ଲୁହ, କିଛି ସତ କିଛି ମିଛ…

ଦିନେ ଦୁଃଖ ଓ ଅଭିମାନରେ ଜର୍ଜରିତ ହୋଇ ଭକ୍ତ ଗାଇ ଉଠିଥିଲା, ଟୋପାଏ ଲୁହରେ ଭସାଇ ଦେବି ତୋ ଦେଉଳ..। ସତରେ କ#ଣ ଏପରି ହେବା ସମ୍ଭବ! ତେବେ ଆତ୍ମାକୁ ବାଧିଲେ, ଆଖିରୁ ଯେଉଁ ଲୁହ ଝରେ, ତାହା ବ୍ୟର୍ଥ ଯାଏନା ବୋଲି କୁହାଯାଏ। ଅଭିଶାପ ହୋଇ, ଲୁହର କାରଣ ସାଜିଥିବା ବ୍ୟକ୍ତିର ସର୍ବନାଶ କରେ। ଏହି ସାମାନ୍ୟ ମନେ ହେଉଥିବା ଲୁଣିଆ ପାଣି ଟିକକର ବେଶ୍ କରାମତି। ଆଖି ଫିଟିଲା ଦିନରୁ ନେଇ ଆଖି ବୁଜିଲା ପର୍ଯ୍ୟନ୍ତ, ସେ ଆଖିର ସହଚର ସାଜେ।
ସୁଖ ଓ ଦୁଃଖ ଦୁଇଟି ଯାକ ସnକ୍ଷ୍ମ ଅନୁଭବ ଆମ ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ। ସାଧାରଣ ମଣିଷ ଟିଏ ଖୁସି ହେଲେ ହସେ, ଦୁଃଖୀ ହୋଇ କାନ୍ଦେ। ଦୁଃଖ ଯେବେ ଲୁହ ହୋଇ ଝରିଯାଏ, ମନକୁ ବେଶ୍ ଆରାମ୍ ଲାଗେ । କେତେକ ସମୟରେ ଅତ୍ୟଧିକ ଖୁସିରେ ମଧ୍ୟ ଭାବପ୍ରବଣ ହୋଇ ଆମ ଆଖିରେ ଲୁହ ଭରିଯାଏ । ଆମ ଅନ୍ତର ପରିପ୍ରକାଶ କରିବାକୁ ଚାହିଁ, ଭାଷାରେ ବ୍ୟକ୍ତ କରିପାରୁ ନ ଥିବା ଆବେଗ ଗୁଡିକ ଲୁହ ହୋଇ ଝରି ପଡେ। ତେବେ ଅନ୍ୟ ଆଖିରେ ଲୁହ ଦେଖିଲେ ଆମ ହୃଦୟ ତରଳି ଯାଏ। ସ୍ବଭାବରେ ପୁରୁଷଟିଏ ନାରୀ ତୁଳନାରେ କଠୋର ହୋଇଥିବାରୁ ସେ ସହଜରେ କାନ୍ଦି ପାରେନା; କିନ୍ତୁ ନିଜ ଭାରାକ୍ରାନ୍ତ ହୃଦୟର ଭାର ଲାଘବ କରିବା ପାଇଁ ଲୁହ, ନାରୀକୁ ବେଶ୍ ସାହାଯ୍ୟ କରେ। ଆଉ ଶାରୀରିକ ଭାବେ ନାରୀ, ପୁରୁଷ ଠାରୁ ଦୁର୍ବଳ ହୋଇଥିବାରୁ ଏହି ଲୁହକୁ ନିଜର ପ୍ରଧାନ ଅସ୍ତ୍ର ରୂପେ ବ୍ୟବହାର କରେ ବୋଲି କୁହାଯାଏ। ଅନେକ ଯୁଦ୍ଧରେ ପ୍ରତ୍ୟକ୍ଷରେ ପୁରୁଷର ଶକ୍ତି ପ୍ରଦର୍ଶନର ଔଦ୍ଧତ୍ୟଟି ଦିଶୁଥିଲେ ବି ପରୋକ୍ଷରେ ନାରୀ ଆଖିର ଲୁହ ନିଜର ଅଭିଳାଷ ଚରିତାର୍ଥ କରେ। ବିଶ୍ବାସ କରାଯାଏ ଯେ, ନାରୀ ଆଖିରେ ଲୁହ ଦେଖିଲେ, ଯେତେ କଠୋର ହୃଦୟର ପୁରୁଷ ବି ବିଗଳିତ ହୁଏ। ସେ ନାରୀଟି ପାଇଁ, ପୃଥିବୀର ସବୁ ପ୍ରତିବନ୍ଧକ ସହିତ ଲଢିବା ପାଇଁ ପ୍ରସ୍ତୁତ ହୋଇଯାଏ।
ପୁଣି ପୁରୁଷ ଆଖିରୁ ସହଜରେ ଲୁହ ଝରେ ନାହିଁ। ଲୁହପରି ଭାବାତ୍ମକ ଆବେଗକୁ ସେ ଅନାୟାସରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିପାରେ ନାହିଁ। ପୁରୁଷ ପଣିଆର ଅହଂ ଆସି ତା’ ବାଟ ଓଗାଳେ। ଆଖିରୁ ଝରି ଆସୁଥିବା ଲୁହକୁ ସେ ନିଜେ ହିଁ ପ୍ରଶ୍ନ କରେ, ‘ମୁଁ କ’ଣ ଝିଅ ପିଲା ଯେ କାନ୍ଦିବି!’ ଯେଉଁ ଲୁହ ଝରାଇ ଦେଲେ, ଅଶାନ୍ତ ହୃଦୟ ତା’ର ଶାନ୍ତ ପଡି ଯାଆନ୍ତା, ସେଇ ଲୁହକୁ ମନରେ ସାଇତି ସେ ନିଜକୁ ଆହୁରି କଠୋର କରିବା ପାଇଁ ଚେଷ୍ଟା କରେ। ଅନ୍ତରରେ କାନ୍ଦି ବାହାରେ ହସିବାର ଅଭିନୟ କରିବାକୁ ପୁରୁଷଟିଏ ଭଲ ପାଏ। ମାତ୍ର ଟିକେ ଟିକେ କଥାରେ ନାରୀ କାନ୍ଦୁ ଥିବାରୁ ନାରୀକୁ ନାକ କାନ୍ଦୁରୀର ଆଖ୍ୟା ମିଳି ଥିଲାବେଳେ, ସହଜରେ ପୁରୁଷ ଟିଏ କାନ୍ଦୁ ନ ଥିବାରୁ, କଦବା କ୍ବଚିତ ସେ ଯଦି କାନ୍ଦେ ତେବେ ନାରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଭାବପ୍ରବଣ ହୋଇଉଠନ୍ତି।
ହେଲେ ‘ହସ’ ସହିତ କୁଟିଳ, ତାଚ୍ଛଲ୍ୟ, କୃତ୍ରିମ, ପରି ଅପଯଶ ବହନ କରୁଥିବା ଶବ୍ଦମାନେ ଯୋଡା ଯାଉଥିଲେ ବି ଲୁହକୁ ପୂରାପୂରି ନୀରିହ ବୋଲି ଗ୍ରହଣ କରାଯାଇଥାଏ। ତେଣୁ ଜଣେ କାନ୍ଦିଲେ ଆଉ ପାଞ୍ଚଜଣ ତା’ ଲୁହ ପୋଛି, ତାକୁ ସାନ୍ତ୍ବନା ଦେବା ପାଇଁ ପହଞ୍ଚି ଯାଆନ୍ତି; କିନ୍ତୁ ବେଳେବେଳେ କୁମ୍ଭୀର କାନ୍ଦଣା ବୋଲି ଶବ୍ଦଟିଏ ଆମେ ଶୁଣିବାକୁ ପାଉ। କେହି ମିଛରେ, ଛଳନାକୁ ଆଶ୍ରା କରି ଆଖିରୁ ପାଣି ଝରାଇଲେ, କୁହାଯାଏ ସେ କୁମ୍ଭୀର କାନ୍ଦଣା କାନ୍ଦୁଚି ବୋଲି। ହେଲେ କୁମ୍ଭୀର କ’ଣ ସତରେ କାନ୍ଦେ? ବିଜ୍ଞାନ କହେ, ଉଭୟଚର ହୋଇଥିଲେ ବି କୁମ୍ଭୀର ବେଶି ସମୟ ପାଣି ବାହାରେ ରହିଲେ, ତା’ର ଆଖି ଶୁଷ୍କ ଅନୁଭବ କରେ, ଯାହାକୁ ପିଚ୍ଛିଳ ରଖିବା ପାଇଁ କୁମ୍ଭୀର ଆଖିରୁ ଲୁହ ଝରେ। ହେଲେ କେହି ଜଣେ ମହାନୁଭବ ନିଜ ଦାର୍ଶନିକ ମସ୍ତିଷ୍କକୁ ଖେଳାଇ ଜଣେଇ ଦେଲେ ଯେ କୁମ୍ଭୀର ନିଜ ନିରୀହତା ପ୍ରଦର୍ଶନ କରି ଶିକାରକୁ ସହଜରେ ଫସାଇବା ପାଇଁ ଏପରି ମିଛ ଲୁହ ଝରାଇଥାଏ। ବାସ୍, ରାଜନେତାମାନେ ଏମିତି ଲୁହ ଝରାଇବାରେ ନିଜକୁ ପାରଙ୍ଗମ କରିବା ପାଇଁ ହୋଇଗଲେ ତତ୍ପର। ରାଜନୀତିରେ ଅଭିନୟ ପଟୁତାର ଆବଶ୍ୟକତା ବିଷୟରେ ରାଜନେତାମାନେ ବେଶ୍ ଜାଣନ୍ତି। ତେଣୁ ଲୋକଙ୍କ ଆଗରେ ମୁଁ ତମରି ଭଳି ସାଧାରଣ ମଣିଷଟିଏ ବୋଲି ଦେଖାଇବା ପାଇଁ ସାଧାରଣ ବେଶ ପୋଷାକ ପକେଇ ତାଙ୍କରି ସହିତ ଏକାଠି ବସି ଭାତ ଡାଲମା ଖାଇ, ନିଜକୁ ତାଙ୍କର ଦରଦୀ ବନ୍ଧୁ ବୋଲି ଦର୍ଶାଇବା ପାଇଁ ଯିଏ ଯେତେ ଲୁହ ଝରାଇଲା ସେତେ ଭୋଟ ଆସିଲା ତା’ ପକେଟକୁ।
ତେଣୁ ଆଜି କାନ୍ଦିବାର ଏକରକମ ପ୍ରତିଯୋଗିତା ଚାଲିଛି। ଯିଏ ଯେତେ କାନ୍ଦି ପାରିଲା ସେ ସେତେ ସଫଳ। ଆପଣଙ୍କ ବିବାହ ବ୍ରତରେ ନେତାଏ ଆସନ୍ତୁ ନ ଆସନ୍ତୁ କିନ୍ତୁ ବୋଉର ଦ୍ବାଦଶାହରେ ପହଞ୍ଚି ସମବେଦନା ଜଣାଇବାଟା ନିଧାର୍ଯ୍ୟ, ତେଣିକି ଆପଣଙ୍କ ସହିତ ଉପସ୍ଥିତ ସମସ୍ତଙ୍କ ହୃଦୟରେ ପଡିଲା ଚାପ.. ଆଉ, ଦୁଃଖ ସମୟରେ ଆସି ଠିଆ ହୋଇଛି ଇଏ କ’ଣ କମ୍ କଥା! ନେତାଙ୍କୁ, କାନ୍ଦମାଡୁ କି ନମାଡୁ, ଆଖି ମକଚି, ନାକକୁ ମିଛରେ ସୁଁ ସୁଁ କରି, ରୁମାଲରେ ମୁହଁ ପୋଛିଲେ ଲୋକେ କାନ୍ଦୁଚି ବୋଲି ଧରି ନିଅନ୍ତି। ଭାଷଣ ଦେଲାବେଳେ, କ୍ୟାମେରା ଆଗରେ ଆପଣ ଯଦି ଦୁଇ ଚାରିପଦ ଭାବପ୍ରବଣ ହୋଇ କହି ଆଖି ଛଳଛଳ କରି ପାରିଲେ, ତେବେ ଆପଣଙ୍କ ନିର୍ବାଚନ ବୈତରଣୀ ପାରିହେବା ଖୁବ ସହଜ ହୋଇଯାଏ। କେତେଜଣ ବା ବୁଝିପାରନ୍ତି ନିର୍ବାଚନ ଆଗରୁ ଜନତାଙ୍କ ଦୁଃଖରେ କାନ୍ଦୁଥିବା ନେତାଟି ନିର୍ବାଚନ ପରେ ଜନତାଙ୍କୁ କନ୍ଦାଏ ବୋଲି। କଥାରେ ଅଛି ଚୌକି ବଦଳାଇ ଦିଏ ଚେହେରା। ତେଣୁ ଚୌକିରେ ବସୁ ବସୁ ତାଙ୍କ ଅସଲ ରୂପଟି ଦିଶେ। ଭୋଟରଙ୍କୁ ଦେଖାକରି ତାଙ୍କ ସମସ୍ୟାକୁ ନିଜ ସମସ୍ୟା କହୁଥିବା ନେତାଙ୍କର ଆଉ ଧରାଛୁଆଁ ମିଳେନା। ନିର୍ବାଚନ ପୂର୍ବରୁ ଜନତାଙ୍କ ସେବା ପାଇଁ ବିକଳ ହେଉଥିବା ନେତାଟି ନିଜ ପେଟ ଓ ପକେଟର ସେବାରେ ଏତେ ବ୍ୟସ୍ତ ରହେ ଯେ ଦୀର୍ଘ ପାଞ୍ଚବର୍ଷ ମଧ୍ୟରେ ତା’ର ଜନତାଙ୍କ କଥା ମନେପଡେ ନାହିଁ।
ସେ, ନିଜ ପାଇଁ ଦେଉଳ ତୋଳିବାରେ ହୋଇଯାଏ ମଗ୍ନ। ଚାଟୁକାରମାନେ ମହାମାନ୍ୟ, ମାନ୍ୟବର ପରି ସମ୍ବୋଧନ କରି ତା’ ପାଦ ତଳେ ମୁଣ୍ଡିଆ ମାରନ୍ତି। ହେଲେ ସେ ଭୁଲି ଯାଏ ଯେ ଜନତା ଯେଉଁ ମୁହୂର୍ତ୍ତରେ ନିଜ ଅଧିକାର ବିଷୟରେ ସଚେତନ ହେବେ ସେଇ ମୁହୂର୍ତ୍ତରେ ଟୋପାଏ ଲୁହରେ ନେତାଙ୍କ ଦେଉଳକୁ ଭସେଇ ଦେବେ। ତେବେ ଆମ ଜନତା, ମଦ, କୁକୁଡା ଓ ପାଞ୍ଚଶହ ଟଙ୍କିଆ ନୋଟ୍ ବଦଳରେ ନିଜର ଓ ନିଜ ପିଲାଙ୍କ ଭବିଷ୍ୟତ ଏଇ ବାହାରେ କାନ୍ଦି ଭିତରେ ହସର ଉଚ୍ଛ୍ବାସରେ କୁରୁଳି ଉଠୁଥିବା ନେତାଙ୍କୁ ଟେକିଦେବାରେ ଅଭ୍ୟସ୍ତ। ତେଣୁ ଗୋଟିଏ ଦିନ ମଦ କୁକୁଡା ଖାଇ ବାକି ପାଞ୍ଚବର୍ଷ କାନ୍ଦିବା ହୋଇଛି ଭାଗ୍ୟରେ ଲେଖା। ଚେଇଁ ଶୋଇଥିବା ଲୋକକୁ ଉଠେଇବା କ’ଣ ଏତେ ସହଜ କଥା କି!

ଛନ୍ଦ୍ରା ମିଶ୍ର
chhandamishra74@gmail.com

Comments are closed.