ଦିଲ୍ଲୀକୁ ଟପିଗଲା ଓଡ଼ିଶା
ଅମାନିଆମାନେ ଯେଉଁଭଳି ଭାବରେ ଟଙ୍କାରେ ନିଆଁ ଲଗାଇ ପ୍ରାଣୀଜଗତ ଓ ନିଜ ପାଇଁ ବିପଦକୁ ଡାକିଆଣିଲେ ସେମାନଙ୍କୁ ସଚେତନ କରାଇବ କିଏ?
ଆମେ ଦିଲ୍ଲୀକୁ ଟପିଗଲୁ। କୌଣସି ବିକାଶ କ୍ଷେତ୍ରରେ ନୁହେଁ, ବରଂ ବିନାଶକୁ ଡାକିବାରେ ଆମେ ଦେଶର ରାଜଧାନୀ ଦିଲ୍ଲୀକୁ ଟପିଗଲୁ। ବେଶ୍ କିଛିବର୍ଷ ଧରି ଦିଲ୍ଲୀ ମହାନଗର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସ୍ଥାନ ଭାବରେ ପରିଗଣିତ ହୋଇଆସୁଛି। ସେଠାରେ ପ୍ରଦୂଷଣ ନିୟ୍ନ୍ତ୍ରଣ ନିମନ୍ତେ ଯାନବାହନ ଚଳାଚଳରେ ନିୟନ୍ତ୍ରଣ, ପଞ୍ଜାବରେ ଚାଷୀମାନେ ସେମାନଙ୍କ ଜମିରେ ନଡ଼ା, ପାଳ ଆଦି ଜଳାଇବା ଉପରେ କଟକଣା ଲଗାଯିବା ଏବଂ ଶେଷରେ ଦିଲ୍ଲୀବାସୀଙ୍କୁ ସାଂଘାତିକ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ଦେବାପାଇଁ ଜଳୀୟବାଷ୍ପ ସିଞ୍ଚନ କରିବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଠାରୁ ଆରମ୍ଭ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରିଛନ୍ତି। ତାହା ସତ୍ତ୍ବେ ସେଠାକାର ଜନସଂଖ୍ୟା, ଯାନବାହନ ସଂଖ୍ୟା, ଶିଳ୍ପ କାର୍ଯ୍ୟ ଆଦିକୁ ବିଚାରକୁ ନେଲେ କୌଣସି କଟକଣା କାଟୁ କରୁନଥିବା ପରିଲକ୍ଷିତ ହେଉଛି। ସର୍ବୋଚ୍ଚ ନ୍ୟାୟାଳୟ ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ଆତସବାଜି ଫୁଟାଯିବା ଉପରେ କଡ଼ା କଟକଣା ଜାରି କରିଥିଲେ। ବିଶେଷକରି ବେରିୟମ ସଲ୍ଟ ଏବଂ ଅନ୍ୟାନ୍ୟ ମାରାତ୍ମକ ପ୍ରଦୂଷଣକାରୀ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ଆତସବାଜି ବ୍ୟବହାର ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନିଷେଧାଦେଶ ଜାରି କରିଥିଲେ। ଏହି ଆଦେଶ କେବଳ ଦିଲ୍ଲୀ ନୁହେଁ; ଦେଶର ସମସ୍ତ ରାଜ୍ୟ ପାଇଁ ପ୍ରଯୁଜ୍ୟ ହେବ ବୋଲି ସ୍ପଷ୍ଟ କରିଥିଲେ। ତାହା ପରବର୍ତ୍ତୀ ସମୟରେ ଆମ ରାଜ୍ୟରେ ପ୍ରଶାସନ ଓ ପୁଲିସ ପକ୍ଷରୁ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ସତର୍କ କରାଗଲା। ପ୍ରଦୂଷଣକାରୀ ଆତସବାଜି ବ୍ୟବହାର ନକରିବାକୁ କୁହାଗଲା ଏବଂ କେତେକ ସ୍ଥାନରେ ଚଢଉ, ଜୋରିମାନା ଭଳି କାର୍ଯ୍ୟାନୁଷ୍ଠାନ ହେଲା। ହେଲେ ସେଥିରୁ କେତେ ସୁଫଳ ମିଳିଲା ତାହା ଦୀପାବଳି ପରଦିନ ମାପ କରାଯାଇଥିବା ବାୟୁ ପ୍ରଦୂଷଣ ସ୍ତରରୁ ସ୍ପଷ୍ଟ ଜଣାଯାଉଛି।
ଦୀପାବଳି ପୂର୍ବରୁ ଭୁବନେଶ୍ୱର, କଟକ ଭଳି ସହରରେ ବାୟୁରେ ପ୍ରଦୂଷଣ ସ୍ତର ୯୦ ପାଖାପାଖି ରହୁଥିବାବେଳେ ଦୀପାବଳି ଦିନ ତାହା ପାଖାପାଖି ୪୦୦ ଛୁଇଁଲା। ଏହା ଦିଲ୍ଲୀର ସେହି ଦିନ ରହିଥିବା ବାୟୁ ପ୍ରଦୂଷଣ ସ୍ତରଠାରୁ ମଧ୍ୟ ଅଧିକ। ଦିନକ ପରେ ତାହା ସାମାନ୍ୟ କିଛି ହ୍ରାସପାଇଛି। ରାଜ୍ୟର ଅନ୍ୟାନ୍ୟ ସହର କେବଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ସମାନ ଅବସ୍ଥା। ସମସ୍ତେ ଯେମିତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ କଟକଣାକୁ ନିଆଁ ଧୂଆଁରେ ଉଡେଇଦେଲେ। ଏଠି ପ୍ରଶାସନ ଏବଂ ପୁଲିସର ପଦକ୍ଷେପକୁ ନେଇ ସଚେତନ ନାଗରିକଙ୍କ ମନରେ ପ୍ରଶ୍ନ ଉଠୁଛି। ସତରେ ଯଦି ପ୍ରଶାସନ ଓ ପୁଲିସ ଆନ୍ତରିକତାର ସହିତ ପଦକ୍ଷେପ ଗ୍ରହଣ କରିଥାନ୍ତେ, ପ୍ରଦୂଷଣ ସ୍ତର ଏଭଳି ସାଂଘାତିକ ସ୍ତରରେ ପହଞ୍ଚିଥାନ୍ତା କି ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। କେବଳ ଦାୟିତ୍ୱ ପାଳନ କରିବା ନାଁରେ ସେମାନେ କିଛି ସ୍ଥାନରେ ଚଢଉ କରି ଅଳ୍ପକିଛି ଆତସବାଜି ଜବତ କରି ଜୋରିମାନା କରି ଚୁପ୍ ବସିଗଲେ। ହେଲେ ଦୀପାବଳି ଏବଂ ତାହା ପୂର୍ବଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିଥିବା ଆତସବାଜି ବଜାରରେ ଯଦି ପ୍ରଶାସନ ଓ ପୁଲିସର ବରିଷ୍ଠ ଅଧିକାରୀ ଡେରା ପକାଇଥାନ୍ତେ, ତେବେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ଦୀପାବଳି ଦିନଠାରୁ ବାୟୁ ପ୍ରଦୂଷଣ ସ୍ତର ଏଭଳି ସାଂଘାତିକ ସ୍ତରରେ ପହଞ୍ଚିଛି ଯେ ତାହା ଶିଶୁ, ବୃଦ୍ଧ ଏବଂ ଶ୍ୱାସରୋଗୀଙ୍କ ପାଇଁ ମାରାତ୍ମକ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ଏଥିସହିତ ଯେଉଁମାନେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିଲେ, ସେମାନେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଭଳି ମାରାତ୍ମକ ଆତସବାଜି ବ୍ୟବହାର ଉପରେ କଟକଣା ଆଜିକାର ନୁହେଁ, କେଇ ବର୍ଷ ତଳୁ ଏହା ଉପରେ କଟକଣା ଲାଗୁ କରାଯାଇଛି। କିନ୍ତୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ଆତସବାଜି ଖୋଲାଖୋଲି ଅଥବା ଲୁଚାଛପାରେ ତିଆରି ହେଉଛି ଏବଂ ସାରା ଦେଶକୁ ବିକ୍ରି ପାଇଁ ପଠାଯାଉଛି। ଏ କଥା କ’ଣ ପ୍ରଶାସନ ଓ ପୁଲିସ ଜାଣିପାରୁନାହାନ୍ତି, ନା ନ ଜାଣିବାର ଅଭିନୟ କରୁଛନ୍ତି। ଏକଦା ଶିବକାଶୀ ଆତସବାଜିର ପେଣ୍ଠସ୍ଥଳ ବୋଲି କୁହାଯାଉଥିଲା। ଏବେ ତ ଦେଶର ବିଭିନ୍ନ ଭାଗରେ, ଏପରି କି ଆମ ରାଜ୍ୟର ଅନେକ ସ୍ଥାନରେ ସେ ସବୁ ତିଆରି ଚାଲିଛି। ଏହା କେବଳ ବାୟୁ ଓ ପରିବେଶ ପ୍ରଦୂଷଣ କରୁନାହିଁ, ଆତସବାଜି ତିଆରି ସମୟରେ ଅସାବଧାନତାରୁ ସେଥିରେ ବିସ୍ଫୋରଣ ଘଟି ଅନେକ ପ୍ରତିବର୍ଷ ମୃତାହତ ହେଉଛନ୍ତି ଏବଂ କଂକ୍ରିଟ ଛାତଘର ମଧ୍ୟ ଭାଙ୍ଗିପଡୁଛି। ଏଭଳି ଅଘଟଣ ଘଟିବା ପରେ ପୁଲିସ ଓ ପ୍ରଶାସନ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୁପ୍ ବସିଯାଉଛନ୍ତି। ପରିବେଶବିତ୍ଙ୍କ କହିବା କଥା, ଏବେ ଓଡ଼ିଶାରେ ବାୟୁର ବେଗ ସେଭଳି ଅଧିକ ନାହିଁ। ତେଣୁ ଦୀପାବଳି ଦିନ ଯେଉଁଭଳି ପ୍ରଦୂଷଣ ସୃଷ୍ଟି ହୋଇଛି ତାହା ଦୂର ହେବାକୁ ଅନ୍ତତଃ ମାସେ ଲାଗିବ। ତାହାର ଅର୍ଥ ପାଖାପାଖି ମାସେକାଳ ଆମକୁ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେବାକୁ ହେବ। ଏହି କାରଣରୁ ଫୁସଫୁସ କର୍କଟ ଭଳି ରୋଗରେ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ବାଣ ବେପାର କରି କିଛି ବଡ଼ ବ୍ୟବସାୟୀ ଓ ଛୋଟ ଦୋକାନୀ ବେଶ୍ ମୁନାଫା କମାଇଲେ, କିନ୍ତୁ ଅମାନିଆମାନେ ଯେଉଁଭଳି ଭାବରେ କହିବାକୁ ଟଙ୍କାରେ ନିଆଁ ଲଗାଇ ସାରା ପ୍ରାଣୀଜଗତ ଓ ନିଜ ପାଇଁ ବିପଦକୁ ଡାକିଆଣିଲେ ସେମାନଙ୍କୁ କିଏ ସଚେତନ କରାଇବ। ଅନ୍ତତଃ ସର୍ବୋଚ୍ଚ ନ୍ୟାୟାଳୟ ଦେଶବ୍ୟାପୀ ଏଭଳି ସାଂଘାତିକ ସମସ୍ୟାକୁ ବିଚାରକୁ ନେଇ ଏବେଠାରୁ ଆତସବାଜିର ପ୍ରସ୍ତୁତି ଓ ଉତ୍ପାଦନ ଉପରେ ନିଷେଧାଦେଶ ଜାରି କରିବା ଏବଂ ପ୍ରଶାସନ, ପୁଲିସ ତାହାକୁ ଆନ୍ତରିକତା ଓ ନିଷ୍ଠାର ସହିତ ପାଳନ କରିବା ଆଶା କରୁଛୁ।
Comments are closed.