କ୍ଷତାକ୍ତ ବିଶ୍ବାସବୋଧ
କାଇଁ ସେ ଦିନ! କାଇଁ ସେ ସଚେତନତା! କାଇଁ ସେ ସାଧୁତା! ବିଜୁଳିବତି ତ ଲେଖିଲେ, ‘ଦିନ ରାତି ଯାର ଧନରେ ମନ ସବୁଠାରୁ ଦୁଃଖୀ ସେ ପରାଧୀନ।
ଖ୍ରୀଷ୍ଟ ପୂର୍ବ ୨୮୭ରୁ ୨୧୨ ମସିହାର କଥା। ଗ୍ରୀକ୍ ରାଜା ଗୋଲ୍ଡସ୍ମିଥ୍ ଜଣେ ବଣିକକୁ ଏକ ମୁକୁଟ ତିଆରି କରିବାକୁ ଦେଇଥିଲେ। ମୁକୁଟଟି ଅତ୍ୟନ୍ତ ସୁନ୍ଦର ହୋଇଥିଲା; ମାତ୍ର ଏଥିରେ ପ୍ରକୃତରେ ଖାଣ୍ଟି ସୁନା ଅଛି ନା ଖାଦ କେତେ ଅଛି, ତା’ କେମିତି ଜଣାଯିବ। କଷଟି ପଥର ବ୍ୟତୀତ ଅନ୍ୟ ଅବିକଳ ମାପଯନ୍ତ୍ର କିଛି ନଥିଲା। ତତ୍କାଳୀନ ଗଣିତଜ୍ଞ ଆର୍କମିଡିସ୍ଙ୍କୁ ରଜା ଏ ଦାୟିତ୍ବ ଦେଲେ। ନ ତରଳାଇଲେ ଏହାର ଖାଦ ମପାଯାଇ ନ ପାରିବା ତ ଏକ ସାଧାରଣ କଥା। ତା’ହେଲେ କ’ଣ ଏ ବଣିକ ଜାତି ଗରାଖଙ୍କୁ ତାକୁ ବିଶ୍ବାସ କରିବାକୁ ବାଧ୍ୟ କରି ଚାଲିଥିବ? ଏ କଥା ବିଜ୍ଞ ଗଣିତଜ୍ଞ ଆର୍କମିଡିସଙ୍କୁ ଏକ ଆହ୍ବାନ ମନେ ହେଲା। ବହୁ ଚିନ୍ତା ପରେ ସେ ଆବିଷ୍କାର କଲେ ତା’ ସେଇଦିନୁ ଆଜିଯାଏ ‘ଆର୍କମିଡିସ୍ ସୂତ୍ର’ ଭାବେ ପ୍ରଚଳିତ। ଏହାର ଅବତାରଣାର ଉଦ୍ଦେଶ୍ୟ ହେଲା ଯେ ଆଜିକୁ ଦି’, ଅଢ଼େଇ ହଜାର ବର୍ଷ ତଳେ ବି ଜଣେ ଖାଉଟିର କ୍ରୀତଦ୍ରବ୍ୟ କି ନିରୋଳା, ନିରୁତା କି ନୁହେଁ ସେ ସନ୍ଦେହ ଏତେ ବଡ଼ ମୂଲ୍ୟବୋଧ ସଂସ୍କୃତିରେ ବି ଥିଲା। ତେଣୁ ଅବିଶ୍ବାସ ଓ ଚିତାକଟା ଯେପରି ଘୁ ଘୁ ବଢ଼ିଚାଲିଛି, ସେଥିରେ ଏ ସନ୍ଦେହ ଓ ଆଶଙ୍କା ଗୁରୁତର ହେବାକଥା, ହେଉଛି ବି।
ଅତିଷ୍ଠ ଓ ବିପନ୍ନ ଖାଉଟିର ସୁରକ୍ଷା ପାଇଁ, ଏ ଗଣତାନ୍ତ୍ରିକ ସରକାର ମାପ ଓ ଓଜନ ବିଭାଗ ସୃଷ୍ଟି କରିଛନ୍ତି। ସାନ ବଡ଼ ସବୁ ଖାଉଟି ପଦାର୍ଥର ସୁରକ୍ଷା ପାଇଁ ବି ଆଇନ ତିଆରି ହୋଇଛି। ୨୦୧୯-୨୦ ବର୍ଷରେ ୫୩୩୪ ମୋକଦ୍ଦମାରେ ୧୨କୋଟି ୩୧ ଲକ୍ଷ ୫ହଜାର ୩୦୩ ଟଙ୍କା ଜୋରିମାନା ଆଦାୟ ହୋଇଥିଲା। ମାତ୍ର ପୂର୍ବ ମୋକଦ୍ଦମା ଓ ଜୋରିମାନା ଆଦାୟର ପରିମାଣ ଅପେକ୍ଷା ୨୦୧୯-୨୦ ବର୍ଷରେ ଫେବୃଆରୀ ଶେଷ ସୁଦ୍ଧା ୭୨ଟି ମାମଲା ରୁଜୁ ହୋଇଛି। ସତେ ଯେମିତି ଏ ଦେଶ ଜନତା, କ୍ରେତା, ବିକ୍ରେତା ବା ଖାଉଟି ସତେ ଯେମିତି ଏକ ନୈତିକ ଅଭ୍ୟୁତ୍ଥାନରେ ପହଞ୍ଚି ଯାଇଛନ୍ତି। ନା’ ତାହା ନୁହଁ। ପ୍ରତିଦିନର ଅଭିଜ୍ଞତା ଦେଖିଲେ, ବରଂ ନୈତିକତାର ମାନ ଢ଼େର ତଳକୁ ଖସି ଆସିଛି। ପଚାଶ ଷାଠିଏ ବର୍ଷ ତଳେ କିଏ କେମିତି ଦୁଧରେ ପାଣି ଆଞ୍ଜୁଳେ ମିଶାଇ ଦେଉଥିଲା। ଗଉଡ଼ ଏ ଦୋଷକୁ ସ୍ବୀକାର କରି କହେ, ‘ନାଇଁ ମ ଆଜ୍ଞା, ଦୁଧ ତ ଅମୃତ, ସେଥିରେ ପାଣି-ବିଷ ମିଶାଇବାର ପାପ କିଆଁ କରିବି। ତେବେ ଦୁହାଁ କ୍ଷୀରରେ ଟୋପେ ପାଣି ନ ମିଶାଇଲେ ଗାଈ ପହ୍ନା ପରା ଶୁଖିଯିବ! ଇଏ ଥିଲା ବାସ୍ତବ ବିଶ୍ବାସବୋଧର ଏକ ପ୍ରକୃତ ଚିତ୍ର। ମାତ୍ର ଏବେ ପାଣିରେ ଦୁଧ ମିଶାଯାଇ ବିକ୍ରି ହେଉଛି। ଖାଦ୍ୟ ପଦାର୍ଥ ଯଥା ଅଟାରେ, ମସଲା ପ୍ୟାକେଟରେ, ଚାଉଳରେ ଗୋଡ଼ି ଇତ୍ୟାଦି ନିଃଶଙ୍କ ମିଶାଯାଇ ବିକାଯାଉଛି। ଏପରି ଜୀବନ ରକ୍ଷାକାରୀ ଔଷଧରେ ମଧ୍ୟ ଭେଜାଲ। ଇଞ୍ଜେକ୍ସନ, ଆଣ୍ଟିବାଇଓଟିକ ବି ମିଶା। ଜନତା ଖାଉଟି କହିଲେ ଖାଦ୍ୟ ତ ଛାଡ଼ ଖାଣ୍ଟି ବିଷ ବି ମିଳୁନି। ବିଷ ଭେଜାଲ ହେତୁ ତା’ ବି କାମ କରୁନି। ଓଜନ ନାଁରେ ନାନା ଓଜନ ଯନ୍ତ୍ର, ତରାଜୁ ଓ ବଟକରା ତିଆରି ହେଲାଣି।
ଏବେ ବି ଆହୁରି ବୈଦ୍ୟୁତିକ ଓଜନ ଯନ୍ତ୍ର ପ୍ରସ୍ତୁତ ହେଲାଣି। ଆଗେ ଗାଁରେ ଓଜନ ଯନ୍ତ୍ର ‘ଦଣ୍ଡି ନାଁରେ’ ପ୍ରଚଳିତ ଥିଲା। ଏକୁ ଧର୍ମକଣ୍ଟା ବି କୁହାଯାଉଥିଲା। ଦଣ୍ଡିରେ ଠକୁଥିବା ଲୋକକୁ ଜନତା ଦଣ୍ଡିମରା ବୋଲି କହୁଥିଲେ। କ୍ରୋଧାନ୍ଧ ଖାଉଟି ତାକୁ ଭିନ୍ନ ଜମକରେ ବି ଆକ୍ଷେପ କରୁଥିଲେ। ତା’ ସତ୍ତ୍ବେ ଏମାନଙ୍କଠି କୋଉ ଲାଜ, ସରମ ଅଛି। ମଧୁବାବୁ ତ କହିଲେ, ‘ଜାତିର ଉନ୍ନତି ସେ କାହୁଁ କରିବ ସ୍ବାର୍ଥେ ଯା’ର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ?’ ଏବେ ଖୋଦ୍ କଟକ ଓ ଉପକଣ୍ଠ ଅଞ୍ଚଳରେ ଲକ୍ଷଲକ୍ଷ ଟଙ୍କାର ଭେଜାଲ ଜୀବନ ରକ୍ଷାକାରୀ ଔଷଧ ଜବତ ହୋଇଛି। କବିରାଜ ଓଷୁଅ ତ ଅନୁପାନ ଉପରେ ନିର୍ଭରଶୀଳ। ବଟିକାକୁ ମହୁ ଅନୁପାନରେ ଘୋରି ଖାଇବାକୁ କବିରାଜ କହିଲେ। ମାତ୍ର ସେହି ଔଷଧକୁ ଗୁଡ଼ ସିରାରେ ମହୁଭାବେ କିଣି ଘୋରି ଖାଇଲେ, ଉପକାର ଅପେକ୍ଷା ଅପକାର ତ ହେଉଛି ହିଁ। ପିଲାଦିନ କଥା। ସୋରିଷ ତେଲ ମୁଢ଼ି ବାଦାମ ଗୋଳାଇ ଶୀତଦିନେ ଖାଇବାର ସ୍ବାଦ ଏେବ କାଇଁ? ଟୋପେ ସୋରିଷ ତେଲରେ ନାକ ବି ପୋଡ଼ୁଥିଲା। ଏବେ ତ ଗୋଟେ ହ୍ବାଇଟ ଅଏଲ ବାହାରିଲାଣି। ସେ ସବୁ ତେଲରେ ଫେଣ୍ଟି ହୋଇଯାଉଛି। ସତରେ ଖାଉଟିଏ ଜୀବନ ଏପରି କି ଡାକ୍ତରଖାନା ଖଟିଆରେ ଜୀବନ ପାଇଁ ସଂଗ୍ରାମ କରୁଥିବା ରୋଗୀ ଏ ଭେଜାଲ ଔଷଧ ଖାଇ ମୃତ୍ୟୁ ଲଭୁଛନ୍ତି। ୟାର କାରଣ ନୈତିକତାର ଓ ସରଳ ଜୀବନାଦର୍ଶର ପତନ ଘଟିଛି। ଜୀବନ ଶୈଳୀ ଓ ଢ଼ଙ୍ଗ ବଦଳି ଯାଇଛି। ବିଶ୍ବବିଖ୍ୟାତ ଅର୍ଥନୀତିଜ୍ଞ ତଥା ମୌର୍ଯ୍ୟ ସାମ୍ରାଜ୍ୟର ମନ୍ତ୍ରୀ ଚାଣକ୍ୟ ଦିନେ ସରକାରୀ ଡିବି ଓ ବ୍ୟକ୍ତିଗତ ଡିବି, ଦୁଇଟି ଡିବି ବ୍ୟବହାର କରୁଥିଲେ ଆବଶ୍ୟକତା ଅନୁଯାୟୀ। ମେଘାସ୍ଥିନିସ ଏ ସାଧୁତାର ଭୂରିଭୂରି ପ୍ରଶଂସା କରିଛନ୍ତି। କାଇଁ ସେ ଦିନ! କାଇଁ ସେ ସଚେତନତା! କାଇଁ ସେ ସାଧୁତା! ବିଜୁଳିବତି ତ ଲେଖିଲେ, ‘ଦିନ ରାତି ଯାର ଧନରେ ମନ ସବୁଠାରୁ ଦୁଃଖୀ ସେ ପରାଧୀନ। ପଚାଶଢ଼ା ଚିଜ ନିଏ ହାଟକୁ, ଯେତେ ଅରଜୁ ସେ ଦିଏ ଖଣ୍ଟକୁ। ଲକ୍ଷପତି ଏଠି କହନ୍ତି ତାକୁ, ଲକ୍ଷ୍ୟ ନ କରେ ଯେ ପର ଧନକୁ।’
ଇଏ ଆମ ସଂସ୍କାର ଓ ସଂସ୍କୃତି କଥା। ଏଠି ବାଡ଼ ବି ସାଧୁ ନୁହଁ। କ୍ଷେତ ଖିଆ ସେ ବନିଛି। ରକ୍ଷକ ରକ୍ଷା ନକରି ଭକ୍ଷକ ହେଲେ, କଥା ସଇଲା। କାହାକୁ କହିବା କପାଳରେ ସିନା କର ମାରିବା।
Comments are closed.