Patra electronics

ଅର୍ଥହାନି ପ୍ରାଣପୀଡ଼ା

ଯାହା ମନୁଷ୍ୟ, ପଶୁପକ୍ଷୀ ଓ ପ୍ରାଣୀଜଗତର ସୁଖକୁ କ୍ଷଣିକ ମଧ୍ୟରେ ନଷ୍ଟ କରିଦିଏ, ତାହାର ବର୍ଜନ ଅବଶ୍ୟ କର୍ତ୍ତବ୍ୟ
ଦୀପାବଳି ଆଗତ ପ୍ରାୟ। ଏଥିପାଇଁ ଲୋକଙ୍କ ମନରେ ବେଶ୍ ଉତ୍କଣ୍ଠା। କିଏ କେତେ ଟଙ୍କାର ବାଣ ଫୁଟାଇ ମେଦିନୀ କମ୍ପାଇବେ ଓ କେତେ ଅଧିକ ସମୟ ଧରି ମଜା କରିବେ, ସେ ନେଇ ଏବେଠୁ ହିସାବକିତାବ ଆରମ୍ଭ ହେଲାଣି। ଏଭଳି ଲୋକଙ୍କ ପାଇଁ କ୍ରମେ ଏହି ଦୀପ ଓ ଆଲୋକର ପର୍ବ ଅବଲୀଳାକ୍ରମେ କେବେ ବାଣଫୁଟା ପର୍ବରେ ପରିଣତ ହୋଇସାରିଲାଣି, ତାକୁ ନେଇ କମ୍‌ ଚର୍ଚ୍ଚା ହେଉଛି। କେବଳ ଦୀପାବଳି ନୁହେଁ; ପ୍ରତ୍ୟେକ ପର୍ବପର୍ବାଣି କ୍ରମଶଃ ଅର୍ଥହାନି ପ୍ରାଣପୀଡ଼ାର କାରଣ ହେବାକୁ ବସିଛି। ବାହାଘର ରୋଶଣି ଓ ଦେବଦେବୀଙ୍କ ଭସାଣି ଶୋଭାଯାତ୍ରା ଆଦିରେ ଡିଜେ ମ୍ୟୁଜିକ୍‌ ସିଷ୍ଟମ୍‌ର କାନଫଟା ଶବ୍ଦ ଯୋଗୁଁ ବହୁ ଶିଶୁ, ବୃଦ୍ଧ ଓ ରୋଗୀଙ୍କ ଜୀବନ ଯିବା ଭଳି ଅଭୂତପୂର୍ବ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳୁଛି। ଚଳିତବର୍ଷ ଗଣେଶ ପୂଜା ସମୟରେ ରାଜ୍ୟର ଦୁଇଟି ସ୍ଥାନରେ ଅସହ୍ୟ ଡିଜେ ଶବ୍ଦ ଯୋଗୁଁ ହୃଦ୍‌ଘାତରେ ଦୁଇ ଜଣ ବୃଦ୍ଧ ପ୍ରାଣ ହରାଇଥିବା ଖବର ଆସିଥିଲା। କେବଳ ମନୁଷ୍ୟ ନୁହନ୍ତି; ପଶୁପକ୍ଷୀ ଓ ଗଛଲତାଙ୍କ ପାଇଁ ମଧ୍ୟ ଏହି ଶବ୍ଦ ପ୍ରଦୂଷଣ ଅତୀବ ମାରାତ୍ମକ; ଏହା ପ୍ରମାଣସିଦ୍ଧ। ୨୦୨୧ ମସିହାରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ୬୫ ଡେସିବଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶାବଳୀ ଜାରି କରାଯାଇଥିଲା। ଏପରି କି ମ୍ୟୁଜିକ୍‌ ସିଷ୍ଟମ୍‌ରେ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନଥିଲେ ତାକୁ ଅନୁମତି ଦିଆଯିବ ନାହିଁ ବୋଲି ନିୟମ ରହିଛି; କିନ୍ତୁ ଏହି ନିୟମ ବସ୍ତୁତଃ କାଗଜକଲମରେ ରହିଥିବା ମନେହେଉଛି। ପୁଲିସ ମଧ୍ୟ ଅମାନିଆଙ୍କୁ ଦଣ୍ଡିତ କରିବାର ନଜିର୍‌ ସ୍ପଳ୍ପ ବା ଆଦୌ ନାହିଁ।

ଦୀପାବଳିର ଅବ୍ୟବହିତ ପୂର୍ବରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରୁ ବାଣଭିଡ଼ା ବେ‌େ‌ଳ ବିସ୍ଫୋରଣ ଘଟିବା ଖବର ଆସିବାକୁ ଲାଗିଲାଣି। ପ୍ରତିବର୍ଷ ବେଆଇନ ଭାବେ ବାଣଫୋଟକା ତିଆରି କଲାବେଳେ ବିସ୍ଫୋରଣ ହୋଇ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଯେଉଁମାନେ ଲାଇସେନ୍ସପ୍ରାପ୍ତ, ସେମାନେ ମଧ୍ୟ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ବିନା ଏହି ବିପଦପୂର୍ଣ୍ଣ ବ୍ୟବସାୟ କରୁଥିବାରୁ ଅନେକ ସମୟରେ ଧନଜୀବନ ହାନି ଘଟୁଛି। ପୁଲିସ ପ୍ରଶାସନ ନିର୍ଦେଶାବଳୀ ଜାରି କରୁଛି ସିନା, ଯେତିକି ତତ୍ପରତାର ସହ ଏସବୁକୁ ନିୟନ୍ତ୍ରଣ କରିବା କଥା ତାହା କରୁନାହିଁ। କମିସନରେଟ୍‌ ପୁଲିସ ଏଥର ବେଆଇନ ବାଣ ତିଆରି ଓ ବିକ୍ରୟ ରୋକିବାକୁ ସର୍ବସାଧାରଣଙ୍କ ପାଇଁ ଏକ ହେଲ୍ପଲାଇନ୍‌ ନମ୍ବର ଜାରି କରି ଏପରି ବ୍ୟବସାୟ ଓ ବ୍ୟବସାୟୀଙ୍କ ବିଷୟରେ ସୂଚନା ଦେବାକୁ କହିଛି। ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ପୁଲିସ ସ୍ପଷ୍ଟ କରିଛି। ନିଃସନ୍ଦେହରେ ଏହା ଏକ ଭଲ ପଦକ୍ଷେପ ଏବଂ ଜନସାଧାରଣ ଏହାର ସଦୁପଯୋଗ କରିବା ଦରକାର। ସଚେତନତା ହିଁ ସୁରକ୍ଷା, ଏହା ଆମେ ସଭିଏଁ ବୁଝିବା ଆବଶ୍ୟକ। ତେବେ ପୁଲିସର ଏହି ପଦକ୍ଷେପ ଯଥେଷ୍ଟ ନୁହେଁ।

ଦୀପାବଳି ଆଲୋକର ପର୍ବ ହୋଇଥିଲେ ହେଁ ସାମୟିକ ବିଚିତ୍ର ଆନନ୍ଦ ପାଇବା ପାଇଁ ଦୀପ ଅପେକ୍ଷା ଲୋକେ ବାଣଫୋଟକା କିଣିବାରେ ଅଧିକ ଅର୍ଥ ବ୍ୟୟ କରୁଛନ୍ତି। ପ୍ରକୃତରେ ଆତସବାଜି ଆମର ସଂସ୍କୃତି ବି ନୁହେଁ; ଏହା କେବଳ ବହିରାଗତ ବ୍ୟବସାୟୀଙ୍କ ଚତୁର ବୁଦ୍ଧିର କରାମତି। ସେ ଯାହାହେଉ, ପ୍ରତିବର୍ଷ ଏଥିରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ହୋଇ କେବଳ ପରିବେଶକୁ ଦୂଷିତ କରିବା ହିଁ ସାର ହେଉଛି। ଦୀପାବଳି ପରଦିନ ସକାଳେ ପ୍ରତ୍ୟେକ ସହରର ବାୟୁମଣ୍ଡଳରେ ଯେପରି ଏକ ବହଳିଆ ଆସ୍ତରଣ ଦେଖାଯାଏ, ତାହା ଆମ ଅନୁଭବର କଥା। ଏଥିରୁ ପ୍ରଦୂଷଣର ମାତ୍ରା କେତେ ଉତ୍କଟ, ତାହା ଅନୁମାନ କରିବା କଷ୍ଟ ନୁହେଁ; ତଥାପି ଆମେ ଏହାର ବିପଦକୁ ବାରମ୍ବାର ଉପେକ୍ଷା କରିଚାଲିଛୁ। ନିଜେ ଏହାର କୁପରିଣାମ ନ ଭୋଗିବା ଯାଏ ସମ୍ଭବତଃ ଚେତା ପଶୁନାହିଁ। ଆମ ଭିତରୁ ଅନେକ ଲୋକ ଭାବୁ ଯେ କେବଳ ଅଧିକ ଶବ୍ଦକାରୀ ବାଣ ହିଁ କ୍ଷତିକାରକ; କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା। ପିଲାଙ୍କ ପାଇଁ ତିଆରି ବିଭିନ୍ନ ପ୍ରକାରର ବାଣ ଅଧିକ ବାୟୁ ପ୍ରଦୂଷଣର କାରକ। ପରୀକ୍ଷାରୁ ଦେଖାଯାଇଛି ଯେ ପିଲାଙ୍କ ମଧ୍ୟରେ ବେଶି ଲୋକପ୍ରିୟ ‘ସାପବାଣ’ର ଗୋଟିଏ ଗୋଲି ଜଳିଲେ ୬୪,୫୦୦ ମାଇକ୍ରୋଗ୍ରାମ୍‌ ପାର୍ଟିକିଲ୍‌ ବାହାରେ, ଯାହା ୨,୯୩୨ଟି ସିଗାରେଟ୍‌ର ଧୂଆଁ ସହିତ ସମାନ। ଫୁଲଝରି, ଚକ୍ରିବାଣ, କୁମ୍ପି ଆଦି ମଧ୍ୟ କମ୍‌ ପ୍ରଦୂଷଣକାରୀ ନୁହେଁ। ଅଧିକ ଉଦାହରଣ ନିଷ୍ପ୍ରୟୋଜନ।

ଆମେ ଶବ୍ଦ ଓ ବାୟୁ ପ୍ରଦୂଷଣ କରିବାକୁ ଯେପରି ପ୍ରତିଯୋଗିତା ଚଳାଇଛୁ, ତାହା ବାସ୍ତବିକ ଚିନ୍ତାର ବିଷୟ। ଯାହା ମନୁଷ୍ୟ, ପଶୁପକ୍ଷୀ ଓ ପ୍ରାଣୀଜଗତର ସୁଖକୁ କ୍ଷଣିକ ମଧ୍ୟରେ ନଷ୍ଟ କରିଦିଏ, ତାହାର ବର୍ଜନ ଅବଶ୍ୟ କର୍ତ୍ତବ୍ୟ। ଏ ସମ୍ବନ୍ଧରେ ପ୍ରତ୍ୟେକ ବ୍ୟକ୍ତି ଆଲୋଚନା ପର୍ଯ୍ୟାଲୋଚନା କରି ପଦକ୍ଷେପ ନେବାର ସମୟ ଆସିଛି। କରୋନା କାଳରେ ଆତସବାଜିକୁ ନିଷିଦ୍ଧ କରାଯାଇଥିଲା। ବାଣ ନ ଫୁଟାଇଲେ ସେତେବେଳେ କାହାର କିଛି ଅସୁବିଧା ହୋଇନଥିଲା। ତେଣୁ ଦୀପାବଳିରେ ପ୍ରଚଳିତ ଏହି ଅପସଂସ୍କୃତିକୁ ଦୂରେଇ ଦେବା ହିଁ ଆମ ପାଇଁ ମଙ୍ଗଳପ୍ରଦ। କୋର୍ଟକଚେରି କହିବା ପୂର୍ବରୁ ସରକାର ଶବ୍ଦ ଓ ବାୟୁ ପ୍ରଦୂଷଣର କାରକଗୁଡ଼ିକୁ ସଂପୂର୍ଣ୍ଣ ବନ୍ଦ କରିପାରିଲେ ଉତ୍ତମ କଥା ହୁଅନ୍ତା। ଜନସାଧାରଣ ଅର୍ଥହାନି ପ୍ରାଣପୀଡ଼ାରୁ ରକ୍ଷା ପାଆନ୍ତେ।

Comments are closed.