ମାଙ୍କଡ଼ ହାତରେ ଶାଳଗ୍ରାମ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅହଂତୋଡ଼ ଗଣତାନ୍ତ୍ରିକ ଭାବକୁ ବିପନ୍ନ ଓ ବିକୃତ କଲାଣି

ମଦ, ଗଞ୍ଜେଇ, ଅଫିମ କି ଚରସ ଭଳି କ୍ଷମତା ଏକ ନିଶା। ଅନଙ୍କୁଶିତ ‘କ୍ଷମତା’ ଭୟଙ୍କର ଓ ଭୟାନକ। ଇଂରାଜୀରେ କୁହାଯାଇଛି, ‘Power corrupts and absolute power corrupts absolutly.।’ ଏବେ ରାଜାରାଜୁଡ଼ା, ଜମିଦାରୀ ଏକଛତ୍ରବାଦୀ ଶାସନ ନାହିଁ। ମାତ୍ର କାଲିର ସନେଇ ଦନେଇ ଗଣତାନ୍ତ୍ରିକ ପାହାଚରେ ଉଠି ଏବେ ରାଜା ମହାରାଜାଙ୍କୁ ବଳି ଯାଉଛନ୍ତି। ‘ରଙ୍କୁଣା ପାଇଚି ଇଲିଶି, କଣ୍ଟାମଣ୍ଟା କରି ଗିଳିଛି’। ଏବେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରାଦେଶିକ ଓ କେନ୍ଦ୍ର ସରକାର ପ୍ରତିଷ୍ଠିତ। ପ୍ରାଦେଶିକ ଓ କେନ୍ଦ୍ର ସରକାର ମଧ୍ୟରେ କ୍ଷମତା ବଣ୍ଟାଯାଇଛି। ଉଭୟେ ଉଭୟର ପରିପୂରକ। ମାତ୍ର ଏବେ ରାଜନୀତି ମତବାଦକୁ ନେଇ କେନ୍ଦ୍ର ଓ ରାଜ୍ୟ ଭିନ୍ନ ରାଜନୈତିକ ମତବାଦ ବା ଦଳର ହେଲେ, ଶାଶୂ ବୋହୂ ଝମେଲା ସୃଷ୍ଟିହେଲା। ‘ପାଇଥିବ ଯେବେ ଗିରସ୍ତ ବୁକୁ ସଜ ହୋଇଥିବ ବାପଘରକୁ।’ ଏ ନେତା ବା ଦଳର ଗେରସ୍ତ ହେଲେ ଭୋଟର। ଯିଏ ଏ ଭୋଟ ଗେରସ୍ତଙ୍କୁ ନିଜ ଆଡ଼କୁ ଯେତେ ଆଉଜେଇ ପାରିଲା, ତା’ ମୁହଁ ତୋଡ଼ ସେତେ ଅଧିକ। ଦେଖୁନା, ଓଡ଼ିଶା ଓ ପଶ୍ଚିମବଙ୍ଗକୁ, କ୍ରମାଗତ ଭାବେ ଏମାନେ ଶାସନ ଗାଦି ମାଡ଼ିବସିଛନ୍ତି। ତେଣୁ କେନ୍ଦ୍ରକୁ କିଆଁ ଖାତିର କରିବେ? ଏଠି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅହଂତୋଡ଼ ଗଣତାନ୍ତ୍ରିକ ଭାବକୁ ବିପନ୍ନ ଓ ବିକୃତ କଲାଣି। ଆଗକୁ ଅବସ୍ଥା କ’ଣ ହେବ କହି ହେବନି।

ଏବେ ବେପାରପତ୍ର ବନ୍ଧୁମାନେ ଆଣିଥିବା ଦୁଇଟି ସମ୍ବାଦରୁ ଏ ନେତାମାନଙ୍କ ମିଜାଜ ଓ ରୁଚି କୁଆଡ଼ୁକୁ ଗଲାଣି ଜଣାପଡ଼ୁଛି। ପଞ୍ଜାବ ସରକାର ସେଠା ବିଶ୍ବବିଦ୍ୟାଳୟର ଚାନସେଲର ବା କୁଳପତି ପଦରୁ ରାଜ୍ୟପାଳଙ୍କୁ ହଟାଇଦେଇ, ମୁଖ୍ୟମନ୍ତ୍ରୀଙ୍କୁ ଏ ପଦାସୀନ କରିବାକୁ ଯାଉଛନ୍ତି। ରାଜ୍ୟପାଳ ପ୍ରତ୍ୟକ୍ଷ ରାଜନୀତିରେ ନ ଥା’ନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ରାଜନୀତିରେ ଥାଆନ୍ତି। ଏତଦ୍ଦ୍ବାରା ବିଶ୍ବବିଦ୍ୟାଳୟର ପ୍ରଶାସନ, ପବିତ୍ରତା ରାଜନୀତି କଳୁଷାକ୍ରାନ୍ତ ହେବ ବୋଲି କେତେକ ଆଶଙ୍କା କରୁଛନ୍ତି। ବିଶ୍ବବିଦ୍ୟାଳୟର ଆପାତତଃ ନିରପେକ୍ଷତା ଓ ଗାମ୍ଭୀର୍ଯ୍ୟ ହ୍ରାସ ପାଇବ। ତଦ୍ଦ୍ବାରା ବିଶ୍ବବିଦ୍ୟାଳୟ ବୌଦ୍ଧିକ ଅମଳ ନ୍ୟୂନତାପ୍ରାପ୍ତ ହେବ ହିଁ ହେବ। ଅବଶ୍ୟ ଏଥିପୂର୍ବରୁ ପଶ୍ଚିମବଙ୍ଗର ଜିଦ୍‌ଖୋର ମମତା ଦିଦି ରାଜ୍ୟପାଳଙ୍କୁ ହଟାଇ ଦେଇ ତାଙ୍କ ଅଧୀନକୁ ବିଶ୍ବବିଦ୍ୟାଳୟମାନଙ୍କୁ ଆଣିଛନ୍ତି। ରାଜ୍ୟପାଳ ନୁହଁ, ମୁଖ୍ୟମନ୍ତ୍ରୀ ଏବେ କୁଳପତି। ଇୟେ ରାଜ୍ୟ ଅହଂକାର ଓ କେନ୍ଦ୍ର ସହ ମୁକାବିଲା ମୂଳକ ଏକ ଭାବ ଓ ପ୍ରକ୍ରିୟା ପ୍ରସୂତ। ତେବେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏପରି ଦ୍ବନ୍ଦ୍ବ ଗଣତନ୍ତ୍ର ପ୍ରତି ବିପଜ୍ଜନକ। ସେମିତି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସରଗରମ ହୋଇଛି। ନିର୍ବାଚନୀ ହିଂସାକାଣ୍ଡ ଓ ରାଜନୈତିକ ଗୁଣ୍ଡାଗିରି ଭୋଟରଙ୍କୁ ଭୟଭୀତ କରୁଛି। ଯେତେ ଗୋପନ ରଖାଗଲେ ବି କ୍ଷେତଖିଆ ଓଲିଆ ଅମଲାମାନେ କ୍ଷମତାସୀନ ସରକାରଙ୍କୁ ଦରକାରବେଳେ ଏ ମତଦାନ ଗୋପନୀୟତା ପ୍ରକାଶ କରିଦିଅନ୍ତି। ତା’ପରେ ଚାଲିଲା ହତ୍ୟାକାଣ୍ଡ। ଏ ଗୋପନୀୟତା ବଜ୍ରଗଣ୍ଠିରେ ସଂରକ୍ଷିତ, ଏ ଭାବ ଆଉ ହଉନି। ଭୋଟବେଳେ ଦଳୀୟ ମୁକାବିଲା ହିଂସାମୁଖୀ ହେଲେ, ଶାସକ ଦଳ ତା’ ଗୁଣ୍ଡାଙ୍କୁ ସୁରକ୍ଷା ଦେବାକୁ ପୁଲିସକୁ ଲଗଉଛି ଓ ବିରୋଧୀପକ୍ଷଙ୍କ ହିଂସାର ଶିକାର ହେବାର ଅସହାୟ ପରିସ୍ଥିତି ସୃଷ୍ଟି କରୁଛି। ପଶ୍ଚିମବଙ୍ଗରେ ଏଥିପାଇଁ କେନ୍ଦ୍ରୀୟ ଫୌଜ ନିଯୁକ୍ତି ହେଲେ ବି ବିରୋଧୀପକ୍ଷ ଦଳଙ୍କ ଅସହାୟତା କେତେକାଂଶରେ ଦୂର ହୋଇଯିବ। ମାତ୍ର କ୍ଷମତାନିଶା ଜର୍ଜରିତ ବାଘୁଣୀ ମିଜାଜର ଦିଦି ଏ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ। ମାତ୍ର ସୁପ୍ରିମକୋର୍ଟ କେନ୍ଦ୍ରୀୟ ସୁରକ୍ଷାବଳ, ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ମୁତୟନ ହେବା ଯଥାର୍ଥ ବୋଲି ମାନ୍ୟବର ଶୀର୍ଷ ଅଦାଲତ ରାୟ ଦେଲେ। କେବଳ ସେତିକି ନୁହେଁ, ବୁଧବାର ପଶ୍ଚିମବଙ୍ଗ ହାଇକୋର୍ଟ ପଞ୍ଚାୟତ ନିର୍ବାଚନ ହିଂସାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୮୨ ହଜାରରୁ ଅଧିକ କେନ୍ଦ୍ରୀୟ ଫୌଜଙ୍କୁ ମୁତୟନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ କଡ଼ା ନିର୍ଦେଶ ନିର୍ଦେଶ ଦେଇଛନ୍ତି।

ତେବେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କେନ୍ଦ୍ରର ରାଜ୍ୟରେ ଅବସ୍ଥିତିକୁ ଅମାନ୍ୟ କରିବା ଭୋଟ ବଳରେ ଏ ବ୍ୟବସ୍ଥାକୁ ଆୟତ୍ତ କରିବା ସ୍ବଚ୍ଛ ଗଣତାନ୍ତ୍ରିକ ଭାବଧାରା ନୁହଁ। ଇୟେ କ୍ରମେ ଦେଶର ଅଖଣ୍ଡତା ଓ ଏକତାକୁ ଦୋହଲାଇ ଦେବ, ଏଥିରେ ସନ୍ଦେହ ନାହିଁ। ‘ଜାତିର ଉନ୍ନତି ସେ କାହୁଁ କରିବ ସ୍ବା‌େର୍ଥ ଯା’ର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ’।

Comments are closed.