ବଢ଼ୁଛି ଜନସଂଖ୍ୟା, କମୁଛି ଦାରିଦ୍ର୍ୟ

ଯୁବଶକ୍ତିକୁ ଉପଯୁକ୍ତ ଶିକ୍ଷା, କୁଶଳତାର ତାଲିମ ପ୍ରଦାନ, ସେମାନଙ୍କ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ସୃଷ୍ଟିର ଆବଶ୍ୟକତା ରହିଛି।
ଆମ ଦେଶ ଏବେ ଜନସଂଖ୍ୟାରେ ସାରା ବିଶ୍ୱରେ ଶୀର୍ଷ ସ୍ଥାନରେ। ଜନସଂଖ୍ୟା ବୃଦ୍ଧି ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଭଲ ଯେତିକି, ଖରାପ ବି ସେତିକି। ଭଲ ଏଥିପାଇଁ କୁହାଯାଇପାରିବ ଯେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ରହିଲେ ସେମାନଙ୍କୁ କାର୍ଯ୍ୟକ୍ଷମ ଲୋକଶକ୍ତି ଭାବରେ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରାଯାଇପାରିବ, ଯଦ୍ଦ୍ୱାରା ଉଭୟ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପକୃତ ହେବ, ଦେଶ ବିକାଶ ପଥରେ ଅଗ୍ରସର ହୋଇପାରିବ; କିନ୍ତୁ ସେହି ଯୁବଶକ୍ତିକୁ ଉପଯୁକ୍ତ ଶିକ୍ଷା, କୁଶଳତାର ତାଲିମ ପ୍ରଦାନ, ସେମାନଙ୍କ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ସୃଷ୍ଟି ଆଦିର ଆବଶ୍ୟକତା ରହିଛି। ଏଭଳି ପଦକ୍ଷେପ ଯେ ନିଆଯାଉନାହିଁ ସେ କଥା ନୁହେଁ, ଜାତୀୟ ଓ ରାଜ୍ୟସ୍ତରରେ ଯାହାସବୁ ଯୋଜନା ହେଉଛି ସେଥିରୁ ବାସ୍ତବ କ୍ଷେତ୍ରରେ କେତେ ସୁଫଳ ମିଳୁଛି, ଉକ୍ତ ଯୋଜନାଗୁଡିକ ତୃଣମୂଳ ସ୍ତରରେ ତାହାର ଲକ୍ଷ୍ୟ ମୁତାବକ ପ୍ରଭାବ ପକାଉଛି କି ନାହିଁ, ଏସବୁ ସମୟାନ୍ତରରେ ବିଶ୍ଳେଷଣ କରାଯିବାର ଆବଶ୍ୟକତା ରହିଛି; କିନ୍ତୁ ସେଭଳି ହେଉଥିବା ମନେହେଉ ନାହିଁ। ତାହା ହେଉଥିଲେ ଯୁବବର୍ଗ ନିଶାକୁ ଆଦରିବା, ଲୁଟପାଟ, ଚୋରି ଭଳି ଅପରାଧରେ ଲିପ୍ତ ହେବା ଭଳି ଘଟଣା ବୃଦ୍ଧି ପାଆନ୍ତା ନାହିଁ।

ସରକାର ଦେଶର ଯୁବବର୍ଗଙ୍କୁ ନେଇ ଗର୍ବ କରୁଛନ୍ତି ଏବଂ ସେମାନେ ଦେଶ ପାଇଁ ବଡ ସମ୍ପଦ ବୋଲି ବିବେଚନା କରୁଛନ୍ତି; କିନ୍ତୁ ସେହି ସମ୍ପଦ ଯେଭଳି ବିପଥଗାମୀ ନହେବ, ଯେଭଳି ସେହି ଶକ୍ତିର ଅପଚୟ ନହେବ, ସେଥିପ୍ରତି ଉପଯୁକ୍ତ ଦୃଷ୍ଟି ଦିଆଯିବା ଜରୁରୀ। ଚଳିତ ବର୍ଷ ଜୁନ୍‌‌ ପହିଲା ତାରିଖରେ ଭାରତର ଜନସଂଖ୍ୟା ୧,୪୨୮,୬୨୭,୬୬୩ରେ ପହଞ୍ଚିଥିବା ଜାତିସଂଘ ତଥ୍ୟ କହିଥିଲା। ଏହାଦ୍ୱାରା ଆମେ ଜନସଂଖ୍ୟାରେ ଚୀନ୍‌‌କୁ ମଧ୍ୟ ଟପିଯାଇଛୁ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ କେବେ କେହି ଚିନ୍ତା କରୁନାହାନ୍ତି ଯେ, ଦିନ ପରେ ଦିନ ଦେଶବାସୀଙ୍କ ବୟସ ବଢ଼ିଚାଲିଛି। ଏବେ ଯୁବବର୍ଗଙ୍କ ସଂଖ୍ୟା ସର୍ବାଧିକ ରହିଥିବାବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ସେମାନେ ପରିଣତ ବୟସରେ ପହଞ୍ଚିବେ। ସେମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଠାରୁ ନେଇ ସାମାଜିକ କ୍ଷେତ୍ରରେ ଅନେକ କିଛି ପଦକ୍ଷେପ ଗ୍ରହଣ କରିବାକୁ ହେବ। ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଅଧିକାଂଶ ପରିବାର ସେମାନଙ୍କର ଆର୍ଥିକ, ସାମାଜିକ ସ୍ଥିତିକୁ ଦେଖି ନିଜେ ସେଥିପ୍ରତି ସଜାଗ ଅଛନ୍ତି; କିନ୍ତୁ ଦରିଦ୍ର, ନିରକ୍ଷର ପରିବାରଗୁଡିକରେ ଜନସଂଖ୍ୟା ତୁଳନାତ୍ମକ ଭାବରେ ବୃଦ୍ଧିପାଉଛି। ତାହାର କାରଣ ସେମାନେ ଏହି ପ୍ରସଙ୍ଗରେ ସେତେ ସଚେତନ ନୁହନ୍ତି। ୧୯୭୦ ଦଶକରେ ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ଏଥିପାଇଁ ବିଶ୍ୱ ବ୍ୟାଙ୍କ, ସ୍ୱେଡିଶ୍‌‌ ଇଣ୍ଟରନ୍ୟାସନାଲ ଡେଭେଲପମେଣ୍ଟ ଅଥରିଟି ଏବଂ ଜାତିସଂଘ ଜନସଂଖ୍ୟା ପାଣ୍ଠିରୁ କୋଟି କୋଟି ଡଲାର ଋଣ ଅଣାଯାଇଥିଲା।

୧୯୭୫ରେ ଜରୁରୀ ପରିସ୍ଥିତି ଜାରିହେବା ସମୟରେ ଜନସାଧାରଣଙ୍କ ଅଧିକାରକୁ ଯେତେବେଳେ ମୋଡି ମକଚି ଅବଦମିତ କରାଗଲା, ସେହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ସାଧାରଣ ଲୋକଙ୍କୁ ବଳପୂର୍ବକ ପରିବାର ନିୟୋଜନ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ ଆରମ୍ଭ କରିଦେଲେ। ପରିସ୍ଥିତି ଏଭଳି ହେଲା ଯେ ପୁଲିସ ବାହିନୀ ଗାଁ ଘେରଉ କରି ପୁରୁଷ ଲୋକଙ୍କୁ ଅସ୍ତ୍ରୋପଚାର ପାଇଁ ଉଠାଇ ନେଉଥିଲେ। ତଥ୍ୟ କହୁଛି, ବର୍ଷକ ମଧ୍ୟରେ ପ୍ରାୟ ୬.୨ ନିୟୁତ ପୁରୁଷଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିଲା। ଏହା ନାଜି ଶାସନ ସମୟରେ କରାଯାଇଥିବା ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସଂଖ୍ୟାର ପ୍ରାୟ ୧୫ ଗୁଣ ଥିଲା। ତରବରିଆ ଏବଂ ଭୁଲ ଅସ୍ତ୍ରୋପଚାର କାରଣରୁ ପାଖାପାଖି ୨ହଜାର ଲୋକଙ୍କର ମୃତ୍ୟୁ ଘଟିଲା। ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଅଭିଯାନ ଆରମ୍ଭ ହେବାଦିନ ଠାରୁ ମହିଳାମାନଙ୍କ କ୍ଷେତ୍ରରେ ବନ୍ଧ୍ୟାକରଣକୁ ପ୍ରାଧାନ୍ୟ ଦିଆଯାଇଆସୁଛି, ଯଦିଓ ଚିକିତ୍ସା ବିଜ୍ଞାନ କହୁଛି ପୁରୁଷଙ୍କ କ୍ଷେତ୍ରରେ ଏହା ସହଜ; କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ବିରୋଧ କରିବାର ଶକ୍ତି କମ୍‌‌ ଥିବାରୁ ସେମାନଙ୍କୁ ଏଥିପାଇଁ ‘ବଳିର ଛେଳି’ ବନାଇ ଦିଆଗଲା।

୨୦୧୩-୧୪ ବର୍ଷରେ ଦେଶରେ ପ୍ରାୟ ୪ ନିୟୁତ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଦେଶରେ କରାଯାଇଥିବା ସରକାରୀ ତଥ୍ୟ କହୁଛି। ଏଥିମଧ୍ୟରେ ମାତ୍ର ୧ ଲକ୍ଷ ପୁରୁଷ ରହିଛନ୍ତି। ସେ କଥା ଛାଡନ୍ତୁ, ସାଧାରଣ ଦୃଷ୍ଟିକୋଣରୁ ବିଚାର କଲେ ଜନସଂଖ୍ୟା ବୃଦ୍ଧିଘଟିଲେ ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ, ସେମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଣ ଆଦିରେ ସମସ୍ୟା ଦେଖାଦେବା ସ୍ୱାଭାବିକ। ଏଭଳି ପରିସ୍ଥିତିରେ ଦାରିଦ୍ର୍ୟ ବୃଦ୍ଧିପାଇବା କଥା; କିନ୍ତୁ ସୌଭାଗ୍ୟର ବିଷୟ, ଭାରତରେ ଗତ ୧୫ ବର୍ଷ ମଧ୍ୟରେ ୪୧୫ ନିୟୁତ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ଏହା ସମ୍ଭବ ହୋଇପାରିଛି। ସେଥିପାଇଁ ଜାତିସଂଘ ମଧ୍ୟ ଭାରତର ଦାରିଦ୍ର୍ୟ ଦୂରୀକରଣ ପ୍ରୟାସକୁ ପ୍ରଶଂସା କରିଛି। ଜାତିସଂଘ ରିପୋର୍ଟର ତଥ୍ୟ ଅନୁଯାୟୀ ଭାରତ ସମେତ ୨୫ଟି ରାଷ୍ଟ୍ର ଦାରିଦ୍ର୍ୟ ହ୍ରାସରେ ଅଗ୍ରଗତି କରିଛନ୍ତି। ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ଇଣ୍ଡୋନେସିଆ, ଭିଏତ୍‌‌ନାମ, ମରକ୍କୋ, ସର୍ବିୟା, ଚୀନ, କଙ୍ଗୋ, ହଣ୍ଡୁରାସ୍‌‌, କାମ୍ବୋଡିଆ ଆଦି ଅଛନ୍ତି। ତେବେ କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ଦେଶର କେତେ ବେରୋଜଗାର ହୋଇଛନ୍ତି ଅଥବା ଦାରିଦ୍ର୍ୟ ସୀମାରେଖା ତଳକୁ ଖସିଯାଇଛନ୍ତି, ତାହାର ପ୍ରକୃତ ତଥ୍ୟ ଜଣାନାହିଁ। ୨୦୧୯-୨୧ ପର୍ଯ୍ୟନ୍ତ ପନ୍ଦର ବର୍ଷର ତଥ୍ୟ କହୁଛି ଦେଶରେ ଦାରିଦ୍ର୍ୟ ହାର ୫୫.୧ ପ୍ରତିଶତରୁ ୧୬.୪ ପ୍ରତିଶତକୁ ହ୍ରାସପାଇଛି। ଏହା ଯଦି ବାସ୍ତବ କ୍ଷେତ୍ରରେ ହୋଇଥାଏ ତେବେ ସ୍ୱାଗତଯୋଗ୍ୟ, ନହେଲେ କାଗଜପତ୍ର ତଥ୍ୟ ହୋଇଥିଲେ ଭିନ୍ନ କଥାକୁ ସୂଚାଇବ। ଏ କଥା ବୁଝିବାକୁ ହେବ ଯେ, ପେଟରେ ଭୋକ ଥିବା ଲୋକ କେବେ ବିକାଶ ବା ଆଗକୁ ବଢ଼ିବା ଚିନ୍ତା କରିପାରିବ ନାହିଁ। ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାରିଦ୍ର୍ୟ ଦୂରୀକରଣ ଦିଗରେ ନେଉଥିବା ପଦକ୍ଷେପକୁ ତୃଣମୂଳ ସ୍ତରରେ ସଫଳ କରାଇବା ଉପରେ ନଜର ରଖନ୍ତୁ, ତେବେ ଯାଇ ଭାରତ ଭବିଷ୍ୟତରେ ସମ୍ପୂର୍ଣ୍ଣ ଦାରିଦ୍ର୍ୟ ଦୂରୀକରଣରେ ସଫଳ ହୋଇପାରିବ।

Comments are closed.