nua o banner

ଖଟସାରଙ୍ଗ ଗ୍ରାମରେ ଦନ୍ତାହାତୀ ଆତଙ୍କ; ଆକ୍ରମଣରେ ୩ ଆହତ, ଜଣେ ଗୁରୁତର

BJD Bijuli 480×75 Mob
0

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ କୁଳଶିଖରପାଟଣା ଗ୍ରାମପଞ୍ଚାୟତର ଖଟସାରଙ୍ଗ ଗ୍ରାମରେ ରବିବାର ଭୋର ସମୟରେ ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି । ଦନ୍ତାହାତୀଟିି ଗ୍ରାମର ଏକ ଘରର ପଥର ଖୁଣ୍ଟିକୁ ଭାଙ୍ଗି ଦେଇଥିବା ବେଳେ ଏକ ବାଉଁଶ ଜଙ୍ଗଲ ମଧ୍ୟରେ ପଶି ରହିଛି । ହାତୀକୁ ଜଙ୍ଗଲ ମଧ୍ୟରେ ଦେଖିବାକୁ ଯାଇଥିବା ୩ଜଣ ହାତୀ ଆକ୍ରମଣରେ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଖବର ପାଇ ଖୋର୍ଦ୍ଧା, ଡେଲାଙ୍ଗ ଓ ବାଲିପାଟଣା ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।
ସୂଚନା ଅନୁଯାଇ, ଖଟସାରଙ୍ଗ ଓ ବିନ୍ଧା ଗ୍ରାମରେ ରବିବାର ଭୋର ପ୍ରାୟ ସାଢେ ୫ଟା ସମୟରେ ଉକ୍ତ ଦନ୍ତାହାତୀକୁ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ଲୋକେ ନିତ୍ୟକର୍ମ କରିବାକୁ ଉଠିଥିବା ବେଳେ ହାତୀ ରଡି ଶୁଣି ଆତଙ୍କିତ ହୋଇପଡିଥିଲେ । ହାତୀଟି ବିନ୍ଧା ଗ୍ରାମଦେଇ ଯିବା ବେଳେ ଜନୈକ ଅପର୍ତ୍ତି ପରିଡାଙ୍କ ଏକ ଅର୍ଦ୍ଧନିର୍ମିତ ଘରର ପଥରଖୁଣ୍ଟିକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ପରେ ହାତୀଟି ଧାନଜମି ମଧ୍ୟ ଦେଇ ନିକଟବର୍ତ୍ତି ମୁଷାଖିଆ ବାଉଁଶ ଜଙ୍ଗଲ ମଧ୍ୟରେ ଲୁଚି ରହିଛି । ଲୋକଙ୍କୁ ଦେଖିବା ମାତ୍ରକେ ହାତୀ ଗୋଡାଉଥିବା ବେଳେ ଉକ୍ତ ଖଟସାରଙ୍ଗ, ବିନ୍ଧା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଯାଇଛି । ହାତୀଟି କେତେକ ଚାଷୀଙ୍କ ଧାନଜମିରେ କ୍ଷତି ଘଟାଇଥିବା ସୂଚନା ମିଳିଛି । ଖବର ପାଇ ଖୋର୍ଦ୍ଧା ବନବିଭାଗର ଡେପୁଟି ରେଞ୍ଜର ଶରତ ଜାନୀ, ଡେଲାଙ୍ଗ ରେଞ୍ଜର ଅଜୟ କୁମାର ଜଗଦ୍ଦେବ ଓ ବାଲିପାଟଣା ବନବିଭାଗ ରେଞ୍ଜର ଜୟକୃଷ୍ଣ ଯଦୁମଣୀ ଦାସ ପ୍ରମୁଖ ବନକର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଜଙ୍ଗଲ ଚାରିପଟେ ହାତୀଟିକୁ ଜଗିରହି ତାର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଥିବା ସୂଚନା ମିଳିଛି । ହାତୀକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଲୋକେ ଉକ୍ତ ଜଙ୍ଗଲ ଚାରିପାଖେ ରୁଣ୍ଡ ହୋଇଥିବା ବେଳେ ବନବିଭାଗ ପକ୍ଷରୁ ସେମାନଙ୍କୁ ବାରଣ କରାଯାଇଥିଲା । ତେବେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ନିକଟବର୍ତ୍ତୀ ଖେଲଉର ଗ୍ରାମର କାଳନ୍ଦୀ ବେହେରା(୩୪)ଙ୍କୁ ଉକ୍ତ ହାତୀଟି ଆକ୍ରମଣ କରିଥିବା ବେଳୋ ସୌଭାଗ୍ୟ ବସତଃ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ତାଙ୍କ ଛାତି ଓ କାନ୍ଧରେ ଗୁରୁତର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମଧ୍ୟାହ୍ନରେ ହାତୀଟି ଉକ୍ତ ଜଙ୍ଗଲ ମଧ୍ୟରେ ଅରିଶଲ ଗ୍ରାମର ଦିଲିପ ପଟ୍ଟନାୟକ(୫୫)ଙ୍କୁ ଆକ୍ରମଣ କରିଥିଲା । ଶ୍ରୀ ପଟ୍ଟନାୟକଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପୁଅ ସନ୍ଦୀପ ପଟ୍ଟନାୟକ (୨୩) ମଧ୍ୟ ଆହତ ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଗୁରୁତର ଥିବା ଦିଲିପଙ୍କୁ କ୍ୟାପିଟାଲ ହସପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଉକ୍ତ ହାତୀକୁ ସୁରକ୍ଷିତ ଭାବେ ରାତିରେ ଜଙ୍ଗଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଲାଇଟ୍‌ ଓ ବାଣଦ୍ୱାରା ପ୍ରୟାସ କରାଯାଉଥିବା ସୂଚନା ମିଳିଛି ।
ଡେଲାଙ୍ଗ ରେଞ୍ଜର ଅଜୟ କୁମାର ଜଗଦ୍ଦେବଙ୍କ ସୂଚନା ଅନୁଯାଇ, ପ୍ରାୟ ୨ମାସ ହେବ ୩ଟି ଦନ୍ତାହାତୀ ଚନ୍ଦକା ଜଙ୍ଗଲ ଛାଡି ବରୁଣେଇ ଜଙ୍ଗଲରେ ରହୁଥିଲେ । ତେବେ ଗତ ୩ଦିନ ତଳେ ହାତୀ ବରୁଣେଇ ଜଙ୍ଗଲ ଛାଡି ଡେଲାଙ୍ଗ ନିକଟବର୍ତ୍ତି କୁମୁକା ଜଙ୍ଗଲକୁ ପଳେଇ ଆସିଥିଲେ । ଗତକାଲି ୨ଟି ହାତୀଙ୍କୁ ବନବିଭାଗ ଘଉଡାଇ ରେଲଲାଇନ ପାର୍‌ କରାଇ ବରୁଣେଇ ଜଙ୍ଗଲ ଅଭିମୁଖେ ଛାଡିଥିଲା । ଅନ୍ୟ ହାତୀଟି ରାତିରେ ଖଟସାରଙ୍ଗ ଜଙ୍ଗଲକୁ ପଳାଇ ଆସିଥିବା ଶ୍ରୀ ଜଗଦ୍ଦେବ ସୂଚନା ଦେଇଛନ୍ତି ।
ହାତୀ ଏବେ କୁମୁକା ଜଙ୍ଗଲରେ
ରବିବାର ସନ୍ଧ୍ୟାରେ ବନବିଭାଗ ପକ୍ଷରୁ ହାତୀକୁ ଘଉଡାଇବା ପ୍ରକ୍ରୀୟା ଆରମ୍ଭ କରାଯାଇଥିଲା । ମାଇକ୍‌ ଦ୍ୱାରା ଅଞ୍ଚଳରେ ପ୍ରଚାର କରାଯିବା ସହ ସମଗ୍ର ଅଞ୍ଚଳକୁ ଅନ୍ଧାର କରି ଦିଆଯାଇଥିଲା । ବନବିଭାଗର କର୍ମଚାରୀମାନେ ଉଜ୍ଜ୍ୱଳ ଆଲୋକ ସହ ବାଣ ଫୁଟାଇ ହାତୀକୁ ଘଉଡାଇଥିଲେ । ହାତୀଟି ଯେଉଁ ବାଟ ଦେଇ ଆସିଥିଲା, ସେହି ବାଟରେ ଡେଲାଙ୍ଗର କୁମୁକା ଜଙ୍ଗଲକୁ ସୁରକ୍ଷିତ ଭାବେ ରାତି ୯ଟା ସୁଦ୍ଧା ଫେରିଯାଇଥିବା ସୂଚନା ମିଳିଛି । ସେଠାରେ ହାତୀର ଗତିବିଧି ଉପରେ ବନବିଭାଗ ନଜର ରଖିଥିବା ବେଳେ ଆସନ୍ତା କାଲି ତାକୁ ବରୁଣେଇ ଜଙ୍ଗଲ ଅଭିମୁଖେ ସୁରକ୍ଷିତ ଭାବେ ଛଡାଯିବ ବୋଲି ଡେଲାଙ୍ଗ ରେଞ୍ଜର ଅଜୟ କୁମାର ଜଗଦ୍ଦେବ ସୂଚନା ଦେଉଛନ୍ତି । ହାତୀ ପେରିଯିବା ପରେ ପିପିଲି ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି ।

Leave A Reply