www.samajalive.in
Friday, December 5, 2025
26.1 C
Bhubaneswar

ମହାନୁଭବଙ୍କ ପଦାଙ୍କ ଅନୁସରଣ

ଭୁବନେଶ୍ଵର: ଜଣେ ଲୋକର ବିଚାର ଓ ସମ ଚିନ୍ତାଧାରାର ବ୍ୟକ୍ତିଙ୍କ ସହଯୋଗରେ ଅନୁଷ୍ଠାନ ତିଆରି ହୁଏ। କେହି ଜଣେ ଏହାର ମୁଖ୍ୟ ଉଦ୍ୟୋକ୍ତା ହୋଇଥାଏ। ଏକ ଆଦର୍ଶ ଅନୁଷ୍ଠାନ ଗଠନର ସୂତ୍ର ଆମ ଶାସ୍ତ୍ରରେ ରହିଛି। ମୁଁ ଯେଉଁ ଦୁଇଟି ସଂସ୍ଥା ସହ ସମ୍ପୃକ୍ତ ଉଭୟ ଶତାୟୁ। ସେହି ଦୁଇ ଅନୁଷ୍ଠାନ ଦେଶର ଦୁଇଜଣ ମହାନ ବିଭୂତିଙ୍କ ଦ୍ବାରା ପ୍ରତିଷ୍ଠିତ। ସେଥି ମଧ୍ୟରୁ ଗୋଟିଏ ହେଲା ୧୯୧୯ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ‘ସମାଜ’ ଅନୁଷ୍ଠାନ ଓ ଅନ୍ୟଟି ୧୯୨୧ ଲାହୋରରେ ଲାଲା ଲଜପତ୍‌ ରାୟଙ୍କ ଦ୍ବାରା ସ୍ଥାପିତ ହୋଇଥିବା ଲୋକସେବକ ମଣ୍ଡଳ। ଉଭୟ ଅନ୍ତରଙ୍ଗ ବନ୍ଧୁ, ସୁସଂଗଠକ, ଚିନ୍ତକ, ଦୂରଦ୍ରଷ୍ଟା, ଜନସେବୀ ଓ ଅନୁଷ୍ଠାନପ୍ରେମୀ ଥିଲେ । ଦୁହେଁ ପରାଧୀନ ଭାରତରେ ଜନ୍ମଲାଭ କରି ଦୁଃଖିନୀ ମାତୃଭୂମି ଓ ଏହାର ନିଷ୍ପେଷିତ ସନ୍ତାନଙ୍କ କଷଣ ଦେଖି ପ୍ରତିକାର ପାଇଁ ଆଗେଇ ଆସିଥିଲେ। ଉଭୟ ଥିଲେ ସ୍ବାଧୀନତା ସଂଗ୍ରାମୀ। ଲାଲାଜୀ, ପଣ୍ଡିତଜୀଙ୍କଠାରୁ ବୟସରେ ବଡ଼ ହେଲେ ମଧ୍ୟ ଆଦର୍ଶଗତ ବିଚାର ଓ ଲକ୍ଷ୍ୟରେ ପରସ୍ପରର ଅତି ନିକଟତର ଥିଲେ। ବ୍ୟକ୍ତିଗତ ଜୀବନର ଶୁଚିତା, ନିର୍ମଳ ଭାବମୂର୍ତ୍ତି, ଜନବାଦୀ ବିଚାର ଓ ସେବା ପାଇଁ ଉଭୟ ଲୋକଙ୍କ ହୃଦୟ ଜୟ କରିପାରିଥିଲେ। ଜଣେ ଥିଲେ ପଶ୍ଚିମର ଅବିଭକ୍ତ ପଞ୍ଜାବର ଓ ଅନ୍ୟ ଜଣେ ଥିଲେ ପୂର୍ବର ଓଡ଼ିଶାର। ଉଭୟଙ୍କ ଆଦର୍ଶରେ ଥିବା ସାମ୍ୟ ଦୁହିଁଙ୍କୁ ଅନ୍ତରଙ୍ଗ କରିଥିଲା ପ୍ରଥମ ସାକ୍ଷାତରେ। ଏହା ଥିଲା ମଣିକାଞ୍ଚନ ଯୋଗ।
ପଣ୍ଡିତ ଗୋପବନ୍ଧୁ ୧୯୧୯ରେ ‘ସମାଜ’ ଆରମ୍ଭ କରିଥିଲେ। ଏହାର ଚାରିବର୍ଷ ଆଗରୁ ସେ ‘ସତ୍ୟବାଦୀ’ ନାମକ ଏକ ପତ୍ରିକା ସଂସ୍ଥାପନ କରିବା ସହିତ ସତ୍ୟବାଦୀର ମଣିଷ ତିଆରି କାରଖାନା ‘ବନ ବିଦ୍ୟାଳୟ’ ଆରମ୍ଭ କରିଥିଲେ ବହୁ ପୂର୍ବରୁ ୧୯୦୯ରେ। ଏହା ଥିଲା ତତ୍କାଳୀନ ବିଖଣ୍ଡିତ ଓଡ଼ିଶାର ଏକ ଅଭିନବ ପ୍ରୟାସ। ଶିକ୍ଷା ଓ ସଚେତନତାର ପ୍ରସାର ପାଇଁ ଏହା ଥିଲା ତାଙ୍କର ପ୍ରଥମ ଉଦ୍ୟମ। ଏଥିପାଇଁ ତାଙ୍କୁ ମିଳିଥିଲେ ଯୋଗ୍ୟ ସାଥୀ ଓ ସହଯୋଗୀ। ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରେ ଗୋପବନ୍ଧୁଙ୍କ ସହିତ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ଆଚାର୍ଯ୍ୟ ହରିହର ଦାସ। ଏହାଛଡ଼ା ଅନେକ ଯୋଗ୍ୟ ବ୍ୟକ୍ତି ଏହି ସତ୍ୟବାଦୀ କ୍ରାନ୍ତିରେ ସାମିଲ ହୋଇଥିଲେ। ‘ସମାଜ’ ବାହାରିବା ବେଳକୁ ପଦ୍ମଭୂଷଣ ରାଧାନାଥ ରଥ ଓ ପଣ୍ଡିତ ଲିଙ୍ଗରାଜ ମିଶ୍ର ଗୋପବନ୍ଧୁଙ୍କ ସହିତ ସାମିଲ ହୋଇଥିଲେ। ଏହି କ୍ରାନ୍ତିଧାରାରେ ଗୋପବନ୍ଧୁଙ୍କ ସହିତ ସାମିଲ ହୋଇଥିଲେ ଆହୁରି ଅନେକ ପ୍ରତିଭା ଯେଉଁମାନେ ସତ୍ୟବାଦୀ ଯୁଗର ଅଭିକର୍ତ୍ତା ଥିଲେ। ଘଟଣାଚକ୍ରରେ ଓ ସମୟକ୍ରମେ ସତ୍ୟବାଦୀ ବନ୍ଦ ହୁଏ ଏବଂ ଭାଙ୍ଗିଯାଏ ବନ ବିଦ୍ୟାଳୟ। ଗୋପବନ୍ଧୁଙ୍କର ଦୁଇଟି ପରୀକ୍ଷା ବିଫଳ ହୁଏ। ସେ ‘ସମାଜ’ ବାହାର କରି ତାହାକୁ କିଛି ଯୋଗ୍ୟ ଦାୟାଦଙ୍କ ଦାୟିତ୍ବରେ ଦେଇ ରାଜନୀତିରେ ପ୍ରବେଶ କରନ୍ତି। କଂଗ୍ରେସକୁ ଓଡ଼ିଶାକୁ ଆଣି ହୁଅନ୍ତି ଏହାର ପ୍ରଥମ ପ୍ରାଦେଶିକ ସଭାପତି। ଗାନ୍ଧିଜୀଙ୍କ ସହ ସମ୍ପର୍କ ନିବିଡ଼ ହୁଏ। ରାଜନୀତିରେ ତାଙ୍କୁ ବିଶେଷ ସଫଳତା ମିଳେନାହିଁ। ତେଣୁ ‘ସମାଜ’ ସେବା, ଦେଶଗଠନ ଓ ରଚନାତ୍ମକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରନ୍ତି।
ଗୋପବନ୍ଧୁ ଚିନ୍ତାଚେତନା, ନୀତି ଆଦର୍ଶ ଓ ଆଭିମୁଖ୍ୟର ବିପୁଳ ପ୍ରସାର ପାଇଁ ‘ସମାଜ’ର ପ୍ରଶସ୍ତ କଳେବର ଯଥାର୍ଥ ସ୍ଥାନ ଯୋଗାଇଲା। ଫଳରେ ଯେଉଁ ପିଣ୍ଡି ଉପରେ ବସି ସେ ‘ସତ୍ୟବାଦୀ’ ପତ୍ରିକାର ଲେଖା ଲେଖୁଥିଲେ ତାହା ଚାଲିଆସିଲା ଗଁାଗଣ୍ଡାର ଦାଣ୍ଡ ଦୁଆରକୁ। ଏ ମାଟିର ମଣିଷମାନଙ୍କର ଶୋକ, ସମସ୍ୟା ଏଇ ମାଟିର ଭାଷାରେ ସେ ପରିବେଷଣ କରିବାକୁ ଆଗେଇ ଆସିଲେ। ଏହାର ପରିଣତି ସ୍ବରୂପ ଆତ୍ମପ୍ରକାଶ କଲା ଏକ ଚିର ସତ୍ୟ ଓ ଚିର ସ୍ବାଦ୍ୟ ଓଡ଼ିଆ ଭାଷା ଯାହା ଏ ପର୍ଯ୍ୟନ୍ତ ସମସ୍ତଙ୍କର ଆଦର୍ଶ ହୋଇ ରହିଆସିଅଛି।’’ ଭାବ ପ୍ରକାଶ କରିବା ପାଇଁ ଓ ସଫଳ ପ୍ରଚାର ପାଇଁ ଗୋପବନ୍ଧୁ ଏକ ଅଦ୍ଭୁତପୂର୍ବ ସର୍ବବୋଧ୍ୟ ଭାଷା, ସର୍ବସ୍ପର୍ଶୀ ଗଠନ ପରିପାଟୀ ଓ ପ୍ରକାଶଭଙ୍ଗୀ ପ୍ରଣୟନ କରିଯାଇଛନ୍ତି। ‘ସମାଜ’ର ସମ୍ପାଦକୀୟ ଆଲୋଚନା ଓ ଅନ୍ୟାନ୍ୟ ପ୍ରସଙ୍ଗ ଥିଲା ଲୋକ ଅନ୍ତରର ପ୍ରତିଧ୍ବନି, ନିଜ ଚିନ୍ତାରାଶିର ଜୀବନ୍ତ ବିଗ୍ରହ ଓ ଜାତିର ମାନସିକ ଉନ୍ନତିର ଅଗ୍ରଦୂତ। ନିଜ ଜୀବନାଦର୍ଶ ଓ ସର୍ବାଙ୍ଗୀଣ ଜାତୀୟ ଉନ୍ନତିର ଯଥାର୍ଥ ପ୍ରତିଫଳନ ହଁି ତାଙ୍କ ଗଦ୍ୟ ସାହିତ୍ୟ।
‘‘ଓଡ଼ିଶାର ଏକ ଜାତୀୟ ସଂକଟ କାଳରେ ‘ସତ୍ୟବାଦୀ’ ଏବଂ ‘ସମାଜ’ର ଆବିର୍ଭାବ। ସାହିତ୍ୟ, କଳା, ସଂସ୍କୃତି, ସଭ୍ୟତା, ଚେତନା, ଚିନ୍ତାଶକ୍ତି, ମାନବିକ ଆଦର୍ଶ, ଧର୍ମ, ନ୍ୟାୟ, ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ବିଷୟବସ୍ତୁକୁ ଉପଜୀବ୍ୟ କରି ଏହି ଦୁଇଟି ପତ୍ରିକା ଗୋପବନ୍ଧୁଙ୍କ ଚେତନା ଶକ୍ତିର ମୂର୍ତ୍ତିମନ୍ତ ବିଗ୍ରହ ରୂପେ ଦେଖା ଦେଇଥିଲା। ଏ ଦୁଇଟିରେ ଓଡ଼ିଶାର ସମକାଳୀନ ଜୀବନସ୍ପନ୍ଦନ ଓ ସାମାଜିକ ତଥା ଜୀତୟ ଆବେଗର ଯଥାର୍ଥ ପ୍ରତିଫଳନ ଘଟିଥିଲା। ‘ସତ୍ୟବାଦୀ’ ଥିଲା ବିଭିନ୍ନ ସାହିତ୍ୟଧର୍ମୀ ଆଲୋଚନା, ସମାଲୋଚନା ତଥା ଚିନ୍ତାଚେତନାର ବଳିଷ୍ଠ ବାହକ। ଶିକ୍ଷିତ, ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ମନକୁ ଆକର୍ଷଣ କରିବାର ଏହା ଏକ ବୌଦ୍ଧିକ ଚୁମ୍ବକ। ପରୋକ୍ଷ ଭାବରେ ଏହି ଶିକ୍ଷିତ ଗୋଷ୍ଠୀଙ୍କ ଉପରେ ପ୍ରଭାବ ପକାଇ ନିଜ ଆଦର୍ଶରେ ଅନୁପ୍ରାଣିତ କରାଇବା ପାଇଁ ଗୋପବନ୍ଧୁ ଉଦ୍ୟମ ଚଳାଇଥିଲେ। ଅନ୍ୟପକ୍ଷରେ ‘ସମାଜ’ ପଲ୍ଲୀ କୃଷକର କୁଟୀରଠାରୁ ଶାସକର ଉଚ୍ଚତମ ହର୍ମ୍ୟପର୍ଯ୍ୟନ୍ତ ଦୈନ ଘଟଣା ପ୍ରବାହର ବାର୍ତ୍ତାବହରୂପେ କାର୍ଯ୍ୟ କରୁଥିଲା। ତତ୍କାଳୀନ ଉତ୍କଳୀୟମାନଙ୍କର ମାନସିକ ତୃଷ୍ଣାକୁ ପ୍ରଶମିତ କରିବାର ଉପଯୁକ୍ତ ପାଥେୟ ରୂପେ ‘ସତ୍ୟବାଦୀ’, ‘ସମାଜ’ ଦୁଇଟିଯାକ ପତ୍ରିକା କାର୍ଯ୍ୟ କରି ଚାଲିଥିଲେ। ଯଥାର୍ଥତଃ ଉକ୍ତ ଦୁଇଟି ପତ୍ରିକା ଗୋପବନ୍ଧୁଙ୍କର ଦୁଇଟି ବାର୍ତ୍ତାବହର ଭୂମିକା ଗ୍ରହଣ କରିଆସିଥିଲା।’’
ଠିକ୍‌ ସେତିକିବେଳକୁ ଲାଲାଜୀ ମଧ୍ୟ ବିଭିନ୍ନ ସେବା ଓ ରଚନାତ୍ମକ କାର୍ଯ୍ୟରେ ବ୍ରତୀ ଥାଆନ୍ତି। ୧୯୨୧ରେ ପ୍ରତିଷ୍ଠା କରନ୍ତି ଲୋକସେବକ ମଣ୍ଡଳ। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜନୀତିକ ସନ୍ଥ ତିଆରି କରି ଦେଶ ଓ ଦଶର ସେବା କରିବା। ଲାଲାଜୀ ଖବରକାଗଜ, ପ୍ରକାଶନ ଓ ସଂପାଦନା ସହିତ ବ୍ୟାଙ୍କ ଓ ବୀମା କମ୍ପାନୀ, ହସପିଟାଲ ଏବଂ ଶିକ୍ଷାନୁଷ୍ଠାନମାନ ଗଢ଼ୁଥାନ୍ତି। ଏଣେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇ ଫିରିଙ୍ଗ ଶାସନ ବିରୋଧରେ ଲଢ଼ୁଥାନ୍ତି। ଦୁଇ ମିତ୍ରଙ୍କ ମଧ୍ୟରେ ଥାଏ ଅଘନ ପ୍ରୀତି ଓ ଅତୁଟ ବିଶ୍ବାସ। ଲୋକସେବକ ମଣ୍ଡଳରେ ଗୋପବନ୍ଧୁ ଯୋଗ ଦେବା ପରେ ତାଙ୍କୁ ଲାଲାଜୀ ସଂଗଠନର ପ୍ରଥମ ଉପସଭାପତି ଦାୟିତ୍ବ ଦିଅନ୍ତି। ଦୁହେଁ ମିଳିତ ଭାବେ ଜନସେବାକୁ ଆଗେଇ ନିଅନ୍ତି। ସଂଗଠନ ଚଳାଇବାକୁ ଯୋଗ୍ୟ ଓ ତ୍ୟାଗୀ ବ୍ୟକ୍ତିଙ୍କୁ ସଂଗ୍ରହ କରୁଥାନ୍ତି। କଲିକତା ମହାନଗରୀରେ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ସ୍ବାର୍ଥରକ୍ଷା ଓ ବିଦେଶୀବସ୍ତ୍ର ବର୍ଜନ କାମରେ ନିୟୋଜିତ ହେବାବେଳେ ପଣ୍ଡିତଜୀ ଗୁରୁତର ଅସୁସ୍ଥ ହୁଅନ୍ତି ଏବଂ ପରେ ସତ୍ୟବାଦୀ ଫେରିଆସିବା ପରେ ମାତ୍ର ୫୧ ବର୍ଷ ବୟସରେ ତାଙ୍କର ଅକାଳ ନିଧନ ଘଟେ। ସଂଯୋଗ କ୍ରମେ ସାଇମନ କମିସନଙ୍କୁ ବିରୋଧ କରି ବ୍ରିଟିଶ ପୁଲିସ ମାଡ଼ରେ ଗୁରୁତର ଆହତ ଲାଲାଜୀଙ୍କର ଏହାର ପ୍ରାୟ ପାଞ୍ଚମାସ ପରେ ନିଧନ ଘଟେ ଏବଂ ସେତେବେଳକୁ ତାଙ୍କୁ ମାତ୍ର ୬୩ ବର୍ଷ ବୟସ।
ଗୋପବନ୍ଧୁଙ୍କ ବିଷୟରେ ଓଡ଼ିଶାବାସୀଙ୍କୁ କହିବା ବୋଉ ଆଗରେ ମାମୁ ଘର କଥା କହିବା ଭଳି ା ସେବକ ଜୀବନକୁ ଆସିବା ପରେ ଲୋକସେବକ ମଣ୍ଡଳର ବହୁ ତୁଙ୍ଗ ବ୍ୟକ୍ତିତ୍ବଙ୍କ ସମେତ ଅନେକ ପୂର୍ବତନ ସଭାପତି ଓ କର୍ମକର୍ତ୍ତାଙ୍କ ବିଷୟରେ ମୋତେ ଜାଣିବାର ସୁଯୋଗ ମିଳିଲା ା ସେମାନଙ୍କ ମଧ୍ୟରେ ଲାଲାଜୀ ଓ ଗୋପବନ୍ଧୁ ବ୍ୟତୀତ ଲାଲବାହାଦୁର ଶାସ୍ତ୍ରୀ, ପୁରୁଷୋତ୍ତମ ଦାସ ଟଣ୍ଡନ, କୃଷ୍ଣକାନ୍ତ, ମନୁଭାଇ ପଟେଲ, ଲିଙ୍ଗରାଜ ମିଶ୍ର, ବିଶ୍ବନାଥ ଦାସ, ରାଧାନାଥ ରଥ, ଫକିରଚରଣ ଦାସ ଓ ଆହୁରି ଅନେକ ଅନ୍ତାର୍ଭୁକ୍ତ। ଏମାନେ ସମସ୍ତେ ସେବା, ତ୍ୟାଗ, ତିତିକ୍ଷା ଓ ନେତୃତ୍ବର ଉଦାହରଣୀୟ ବ୍ୟକ୍ତିତ୍ବ ା କହିବା ବାହୁଲ୍ୟ ଯେ ସମର୍ପିତ ଓ ଅନୁଷ୍ଠାନପ୍ରାଣ ବ୍ୟକ୍ତି ହିଁ ସଙ୍ଗଠନର ମୂଳଦୁଆକୁ ସୁଦୃଢ଼ କରି ତା’ଉପରେ ଏକ ବୃହତ୍‌ ମଜଭୁତ ଢାଞ୍ଚା ପ୍ରସ୍ତୁତିର ପଥ ପରିଷ୍କାର କରିଥାନ୍ତି ା ନିଜର ବ୍ୟକ୍ତିତ୍ବ ମାଧ୍ୟମରେ ସେମାନେ ଅନୁଷ୍ଠାନ/ସଙ୍ଗଠନର ଆଭ୍ୟନ୍ତରୀଣ ବିରୋଧାଭାସର ଅବସାନ ଘଟାଇ ଏକ ଯୋଗ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ତିଆରି କରନ୍ତି ା
ମୋ ବିଚାରରେ ଉଭୟ ଲୋକସେବକ ମଣ୍ଡଳ ଓ ‘ସମାଜ’ ଏହାର ଦୃଢ଼ ଓ ଦୂରଦର୍ଶୀ ନେତୃତ୍ବ ବଳରେ ନିଜର ସାଙ୍ଗଠନିକ ସ୍ଥିତିକୁ ମଜଭୁତ କରିଥିବାରୁ ଏହି ଦୁଇ ଅନୁଷ୍ଠାନ ଆଜି ଶତାୟୁ ହୋଇପାରିଛନ୍ତି ା ‘ସମାଜ’କୁ ପୁଣ୍ୟାତ୍ମା ଗୋପବନ୍ଧୁ ଆରମ୍ଭ କରିଥିଲେ ା ମାତ୍ର ଏହାକୁ ଏକ ମହାଦ୍ରୁମ ଓ ଅନୁଷ୍ଠାନରେ ପରିଣତ କରିବାରେ ସ୍ବର୍ଗତ ରାଧାନାଥ ରଥଙ୍କ ବଳିଷ୍ଠ ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ ା ଲୋକସେବକ ମଣ୍ଡଳ ଓ ‘ସମାଜ’ ଦୁଇ ଭଗିନୀ ଭଳି ହାତକୁ ହାତ ମିଳାଇ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗେଇ ଚାଲିବା ପଛରେ ରହିଛି ଏହାର ଆଭ୍ୟନ୍ତରୀଣ ସାଙ୍ଗଠନିକ ଦୃଢ଼ତା ଓ ଉତ୍ତରାଧିକାରର ଦାୟ ା ବହୁତ ଲୋକ ଏକାଠି ହେ​‌େ​‌ଲ କନ୍ଦଳ ହୁଏ ା ଏହା ସାଂସାରିକ; କିନ୍ତୁ ମତଭେଦ ସତ୍ତ୍ବେ ଅନୁଷ୍ଠାନର ସ୍ବାର୍ଥକୁ ଗୁରୁତ୍ବ ଦେଇ ଆଗକୁ ବଢ଼ିବା ଏବଂ ପ୍ରତିଷ୍ଠାତାଙ୍କ ଲକ୍ଷ୍ୟ ପୂରଣ କରିବା ସବୁଠୁ ବଡ଼ ଦାୟିତ୍ବ ା ମୋର ବିଶ୍ବାସ ଉଭୟ ସମାଜ ଓ ଲୋକସେବକ ମଣ୍ଡଳ ଏ କ୍ଷେତ୍ରରେ ନିଜର ଦାୟିତ୍ବ ନିର୍ବାହ କରୁଛନ୍ତି ା ଅନୁଷ୍ଠାନ ପୁରୁଣା ହେଲେ ସମସ୍ୟା ଆସେ ା ହେଲେ ସଭ୍ୟ ଓ ନେତୃତ୍ବ ତାହାର ଉତ୍ତରଦାୟିତ୍ବକୁ ଉତ୍ତମ ରୂପେ ନିର୍ବାହ କଲେ ସବୁ ସମସ୍ୟା ଦୂର ହୋଇଥାଏ ା ଆ​‌େ​‌ମ ଏହା କରି ଏବଂ ଆମ ପୂର୍ବସୂରୀଙ୍କ ପଦାଙ୍କ ଅନୁସରଣ ପୂର୍ବକ ଦୁଇ ଅନୁଷ୍ଠାନକୁ ବଢ଼ାଇବାକୁ ଉଦ୍ୟମ ଜାରି ରଖିଛୁ ା ନେତା, ନେତୃତ୍ବ ଆସିବେ ଯିବେ, ଅନୁଷ୍ଠାନ କିନ୍ତୁ ଆଗକୁ ବଢ଼ିବ ା ପଣ୍ଡିତ ଗୋପବନ୍ଧୁ ଥିଲେ ଜଣେ ଯୋଗଜନ୍ମା ଓ ଯୁଗଜନ୍ମା ା ତାଙ୍କ ଭଳି ବ୍ୟକ୍ତି ଧରାପୃଷ୍ଠକୁ କ୍ବଚିତ୍‌ ଆସନ୍ତି। ପଣ୍ଡିତ୍‌ଜୀ ଓ ଲାଲାଜୀଙ୍କ ଭଳି ମହାମାନବ ସମୟର ଆବଶ୍ୟକତାରୁ ଜନ୍ମ ନେଇଥାନ୍ତି ା ସେମାନେ ନିଜର କାର୍ଯ୍ୟ ବଳରେ ଯୁଗ ସୃଷ୍ଟି କରନ୍ତି ା ଗୋପବନ୍ଧୁ ଜଣେ ସାଧାରଣ ମଣିଷ ଭାବେ ଜନ୍ମ ହୋଇଥିଲେ ା ସେ କିନ୍ତୁ ନିଜ ଅଜାଣତରେ ଏକ ଅନୁଷ୍ଠାନ ପାଲଟିଗଲେ ା ଜଣେ ବ୍ୟକ୍ତି ଅନୁଷ୍ଠାନରେ ପରିଣତ ହେବା ନିଶ୍ଚିତ ବିରଳ ଘଟଣା ା
ଲୋକସେବକ ମଣ୍ଡଳ ସହ ଦୀର୍ଘ ଚାରିଦଶନ୍ଧିର ସମ୍ପର୍କ ମଧ୍ୟରେ ମୋର ଶିକ୍ଷା ହେଲା ଏକମନରେ ସମସ୍ତେ ସାଥୀ ହୋଇ ଚାଲିଲେ, ମିଳିତ ଭାବେ କାମ କଲେ ଲକ୍ଷ୍ୟ ହାସଲ ସହଜ ହୁଏ ା ସେଥିପାଇଁ ସମସ୍ତଙ୍କ ମନ ସମାନ ହେବା ଆବଶ୍ୟକ ା ଗୋପବନ୍ଧୁ ଓ ଲାଲାଜୀଙ୍କ ଆଦର୍ଶ ଆମ ଆଗରେ ରହିଛି ା ସେମାନଙ୍କୁ ସଦା ସ୍ମରଣ କରି ସମାନ ଭାବନା ଓ କାମନା ନେଇ କାମ କଲେ ଆମେ ନିଜକୁ ଅଧିକ ସଂଗଠିତ କରିପାରିବା ା ଆଜି ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଦିନ ା ଦୀର୍ଘ ୯୭ ବର୍ଷ ଧରି ଏ ଜାତି ତାଙ୍କୁ ସ୍ମରଣ କରୁଛି ା ତାଙ୍କ ପ୍ରତିଷ୍ଠିତ ଅନୁଷ୍ଠାନ ‘ସମାଜ’ ତାଙ୍କ ଅନ୍ତେ ସେବା, ତ୍ୟାଗ, ଧର୍ମ, ଅନୁଶାସନକୁ ଉତ୍ତରାଧିକାର ସୂତ୍ରରେ ଗ୍ରହଣ କରି ଆଗେଇ ଚାଲିଛି ା ସେଇ ପୁଣ୍ୟାତ୍ମାଙ୍କ ପାଦ ତଳେ ମୋର ଶତ ଶତ ପ୍ରଣାମ ା

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories