରାମ ର ମହୁଲ ସଂଗ୍ରହକାରୀ ମିଟୁ ଓରାମ ଏବଂ ମନିଓରାମ ।  ବହୁତ କଷ୍ଟରେ ଆମେ ମହୁଲ ସଂଗ୍ରହ କରୁଛୁ ।  ପରିଶ୍ରମ ତୂଳନାରେ ଆମକୁ ଉପଯୁକ୍ତ ମୂଳ୍ୟ ମିଳୁ ନାହିଁ । ମହୁଲ କେଜି ପ୍ରତି ୯୦ ରୁ ୧ଶହ ଟଙ୍କା ହେବା ଉଚିତ୍‌ ବୋଲି କହନ୍ତି ମିଟୁ ଓରାମ । ଧାନ କିଣାବିକା ଭଲି ମହୁଲ କିଣାବିକା ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ମିନି ଓରାମ ମତବ୍ୟକ୍ତ କରିଛନ୍ତି ।

- Advertisement -

ଉଲ୍ଲେଖଯୋଗ୍ୟ ଯେ ୨୦୦୦ ମସିହା ମାର୍ଚ୍ଚ ୩୧ ତାରିଖ ଦିନ ରାଜ୍ୟ ସରକାର ଏକ ଆଦେଶନାମା ଜାରିକରି ମହୁଲ ସମେତ ୬୮ଟି ଲଘୁବନଜାତ ଦ୍ରବ୍ୟର କ୍ରୟବିକ୍ରୟ ଓ ନିୟନ୍ତ୍ରଣ ତଥା ସଂଗ୍ରହ ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ପଞ୍ଚାୟତ ସମିତି ଉପରେ ନ୍ୟସ୍ତ କରିଛନ୍ତି । ନିୟମ ଅନୁଯାୟୀ ପ୍ରତିବର୍ଷ ସେପ୍ଟେମ୍ବର ମାସ ରେ ପଞ୍ଚାୟତ ସମିତିର ବୈଠକ ବସି ଲଘୁବନଜାତ ଦ୍ରବ୍ୟ ଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅଫିସର ନୋଟିସ ବୋର୍ଡରେ ସର୍ବସାଧାରଣଙ୍କ ଗୋଚରାର୍ଥେ ମୂଲ୍ୟ ତାଳିକା ଲେଖାଯିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ନିୟମ କେବଳ କାଗଜ କଲମରେ ହିଁ ଅଟକି ଯାଇଛି ।  ଯଦ୍ୱାରା ଅସାଧୁ ବ୍ୟବସାୟୀ ଏବଂ ଦଲାଲ ମାନେ ବେଧଡକରେ କମ୍‌ ମୂଲ୍ୟରେ ମହୁଲ କିଣି ନେଉଛନ୍ତି । ଏସବୁ କାରବାର ଜିଲ୍ଲା, ବ୍ଲକ୍‌ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ ଜ୍ଞାତସାରରେ ଚାଲିଥିଲେ ମଧ୍ୟ ସେମାନେ ଜାଣି ନଜାଣିଲା ଭଳି ହାତବାନ୍ଧି ବସିଥିବାରୁ ସଂଗ୍ରହକାରୀମାନେ ଶୋଷଣର ଶିକାର ହେବାକୁ ବାଧ୍ୟ ହେଉଛନ୍ତି । ସରକାର ୨୦୦୦ ମସିହାରେ ଜାରି କରିଥିବା ନିର୍ଦ୍ଦେଶନାମାରେ ଆହୁରି ଉଲ୍ଲେଖ ରହିଛି ଯେ କୌଣସି କ୍ଷେତ୍ର ରେ ଯଦି ପଞ୍ଚାୟତ ସମିତି କର୍ତ୍ତୃପକ୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରି ନ ଥିବେ ତା’ହେଲେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ବୈଠକ ଡାକି ମୂଲ୍ୟ ନିର୍ଦ୍ଧାରଣ କରି ପାରିବେ । କିନ୍ତୁ ଏହି ନିର୍ଦ୍ଦେଶ ମଧ୍ୟ  ନାଳିଫିତାରେ ବନ୍ଧା ପଡିଛି ।  ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଇ ମହୁଲ ତଥା ଅନ୍ୟ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ନୀତିର ଉପଯୁକ୍ତ ସଂଶୋଧନ କରିବା ସହିତ ପ୍ରକ୍ରିୟାକରଣ ପାଇଁ   ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି ହେଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories