www.samajalive.in
Monday, December 15, 2025
26.1 C
Bhubaneswar

ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ଡ. ହରେକୃଷ୍ଣ ମହତାବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର:  ଆମ ଦେଶ ପରାଧୀନ ଥିବାବେଳେ ବିଦେଶୀ ଶାସନର ଅତ୍ୟାଚାର ନିପୀଡ଼ନ ଓ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରି ଗାନ୍ଧିଜୀଙ୍କ ଆହ୍ୱାନରେ ଯେଉଁ ବୀର ସଂଗ୍ରାମୀମାନେ ନିଜ ଜୀବନକୁ ବାଜି ଲଗାଇ ମୁକ୍ତି ସଂଗ୍ରାମର ମଶାଲ ପ୍ରଜ୍ୱଳିତ କରି ରଖିଥିଲେ ସେମାନଙ୍କ ମଧ୍ୟରେ ଡ. ହରେକୃଷ୍ଣ ମହତାବ ଥିଲେ ଅଗ୍ରଗଣ୍ୟ। ସେ ଏକାଧାରରେ ଥିଲେ ରାଷ୍ଟ୍ରନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସମାଜସେବକ, କବି, ସାହିତ୍ୟିକ, ରାଜନୀତିଜ୍ଞ, କୁଟନୀତିଜ୍ଞ, ସାମ୍ବାଦିକ, ନିର୍ଭୀକ କରିତ୍‌କର୍ମା ତଥା ନବ ଉତ୍କଳର ନିର୍ମାତା। ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ତାଙ୍କର ଅବଦାନ ଅତୁଳନୀୟ।  ଡ. ମହତାବ ଜଣେ ବ୍ୟକ୍ତିବିଶେଷ ନଥିଲେ। ସେ ଥିଲେ ଓଡ଼ିଶାର ଏକ ବହୁମୁଖୀ ସ୍ୱୟଂସଂପୂର୍ଣ୍ଣ ଅନୁଷ୍ଠାନ, ଏପରିକି ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସ୍ୱକୀୟତା, ସାହସ ଓ ନିର୍ଭୀକତାର ପରିସ୍ପୁଟନ ହେଉଥିଲା। ଯଥାର୍ଥରେ ସେ ଥିଲେ ଉତ୍କଳକେଶରୀ । ଓଡ଼ିଶାର ପ୍ରାଣ ଡ. ମହତାବ ଜଣେ ସୁଯୋଗ୍ୟ କର୍ମବୀର ଓ ସ୍ୱାଭିମାନର ମହାନାୟକ ଥିଲେ। ପ୍ରଚଣ୍ଡ ପ୍ରତିଭାଧାରୀ ଡ. ମହତାବଙ୍କ ଅବଦାନ ଅବିସ୍ମରଣୀୟ । ୧୯୮୭ ମସିହା ଜାନୁଆରୀ ୨ ତାରିଖରେ ତାଙ୍କର କର୍ମମୟ ଜୀବନର ଅବସାନ ଘଟିଲା।
ସ୍ୱର୍ଗତ ଡ. ହରେକୃଷ୍ଣ ମହତାବଙ୍କ ୩୮ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଓଡ଼ିଶା ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ବାବୁ ସିଂ, ଅଖିଳ ଚନ୍ଦ୍ର ନାୟକ, ନୀଳମଣି ବିଶୋଇ, ବିଧାନସଭାର ସଚିବ ଦାଶରଥି ଶତପଥୀ ପ୍ରମୁଖ ଉପସ୍ଥିତ ରହି ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହି ଅବସରରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories