www.samajalive.in
Monday, December 8, 2025
13.1 C
Bhubaneswar

ସ୍ବଦେଶ ଫେରିଲେ ବିଦେଶୀ ନାଗରିକ, ଇଜିପ୍ଟ ଖୋଲିଲା ସୀମାନ୍ତ ଫାଟକ

ରାଫା: ହମାସ୍‌ ବିରୋଧରେ ଯୁଦ୍ଧ ଆରମ୍ଭ ପରଠାରୁ ଗାଜାରେ ଅଟକି ଥିବା ବିଦେଶୀ ନାଗରିକମାନେ ବୁଧବାର ଗାଜାର ଦକ୍ଷିଣ ସୀମା ସଂଲଗ୍ନ ଇଜିପ୍ଟର ରାଫା ସୀମାନ୍ତ ଫାଟକ ଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶେଷ କରି ଯେଉଁମାନଙ୍କର ପାସପୋର୍ଟ ରହିଛି ସେହିମାନଙ୍କୁ ଗାଜା ଛାଡ଼ିବାର ସୁଯୋଗ ମିଳିଛି; ତେବେ କେତେ ବିଦେଶୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ପ୍ରାୟ ୪୦୦ ବୋଲି ଜଣାପଡ଼ିଛି। ଗାଜାରେ ୪୪ଟି ଦେଶର ପାସପୋର୍ଟଧାରୀ ନାଗରିକ ଓ ଜାତିସଂଘ ସହ ୨୮ଟି ସଂଗଠନର ସଦସ୍ୟ ତଥା କର୍ମଚାରୀ ଅବସ୍ଥାନ କରୁଥିବା ପ୍ରକାଶ। ଅକ୍ଟୋବର ୭ ପରେ ପ୍ରଥମ ଥର ଇଜିପ୍ଟ ରାଫା ସୀମାନ୍ତ ଫାଟକ ଖୋଲିବାରୁ ଏହା ସମ୍ଭବ ହୋଇଛି। ଅପରପକ୍ଷରେ ଇଜିପ୍ଟରୁ ରାଫା ଫାଟକ ଦେଇ ୨୦୦ ରିଲିଫ୍‌ ସାମଗ୍ରୀ ଥିବା ଟ୍ରକ୍‌ ଗାଜାକୁ ପ୍ରବେଶ କରିଛି। ଏହା ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ଫାଟକ ଅତିକ୍ରମ କରିବାର ସୁଯୋଗ ମିଳିନାହିଁ। ଇସ୍ରାଏଲ-ହମାସ୍‌ ଯୁଦ୍ଧ ପରେ ଗାଜାରୁ ପ୍ରାୟ ୨ଲକ୍ଷ ୪୦ହଜାର ପାଲେଷ୍ଟିନୀୟ ପଳାୟନ କଲେଣି।

https://samajalive.in/train-accident-17/509343.html

- Advertisement -

ଏକ ମହତ୍ତ୍ବପୂର୍ଣ୍ଣ ଘଟଣାକ୍ରମେ ଇଜିପ୍ଟ ସ୍ବତନ୍ତ୍ର ପରିସ୍ଥିତିରେ କିଛି ପାଲେଷ୍ଟିନୀୟଙ୍କୁ ନିଜ ଦେଶରେ ପ୍ରବେଶ ଅନୁମତି ଦେଇଛି। ପ୍ରଥମ ଦଫାରେ ୮୮ ଜଣ ଗୁରୁତର ଆହତ ତଥା ଅସୁସ୍ଥ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବୁଧବାର ଇଜିପ୍ଟରେ ପ୍ରବେଶ କରିଛନ୍ତି। କତାରର ମଧ୍ୟସ୍ଥତା ଯୋଗୁଁ ଏହା ସମ୍ଭବ ହୋଇଛି। ଇଜିପ୍ଟ ସୀମିତ ଲୋକଙ୍କୁ ପ୍ରବେଶ ଅନୁମତି ଦେଇଥିବା ପ୍ରକାଶ। ଆମେରିକା ସହାୟତାରେ ଇସ୍ରାଏଲ, ଇଜିପ୍ଟ ଓ ହମାସ୍‌ ସହିତ କତାର ଚଳାଇଥିବା ଆଲୋଚନା ପରେ ଏହି ସଫଳତା ମିଳିଛି। ଏ ନେଇ ତିନି ରାଷ୍ଟ୍ର ମଧ୍ୟରେ ଏକ ରାଜିନାମା ହୋଇଥିବା ଜଣାପଡ଼ିଛି। ଏହି ଅନୁସାରେ ବିଦେଶୀ ନାଗରିକ ଓ ଗୁରୁତର ଅସୁସ୍ଥଙ୍କୁ ରାଫା ସୀମାନ୍ତ ଦେଇ ଇଜିପ୍ଟ ବା ସ୍ବଦେଶ ପ୍ରତ୍ୟାବର୍ତ୍ତନର ସୁଯୋଗ ମିଳିବ। ଏହା କେତେ ଦିନ ବଳବତ୍ତର ରହିବ ତାହା ସ୍ପଷ୍ଟ ହୋଇନାହିଁ। ମଙ୍ଗଳବାର ଗାଜାସ୍ଥିତ ଜାବାଲିଆ ଶରଣାର୍ଥୀ ଶିବର ଉପରେ ଇସ୍ରାଏଲର ରକେଟ ମାଡ଼ ଯୋଗୁଁ ୫୦ଜଣଙ୍କର ମୃତ୍ୟୁ ସହ ଆହତ ୧୫୦ ହୋଇଛନ୍ତି।

ଏହି ଶିବିରରେ ଥିବା ‘ଅଲ୍‌ ଜଜିରା’ ଟିଭିର ଜଣେ ଇଞ୍ଜିନିୟରଙ୍କ ପରିବାରର ୧୯ ସଦସ୍ୟ ପ୍ରାଣ ହରାଇଥିବା ପ୍ରକାଶ। ଏହି ଆକ୍ରମଣ ଘଟଣାକୁ ଇଜିପ୍ଟ ନିନ୍ଦା କରିଛି; ତେବେ ଏଥିରେ ଜଣେ ହମାସ୍‌ର ଜାବାଲିଆ ବାହିନୀ କମାଣ୍ଡର ଇବ୍ରାହିମ୍‌ ବିଆରି ସମେତ ବହୁ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଇସ୍ରାଏଲ କହିଛି। ଏହି ଆକ୍ରମଣରେ ଶରଣାର୍ଥୀ ଓ ଆତଙ୍କବାଦୀଙ୍କୁ ମିଶାଇ ୪୦୦ ମୃତାହତ ହୋଇଥିବା ହମାସ୍‌ କହିଛି।

ଅପରପକ୍ଷରେ ଇସ୍ରାଏଲ ସେନା ହମାସ୍‌ର ସୁଢ଼ଙ୍ଗରେ ପ୍ରବେଶ କରି ଜୋର୍‌ଦାର ଆକ୍ରମଣ ଚଳାଇଛି। ସୁଢ଼ଙ୍ଗ ଭିତରେ ପ୍ରାୟ ୨୪୦ ପଣବନ୍ଦୀ ରହିଥିବାବେଳେ ସେମାନଙ୍କୁ ଉଦ୍ଧାର ଉଦ୍ୟମ କରାଯାଉଛି। ସୁଢ଼ଙ୍ଗରେ ଚାଲିଥିବା ଲଢ଼େଇରେ ବହୁ ସଂଖ୍ୟକ ପଣବନ୍ଦୀଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି; ତେବେ ହମାସ୍‌ ଆକ୍ରମଣରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଇସ୍ରାଏଲର ସର୍ବାଧିକ ୧୧ ସୈନିକ ପ୍ରାଣ ହରାଇଛନ୍ତି। ଯୁଦ୍ଧରେ ଇସ୍ରାଏଲର ମୋଟ ୩୨୬ ସୈନିକ ପ୍ରାଣ ହରାଇଲେଣି। ଇରାନ୍‌ ସମର୍ଥିତ ହାଉତି ବିଦ୍ରୋହୀ ୟେମେନ୍‌ରୁ ଇସ୍ରାଏଲ ଉପରେ ଆକ୍ରମଣ ଚଳାଇଛନ୍ତି। ହାଉତି ବିଧିବଦ୍ଧ ଭାବେ ଯୁଦ୍ଧରେ ସାମିଲ ହୋଇଥିବା ଘୋଷଣା କରିଛି। ଏହା କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ କରିବା ପରେ ମୁକାବିଲା ପାଇଁ ଇସ୍ରାଏଲ ଲୋହିତ ସାଗରର ଐଲାତ୍‌ ବନ୍ଦରରେ କ୍ଷେପଣାସ୍ତ୍ର ଜାହାଜ ମୁତୟନ କରିଛି। ଯୁଦ୍ଧରେ ୩୫୪୨ ଶିଶୁ ଓ ୨୧୮୭ ମହିଳାଙ୍କ ମୃତ୍ୟୁକୁ ନେଇ ଜାତିସଂଘ କ୍ଷୋଭ ପ୍ରକାଶ କରିଛି। ଶରଣାର୍ଥୀ ଶିବିର ଉପରେ ଆକ୍ରମଣକୁ ତୀବ୍ର ନିନ୍ଦା କରି ଇସ୍ରାଏଲରେ ଅବସ୍ଥାପିତ ସେମାନଙ୍କ ରାଷ୍ଟ୍ରଦୂତଙ୍କୁ କଲମ୍ବିଆ, ଚିଲି, ବୋଲିଭିଆ ଆଦି ରାଷ୍ଟ୍ର ଫେରାଇ ଆଣିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଶୁକ୍ରବାର ପୁନର୍ବାର ଇସ୍ରାଏଲ ଯିବେ ଓ ଗାଜା ପଟିର ଭବିଷ୍ୟତ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଅପରପକ୍ଷରେ ହମାସ୍‌ ଦ୍ବାରା ଅପହୃତ ଇସ୍ରାଏଲ ନାଗରିକଙ୍କ ପରିବାର ଆନ୍ତର୍ଜାତିକ ଅଦାଲତ ‘ଆଇସିଜେ’ର ଦ୍ବାରସ୍ଥ ହୋଇଛନ୍ତି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories