କାମୁଡ଼ା ଘୋଡ଼ା ମୁଖେ ଦେଲ ଚୁମ୍ବନ
ରାଜଦାଣ୍ଡରେ ଗଡ଼ଗଡ଼ଉ ଥିବା ନିଶା କାରବାରକୁ ନିର୍ଦେଶକ ଆପଣେ ଅଙ୍ଗୁଳି ନିର୍ଦେଶ ନକରି ସୀମିତ ଓ କଠୋର ପ୍ରୟୋଗସ୍ଥଳ ଦେବାଳୟ ଆଡ଼େ ଆଖି ପକେଇବା ‘ଅତି ପଣ୍ଡିତରେ ବାଇ’ଙ୍କ ପରି ଲାଗେ।
କିଏ ବା କିଛି ସମ୍ପୂର୍ଣ୍ଣ ଭଲ ବା ସମ୍ପୂର୍ଣ୍ଣ ମନ୍ଦ ନୁହନ୍ତି। ବ୍ୟବହାର ଅନୁଯାୟୀ ଫଳାଫଳ ଅନୁଭୂତ। ସଂସ୍କୃତରେ କୁହାଯାଇଛି, ‘ଅମନ୍ତ୍ରମକ୍ଷରଂ ନାସ୍ତି ନାସ୍ତି ମୂଳମନୌଷଧମ୍, ନିର୍ଗୁଣଃ ପୁରୁଷୋ ନାସ୍ତି, ଯୋଜକସ୍ତତ୍ର ଦୁର୍ଲଭଃ।’ ଦିହ ମୁଣ୍ଡ କୁଣ୍ଡେଇ କରୁଥିବା ବିଛୁଆତି ଯେ ଗୋଟିଏ ବଡ଼ ଔଷଧ, ଏ କଥା ଆୟୁର୍ବେଦାଚାେର୍ଯ୍ୟ ଜାଣନ୍ତି। ପାତାଳଗରୁଡ଼ ସାପ ବିଷ ପ୍ରତିରୋଧକ ଏ କଥାକୁ ଆଧୁନିକେ ନାକ ଟେକୁଥିଲେ; ମାତ୍ର ବିଦେଶୀ କମ୍ପାନୀ ଯେତେବେଳେ ଏଥିରୁ ଏସେନ୍ସ(ଅର୍କ) ତିଆରି କଲେ, ସେମିତି ଅଦରକାରୀ ଗୁଳ୍ମ ଭାବେ ଭୂଇଁ ନିମ୍ବ ବା ଚିରେଇତାକୁ ଆମେରିକା କମ୍ପାନୀ ଏସେନ୍ସ ଚାରିଟା ବା ଚିରେଇତା ଅର୍କ ଭାବେ ଅମୂଲ ମୂଲରେ ବିକିଲା। ଆମେ କାଲିର ଫୋପଡ଼ା ଭୂଇଁନିମ୍ବକୁ ବିଦେଶୀ ଶିଶିରେ ବହୁମୂଲ୍ୟ ଦେଇ କିଣି କୃତକୃତ୍ୟ ହେଲୁ। ଏ ଦେଶରେ ଧର୍ମ, ସାହିତ୍ୟ, ସଂସ୍କୃତି ଓ ଭାଷା ମଧ୍ୟରେ ଥିବା ପ୍ରାଜ୍ଞାମୟ ଫରକ ବିଷୟରେ ବହୁଭାେବ କୁହାଯାଇଛି ଓ ଚଳଣି ମଧ୍ୟ ସ୍ଥିରୀକୃତ ହୋଇଛି। ମାତ୍ର ଏବେ ନିଜକୁ ଢ଼େର ପଣ୍ଡିତ ମନେକରୁଥିବା ତଥାକଥିତ ବିଦ୍ବାନମାନଙ୍କର ବୟାନ ଓ ପ୍ରବଚନ, ଖୁବ୍ ବିସ୍ମୟକର ଓ ସଂସ୍କୃତିର ବିକୃତିକରଣ ମାତ୍ର। ଖାଦ୍ୟ, ପାନୀୟ ଓ ଧର୍ମାଚରଣ ବିଷୟରେ ପର୍ଯ୍ୟାପ୍ତ ଅନୁଶୀଳନ କରାଯାଇ ସମାଜରେ ଏହାର ପ୍ରୟୋଗ ବେଶ୍ କଠୋର ଭାବେ କରାଯାଇଛି। ଆମିଷ-ନିରାମିଷ ଖାଦ୍ୟର ଉପକାରିତା ଓ ଆବଶ୍ୟକତା ମଧ୍ୟ ନିର୍ଦ୍ଧାରିତ। ଏପରି ଠାକୁର-ଠାକୁରାଣୀ ମଧ୍ୟରେ ବୈଷ୍ଣବୀ ବା ନିରାମିଷାଶୀ ଓ ଆମିଷଭୋଗୀ ବି ଅଛନ୍ତି। ସବୁ ଦୁର୍ଗାଙ୍କ ଠେଇ ଆମିଷ ବା ବଳି ପଡେନି। ଭୁବନେଶ୍ବରୀ ପ୍ରଭୃତି ଦୁର୍ଗାବତାରୀ ବୈଷ୍ଣବୀ। ପାପ, ପୁଣ୍ୟ ବିଚାର ବା ଅର୍ଜନ ଆମିଷ ନିରାମିଷ ଭୋଜନରୁ ନିର୍ଦ୍ଧାରିତ ହୁଏନି। ସେଥିପାଇଁ ମନୁସଂହିତାେର କୁହାଗଲା ‘ନ ମାଂସ ଭକ୍ଷଣେ ଦୋଷଃ, ନ ମଦ୍ୟେ ନ ଚ ମୈଥୁନେ, ପ୍ରବୃତ୍ତିରେଷା ଭୂତାନାଂ ନିବୃତ୍ତିଂ ଚ ମହାଫଳମ୍’, ମାଂସ ଭକ୍ଷଣେ, ମଦ୍ୟପାନେ ବା ମୈଥୁନ ଆଚରଣରେ କୌଣସି ଦୋଷ ନାହିଁ, କାରଣ ଏହା ଜୀବର ପ୍ରବୃତ୍ତିଗତ ଆଚରଣ। ମାତ୍ର ଯେଉଁମାନେ ଏଥିରୁ ନିବୃତ୍ତ ରହନ୍ତି, ସେମାନେ ମହାଫଳ ଲାଭ କରନ୍ତି। ତମେ ଏଥିରୁ ତମ ମାଂସଖିଆକୁ କି ନିରାମିଷଖିଆକୁ ମାପ। ଇଂରାଜୀ ପ୍ରୟୋଗ ମଦ ପୂର୍ବରୁ ଆମ ଦେଶରେ ସୋମରସ, କାଦମ୍ବରୀ ଆଦି ପ୍ରଚଳନ ଥିଲା। ଅଫିମ ଗଞ୍ଜେଇ ନିଶା ମଧ୍ୟ ନିର୍ଦିଷ୍ଟ ବର୍ଗ ମଧ୍ୟରେ ପ୍ରଚଳିତ ଥିଲା। ଅଫିମିଆଗୁଡ଼ା ମଦୁଆଙ୍କ ଭଳି ଉଦ୍ଧତ୍ତ ଉନ୍ମତ୍ତ ହୋଇ ହାଣମାର, ଗାଳିଫଜିତ କରନ୍ତିନି। ଅଫିମିଆଗୁଡ଼ା ଢ଼େର ଗପୁଡ଼ି। ଭାଙ୍ଗୁଆମାନେ ବି ସେମିତି। ଏମିତି ଗପୁଡ଼ି ଯେ କଥାରେ ତାଳମେଳ ନଥାଏ। ମଦ ଆଦି ଏ ସବୁ ନିଶା ବିଷୟରେ କୁହାଯାଇଛି ଯେ ମଦ୍ୟପାଃ କିଂ ନ ଜଳ୍ପନ୍ତି କିଂ ନ ଭକ୍ଷନ୍ତି ବାୟସାଃ। ମଦୁଆ କ’ଣ ନ ଗପେ। କୁଆ କ’ଣ ନ ଖାଏ। ତେବେ ଆମ ଖାଦ୍ୟପେୟ ସହ ଆମ ଆରାଧ୍ୟ ଦେବତାମାନେ ସଂପୃକ୍ତ। ଆମ ସବୁ ଖାଦ୍ୟ, ଇଷ୍ଟଦେବଙ୍କୁ ହିଁ ଅର୍ପିତ ହୋଇଥାଏ। ଭାଙ୍ଗ ଗଞ୍ଜେଇ ମଧ୍ୟରେ ଭାଙ୍ଗ ପଣା ସଂକ୍ରାନ୍ତି ପଣାରେ ବ୍ୟବହୃତ ହୁଏ। ଭାଙ୍ଗ ଏକ ଆୟୁର୍ବେଦୀୟ ମହୌଷଧି। ଭାଙ୍ଗପଣା ପ୍ରଭୁଙ୍କୁ ଅର୍ପଣ ପୂର୍ବର ସର୍ତ୍ତ ନ ଜାଣି, ଏକୁ ଠାକୁରଙ୍କ ନଁାରେ କହି ‘ଭାଙ୍ଗୁଆ’ ‘ଭାଙ୍ଗୁଆର’ ଉପହାସ୍ୟ ହୋଇଥାଏ। ନିଜ ମାନହାନି ଘଟାଇଥାଏ। ଶିବରାତ୍ରି ଉତ୍ସବରେ ନଡ଼ିଆ, କଦଳୀ, ସର, ଦୁଧ ଆଦି ପଦାର୍ଥ ଶିବଲିଙ୍ଗରେ ଘର୍ଷଣ ଭାବେ ବ୍ୟବହୃତ ହୁଏ ଓ ଏହି ଘର୍ଷଣରେ ସାମାନ୍ୟ ଗଞ୍ଜେଇ ମଧ୍ୟ ବ୍ୟବହୃତ ହୋଇଥାଏ। ଏହା ଆୟୁର୍ବେଦୀୟ ଶାସ୍ତ୍ରାନୁସାରେ ଏକ ମହାର୍ହ ମହୌଷଧିର କାମ କରିଥାଏ। ଏ ଗେଞ୍ଜଇ ଭୋଗ ବ୍ୟବସ୍ଥା (ଘର୍ଷଣ) ବର୍ଷର ଆଉ କେବେ ଅନର୍ଗଳ ବ୍ୟବହୃତ ହୁଏ ନାହିଁ। ସେମିତି ନିରାମିଷ ଖାଦ୍ୟର ପ୍ରବକ୍ତା ଏ ଦେଶ ସଂସ୍କୃତିରେ ବଳି ପ୍ରଥା ମଧ୍ୟ ପ୍ରଚଳିତ। ତାହା ଏକ କଠୋର ଅନୁଶାସନ ଓ ନୀତି ଅନ୍ତର୍ଗତ ହୋଇଥାଏ। ଏହାର ତାତ୍ତ୍ବିକ ଓ ବୈଜ୍ଞାନିକ କାରଣ ବୟାନର ସୁଯୋଗ ଏଠି ନାହିଁ। ଠାକୁରଙ୍କ ପାଖେ ଗଞ୍ଜେଇ ଭୋଗ ବ୍ୟବସ୍ଥା କରିଥିବା ପରମ୍ପରା ମଧ୍ୟ ଲେଖିଛି ଯେ, ‘‘ଠାକୁର ଦ୍ବାହିରେ ଗଞ୍ଜାଇ ଖାଏ, ଜାଣୁ ଜାଣୁ ସେ ତ ନରକେ ଯାଏ। ଗଞ୍ଜେଇକୁ ଯେହୁ ଅଭ୍ୟାସ କଲା କଲିଜା ଶୁଖି ତା’ ଜୀବନ ଗଲା। ଗୁଲି ଅନ୍ୟ ନାମ ଅଟଇ ଗୁଳି, ଅଫିମ ନୁହେଁ ଯେ ଜିଅନ୍ତା ଶୂଳି। ଗୁଲି ଅଫିମକୁ ଅଭ୍ୟାସ କଲେ, ଯମ ଦେଖାଦିଏ ଥରେ ହୁଡ଼ିଲେ।’’ ‘‘ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େନାହିଁ ଟାେଣ ପଇସା। ଚାହା ସିଗାରେଟ ମଟର ବସା, ଦେଶ ଧନ ଦେଇ ବିଦେଶ ପୋଷା।’’
ଭାଷା ସାହିତ୍ୟ ଓ ସଂସ୍କୃତି ଭଳି ଗରୁଆ ବ୍ରହ୍ମଜ୍ଞାନାନ୍ତର୍ଗତ ବିଷୟର ନିର୍ଦେଶକ ଆପଣଙ୍କ ଏ ନିର୍ଦେଶ ‘କଉ’ ବାଣ ଭଳି ବିସ୍ଫୋରିତ ହୋଇଛି। ସାରା ରାଜ୍ୟରେ ‘ମଦ’ ସମୁଦ୍ର ସୃଷ୍ଟି କରିଥିବା ସରକାରଙ୍କ ଇଲାକାରେ ନିଶାହୀନତା କଥା କହିବା ଲଙ୍କାରେ ହରିନାମ ଭଳି ହୃଦ୍କମ୍ପନ ସୃଷ୍ଟି କରିଛି। ତେବେ ଲାଗୁଛି ନିର୍ଦେଶକେ ଆପଣେ ଇଆ ପରେ ‘ମଦ’ ଆଡ଼କୁ ଯିବେ। ରାଜ୍ୟରେ ମଦ, ଗଞ୍ଜେଇ, ଚରସ, ହେରୋଇନ ଭଳି ଭୟଙ୍କର ନିଶା ଦ୍ରବ୍ୟ କୋଟିକୋଟି ଟଙ୍କା ମୂଲ୍ୟରେ ଜବତ ହେଉଥିବାବେଳେ ୟାର ଚେର ଏ ରାଜ୍ୟରୁ ବିହାର ଓ ଉତ୍ତରପ୍ରଦେଶ ଯାଏ ଲମ୍ବିଥିବା ଦେଖାଯାଉଛି। ରାଜଦାଣ୍ଡରେ ଗଡ଼ଗଡ଼ଉ ଥିବା ଏ ନିଶା କାରବାରକୁ ତ ନିର୍ଦେଶକ ଆପଣେ ଆଙ୍ଗୁଳି ନିର୍ଦେଶ ନକରି ସୀମିତ ଓ କଠୋର ପ୍ରୟୋଗସ୍ଥଳ ଦେବାଳୟ ଆଡ଼େ ଆଖି ପକେଇବା ‘ଅତି ପଣ୍ଡିତରେ ବାଇ’ଙ୍କ ପରିଣତି ପରି ଲାଗେ।
କ୍ଲବ ଘର ବା କୋଠଘର, ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ସାରି ଏବେ ପଣ୍ଡିତଦଳ ମଠ ମନ୍ଦିର ଆଡ଼େ ଚମକିଲେଣି। ‘ମନ୍ଦିର’ ରୂପାନ୍ତକରଣ ପବିତ୍ରତାରେ, ଆଧ୍ୟାତ୍ମିକତାରେ ଥାଏ। ଏକୁ ସଜେଇସାଜେଇ ପର୍ଯ୍ୟଟକ କଣ୍ଡୁ ଅନ୍ତର୍ଗତ କଲେ, ମନ୍ଦିରର ଶାସ୍ତ୍ରୀୟ ନଗ୍ନ ମୂର୍ତ୍ତି କେବଳ ଏ ସୌନ୍ଦର୍ଯ୍ୟକରଣକାରୀଙ୍କ ଦୃଷ୍ଟିଗୋଚର ହେବ। ତା’ ଭିତରେ ବିଦ୍ୟମାନ ନା ଜଗନ୍ନାଥ, ନା ଦୁର୍ଗା କି ନା କେହି ଇଷ୍ଟଦେବ ଦୃଷ୍ଟିକୁ ଆସିବେ? ଆରେ ଦାଣ୍ଡରେ ଗଡ଼ଗଡ଼ଉ ଥିବା କୁକର୍ମ ବିକୃତିକରଣର ପ୍ରଥା ଆଦିକୁ ନ ଆକଟି ମନ୍ଦିର ଏହାର ପରମ୍ପରା ଓ ଏଥିସହ ସଂପୃକ୍ତ ବହୁ ପ୍ରଥା ବିଷୟରେ ଅଜ୍ଞ ଏ ସଂସ୍କାରୀଗତ ଏଥିରେ ହାତମାରି, ବିଶୃଙ୍ଖଳା ଓ ନିର୍ବୋଧତାର ଲହଡ଼ି ସୃଷ୍ଟିକରି, ହିଡ଼ ଭାଙ୍ଗୁଛନ୍ତି। ଏଙ୍କ ‘ସଂସ୍କାର’ଧର୍ମୀ ନିର୍ବୋଧତା ଓ ଆସ୍ପର୍ଦ୍ଧାକୁ ଦେଖିଲେ ମନେପଡ଼େ କଥା, ‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି, କନ୍ଧ ହାତରେ ଦେଲି ଗୋଦାନ ଟେକି। କାମୋଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ, ଜଡ଼ା ପକାଇ ଖଡ଼ା କଲ ରନ୍ଧନ। ହେ ରାଜା କି କଲ ବିଷ୍ଣୁପ୍ରତିମାକୁ ତଳେ ଥୋଇଲ।’
Comments are closed.