ଜି. ଉଦୟଗିରି: ଉତ୍ତର ଘୁମୁସର ବନଖଣ୍ଡରୁ ୨୪ ଦିନ ତଳୁ ଗୋଠାଛଡା ରକ୍ତମୁଖା ଦନ୍ତା ଜି.ଉଦୟଗିରି ବନାଞ୍ଚଳରେ ନିଜର ଉପସ୍ଥିତି ଜାହିର କରିଥିବା ସହ ଉପଦ୍ରବ ଚଳାଇଥିଲା। ପୁଣି ଥରେ ଏହି ଦନ୍ତା ଫେରିଛି। ସୋମବାର ଜି. ଉଦୟଗିରି ସେକ୍ସନର ଦିବାଗୁଦା ଅଞ୍ଚଳରେ ହାତୀଟି ଉପଦ୍ରବ କରିବା ସହିତ ସୁରୁସୁ ପ୍ରଧାନଙ୍କ ୨ଟି ବଳଦକୁ କଚାଡ଼ି ମାରିଦେଇଛି। ତା’ ସହିତ ତାଙ୍କ ଗୁହାଳ ମଧ୍ୟ ଭାଙ୍ଗି ଦେଇଛି। ବନ ବିଭାଗ କର୍ମଚାରୀ ପହଞ୍ଚି କିଛି ଗାଈଙ୍କୁ ଉଦ୍ଧାର କରିଛି। ତେବେ ହାତୀ ଉପଦ୍ରବ ପ୍ରତିବାଦରେ ସ୍ଥାନୀୟ ଲୋକେ ମଙ୍ଗଳବାର ୪ ଦଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି।
ଗତ ଜୁଲାଇ ୨୬ରେ ଜି ଉଦୟଗିରି ସେକ୍ସନ ଅଞ୍ଚଳରେ ହାତୀଟି ସାମନ୍ତ ଦିଗାଲ ନାମକ ବ୍ୟକ୍ତିଙ୍କୁ କଚାଡ଼ି ମାରିଥିଲା। ଏହାର ଦିନକ ପରେ ୨୮ ତାରିଖରେ ପାନୁରିଆ ସେକ୍ସନ ଅନ୍ତର୍ଗତ ଆଦୁନାଜୁ ଗ୍ରାମର ପ୍ରଶାନ୍ତ ନାୟକଙ୍କୁ କଚାଡ଼ି ମାରିଥିଲା। ସେଠାରୁ ଫେରି ଜି ଉଦୟଗିରି ରାଜ୍ୟ ରାଜପଥକୁ ଆସି ରାଇକିଆରୁ ବ୍ରହ୍ମପୁର ଯାଉଥିବା ଘୋରାଇ ଯାତ୍ରୀବାହୀ ବସକୁ ଅଟକାଇଥିଲା। ତା’ ପରଠୁ ଜି. ଉଦୟଗିରି ସେକ୍ସନର ଗାମୁଲୀ, ପିଦିକାମାହା, ଗମ୍ଭାରିଗୁଡ଼ା, ପାଜିମାହା ଆଦି ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରି ବିଭିନ୍ନ ଫସଲ ନଷ୍ଟ କରିବା ସହ ଘରଦ୍ଵାର ଭାଙ୍ଗିଥିଲା। ର୍ତ୍ତମାନ ସୁଦ୍ଧା ହାତୀଟି ୨ ଜଣଙ୍କୁ ମାରିଥିବାବେଳେ ୬ ଗାଈ ଓ ବଳଦ ସାଙ୍ଗକୁ ଅନେକ ଘର ଭାଙ୍ଗିଛି।



