ନିର୍ବାଚନୀ ପାର୍ବଣ

ନିର୍ବାଚନ ସରିଗଲେ ଘୋଷିତ ଯୋଜନାସମୂହରୁ କେତେ କାର୍ଯ୍ୟକାରୀ ହେଲା କି ନହେଲା, ସେ କଥା କିନ୍ତୁ ପଚାରିବାକୁ କେହି ନାହିଁ

ଜଗଜ୍ଜନନୀ ମା’ ଦୁର୍ଗାଙ୍କ ସାର୍ବଜନୀନ ପୂଜା ସହିତ ଆରମ୍ଭ ହେବାକୁ ଯାଉଛି ପାର୍ବଣର ଋତୁ। ତା’ ଭିତରେ ପାଞ୍ଚଟି ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିଛି। ଛତିଶଗଡ, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଡିସେମ୍ବର ୩ ତାରିଖରେ ଭୋଟଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ତାହା ପରକୁ ପର ଆସନ୍ତା ବର୍ଷ ଏପ୍ରିଲ ଅଥବା ମେ’ ମାସରେ ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ତେଣୁ ଏହି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା ସହିତ ଦେଶରେ ଏକ ପ୍ରକାର ନିର୍ବାଚନୀ ପାର୍ବଣ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ପାର୍ବଣ ସମୟରେ ସାରା ସହର, ଗାଁ ଗଣ୍ଡା, ରାଜ୍ୟ ଯେଭଳି ସଜେଇ ହୋଇଯାଏ, ଘରେ ଘରେ ପରିବାରରେ ଯେଉଁଭଳି ଆନନ୍ଦ ଉତ୍ସାହର ମାହୋଲ ପରିଲକ୍ଷିତ ହୁଏ, ଏବେ ନିର୍ବାଚନ ସମୟରେ ଠିକ୍‍ ସେମିତି ପରିଲକ୍ଷିତ ହେଉଛି। ବିଭିନ୍ନ ରାଜନୈତିକ ଦଳର ବ୍ୟାନର, ପତାକା, ମାଳ ମାଳ ହୋର୍ଡିଂ ସହିତ ପଦଯାତ୍ରା, ସଭା ସମିତି, ଭୋଜିଭାତ ଆଉ ତା’ସାଙ୍ଗକୁ ମାଗଣା ଯୋଜନାର ବର୍ଷା ପାର୍ବଣ ଠୁ କିଛି କମ୍‍ ମନେହେଉନାହିଁ।

ଏସବୁ ସାଙ୍ଗକୁ ବାଜା, ବାଣ, ରୋଶଣି, ପଟୁଆର ଓ ହାତଖର୍ଚ୍ଚ ବି ମିଳୁଛି ନିର୍ବାଚନୀ ପାର୍ବଣରେ। ଏମିତି କହିଲେ ଅନେକେ ତ ଏବେ ପାର୍ବଣ ଅପେକ୍ଷା ଭୋଟକୁ, ନିର୍ବାଚନକୁ ନେଇ ଅଧିକ ଖୁସି ମନାଉଛନ୍ତି। ପାର୍ବଣ ସମୟରେ ମିଳୁଥିବା ବକ୍‍ସିସ ଠାରୁ ଢେର ଅଧିକ ହାତଖର୍ଚ୍ଚ ମିଳୁଛି ଭୋଟ ସମୟରେ। ତାହା ସହିତ ପ୍ରାର୍ଥୀ ହୋଇଥିବା ଭାଇ କି ଅପା ଯଦି ଜିତିଗଲେ ତେବେ ଆଗକୁ ଅନେକ ଫାଇଦା ରହିଛି। ୱାର୍ଡମେମ୍ବର, ସରପଞ୍ଚ, କାଉନସିଲର, ଜିଲା ପରିଷଦ ସଭ୍ୟ ପଦରେ ବସିବାର ସମ୍ଭାବନା ରହୁଛି, କିଛି ନହେଲେ ଛୋଟମୋଟ ଠିକାଦାର କାମ ତ ମିଳିଯାଉଛି। ସେଥିପାଇଁ ପାର୍ବଣ ସମୟରେ ସାହି ମୁରବି, ମୁଖିଆମାନେ ଯେମିତି ଆଗରେ ଥାଆନ୍ତି, ସେମିତି ନିର୍ବାଚନୀ ପଦଯାତ୍ରା, ସଭାସମିତିରେ ଆଗରେ ରହି ନେତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବି ରୀତିମତ କସରତ ଚାଲୁଛି। ଯେଉଁ ଦଳର ସରକାର ଆସିଲେ ବି ଅନେକ ମାଗଣା ଯୋଜନାର ଫାଇଦା ମିଳିଯାଉଛି।

ଦିନ ଥିଲା, ଯୋଜନା କହିଲେ କେବଳ ଲୋକେ ପଞ୍ଚବାର୍ଷିକ ଯୋଜନାକୁ ଜାଣୁଥିଲେ। ତାହା ଭିତରେ ଅନେକ ଜନମଙ୍ଗଳ କାମ ହେଉଥିଲା। ଏବକୁ ରାଜ୍ୟ ହେଉ କି କେନ୍ଦ୍ର, ଯୋଜନା ସଂଖ୍ୟା ଏତେ ହେଲାଣି ଯେ ଯୋଜନା ତିଆରି କରୁଥିବା ଲୋକ ମଧ୍ୟ ତତ୍‍କ୍ଷଣାତ୍‌ ସେଗୁଡିକର ସଂଖ୍ୟା ଓ ନାମ କହିପାରିବେ ନାହିଁ। ସାଧାରଣ ଲୋକଙ୍କ କଥା ପଚାରେ କିଏ? କହିବାକୁ ଗଲେ ଯୋଜନା ଘୋଷଣାରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପରିସ୍ଥିତି ଏଭଳି ହେଲା ଯେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଦିନକ ମଧ୍ୟରେ ୧୩ ହଜାର ପ୍ରକଳ୍ପ ଘୋଷଣା କରିଦେଲେ। ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ଦୂର କଥା, ସଂଖ୍ୟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଏହା ପାର୍ବଣ ପୂର୍ବରୁ ପରିବାରର ମୁଖ୍ୟ ଯେମିତି ପିଲାଙ୍କୁ ନୂଆ ପ୍ୟାଣ୍ଟ ସାର୍ଟଠାରୁ ନେଇ ଜୋତା ମୋଜା, ନୂଆ ମୋବାଇଲ ଫୋନ ପାଇଁ ପ୍ରତିଶ୍ରୁତି ଦିଅନ୍ତି, ଠିକ୍‍ ସେହିଭଳି ମନେହେଉଛି। ଅବଶ୍ୟ ସେଥିରୁ କିଛି ପୂରଣ ହୁଏ।

ପାର୍ବଣ ସରିଲେ ମୁଖିଆ ବୁଝାଇ ଦିଅନ୍ତି, ଆର ଥରକୁ କରିଦେବି। ଇୟେ ବି ଠିକ୍‍ ସେହିଭଳି। ହଜାର ହଜାର ଯୋଜନା ଭିତରୁ କିଛି ଶହ ପୂରଣ ହୋଇଗଲେ ନିର୍ବାଚିତ ପ୍ରତିନିଧି କହିବୁଲିବେ ଆମେ କରିଛୁ କି ନାହିଁ ଦେଖ। ବାକି ଯାହା ରହିଯାଇଛି ତାକୁ ଆର ଥରକୁ କରିବା। ହେଲେ ଏଠି ପ୍ରଶ୍ନ ଉଠୁଛି ଏତେସବୁ ଲୋକାଭିମୁଖୀ ଯୋଜନା ଘୋଷଣା ହେଉଛି, ତାହା ପରେ ବି କାହିଁକି ଲୋକଙ୍କର ସମସ୍ୟା ରହୁଛି, ସେମାନେ ସରକାରଙ୍କ ଠାରେ ଦାବି କରୁଛନ୍ତି, ରାଜରାସ୍ତାରେ ବସୁଛନ୍ତି? ରାସ୍ତାଘାଟ ଅଭାବରୁ ଗର୍ଭବତୀ ମହିଳା ରାସ୍ତା ଉପରେ ସନ୍ତାନ ପ୍ରସବ କରୁଛି, ଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକେ ରୋଗରେ ପଡୁଛନ୍ତି।

ଏଠି ଯୋଜନା ଘୋଷଣା କରୁଥିବା ସରକାର ବା ନେତାଙ୍କର ଦୋଷ ଦେଇହେବ ନାହିଁ। ଯୋଜନା କାର୍ଯ୍ୟକାରୀ କରୁଥିବା, କାର୍ଯ୍ୟକାରିତା ତଦାରଖ କରୁଥିବା ବ୍ୟକ୍ତିଙ୍କର ଆନ୍ତରିକତାର ଅଭାବ ଅଥବା ଅନ୍ୟ କିଛି ଉଦ୍ଦେଶ୍ୟ ନିହିତ ରହିବା ଏବଂ ସେଥିରେ ଜନସାଧାରଣଙ୍କ ସହଯୋଗ ଲୋଡା ବୋଲି ଯେଉଁ ବିଷୟଟି ରହିଛି ତାହାର ଅଭାବକୁ ଦାୟୀ କରାଯାଇପାରିବ। ପୂଜା ପାର୍ବଣରେ ମିଳୁଥିବା ବକ୍‍ସିସ ଅର୍ଥକୁ ନେଇ ଜଣେ ଯଦି ମିଠା ନଖାଇ ଅନ୍ୟବାଟରେ ଲଗାଇବ, ଯାହା ଫଳ ମିଳିବା କଥା, ତାହା ହିଁ ହେଉଛି। ଘରକୁ ବନ୍ଧୁ ବାନ୍ଧବ ଆସିଲେ ଛୋଟପିଲାଙ୍କ ହାତରେ ଟଙ୍କା ନଦେବାକୁ ଯେଭଳି ପରିବାରର ଅଭିଭାବକ ପରାମର୍ଶ ଦିଅନ୍ତି, ଏବଂ ତାହାକୁ ସେମାନେ ଠିକଣା ବାଟରେ ଖର୍ଚ୍ଚ କରିବେନାହିଁ ବୋଲି ଯେଉଁ ଆଶଙ୍କା ରଖନ୍ତି, ଏବେ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡିକ ପକ୍ଷରୁ ଯୋଜନାର ବର୍ଷାକୁ ନେଇ ନାରାଜ ବ୍ୟକ୍ତ କରିଛନ୍ତି।

ଠିକ୍‍ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା କାହିଁକି କରାଯାଉଛି ଏବଂ ଭୋଟରଙ୍କ ମନ ଜିତିବାକୁ ଏକ ରାଜନୈତିକ ଦଳ କ୍ଷମତାରେ ଥିବା ସମୟରେ କାହିଁକି ତାହା କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ତାହାଛଡା ସେମାନେ ଯେଉଁସବୁ ଯୋଜନା ଘୋଷଣା କରୁଛନ୍ତି, ତାହା କେତେଦୂର କାର୍ଯ୍ୟକାରୀ କରିବେ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇଛି; କିନ୍ତୁ ଭୋଟରଙ୍କୁ ହାତେଇବା ଲାଗି ରାଜନୈତିକ ଦଳଗୁଡିକ ଭିତରେ ଯୋଜନା ଘୋଷଣାର ଏଭଳି ପ୍ରତିଯୋଗିତା ଚାଲିଛି ଯେ, ଯେଉଁ ଦଳ କ୍ଷମତାକୁ ଆସିବ ତାକୁ ଏହି ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବା ଅସମ୍ଭବ ହୋଇପଡିବ ଏବଂ ଏଭଳି ପ୍ରଥାକୁ ମଧ୍ୟ ସେହି ଦଳର ସରକାର ବନ୍ଦ କରିପାରିବେ ନାହିଁ। ନିର୍ବାଚନ ଆୟୋଗ ମଧ୍ୟ ରାଜନୈତିକ ଦଳଗୁଡିକ ପାଇଁ ଏବେ ଏକ ବ୍ୟବସ୍ଥା କରିଛନ୍ତି।

ସେମାନେ ଘୋଷଣା କରୁଥିବା ଯୋଜନାଗୁଡିକ କେମିତି ଏବଂ କେତେବେଳେ କାର୍ଯ୍ୟକାରୀ କରାଯିବ, ତାହା ରାଜନୈତିକ ଦଳଗୁଡିକ ଉଲ୍ଲେଖ କରିବାକୁ ହେବ। ଯଦିଓ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳଗୁଡିକ ଏଭଳି ଯୋଜନା ଘୋଷଣା କରିପାରିବେ, ତଥାପି ସେଗୁଡିକ କିଭଳି, କେତେ ପରିମାଣରେ ଏବଂ କେଉଁ ସମୟରେ କାର୍ଯ୍ୟକାରୀ କରାଯିବ ତାହା ଜାଣିବା ଅଧିକାର ଭୋଟରଙ୍କର ରହିଛି। ଯେ ଯାହା ହେଉନା କାହିଁକି, ପାର୍ବଣର ମାହୋଲ ଭିତରେ ପିଲାଟିଏ ଅଥବା ସାଧାରଣ ଲୋକଟିଏ ଖୁସି ମନାଉଥିବାବେଳେ ବକ୍‍ସିସ କଥାକୁ ସେତେଟା ଗୁରୁତ୍ୱ ଦେଉନଥିବା ଭଳି ଆମ ଭୋଟରମାନେ ବି ଏକପ୍ରକାର ସେମିତି। ନିର୍ବାଚନ ସରିଗଲେ ଘୋଷିତ ଯୋଜନାସମୂହରୁ କେତେ କାର୍ଯ୍ୟକାରୀ ହେଲା କି ନହେଲା, ସେ କଥା ହାତଗଣତିଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ; କିନ୍ତୁ ପଚାରିବାକୁ କେହିନାହିଁ।

Comments are closed.