ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ ଆଜି
ଲର୍ଡସ : ଲର୍ଡସରେ ରବିବାର ସନ୍ଧ୍ୟାରେ କ୍ରିକେଟ ଦୁନିଅ ଏକ ନୂଆ ବିଶ୍ବ ଚମ୍ପିଆନ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। କ୍ରିକେଟ୍ର ମକ୍କା ଲର୍ଡସରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍ର ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ଏବଂ ୨ୟ ସେମିଫାଇନାଲରେ ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାସ୍ତକରି ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି। ନ୍ୟୁଜିଲାଣ୍ଡ କ୍ରମାଗତ ୨ୟ ଥର ଫାଇନାଲରେ ପହଞ୍ଚିଥିବା ବେଳେ ଇଂଲଣ୍ଡ ୪ର୍ଥ ଥର ଫାଇନାଲ ଖେଳିବାକୁ ଯାଉଛି। ତେବେ ଉଭୟ ଦଳ କଦାପି ବିଶ୍ବକପ୍ ଜିତିନଥିବାରୁ ଏଥର ନୂଆ ବିଶ୍ବ ଚମ୍ପିଆନ୍ଙ୍କୁ ଦେଖିବାକୁ ମିଳିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କ ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ଅପେକ୍ଷା ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଅଛି। ହେଲେ ନିର୍ଦିଷ୍ଟ ମ୍ୟାଚ୍ରେ ଉଭୟ ଦଳଙ୍କ ମଧ୍ୟରୁ ଯିଏ ଭଲ ପ୍ରଦର୍ଶନ କରିବ; ସେ ହିଁ ବିଜୟୀହେବ ବୋଲି ପ୍ରଥମ ସେମିଫାଇନାଲରୁ ସ୍ପଷ୍ଟ ହୋଇଯାଇଛି। ଭାରତ ଫେଭରିଟ୍ ଥିଲେ ହେଁ ଏହାକୁ ଚକ୍ମାଦେଇ ନ୍ୟୁଜିଲାଣ୍ଡ ବିଜୟୀ ହୋଇପାରିଛି।
୭ଟି ଲିଗ୍ ମ୍ୟାଚ୍ ପରେ ଇଂଲଣ୍ଡର ସେମିଫାଇନାଲ ଖେଳିବା ନେଇ ସନ୍ଦେହ ଥିଲା। ତଥାପି ଏହା କ୍ରମାଗତ ୨ଟି ମ୍ୟାଚ୍ ଜିତି ସେମିଫାଇନାଲ ଖେଳିବା ନିଶ୍ଚିତ କରିଥିଲା। କର ବା ମର ମ୍ୟାଚ୍ରେ ଭାରତକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିଥିଲା। ନିଶ୍ଚୟ ଜିତିବାର ଥିବାରୁ ଇଂଲଣ୍ଡ ଚାପରେ ରହିଥିଲା। ତଥାପି ପ୍ରାଧାନ୍ୟ ବିସ୍ତାରକାରୀ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ୧୧୯ ରନ୍ ବ୍ୟବଧାନରେ ଇଂଲଣ୍ଡ ପରାସ୍ତ କରିଥିଲା। ଜନି ବେୟାରଷ୍ଟୋ ଶତକ ମାରିଥିବା ବେଳେ ମାର୍କ ଉଡ୍ ୩ଟି ୱିକେଟ ନେଇଥିଲେ। ଇଂଲଣ୍ଡ ପେସ୍ ବୋଲର ଘାତକ ବୋଲିଂ କରିବାରୁ ନ୍ୟୁଜିଲାଣ୍ଡ ମାତ୍ର ୧୮୬ ରନ୍ରେ ଅଲ୍ଆଉଟ ହୋଇ ଯାଇଥିଲା। ଫାଇନାଲରେ ଅନୁରୂପ ପ୍ରଦର୍ଶନ କରିବାକୁ ଇଂଲଣ୍ଡ ପ୍ରୟାସ କରିବ।
ଅନ୍ୟପକ୍ଷରେ ଲିଗ୍ ପର୍ଯ୍ୟାୟରେ କ୍ରମାଗତ ଶେଷ ୩ଟି ମ୍ୟାଚ୍ ହାରିଥିଲେ ହେଁ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ହାର ମାନିନଥିଲା। ଭାରତ ପରି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍କୁ ଏହା ରୋକି ପାରିଥିଲା। ସମସ୍ତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ବୋଲର ଭଲ ପ୍ରଦର୍ଶନ କରିଥିଲେ ହେଁ ଅଧିନାୟକ କେନ୍ ୱିଲିୟମ୍ସନ ଓ ରସ୍ ଟେଲର ହିଁ ବ୍ୟାଟିଂର ଭାର ସମ୍ଭାଳିଛନ୍ତି। ୫୪୮ ରନ୍ କରିଥିବା ୱିଲିୟମ୍ସନ ଏହି ବିଶ୍ବକପ୍ର ଜଣେ ତାରକା। ଫାଇନାଲରେ ତାଙ୍କର ଆଉ ଏକ ଭଲ ଇନିଂସ ଇଂଲଣ୍ଡର ଯୋଜନାରେ ପାଣି ପୂରାଇପାରେ। ହେଲେ ରସ୍ ଟେଲର ଓ ମାର୍ଟିନ୍ ଗପ୍ଟିଲଙ୍କୁ ତାଙ୍କ ଅଧିନାୟକଙ୍କୁ ସମର୍ଥନ କରିବାକୁ ପଡ଼ିବ। ତଳ ଅର୍ଡରରେ ଦୁଇ ଅଲ୍ରାଉଣ୍ଡର ଜେମ୍ସ ନିସାମ୍ ଓ କଲିନ୍ ଡି ଗ୍ରାଣ୍ଡହୋମ୍ଙ୍କୁ ରନ୍ କରିବାକୁ ପଡ଼ିବ। ବାମହାତି ସ୍ପିନର ମିଚେଲ ସାଣ୍ଟ୍ନର ଭାରତ ବିପକ୍ଷରେ ଭଲ ବୋଲିଂ କରିଥିଲେ ଏବଂ ଇଂଲଣ୍ଡର ବ୍ୟାଟିଂ ବିପକ୍ଷରେ କଡ଼ା ମୁକାବିଲାର ସମ୍ମୁଖୀନ ହେବେ। ଲର୍ଡସ ପିଚ୍ରେ ପେସ୍ ବୋଲର ପାରମ୍ପରିକ ଭାବେ ଭଲ ପ୍ରଦର୍ଶନ କରିଥିବା ବେଳେ ଏଥର ମଧ୍ୟ ସେଇଆ ଦେଖିବାକୁ ମିଳିବ। ଫାଇନାଲ ମ୍ୟାଚ୍ ହୋଇଥିବାରୁ ଉଭୟ ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ଚାହିଁବେ। ତେବେ ଟସ୍ ହାରି ବୋଲିଂ କରିବାକୁ ପଡ଼ିଲେ ମଧ୍ୟ ଉଭୟ ଦଳ ନିରାଶ ହେବେନାହିଁ। ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।
Comments are closed.