
ଓଡ଼ିଆ ଭାଷାର ଉତ୍ସ

ଏକ ପ୍ରଚଳିତ ବଦ୍ଧମୂଳ ଧାରଣା ହେଉଛି ସଂସ୍କୃତ ସର୍ବପ୍ରାଚୀନ ଭାଷା, ଯାହା କାଳକ୍ରମେ ବଦଳିବଦଳି ଓଡ଼ିଆ ଭାଷାରେ ପରିଣତ ହୋଇଛି; ତେଣୁ ଓଡ଼ିଆ ଭାଷାର ଉତ୍ସ ବା ଜନନୀ ହେଉଛି ସଂସ୍କୃତ। ସଂସ୍କୃତ ଓଡ଼ିଆରେ ପରିଣତ ହେବାର ପଥକୁ ଚମତ୍କାର ଭାବରେ ଅତ୍ୟନ୍ତ ମନଲୋଭା ତଥା ବିଶ୍ୱାସଯୋଗ୍ୟ କରି ଉପସ୍ଥାପନ କରାଯାଇଛି। ଏହି ସିଦ୍ଧାନ୍ତ ଅନୁସାରେ, ସଂସ୍କୃତ ଭାଷାଭାଷୀ ଆର୍ଯ୍ୟମାନେ ମୂଳତଃ ଭାରତର ଅଧିବାସୀ ନୁହନ୍ତି, ସେମାନେ ଖ୍ରୀ.ପୂ.୩୦୦୦ରୁ ଖ୍ରୀ.ପୂ.୧୫୦୦ ମଧ୍ୟରେ ଅନ୍ତତଃ ତିନିଗୋଟି ପର୍ଯ୍ୟାୟରେ ୟୁରୋପରୁ ଭାରତକୁ ଆସିଛନ୍ତି। ସେମାନଙ୍କ ମୂଳଭାଷା ସଂସ୍କୃତ ବା ଋକ୍ବେଦୀୟ ଭାଷାରେ କାଳକ୍ରମେ ପରିବର୍ତନ ଘଟିଛି। ପରିବର୍ତ୍ତନର ଏହି ଧାରା ମୁଖ୍ୟତଃ ୩ ଭାଗରେ ବିଭକ୍ତ; ଯଥା (କ) ପ୍ରାଚୀନ ଭାରତୀୟ ଆର୍ଯ୍ୟଭାଷା (ଖ୍ରୀ.ପୂ ୧୫୦୦-ଖ୍ରୀ.ପୂ ୫୦୦), (ଖ) ମଧ୍ୟ ଭାରତୀୟ ଆର୍ଯ୍ୟଭାଷା (ଖ୍ରୀ.ପୂ.୫୦୦-ଖ୍ରୀଷ୍ଟୀୟ ୧୦୦୦), (ଗ) ଆଧୁନିକ ଭାରତୀୟ ଆର୍ଯ୍ୟଭାଷା (ଖ୍ରୀଷ୍ଟୀୟ ୧୦୦୦-ଅଦ୍ୟାବଧି)। ପୁନଶ୍ଚ ପ୍ରାଚୀନ ଭାରତୀୟ ଆର୍ଯ୍ୟଭାଷା ବା ସଂସ୍କୃତକୁ ବୈଦିକ ସଂସ୍କୃତ (ଖ୍ରୀ.ପୂ.୧୫୦୦-ଖ୍ରୀ.ପୂ.୮୦୦), ଲୌକିକ ସଂସ୍କୃତ (ଖ୍ରୀ.ପୂ.୮୦୦-ଖ୍ରୀ.ପୂ.୫୦୦) ଏବଂ ମଧ୍ୟ ଭାରତୀୟ ଆର୍ଯ୍ୟଭାଷାକୁ ପାଲିସ୍ତର (ଖ୍ରୀ.ପୂ.୫୦୦-ଖ୍ରୀ.ପୂ ୨୦୦), ପ୍ରାକୃତସ୍ତର (ଖ୍ରୀ.ପୂ ୨୦୦-ଖ୍ରୀଷ୍ଟୀୟ ୫୦୦), ଅପଭ୍ରଂଶସ୍ତର (ଖ୍ରୀଷ୍ଟୀୟ ୫୦୦-ଖ୍ରୀଷ୍ଟୀୟ ୧୦୦୦)ରେ ବିଭକ୍ତ କରାଯାଇଛି। ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୩୦୦୦ରୁ ଖ୍ରୀଷ୍ଟପୂର୍ବ ୧୫୦୦ ବର୍ଷ ତଳର ବିଦେଶାଗତ ମୂଳ ସଂସ୍କୃତଭାଷା କାଳକ୍ରମେ ବଦଳି ବଦଳି ବୈଦିକ ସଂସ୍କୃତ, ଲୌକିକ ସଂସ୍କୃତ, ପାଲି, ପ୍ରାକୃତ, ଅପଭ୍ରଂଶର ପଥଦେଇ ଖ୍ରୀଷ୍ଟୀୟ ୧୦୦୦ ବେଳକୁ ଓଡ଼ିଆ ଭାଷାରେ ପରିଣତ ହୋଇଛି। ଏହା ଆଦୌ ସତ୍ୟ ନୁହେଁ। ଜର୍ଜ ଆବ୍ରାହମ୍ ଗ୍ରିଅରସନ୍ଙ୍କ ପରି କେତେକ ବିଦେଶୀ ଭାଷାବିଜ୍ଞାନୀ ସମୃଦ୍ଧ ସଂସ୍କୃତଭାଷା ଭାରତର ନିଜସ୍ୱ ନୁହେଁ, ସଂସ୍କୃତ ୟୁରୋପରୁ ଆଗତ ବୋଲି ପ୍ରମାଣ କରିବା-ପ୍ରୟାସର ଏହା ଫଳ ମାତ୍ର। ଅତ୍ୟନ୍ତ ପରିତାପର ବିଷୟ ଏହି ଯେ, ଆଜି ବି ଭାରତର ଭାଷାବିଜ୍ଞାନୀମାନେ ଏହି ସିଦ୍ଧାନ୍ତକୁ ଗ୍ରହଣ କରି ଆସୁଛନ୍ତି ଏବଂ ଭାରତର ତଥା ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଏହା ପଢ଼଼ାହୋଇ ଆସୁଛି। ଏହା କିପରି ଅମୂଳକ, ତାହା ଏଠାରେ ପ୍ରମାଣିତ ହେବ ଏବଂ ନୂତନ ସିଦ୍ଧାନ୍ତର ଅବତାରଣା କରାଯିବ।
ମନକୁ ପ୍ରଶ୍ନ ଆସେ, ସତରେ କ’ଣ ଦିନେ ସଂସ୍କୃତ କଥିତଭାଷା ବା ମାତୃଭାଷା ଥିଲା, ଯାହାକି ବଦଳି ବଦଳି ଓଡ଼ିଆ, ବଂଗଳା, ଅସମିଆ, ମରାଠୀ ଆଦି ଭାଷା (ତଥାକଥିତ ଆଧୁନିକ ଭାରତୀୟ ଆର୍ଯ୍ୟଭାଷା)ରେ ପରିଣତ ହୋଇଛି? ଏହା ଏକ ପ୍ରଚାର ମାତ୍ର, ସତ୍ୟର ତେଜୀୟାନ ସୂର୍ଯ୍ୟକୁ ପ୍ରଚାରର କଳା ବାଦଲ ଅବଶ୍ୟ ଢାଂକି ଦେଇଛି। ସଂଦେହ ଜାତ ହୁଏ, ସଂଦେହର କାରଣ ଅବଶ୍ୟ ଅନେକ, ଯେପରି- (କ) ବର୍ତ୍ତମାନର ପଞ୍ଜାବୀ, ଗୁଜୁରାଟୀ, ରାଜସ୍ଥାନୀ, ମରାଠୀ, ବିହାରୀ, ଓଡ଼ିଆ, ଅସମିଆ, ବଂଗାଳୀ ଆଦି ଭାଷା ଯଦି ଖ୍ରୀ.ଅ ୧୦୦୦ ପରବର୍ତ୍ତୀ ସମୟରେ ସଂସ୍କୃତରୁ ଉଦ୍ଭୂତ, ତେବେ ଆର୍ଯ୍ୟମାନେ ଭାରତକୁ ଆସିବା ପୂର୍ବରୁ ଏ ବିଶାଳ ଭୂଖଣ୍ଡ କ’ଣ ଜନଶୂନ୍ୟ ହୋଇ ରହିଥିଲା? ଯଦିବା ଜନବସତି ଥିଲା, ଗଠନ ଦୃଷ୍ଟିରୁ ସେମାନଙ୍କର ଭାଷା ତ ଦ୍ରାବିଡ଼ କି ଅଷ୍ଟ୍ରିକ୍ ହୋଇନଥିବ ନିଶ୍ଚୟ, ତେବେ ସେ ଲୋକମାନେ କ’ଣ ମୂକ ଥିଲେ? ପରସ୍ପର ମଧ୍ୟରେ ବାଚନିକ ଭାବ ବିନିମୟ କରୁନଥିଲେ? (ଖ) ଧରିନିଆଯାଉ ଆର୍ଯ୍ୟମାନଙ୍କର ଆଗମନ ପୂର୍ବରୁ ଏହି ଅଞ୍ଚଳରେ ଦ୍ରାବିଡ ବା ଅଷ୍ଟ୍ରିକ ଲୋକେ ବସବାସ କରୁଥିଲେ; କିନ୍ତୁ ତଥାକଥିତ ଆର୍ଯ୍ୟମାନେ କ’ଣ ଏତେ ସଂଖ୍ୟାରେ ଆସିଥିଲେ ଆଉ ସେମାନଙ୍କର ବଂଶ ଏପରି ବୃଦ୍ଧି ଘଟିଲା ଯେ, ଦ୍ରାବିଡ଼ଙ୍କୁ ଭାରତର ଦକ୍ଷିଣ ଭାଗକୁ ଓ ଆଦିବାସୀ ବା ଅଷ୍ଟ୍ରିକମାନଙ୍କୁ ବଣକୁ ତଡ଼ି ଦେଇ ସେମାନେ ଏହି ବିଶାଳ ଭୂଖଣ୍ଡରେ ବସବାସ କଲେ? ଅଥଚ ଦ୍ରାବିଡ ଓ ଅଷ୍ଟ୍ରିକମାନଙ୍କ କ୍ଷେତ୍ରରେ ସେପରି ଘଟିଲାନାହିଁ। (ଗ) ରାମାୟଣର ବର୍ଣ୍ଣନା ଅନୁସାରେ ସୀତାଙ୍କୁ ଠାବ କଲା ପରେ ତାଙ୍କ ସହିତ କେଉଁ ଭାଷାରେ କଥା ହେବେ ବୋଲି ହନୁମାନ ଚିନ୍ତା କରିଛନ୍ତି, ହନୁମାନଙ୍କ ମୁଖରେ ବାଲ୍ମୀକି କହିଛନ୍ତି- ‘‘ମୁଁ ଯଦି ବ୍ରାହ୍ମଣ ପରି ସଂସ୍କୃତ କଥା କହେ, ତେବେ ସୀତା ମୋତେ ରାବଣ ବୋଲି ବିଚାରି ଭୟ କରିବେ। ମୋତେ ଅବଶ୍ୟ ମନୁଷ୍ୟୋଚିତ ଅର୍ଥଯୁକ୍ତ କଥା କହିବାକୁ ହେବ, ଅନ୍ୟଥା ଏ ଅନିନ୍ଦିତା ସୀତାଙ୍କୁ ମୁଁ ସାନ୍ତ୍ୱନା ଦେଇ ପାରିବି ନାହିଁ।” ଯଦି ସେ ସମୟରେ ସଂସ୍କୃତ ସର୍ବସାଧାରଣରେ କଥିତଭାଷା ବା ମାତୃଭାଷା ହୋଇଥା’ନ୍ତା, ତେବେ ବାଲ୍ମୀକି ଏପରି ଚିନ୍ତା କରି ନଥାନ୍ତେ ନିଶ୍ଚୟ। (ଘ) କୁହାଯାଏ ନାଟକ ହେଉଛି ସମାଜର ପ୍ରତିବିମ୍ବ, ଚରିତ୍ରଙ୍କ ଭାଷା ହେଉଛି ସର୍ବଦା ପାତ୍ରମୁଖୀ। ନାଟକର ଭାଷା ନାଟ୍ୟକାରଙ୍କ ଭାଷା ନୁହେଁ ଚରିତ୍ରମାନଙ୍କ ଭାଷା। ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ଅନୁସାରେ- ‘‘ଯେଉଁ ପାତ୍ର ସନ୍ନ୍ୟାସୀ, ସାଧୁ, ବୌଦ୍ଧଭିକ୍ଷୁ, ଶ୍ରୋତ୍ରିୟ ତଥା ବେଦପାଠୀ ବାହ୍ମଣ ଏବଂ ଅବଶିଷ୍ଟ ଯେଉଁମାନେ ଆପଣାର ପ୍ରତିଷ୍ଠା କିମ୍ବା ସ୍ଥିତିରେ ଅନୁରୂପ ସାଧୁବେଶ ଧାରଣ କରିଥାନ୍ତି ନାଟ୍ୟ ପ୍ରୟୋଗରେ ସେମାନଙ୍କ ନିମନ୍ତେ ସଂସ୍କୃତ ଭାଷାର ପ୍ରୟୋଗ ହେବା ଉଚିତ। ଯଦି ବିଶେଷ ଅବସର କିମ୍ବା ସ୍ଥିତି ଆସେ ତେବେ ମହାରାଣୀ, ବେଶ୍ୟା, ଶିଳ୍ପକାରିଣୀ ଆଦି ଚରିତ୍ରମାନଙ୍କୁ ପାଇଁ ସଂସ୍କୃତ ଭାଷାର ପ୍ରୟୋଗ ହୋଇପାରିବ।” ଅର୍ଥାତ ସଂସ୍କୃତ ନାଟକ ରଚନା କରାଯାଉଥିବା ସମୟରେ ସଂସ୍କୃତ ସାଧାରଣ ଜନତାଙ୍କ ଭାଷା ନ ଥିଲା। ତେଣୁ ସାଧାରଣ ଜନତାଙ୍କୁ ମାତୃଭାଷା ନ ଥିବା ସଂସ୍କୃତ ବଦଳି ବଦଳି ଯେ ଓଡ଼ିଆରେ ପରିଣତ ହୋଇଛି, ତାହା ଗ୍ରହଣଯୋଗ୍ୟ ହୋଇନପାରେ।
ଏତଦ୍ ଭିନ୍ନ ବିଭିନ୍ନ ଦିଗକୁ ଆଧାର କରି ଟାଣି ଓଟାରି ସଂସ୍କୃତ ଓଡ଼ିଆ ଭାଷାର ଜନନୀ ବୋଲି ପ୍ରମାଣ କରିବାର ପ୍ରୟାସ ମଧ୍ୟ କରାଯାଇଛି; ଏହାର ଗୋଟିଏ ଦିଗ ହେଉଛି ଶବ୍ଦ। ସାଧାରଣତଃ ଓଡ଼ିଆ ଶବ୍ଦଭଣ୍ଡାରକୁ ତତ୍ସମ (ସଂସ୍କୃତ ଶବ୍ଦ), ତଦ୍ଭବ (ସଂସ୍କୃତରୁ ସୃଷ୍ଟ ଶବ୍ଦ), ଦେଶଜ (ଦ୍ରାବିଡ, ଅଷ୍ଟ୍ରିକ, ଅବ୍ୟୁତ୍ପନ୍ନ ଶବ୍ଦ) ଓ ବୈଦେଶିକ ଏପରି ଚାରି ଭାଗରେ ବିଭକ୍ତ କରାଯାଇଥାଏ। ତେବେ ସଂସ୍କୃତଶବ୍ଦ-ସଂସ୍କୃତରୁ ସୃଷ୍ଟଶବ୍ଦ-ଦ୍ରାବିଡ଼-ଅଷ୍ଟ୍ରିକ-ବୈଦେଶିକ ଶବ୍ଦକୁ ବାଦ୍ ଦେଲେ ଓଡ଼ିଆ ମୌଳିକ ବା ଅବ୍ୟୁତ୍ପନ୍ନ ଶବ୍ଦ ସଂଖ୍ୟା ଏକ ଶତ ମଧ୍ୟ ହେବ ନାହିଁ। ଏତେ ସୀମିତ ସଂଖ୍ୟକ ଶବ୍ଦକୁ ନେଇ କୌଣସି ଭାଷା କ’ଣ ତିଷ୍ଠିପାରେ? କେବଳ ସେତିକି ନୁହେଁ, ଧ୍ୱନିସାମ୍ୟ ଏବଂ ଧ୍ୱନି ନିୟମର ଦ୍ୱାହିରେ ଅଧିକାଂଶ ଓଡ଼ିଆଶବ୍ଦ ସଂସ୍କୃତରୁ ଉଦ୍ଭୂତ ବୋଲି ବ୍ୟୁତ୍ପତ୍ତି କରାଯାଏ, ଯଥା- ଔଷଧରୁ ଓଷଦ, କର୍ମରୁ କାମ, ଗ୍ରାମରୁ ଗାଁ, ଜିହ୍ୱାରୁ ଜିଭ, ସ୍ଥାନରୁ ଥାନ, ପ୍ରଜାରୁ ପରଜା, ବକୁଳରୁ ବଉଳ, ଭଗ୍ନୀରୁ ଭଉଣୀ, ମର୍ଦରୁ ମରଦ, ଶୃଙ୍ଗରୁ ଶିଙ୍ଗ, ଷଷ୍ଟିରୁ ଷାଠିଏ, ସ୍ୱପ୍ନରୁ ସପନ, ହସ୍ତରୁ ହାତ ଇତ୍ୟାଦି। ଏଠାରେ ପ୍ରଶ୍ନ ଉଠେ ଔଷଧ, ବକୁଳ, ହସ୍ତ ଆଦି ଶବ୍ଦ କ’ଣ ଓଡ଼ିଆ ଶବ୍ଦ ନୁହନ୍ତି? ଏଗୁଡ଼ିକୁ ତତ୍ସମ ବା ସଂସ୍କୃତ ଶବ୍ଦ କହିବା ନିହାତି ଆବଶ୍ୟକ? ଏହି ବର୍ଗର ଶବ୍ଦକୁ ଓଡ଼ିଆଭାଷାର ଉଚ୍ଚାଙ୍ଗ-ଲିଖିତ-ସାହିତ୍ୟିକ ଶବ୍ଦ ବୋଲି ବି କୁହାଯାଇପାରେ। ପୁନଶ୍ଚ ସଂସ୍କୃତର କଫନିକା, ଭ୍ରାତୃଜାୟା, ଉଚ୍ଛିଷ୍ଟକ, କ୍ଷୁଦ୍ରତାତିକା, ପୟଃପିଟକଃ ଓ ବିକୃତ ଶବ୍ଦରୁ ଯେ ଯଥାକ୍ରମେ କହୁଣି, ଭାଉଜ, ଅଇଁଠା, ଖୁଡ଼ୀ, ପଇଡ଼ ଓ ବାହାଡ଼ା ଶବ୍ଦ ସୃଷ୍ଟ ବୋଲି କୁହାଯାଏ। କିଛିବର୍ଷ ପୂର୍ବେ ଚାଉଳକୁ ଚାଉର, ଦେଉଳକୁ ଦେଉର କହୁଥିବା ଗ୍ରାମୀଣ ଲୋକମାନେ କହୁଣିକୁ କଫନିକା, ପଇଡ଼କୁ ପୟଃପିଟକଃ କହୁଥିବେ ଆଉ ଖୁଡ଼ୀକୁ କ୍ଷୁଦ୍ରତାତିକା ଯେ ଡାକୁଥିବେ ତାହା ବିଶ୍ୱାସ କରାଯାଇ ନ ପାରେ।
ଏ ଲେଖକର ବିନମ୍ର ମତ ଏହି ଯେ, ସଂସ୍କୃତ ଭାଷା କେବେ ବି କଥିତଭାଷା/ମାତୃଭାଷା ନଥିଲା, ତାହା ଥିଲା ସାହିତ୍ୟର ଭାଷା, ରାଜକାର୍ଯ୍ୟର ଭାଷା, ବିଦ୍ୟାଚର୍ଚ୍ଚାର ଭାଷା, ଦେବକାର୍ଯ୍ୟର ଭାଷା, ସନନ୍ଦର ଭାଷା ଇତ୍ୟାଦି। କୌଣସି ମାର୍ଜିତ-ସଂସ୍କାରିତ-ସମୃଦ୍ଧଭାଷା ବଦଳି ବଦଳି ତଥାକଥିତ ବିକୃତ, ଭ୍ରଷ୍ଟ, ଅପଭ୍ରଂଶ ଭାଷାରେ ପରିଣତ ହେବା ଭାଷା ପରିବର୍ତ୍ତନର ବିରୋଧାଚରଣ କରିଥାଏ। ତେଣୁ ସଂସ୍କୃତଭାଷା ଯେ ବଦଳି ବଦଳି ଓଡ଼ିଆଭାଷାରେ ପରିଣତ ହୋଇଛି, ତାହାକୁ ଗ୍ରହଣ କରାଯାଇ ନ ପାରେ; ବରଂ ଏମିତି କୁହାଯାଇପାରେ, ପ୍ରାଚୀନ ଭାରତର ଏହି ବିସ୍ତୃତ ଅଞ୍ଚଳରେ ତତ୍ ସମୟରେ ପ୍ରଚଳିତ ଏହି ଭାଷାଗୁଡ଼ିକର ସଂସ୍କାରିତ ରୂପ ହେଉଛି ସଂସ୍କୃତ। ଲୌକିକ ସଂସ୍କୃତକୁ ଗ୍ରିଅରସନ୍ କୃତ୍ରିମ ଭାଷା ବୋଲି କହିବା ଅତ୍ୟନ୍ତ ଯଥାର୍ଥ। ନମିସାଧୁ ପ୍ରାକୃତ ଭାଷାକୁ ଜନସାଧାରଣଙ୍କ ଭାଷା ଓ ସଂସ୍କୃତ ପାଣିନୀଙ୍କ ଦ୍ବାରା ନିୟମାବଦ୍ଧ ଏକ ସଂସ୍କାରିତ ଭାଷା ବୋଲି ମତ ବ୍ୟକ୍ତ କରିବା ବି ଅତ୍ୟନ୍ତ ସମୀଚୀନ।
ତେବେ ଏଠାରେ ପ୍ରଶ୍ନ ଉଠେ, ଓଡ଼ିଆ ଭାଷାର ମୂଳ କେଉଁଠି? ତା’ର ଉତ୍ସ କ’ଣ? ପୃଥିବୀରେ ମୃତ୍ୟୁ ଲଭିଥିବା ଓ ବଞ୍ଚି ରହିଥିବା ଛୋଟବଡ଼ ହଜାର ହଜାର ଭାଷାର ମୂଳ ସ୍ୱୟଂ ସେହି ଭାଷା ବୋଲି ବିଚାର କରାଯାଉଥିବା ସ୍ଥଳେ ଆମେ କିନ୍ତୁ କସ୍ତୁରୀ ମୃଗ ସମ ଆମ ମୌଳିକତାକୁ ସ୍ୱୀକାର ନକରି ଟାଣିଓଟାରି ଏହାର ମୂଳ ସଂସ୍କୃତରୁ ଅଥବା ଦ୍ରାବିଡ଼ରୁ ଖୋଜି ବାହାର କରିବାରେ ଗୌରବାନ୍ୱିତ ହେଉଛେ। ଏହି ଭାଷା କେତେ ପ୍ରଭାବଶାଳୀ ତାହା ବିଚାର ନ କରି ଓଡ଼ିଆଭାଷା ଉପରେ ଅନ୍ୟ ଭାଷାର ଆନୁମାନିକ ପ୍ରଭାବକୁ ପ୍ରମାଣି ଖୁବ୍ ଗର୍ବ ଅନୁଭବ କରୁଛେ। ଆମ ଭାଷା ଅସ୍ମିତାର ସମ୍ବଳ ରୂପୀ କ୍ଷେତକୁ ସଂସ୍କୃତଭାଷା ଅଥବା ଦ୍ରାବିଡ଼ଭାଷା-ଜମିଦାରଙ୍କ ନିକଟରେ ସମର୍ପି ନିଜକୁ କୃତକୃତ୍ୟ ମନେ କରୁଛେ।
ଓଡ଼ିଆ ଭାଷାର ମୂଳ/ଉତ୍ସ ହେଉଛି ହଜାର ହଜାର ବର୍ଷ ତଳେ ଏହି ଭୂଖଣ୍ଡରେ ପ୍ରଚଳିତ ଉଡ୍ର, ଓଡ୍ର, ଔଡ୍ର ବା ଓଡ଼ ଭାଷା; ଯାହାକି ଉଡ୍ର ରାଜ୍ୟର ଭାଷା। ବହୁ ପ୍ରାଚୀନ କାଳରୁ ପ୍ରସିଦ୍ଧି ଲାଭ କରିଥିବା ଉଡ୍ର ରାଜ୍ୟର ସ୍ୱତନ୍ତ୍ର ପରିଚୟ ପୁରାଣ ଓ ଇତିହାସ ପୃଷ୍ଠାରୁ ମିଳିଥାଏ। ଭାଗବତ ଅନୁସାରେ ରାଜା ବଳୀ ଓ ରାଣୀ ସୁଦେଷ୍ଣାଙ୍କର ଛ’ ଗୋଟି ପୁତ୍ର ଥିଲେ, ସେମାନେ ହେଲେ ଅଙ୍ଗ, ବଂଗ, କଳିଂଗ, ପୁଂଡ୍ର, ସୁହ୍ମ ଓ ଓଡ୍ର; ଏହି ଷଷ୍ଠ ପୁତ୍ରଙ୍କ ନାମାନୁସାରେ ଉଡ୍ର ରାଜ୍ୟ ସ୍ଥାପିତ ହୋଇଥିଲା। ଗ୍ରୀକ୍ ଐତିହାସିକ ପ୍ଲିନିଂକ ନାଚୁରାଲ୍ ହିଷ୍ଟ୍ରି ଅନୁସାରେ ମେଲ୍ସ ପର୍ବତ ନିକଟରେ “ଓରେଟସ୍ମାନେ” ବସବାସ କରୁଥିଲେ; ଏହି ଓରେଟସ୍ମାନେ ଓଡ୍ର ହୋଇଥିବା ଅନୁମାନ କରାଯାଇପାରେ। ହୁଏନ୍ସାଂକ ଭ୍ରମଣ ବିବରଣୀରେ ଉଡ୍ର ଶବ୍ଦ “ଉ-ଚା” ଭାବରେ ସ୍ଥାନ ପାଇଛି। ବିଭିନ୍ନ ପୁରାଣ ସମେତ ମହାଭାରତରେ ଉଡ୍ର ବା ଓଡ୍ର ଶବ୍ଦର ନାମୋଲ୍ଲେଖ ରହିଅଛି, ଏହି ଦେଶର ରାଜା ପାଣ୍ଡବଙ୍କ ପକ୍ଷରେ ଯୁଦ୍ଧ କରିଥିଲେ। ପାଲି ଗ୍ରନ୍ଥ “ଅପଦାନ”ରେ ବ୍ୟବହୃତ “ଓଡ୍ଡକା” ଏହି ଉଡ୍ର ବା ଓଡ୍ର ଶବ୍ଦର ଏକ ରୂପ ବୋଲି ଅନୁମାନ କରାଯାଏ। ନାଟ୍ୟଶାସ୍ତ୍ରରେ ଭରତମୁନି ପ୍ରାଚୀନ ଭାରତର ବିଭିନ୍ନ ଦେଶ/ରାଜ୍ୟର ବର୍ଣ୍ଣନା କ୍ରମରେ ଉଡ୍ରଦେଶର ନାମୋଲ୍ଲେଖ ମଧ୍ୟ କରିଛନ୍ତି।
ଏହି କ୍ଷେତ୍ରରେ ବେଣୀମାଧବ ପାଢ଼ୀଙ୍କ “ଉଡ୍ରଜା ପ୍ରାକୃତ” ଏକ ଉଲ୍ଲେଖନୀୟ କୃତି ନିଶ୍ଚୟ। ତାଙ୍କ ମତ ଅନୁସାରେ ଉଡ୍ରଜା ପ୍ରାକୃତରୁ ଓଡ଼ିଆ ଭାଷା ବିକାଶ ଲାଭ କରିଛି, କିନ୍ତୁ ନାଟ୍ୟଶାସ୍ତ୍ରରେ ମାଗଧୀ, ଅବନ୍ତୀ, ପ୍ରାଚ୍ୟ, ଶୌରସେନୀ, ଅର୍ଦ୍ଧମାଗଧୀ, ବାହ୍ଳୀକା ଓ ଦାକ୍ଷିଣାତ୍ୟ ନାମକ ସାତଗୋଟି ପ୍ରାକୃତକୁ ସ୍ୱୀକୃତି ପ୍ରଦାନ କରାଯାଇଥବା ସ୍ଥଳେ ଉଡ୍ରଜା ପ୍ରାକୃତର ନାମୋଲ୍ଲେଖ ନାହିଁ। ଉଡ୍ରଜା ଶବ୍ଦଟି ବୋଧହୁଏ ପ୍ରଥମେ ମନମୋହନ ଘୋଷଙ୍କ ଦ୍ୱାରା ୧୯୫୧ ମସିହାରେ ଇଂଗ୍ଲିସ୍ରେ ଅନୁବାଦିତ ନାଟ୍ୟଶାସ୍ତ୍ର (ପୃଷ୍ଠା.୩୩୧)ରେ ବ୍ୟବହୃତ ହୋଇଛି, ପରବର୍ତ୍ତୀ କାଳରେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ୱାରା ସମ୍ପାଦିତ “ପ୍ରାକୃତ ସର୍ବସ୍ୱଂ” ପୁସ୍ତକରେ ଶବ୍ଦଟି ସ୍ଥାନ ପାଇଛି। ନାଟ୍ୟଶାସ୍ତ୍ରରେ ବର୍ଣ୍ଣିତ ଅର୍ଦ୍ଧମାଗଧୀ ପ୍ରାକୃତରୁ ଓଡ଼ିଆ ଭାଷା ସୃଷ୍ଟ ବୋଲି ଅନେକ ଓଡ଼ିଆ ଭାଷାବିଜ୍ଞାନୀ ମତ ପ୍ରଦାନ କରିଛନ୍ତି।
ନାଟ୍ୟଶାସ୍ତ୍ରରେ “ଉଡ୍ରଜା” ଶବ୍ଦର ସ୍ଥିତି ସମ୍ପର୍କରେ ବିବାଦ ରହିଛି, କିନ୍ତୁ ନାଟ୍ୟଶାସ୍ତ୍ରରେ “ଉଡ୍ରମାଗଧୀ”ଶବ୍ଦର ପ୍ରୟୋଗ ଦେଖିବାକୁ ମିଳିଥାଏ। ଏଥିରୁ ସ୍ପଷ୍ଟ ହୁଏ ଯେ, ପରସ୍ପର କିଛି ସାମ୍ୟ ଥିବା (ଏବେ ବି ରହିଛି) ଉଡ୍ର ଏବଂ ମଗଧ (ଆଧୁନିକ ବିହାର ଓ ତା’ର ନିକଟବର୍ତ୍ତୀ ଅଞ୍ଚଳ)ର ଭାଷା ହେଉଛି ଉଡ୍ରମାଗଧୀ। ତେଣୁ ଏହା ଅତି ସ୍ପଷ୍ଟ ଯେ ପ୍ରାଚୀନ ଭାରତରେ ଥିବା ଉଡ୍ର ରାଜ୍ୟର ଉଡ୍ର-ଓଡ୍ର –ଔଡ୍ର-ଓଡ ଭାଷା ହିଁ ଆମ ଭାଷାର ଉତ୍ସ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର
Comments are closed.