nua o banner

ହାତୀ ସୁରକ୍ଷା ସୁପରିଚାଳନା ପାଇଁ ୪ ଥାକିଆ ବ୍ୟବସ୍ଥା ; ତଥାପି ଶିକାରୀ ଗୁଳିରେ ମରୁଛନ୍ତି ହାତୀ

ଡିଭିଜନ ସ୍ତରରେ ହାତୀ ସୁରକ୍ଷା ଓ ମୃତ୍ୟୁ ପାଇଁ ବନଖଣ୍ଡ ଅଧିକାରୀ ଉତ୍ତରଦାୟୀ

BJD Bijuli 480×75 Mob

ନିୟମ ଥିଲେ ମଧ୍ୟ ହାତୀଙ୍କ ଗତିବିଧି ଜାଣିବା ପାଇଁ ଭିଏସଏସ ସଭାପତି ଓ ସ୍ଥାନୀୟ ଜନସାଧାରଣ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦିଆଯାଉନାହିଁ ଗୁରୁତ୍ୱ, ହାତୀ ସୁରକ୍ଷା ନିମନ୍ତେ ୨୪ଘଣ୍ଟିଆ କଂଟ୍ରୋଲରୁମ୍ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମୋବାଇଲ ନମ୍ବର ମଧ୍ୟ ସାଧାରଣରେ ପ୍ରଦର୍ଶିତ ହେଉନାହିଁ 

ଗୁରୁଡିଝାଟିଆ :  ଐରାବତ ଐତିହ୍ୟ ପ୍ରାଣୀ । ଆମର ପ୍ରାଚୀନ ପରମ୍ପରା ,ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଐରାବତ ବା ହାତୀର ସ୍ଥାନ ସ୍ୱତନ୍ତ୍ର । ହାତୀର ସୁରକ୍ଷା, ବଂଶବୃଦ୍ଧି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିଛନ୍ତି । ହାତୀ ସୁରକ୍ଷା ଓ ସୁପରିଚାଳନା ପାଇଁ ୪ଥାକିଆ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛନ୍ତି । ଯେଉଁଥିରେ ତୃଣମୂଳସ୍ତରରେ ବନରକ୍ଷୀମାନଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତରରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ଗୋଟିଏ ସୁତାରେ ବନ୍ଧା ହୋଇଛନ୍ତି । ୨୪ଘଣ୍ଟିଆ କଂଟ୍ରୋଲରୁମ୍ ଖୋଲାଯାଇଛି । ଏକାଧିକ ଅଧିକାରୀ ନିଯୁକ୍ତି ପାଇଛନ୍ତି । ସେମାନଙ୍କୁ ଦିଆଯାଇଥିବା ଫୋନ ନଂ ସରକାରୀ ୱେବସାଇଟ ଓ ସାଧାରଣରେ ବ୍ୟାପକ ମାତ୍ରାରେ ପ୍ରତିଫଳିତ ହେବା ପାଇଁ ବ୍ୟବସ୍ଥା ମଧ୍ୟ ରହିଛି । ବନଖଣ୍ଡ ସ୍ତରରେ ବନଖଣ୍ଡ ଅଧିକାରୀ, ହାତୀ ସୁରକ୍ଷା ସୁପରିଚାଳନା,ଏହାର ବଂଶବୃଦ୍ଧି ଏବଂ ମୃତ୍ୟୁ ପାଇଁ ଉତ୍ତରଦାୟୀ ରହିବାର ନିୟମ ମଧ୍ୟ ରହିଛି । ଏ ସବୁ ସତ୍ତ୍ବେ ଶିକାରୀ ଗୁଳିରେ ଆଠଗଡ ବନଖଣ୍ଡରେ ଦାନ୍ତ ପାଇଁ ହାତୀ ଶିକାର ଚାଲୁଛି । ଏଥିରୁ ସ୍ପଷ୍ଟ ବାରି ହୋଇପଡେ ଆମ ବନ ବିଭାଗ ଦ୍ୱାରା ହାତୀ ସୁରକ୍ଷା ସୁପରିଚାଳନା ପାଇଁ କରାଯାଇଥିବା ୪ ଥାକିଆ ବ୍ୟବସ୍ଥା କିଭଳି ଚାଲୁଛି ? ରାଜ୍ୟରେ ହାତୀମାନଙ୍କ ସୁରକ୍ଷା ପାଇଁ ଯେଉଁ ୪ ଥାକିଆ ବ୍ୟବସ୍ଥା ହୋଇଛି ସେଥିରେ ବନାଞ୍ଚଳସ୍ତରରେ କାର୍ଯ୍ୟକରୁଥିବା ବନରକ୍ଷୀ ଓ ବନପାଳ ହାତୀମାନଙ୍କ ଗତିବିଧି, କେଉଁ ହାତୀ କେଉଁ ଦିଗକୁ ଗତିକରୁଛି, ହାତୀଙ୍କ ଅବସ୍ଥିତି ସଂପର୍କରେ ଟିକିନିକି ତଥ୍ୟ ସ୍ଥାନୀୟ ଜଙ୍ଗଲ ପାଖରେ ବସବାସ କରୁଥିବା ଜନସାଧାରଣ, ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ସଭାପତି, ଗଜବନ୍ଧୁ ଓ ଅଞ୍ଚଳର ପରିବେଶ ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ତଥ୍ୟକୁ ଗୁରୁତ୍ୱ ଦେଇ ବନାଞ୍ଚଳ ଅଧିକାରୀଙ୍କୁ ଅପରାହ୍ନ ସୁଦ୍ଧା ହାତୀ ସଂପର୍କୀୟ ସମସ୍ତ ତଥ୍ୟ ପ୍ରଦାନ କରିବାର ନିୟମ ରହିଛି।

ସଂପୃକ୍ତ ବନାଞ୍ଚଳ ଅଧିକାରୀ ଏହି ତଥ୍ୟକୁ ବନାଞ୍ଚଳ ଅଧିକାରୀ ବନଖଣ୍ଡ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ହାତୀ ସୁରକ୍ଷା ପାଇଁ କାର୍ଯ୍ୟକରୁଥିବା କଂଟ୍ରୋଲରୁମକୁ ପ୍ରଦାନ କରିଥାନ୍ତି । ବନଖଣ୍ଡ ସ୍ତରରେ ବନଖଣ୍ଡ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହାତୀ ସୁରକ୍ଷା ସୁପରିଚାଳନା ପାଇଁ ଗଠିତ ହୋଇଥିବା କଂଟ୍ରୋଲରୁମର ମୁଖ୍ୟ ଭାବରେ ଜଣେ ଏସିଏଫ(ସହକାରୀ ବନସଂରକ୍ଷକ) ଦାୟିତ୍ୱରେ ରହିବେ। ତାଙ୍କୁ ସହଯୋଗ କରିବା ପାଇଁ ଜଣେ ବନାଞ୍ଚଳ ଅଧିକାରୀ, ଜଣେ ଉପ ବନାଞ୍ଚଳ ଅଧିକାରୀ,୨ଜଣ ବନପାଳ,୩ଜଣ ବନରକ୍ଷୀ ରହିବାର ବ୍ୟବସ୍ଥା ରହିଛି। ସେମାନେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବନ କର୍ମଚାରୀ, ବନସୁରକ୍ଷା ସମିତିର କର୍ମକର୍ତ୍ତା ଓ ପ୍ରତିଷ୍ଠିତ ପରିବେଶବିିତଙ୍କ ଠାରୁ ହାତୀଙ୍କ ଅବସ୍ଥିତି, ଗତିବିଧି, ରାଜପଥ ଅତିକ୍ରମ କରିବା, ଇଲେକ୍ଟ୍ରିକ୍  ଲାଇନରେ ଆଘାତ ହେବା ବା ଆଘାତ ହେବାର ସମ୍ଭାବନା, ରେଳଲାଇନ ଅତିକ୍ରମ କରିବା, ହାତୀ ଆଘାତ ଜନିତ ତଥ୍ୟ, ଶିକାରୀର ଗତିବିଧି ସମସ୍ତ ଟିକିନିକି ତଥ୍ୟ ସଂଗ୍ରହ କରି ବନଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରିଥାନ୍ତି । ବନଖଣ୍ଡ ଅଧିକାରୀ ଏହି ତଥ୍ୟକୁ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ)ଙ୍କୁ ପ୍ରଦାନ କରିବା ସହିତ ପାଖରେ ଥିବା ବନାଞ୍ଚଳ ଅଧିକାରୀଙ୍କୁ ସୁଚନା ପ୍ରଦାନ କରିଥାନ୍ତି । ମୋଟା ମୋଟି ଭାବେ ହାତୀ ସୁରକ୍ଷା,ଏହାର ବଂଶବୃଦ୍ଧି ଓ ହାତୀର ଭଲମନ୍ଦ ଘଟଣାରେ ବନଖଣ୍ଡ ଅଧିକାରୀ ଉତ୍ତରଦାୟୀ ରହିବାର ବ୍ୟବସ୍ଥା ପାଇଁ ଉଲ୍ଲେଖ ରହିଛି ।

ଅନୁରୂପ ଭାବରେ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ) ଙ୍କ କାର୍ଯ୍ୟାଳୟ ପରିସରରେ ୨୪ଘଣ୍ଟିଆ ହାତୀ ସୁରକ୍ଷା ସୁପରିଚାଳନା ବ୍ୟବସ୍ଥା କଂଟ୍ରୋଲରୁମ କାର୍ଯ୍ୟକାରୀ କରୁଅଛି । ଯେଉଁଥିରେ କି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ)ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜଣେ ଏସିଏଫ ଦାୟିତ୍ୱରେ ରହିଥିବା ବେଳେ ଦୁଇଜଣ ବନାଞ୍ଚଳ ଅଧିକାରୀ, ୨ଜଣ ବନପାଳ, ୩ଜଣ ବନରକ୍ଷୀ ଦାୟିତ୍ୱରେ ରହିବେ । ୨୪ଘଣ୍ଟିଆ କଂଟ୍ରୋଲ ରୁମ ସହ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଯୋଗାଯୋଗ ନଂ ସର୍ବସାଧାରଣରେ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା ରହିଛି । ବିଭିନ୍ନ ବନଖଣ୍ଡର ଅଧିକାରୀମାନେ ଅପରାହ୍ନ ସୁଦ୍ଧା ସେମାନଙ୍କ ବନଖଣ୍ଡରେ ହାତୀମାନଙ୍କ ଗତିବିଧି, ମୃତ ଓ ଆହତ ସଂପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ। ସର୍ବୋଚ୍ଚ ସ୍ତରରେ ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ(ପିସିସିଏଫ, ୱାଇଲ୍ଡଲାଇଫ)ଙ୍କ ନିୟନ୍ତ୍ରଣରେ ଏକ ୨୪ଘଣ୍ଟିଆ କଂଟ୍ରୋଲରୁମ କାର୍ଯ୍ୟକାରୀ କରୁଛି । ଏହାର ଦାୟିତ୍ୱରେ ଜଣେ ଡିସିଏଫ (ଉପ ବନସଂରକ୍ଷକ) ଦାୟିତ୍ୱରେ ରହିଥିବା ବେଳେ ୨ଜଣ ସହକାରୀ ବନସଂରକ୍ଷକ ,୩ଜଣ ବନାଞ୍ଚଳ ଅଧିକାରୀ ନିଯୁକ୍ତି ପାଇଥାନ୍ତି। ସେହିଭଳି ଭାବରେ ତୃଣମୂଳ ଠାରୁ ସର୍ବୋଚ୍ଚସ୍ତରରେ ବସିଥିବା ଅଧିକାରୀ ହାତୀର ସମସ୍ତ ଗତିବିଧି ସଂପର୍କରେ ସବିଶେଷ ତଥ୍ୟ ସନ୍ଧ୍ୟା ସୁଦ୍ଧା ପାଇଥାନ୍ତି । ଏହାଦ୍ୱାରା ହାତୀ ଯେଭଳି ମୃତ୍ୟୁ ମୁଖରେ ପଡିବ ନାହିଁ । ଯଦି ପଡିବ ତାର ତ୍ୱରିତ ଚିକିତ୍ସା ବ୍ୟବସ୍ଥା କରାଯିବ। ସର୍ବୋପରି ଉକ୍ତ ହାତୀ ସୁରକ୍ଷା ସୁପରିଚାଳନା ବ୍ୟବସ୍ଥାରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ଦନ୍ତାହାତୀକୁ ।

ଏ ସବୁ ବ୍ୟବସ୍ଥା ରହିଥିଲେ ମଧ୍ୟ ଆଠଗଡ ବନଖଣ୍ଡର ନରସିଂହପୁର ପୂର୍ବ ଓ ପଶ୍ଚିମ ବନାଞ୍ଚଳରେ ଶିକାରୀମାନେ ଖୋଲା ଚ୍ୟାଲେଞ୍ଜ କରି ହାତୀ ଶିକାର କରୁଛନ୍ତି। ମାସକ ଭିତରେ ଦୁଇଟି ଦନ୍ତାକୁ ହତ୍ୟା କରାଯାଇଛି । ଗତ ୩ଦିନ ତଳେ ମଧ୍ୟ ଏକ ଗୁଳିବିଦ୍ଧ ଦନ୍ତା ଦୀର୍ଘଦିନ ଧରି ଜଙ୍ଗଲରେ ବୁଲିବା ଓ ତାକୁ ସଠିକ୍ ଚିକିତ୍ସା ବ୍ୟବସ୍ଥା କରାନଯିବା ଫଳରେ ମୃତ୍ୟୁବରଣ କରିଛି । ହାତୀ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ପରିଷଦ ଆଠଗଡ ଆସିଥିଲେ । ସ୍ୱତନ୍ତ୍ର କାର୍ଯ୍ୟବଳ ମଧ୍ୟ ତୀକ୍ଷ୍ମ ଦୃଷ୍ଟି ଦେଇଛି । ଆରସିସିଏଫଙ୍କ ନେତୃତ୍ୱରେ ବଡମ୍ବା-ନରସିଂପୁରର ଅଞ୍ଚଳରେ ହାତୀମୃତ୍ୟୁର କାରଣ ଓ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଏସବୁ ଚାଲିଥିବା ବେଳେ ଗତ ୩ଦିନତଳେ ଶିକାରୀ ଦନ୍ତାହାତୀକୁ ଗୁଳିମାରି ହତ୍ୟା କରିବା ବନଖଣ୍ଡ ଅଧିକାରୀ ତଥା ଆମ ସମସ୍ତ ବ୍ୟବସ୍ଥାକୁ ଖୋଲା ଆହ୍ୱାନ ଦେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହାତୀ ସୁରକ୍ଷା ସଂପର୍କିତ ୪ ଥାକିଆ ବ୍ୟବସ୍ଥାରେ ସ୍ପଷ୍ଟ ଭାବରେ ହାତୀ ଚଳାଚଳ କରୁଥିବା ସ୍ଥାନୀୟ ଜନସାଧାରଣ ,ବନସୁରକ୍ଷା ସମିତିର କର୍ମକତ୍ତା ଓ ସଭାପତି, ସ୍ଥାନୀୟ ଅଞ୍ଚଳର ପରିବେଶବିତ୍ ଓ ବୁଦ୍ଧିଜୀବିଙ୍କ ମତାମତକୁ ଗୁରୁତ୍ୱ ଦେଇ ହାତୀ ସଂପର୍କିତ ସୁଚନା ପାଇବା ନିମନ୍ତେ ଉଲ୍ଲେଖ ଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ ।

Comments are closed.